ଡିସେମ୍ବର ୩୦ରେ ନେଇଥିଲେ ମନ୍ତ୍ରୀ ପଦର ଶପଥ , ୮ରେ ବିଧାୟକ ପଦ ବି ନାହିଁ
ଜୟପୁର: ୨୦୨୩ ନଭେମ୍ବର ୨୫ରେ ରାଜସ୍ଥାନର ୨୦୦ ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ୧୯୯ଟିରେ ଭୋଟ ଗ୍ରହଣ କରାଯାଇଥିଲା। ଏହାର ୧୦ ଦିନ ପୂର୍ବରୁ ଶ୍ରୀକରଣପୁର ବିଧାୟକ ତଥା କଂଗ୍ରେସ ପ୍ରାର୍ଥୀ ଗୁରମିତ ସିଂ କୁନ୍ନରଙ୍କ ପରଲୋକ ହୋଇଥିବାରୁ ସେଠାରେ ନିର୍ବାଚନ ସ୍ଥଗିତ ରଖାଯାଇଥିଲା। ଏହି ଆସନରେ ୨୦୨୪ ଜାନୁଆରୀ ୫ରେ ମତଦାନ ହୋଇଥିଲା। ରାଜ୍ୟରେ କଂଗ୍ରେସକୁ ବେଦଖଲ କରି ନୂଆ ସରକାର ଗଢ଼ିଥିବା ବିଜେପି ଧରି ନେଇଥିଲା ଯେ କରଣପୁରରେ ମଧ୍ୟ ଖୁସିରେ ଜିତିଯିବ। ତେଣୁ ଡିସେମ୍ବର ୩୦ରେ ଅନ୍ୟ ୨୧ ମନ୍ତ୍ରୀଙ୍କ ସହ ଉକ୍ତ ଆସନର ବିଜେପି ପ୍ରାର୍ଥୀ ସୁରେନ୍ଦ୍ର ପାଲ୍ ସିଂ ଟିଟି (୬୭) ରାଷ୍ଟ୍ରମନ୍ତ୍ରୀ ଭାବେ ଅଗ୍ରୀମ ଶପଥ ନେଇଥିଲେ। ଜାନୁଆରୀ ୮ରେ କରଣପୁର ଉପନିର୍ବାଚନର ଫଳାଫଳ ଆସିଛି। ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ଦିବଂଗତ ବିଧାୟକ ଗୁରମିତଙ୍କ ପୁଅ ତଥା କଂଗ୍ରେସ ପ୍ରାର୍ଥୀ ରୂପିନ୍ଦ୍ର ସିଂ କୁନ୍ନରଙ୍କଠାରୁ ୧୧,୨୮୩ ଭୋଟ ବ୍ୟବଧାନରେ ହାରି ଯାଇଛନ୍ତି। ଏଏପି ପ୍ରାର୍ଥୀ ପୃଥ୍ବୀପାଲ ସିଂ ଏଠାରେ ୧୧,୯୪୦ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ରହିଛନ୍ତି। ଏତିକି ଭୋଟ ଅଧିକ ପାଇଥିଲେ ବିଜେପି ପ୍ରାର୍ଥୀ ସୁରେନ୍ଦ୍ର ଜିତି ଯାଇଥାନ୍ତେ। ସେତେବେଳେ ଯେଉଁମାନେ ଏହାକୁ ପ୍ରଧାନମନ୍ତ୍ରୀଙ୍କ ବିଜୟ ବୋଲି ତାଳି ମାରିଥାନ୍ତେ, ସେମାନେ ଏବେ କିଛି ନ ଜାଣିଲା ପରି ଚୁପ୍ ବୋଲି ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି। ଏହି ଫଳାଫଳକୁ ନେଇ ରାଜନୈତିକ ସମୀକ୍ଷକ କୁହନ୍ତି ଯେ,ଏହା କେବଳ ସୁରେନ୍ଦ୍ରଙ୍କ ପରାଜୟ ନୁହେଁ, ନୂଆ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମାଙ୍କ ସମେତ ବିଜେପି କେନ୍ଦ୍ରୀୟ ନେତୃତ୍ବଙ୍କ ପାଇଁ ଏକ ଶକ୍ତ ଝଟକା। ସରକାର ଗଠନର ଠିକ୍ ପରେ ଅନୁଷ୍ଠିତ ଉପନିର୍ବାଚନରେ ଶାସକ ଦଳର ଏପରି ଶୋଚନୀୟ ପରାଜୟ ପାଇଁ ଅତ୍ୟଧିକ ଆତ୍ମବିଶ୍ବାସ ଦାୟୀ l ନିର୍ବାଚନ ନ ଲଢ଼ି, ବିଧାୟକ ନ ହୋଇ ମନ୍ତ୍ରିମଣ୍ଡଳରେ ସାମିଲ ହୋଇଯିବା କ୍ଷମତାସୀନ ଦଳ ପାଇଁ କାଳ। ଶାସକ ଯେତେ ଶକ୍ତିଶାଳୀ ହେଲେ ବି ଶତ୍ରୁଙ୍କୁ ଦୁର୍ବଳ ମନେକରିବା ଭୁଲ୍। ଗାଡ଼ି ଘୋଡ଼ା ସବୁବେଳେ କାମ କରେନାହିଁ। ଆଗାମୀ ଜାତୀୟ ନିର୍ବାଚନ ଦୃଷ୍ଟିରୁ ଦେଖିଲେ ଅନେକ ଆସନରେ ବିଜେପି ପାଇଁ ଏଏପି ଏପରି ଆହ୍ବାନ ସୃଷ୍ଟି କରିପାରେ। ସହାନୁଭୂତି ଭୋଟ ଆଗରେ ପ୍ରଧାନମନ୍ତ୍ରୀଙ୍କ ଲୋକପ୍ରିୟତା କାମ କରି ନ ପାରେ।