ନୂଆଦିଲ୍ଲୀ ଗସ୍ତ ପରେ ବିଜେପି ନେତାଙ୍କ ନୀରବତା ନେଇ ବିଜେଡି-ବିଜେପି ମଧ୍ୟରେ ଭାଲେଣି…ସ୍ପଷ୍ଟ ଚିତ୍ର ନେଇ ଆହୁରି ଅପେକ୍ଷା ….ଶାହା ଆସିବେ ଜାନୁୟାରୀରେ…
ଭୁବନେଶ୍ୱର : ସାଧାରଣ ନିର୍ବାଚନ ପାଖେଇ ଆସିଲାଣି। ବିଜେଡି, କଂଗ୍ରେସ ଓ ବିଜେପି ପାଗ ଭିଡ଼ିଲାଣି। ନିକଟରେ ବିଜେପି ବିଧାୟକମାନେ ନୂଆଦିଲ୍ଲୀ ଗସ୍ତ କରିଥିଲେ। ଏହି ସମୟରେ ସେମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଭେଟିଥିଲେ। ଏହି ସମୟରେ ଆଗ ଅପେକ୍ଷା ଅଧିକ ପ୍ରଦର୍ଶନ କରି ଦଳକୁ ସୁଦୃଢ କରିବାକୁ ଶ୍ରୀ ମୋଦି ପରାମର୍ଶ ଦେଇଥିଲେ। ମାତ୍ର ଇତି ମଧ୍ୟରେ ବିଧାୟକମାନେ ଓଡ଼ିଶା ଫେରିଲେଣି। ସେମାନଙ୍କ ମଧ୍ୟରୁ ଏକାଧିକଙ୍କ ସହ ଯୋଗାଯୋଗ କରାଯାଇଥିଲା। ନାମଗୋପନ ରଖିବା ସର୍ତ୍ତରେ ସେମାନେ କୁହନ୍ତି ଯେ, ରାଜ୍ୟର ୨୧ ଲୋକସଭା ଜିତିବା ନେଇ ଯେପରି କେନ୍ଦ୍ରୀୟ ନେତୃତ୍ୱର ତତ୍ପରତା ରହିଛି। ତାହା ସହଜରେ ଅନୁଭବ ହେଉଛି। ସେହି ଅନୁସାରେ କାମ ହେଉଛି। ମାତ୍ର ବିଧାନସଭା ନେଇ ଯାହା କୁହାଯାଉଛି, ସେହି ଅନୁସାରେ କାମ ହେଉନାହିଁ। ହିନ୍ଦୀ ଭାଷୀ ଅଞ୍ଚଳରେ ବିଜେପି ନିକଟରେ ବିଧାନସଭାରେ ଭଲ ପ୍ରଦର୍ଶନ କରିଛି। ମାତ୍ର ସେହି ସବୁ ସ୍ଥାନରେ ଲୋକସଭାରେ ଗତଥର ଶତ ପ୍ରତିଶତ ଫଳାଫଳ ହୋଇଥିଲା। ତେଣୁ ସେଠାରେ ଆସନ ବୃଦ୍ଧି ଅପେକ୍ଷା ହ୍ରାସର ଆଶଙ୍କା କରାଯାଉଛି। ଏହି କ୍ରମରେ ଓଡ଼ିଶା, ଆନ୍ଧ୍ର ପ୍ରଦେଶର ସମସ୍ତ ଲୋକସଭାକୁ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ନିଜ ହାତରେ ରଖିବାକୁ ଚାହୁଁଛି। ତେଣୁ ନବୀନ ପଟ୍ଟନାୟକଙ୍କ ବିଜେଡ଼ି ଏବଂ ଜଗନଙ୍କ ଓ୍ୱାଇଏସଆର କଂଗ୍ରେସ ସହଯୋଗରେ ଲୋକସଭା ଆସନ କ୍ଷତିଭରଣା କରିବାକୁ ଚାହୁଁଛି। ମୟୂରଭଞ୍ଜ ଜିଲ୍ଲାର ଜଣେ ବିଜେପି ବିଧାୟକଙ୍କ କହିବାନୁଯାୟୀ, ରାମ ମନ୍ଦିର ଉଦଘାଟନ ପରେ ନିର୍ବାଚନ ଆଗୁଆ ଘୋଷଣା କରିବା କେନ୍ଦ୍ରୀୟ ନେତୃତ୍ୱ ମନରେ ରହିଛି। ମାତ୍ର ଏନେଇ ନିଷ୍ପତ୍ତି ହୋଇନାହିଁ। କୌଣସିମତେ ବିଜେଡ଼ି ସହ ଲୋକସଭା ବୁଝାମଣାକୁ ଏଡ଼ାଇ ଦିଆଯାଇ ନ ପାରେ ବୋଲି ସେ କହିଛନ୍ତି। ମାତ୍ର ପଶ୍ଚିମ ଓଡ଼ିଶାର ନବ ନିର୍ବାଚିତ ଜଣେ ବିଧାୟକ କହିଛନ୍ତି ଯେ, ଭେଟଘାଟ ପରେ ଆମେ ଉତ୍ସାହିତ। ହେଲେ ରଣନୀତି ନେଇ ସ୍ପଷ୍ଟତା ଆସିବ। ଆସନ୍ତା ଜାନୁୟାରୀ ମାସରେ ହେବାକୁ ଥିବା ଅମିତ ଶାହାଙ୍କ ଓଡ଼ିଶା ଗସ୍ତ ପରେ ସ୍ପଷ୍ଟ ଚିତ୍ର ଆସିବ ବୋଲି ଯୁବ ବିଧାୟକ ଜଣଙ୍କ କହିଛନ୍ତି। ମାତ୍ର ବିଜେଡ଼ିର ଉପରେ ଏକ ପରୋକ୍ଷ ଚାପ ପଡୁଛି। ନଚେତ୍ କେନ୍ଦ୍ରୀୟ ସଂସ୍ଥାର ଭୟ ଦେଖାଯାଉଛି। କାମିୟା ଜାନି ପ୍ରସଙ୍ଗରେ ବିଶ୍ୱହିନ୍ଦୁ ପରିଷଦ ଏବଂ ସାମାଜିକ ଗଣମାଧ୍ୟମରେ ଯେପରି ଟ୍ରୋଲ ବାହିନୀକୁ ବ୍ୟବହାର କରାଯାଉଛି, ତାହା ଭିନ୍ନ ସଙ୍କେତ ଦେଉଛି। ଶାସକ ଦଳର ମନ୍ତ୍ରୀ ଜଣେ କହିଲେଣି, ମୁହଁ ଖୋଲି ଇଡ଼ି ସକ୍ରିୟ ହେବ। ତେଣୁ ମୁହଁ ଖୋଲୁ ନ ଥିବା ବିଜେଡି ମଧ୍ୟ ବିଜେପି ରଣନୀତିକୁ ନେଇ ସନ୍ଦେହରେ ରହୁଛି।