ମୁସଲମାନଙ୍କ ଦ୍ୱାରସ୍ଥ ହେଲାଣି ବିଜେପି, କଂଗ୍ରେସ ଓ ବିଜେଡି ନୀରବ ମୁଦ୍ରାରେ ….

ଭୁବନେଶ୍ୱର : ଭାରତୀୟ ରାଜନୀତିରେ ଦୁଇଟି ବର୍ଗର ଭୋଟ ପ୍ରାୟ ନିଶ୍ଚିତ ହୋଇଥାଏ। ଗୋଟିଏ ବର୍ଗ ହେଉଛି-ବ୍ରାହ୍ମଣ ଆଉ ଗୋଟିଏ ବର୍ଗ ହେଉଛନ୍ତି- ମୁସଲିମ୍ ସମ୍ପ୍ରଦାୟ। ନବେ ଦଶକ ପରେ ବ୍ରାହ୍ମଣ ମାନଙ୍କର ସଂଖ୍ୟାଗରିଷ୍ଠ ଭୋଟ ବିଜେପି ହାତେଇଥାଏ, ଅନୁରୂପ ଭାବେ ମୁସଲିମ୍ ଭୋଟ ବିଜେପିକୁ ହରାଇପାରୁଥିବା ଦଳକୁ ଯାଇଥାଏ। ଓଡ଼ିଶାରେ ସେମାନଙ୍କ ସଂଖ୍ୟା ନଗଣ୍ୟ ମାତ୍ର କେତେକ ଆସନରେ ଏହାର ପ୍ରଭାବୀ ଉପସ୍ଥିତି ରହିଛି। ଏହି ଆସନ ଗୁଡ଼ିକ ହେଉଛି- କଟକ, କାକଟପୁର, ସାଲେପୁର, ମାହାଙ୍ଗା, କଣ୍ଟାବାଞ୍ଛୀ, ବ୍ରହ୍ମଗିରୀ, ନିମାପଡ଼ା, ସୁନ୍ଦରଗଡ଼, କେନ୍ଦ୍ରାପଡ଼ା, ପାଟକୁରା , ଆଳି, ବାଲେଶ୍ୱର ସଦର, ସମ୍ବଲପୁର, ସୋର , ରାଉରକେଲା। କଟକ, ଭଦ୍ରକ, କାକଟପୁର, ବାଲେଶ୍ୱର ସଦରରେ ଏହି ସଂଖ୍ୟାଲଘୁ ଭୋଟର ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥାନ୍ତି। ଏହାକୁ ବାଦ୍ ଦେଲେ ଅନ୍ୟ ଆସନ ଗୁଡ଼ିକରେ ବହୁମୁଖି ପ୍ରତିଦ୍ୱନ୍ଦିତା ହେଲେ ଏହି ସମ୍ପ୍ରଦାୟ କିଙ୍ଗ୍ ମେକର ଭୂମିକାରେ ରହିବ। ପୂର୍ବରୁ କଂଗ୍ରେସ , ନିକଟ ଅତୀତରେ ବିଜେଡି ବହୁ ପରିମାଣରେ ଏହି ଭୋଟ ପାଉଛି। ମାତ୍ର ବିଗତ ଦିନରେ ବିଜେଡିର ଆଭିମୁଖ୍ୟ ଏହି ଭୋଟରଙ୍କୁ ବିକଳ୍ପ ବାଛିବାକୁ ବାଧ୍ୟ କଲାଣି।
ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାସମାନ୍ଦା ମୁସଲିମ୍ ଆଉଟରିଚର କାର୍ଯ୍ୟକ୍ରମ ଓଡ଼ିଶାରେ ପ୍ରଭାବ ପକାଉଛି। ବହୁ ଦାବି ସତ୍ତ୍ୱେ ଓଡ଼ିଶାରେ ରାଜ୍ୟ ସଂଖ୍ୟାଲଘୁ ଆୟୂକ୍ତ ଗଠନ ହୋଇପାରିନାହିଁ । ଯାହା ବିଜେଡିର ସଂଖ୍ୟାଲଘୁ ସମୁଦାୟ ପ୍ରତି ଥିବା ଅଣଦେଖାପଣକୁ . ଦର୍ଶାଉଛି। ଆଶ୍ଚର୍ଯ୍ୟର କଥା ରାଜ୍ୟ ବିଜେପି ସଂଖ୍ୟାଲଘୁ ସେଲ୍ ଏହି ପ୍ରସଙ୍ଗ ଯେତେଥର ଉଠାଇଲାଣି, ସେତିକି ଥର କଂଗ୍ରେସ କିମ୍ବା ଅନ୍ୟ କୌଣସି ଦଳ ଉଠାନ୍ତି ନାହିଁ। ଏହି ସମ୍ପ୍ରଦାୟର ଶିକ୍ଷିତ ଭୋଟର, ବୁଦ୍ଧୀଜୀବୀ, ପେସାଗତ ବ୍ୟକ୍ତିବିଶେଷ ବିଜେପି ବିଭିନ୍ନ ଫୋରମ୍ ଜରିଆରେ କାର୍ଯ୍ୟକ୍ରମ କରୁଛି। ଗତ ସାଧାରଣ ନିର୍ବାଚନରେ ବ୍ରହ୍ମଗିରୀ ବିଧାନସଭାରେ ସଂଖ୍ୟାଲଘୁ ଭୋଟ ବିଜେଡି ବିରୋଧରେ ଯାଇଥିଲା। ଏଠାରେ ବିଜେପି ପ୍ରାର୍ଥୀ ବିଜୟୀ ହୋଇଥିଲେ। ଗତ ପୌର ନିର୍ବାଚନରେ ବିଜେଡ଼ି ଦକ୍ଷ ସଂଖ୍ୟାଲଘୁ ନେତୃତ୍ୱକୁ ଟିକେଟ୍ ପ୍ରଦାନ କରି ନ ଥିଲା। ଯାହାର ଫଳ ସ୍ୱରୂପ ବିଜେଡ଼ିର ବିଦ୍ରୋହୀ ପ୍ରାର୍ଥୀ ଗୁଲମକ୍କୀ ବିପୁଳ ଭୋଟରେ ଭଦ୍ରକ ପୌରପାଳିକାରେ ବିଜୟୀ ହୋଇଥିଲେ। ବିଜେପି ଏହି ବର୍ଗର ଭୋଟ ପାଏ ନାହିଁ, ମାତ୍ର ଏହି ବର୍ଗର ଭୋଟର ନିକଟର ହେବା ପାଇଁ ବିଜେପି ଉଭୟ କଂଗ୍ରେସ ଓ ବିଜେଡ଼ି ଠାରୁ ଢେର ଆଗରେ ରହିଛି।
କଥା ଛଳରେ ବିଜେଡ଼ି ଏବଂ କଂଗ୍ରେସ ନେତାଙ୍କ ପାର୍ଟିରୁ ମିଆଁ କୁଆଡେ ଯିବେ, ଆମକୁ ହିଁ ଭୋଟ ଦେବେ କହୁଛନ୍ତି। ଯାହା ଏହି ବର୍ଗ ପ୍ରତି ତଥାକଥିତ ଧର୍ମନିରପେକ୍ଷ ଦଳର ସମ୍ବେଦନଶୀଳତା ଦର୍ଶାଉଛି। ବିଜେପି ହିନ୍ଦୁତ୍ୱ ପାର୍ଟି ଭାବେ ୟୁପି, ବିହାର ଆଦିରୁ କୌଣସି ପ୍ରାର୍ଥୀଙ୍କୁ ଛିଡ଼ା କରେନାହିଁ। ଯୋଗୀ ଏବଂ ମୋଦିଙ୍କ ଏହି ନୀତିକୁ ଅନୁସରଣ କରି ବିଜେଡି ଗତ ନିର୍ବାଚନରେ କୌଣସି ମୁସଲିମ୍ ପ୍ରାର୍ଥୀ ଦେଇ ନ ଥିଲା। ୨୦୧୪ରେ ଆୟୁବ ଖାଁ ଏବଂ 2009ରେ ହମିଦ ଅହମ୍ମଦଙ୍କୁ ପ୍ରାର୍ଥୀ କରିଥିଲା। ବିଜେଡି ସଂଖ୍ୟାଲଘୁ ଚେହେରା ମୁନା ଖାଁ ଏହି ସବୁ କାର୍ଯ୍ୟକ୍ରମରେ ଦୃଶ୍ୟମାନ ହେଉ ନାହାନ୍ତି। ମୁସଲିମ୍ ସମ୍ପ୍ରଦାୟ ତାଙ୍କୁ ନେତା ମାନୁନାହିଁ। ତେଣୁ ବିଜେପି ଯଦି ଗ୍ରହଣୀୟ ଧର୍ମନିରପେକ୍ଷ ଚେହେରା ବିଭିନ୍ନ ବିଧାନସଭା ଆସନରେ ଛିଡା କରାଇଦିଏ, ତେବେ ଅଧଡର୍ଜନ ପାଖାପାଖି ଆସନରେ କଡ଼ା ପ୍ରତିଦ୍ୱନ୍ଦିତା ହେବ। ଗତ ମହିଳା ସଂରକ୍ଷଣ ବିଲ୍ ଉପରେ ବକ୍ତବ୍ୟ ରଖିବାକୁ ସୁଯୋଗ ପାଇଥିବା ମୁନା ଖାଁ ପଛୁଆବର୍ଗ ଏବଂ ସଂଖ୍ୟାଲଘୁ ସଂରକ୍ଷଣ ନେଇ ମତ ରଖିଲେ ନାହିଁ। ଲୋକସଭାରେ ବିଜେଡି ଏକପାଖିଆ ଭାବେ ଏହି ଭୋଟ ପାଇବ ନାହିଁ ବୋଲି ଜାତୀୟ ସର୍ଭେକ୍ଷଣ ସଂସ୍ଥା ବରାହେ ଆନାଲିଟିକ୍,ଇଟିଜି, ଆଇପ୍ୟାକ୍ ଏବଂ ସି-ଭୋଟର ପକ୍ଷରୁ କୁହାଯାଇଛି। ତେଣୁ ସଂଖ୍ୟାଲଘୁଙ୍କୁ ନେଇ ବିଜେଡିର ରଣନୀତି କଣ ହେଉଛି, ତାହା ଉପରେ ଆଗାମୀ ଦିନରେ ସମସ୍ତଙ୍କ ନଜର ରହିବ।