ମନମୋହନଙ୍କୁ ବିଦେଶୀ କହି ଗୋଟିଏ ଗୁଳିରେ ଦୁଇଟି ଶୀକାର କଲେ ବ୍ୟୋମକେଶ(ବାପି)

ଭଦ୍ରକ : “ବିଦେଶୀ ହଟାଓ, ଚାନ୍ଦବାଲି ବଞ୍ଚାଅ”।  ଏହି ଟ୍ୟାଗ ସହ ହାତରେ ପ୍ଲାକାର୍ଡ ଧରି ଗତ ରବିବାର ଚାନ୍ଦବାଲି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଚାନ୍ଦବାଲି ବିଜୁ ଛାତ୍ର ଓ ଯୁବ ଜନତା ଦଳ ବିକ୍ଷୋଭ ପ୍ରଦର୍ଶନ କରିଛି। ଏହାର ଦୁଇଦିନ ପୂର୍ବରୁ ଅର୍ଥାତ ଶୁକ୍ରବାର ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ନେତୃତ୍ୱରେ ଚାନ୍ଦବାଲି ବ୍ଲକ କାର୍ଯ୍ୟାଳୟ ସାମନାରେ ଜନ ଆକ୍ରୋଶ ସମାବେଶ ଓ  ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏହି ସମୟର  ହୋଇଥିବା ଭଙ୍ଗାରୁଜା ଘଟଣାର ପ୍ରତିବାଦ କରି ବିଜେଡି ଏହି ବିକ୍ଷୋଭ ପ୍ରଦର୍ଶନ କରିଛି। ତେବେ ଏହି ବିକ୍ଷୋଭ ବେଳେ ଭଙ୍ଗାରୁଜା ଘଟଣାର ନିନ୍ଦା କମ୍ ଓ ଅଣ-ଚାନ୍ଦବାଲିଆ ପ୍ରସଙ୍ଗକୁ ଧରି ବ୍ୟୋମକେଶଙ୍କ ସମର୍ଥକ ଗର୍ଜନ କରିଛନ୍ତି। ଯାହା ଚାନ୍ଦବାଲି ରାଜନୀତିକୁ ଅଧିକ ରୋଚକ କରିଛି। କାରଣ ବିଜେପି ବିକ୍ଷୋଭ ପରେ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ ୨ ଟି ଭିନ୍ନ ଭିନ୍ନ ଭିଡିଓ କରି ମନମୋହନ ସାମଲଙ୍କୁ ଚାନ୍ଦବାଲି ବାହାରର ଲୋକ କହି ଟାର୍ଗେଟ କରିଛନ୍ତି। ବ୍ୟୋମକେଶଙ୍କ ଅଭିଯୋଗ ଅନୁଯାୟୀ, ମନମୋହନ ସାମଲଙ୍କ ନିଜ ଘର ଭଣ୍ଡାରିପୋଖରୀ ହୋଇଥିବାରୁ ତାଙ୍କର ଚାନ୍ଦବାଲି ପ୍ରତି କୌଣସି ଆନ୍ତରିକତା ନାହିଁ। ସେ କେବଳ ଭୋଟ ରାଜନୀତି କରିବାକୁ ଚାନ୍ଦବାଲିକୁ ଆସିଥିବା ଶ୍ରୀ ରାୟ କହିଛନ୍ତି।

ବ୍ୟୋମକେଶଙ୍କ  ଟିପ୍ପଣୀ ଓ ତାଙ୍କ ସମର୍ଥକ ଏହି ପ୍ରସଙ୍ଗକୁ ନେଇ ହଲ୍ଲା ବୋଲ୍ କରିବା ପରେ ଚାନ୍ଦବାଲି ରାଜନୀତିକୁ ନେଇ ୨ ଟି ଦିଗ ବାରି ହୋଇ ପଡ଼ିଛି। ଗୋଟିଏରେ ବ୍ୟୋମକେଶ ମନମୋହଙ୍କୁ ସମାଲୋଚନା କରିଥିବା ବେଳେ ଅନ୍ୟଟିରେ ସେ ପରୋକ୍ଷ ଭାବେ ବିଜେଡି ମୁଖପାତ୍ର ତଥା ଚାନ୍ଦବାଲିରୁ ବିଜେଡି ଟିକେଟ ଆଶାୟୀ ଅମିତ୍ ମଲିକଙ୍କୁ ଟାର୍ଗେଟ କରିଛନ୍ତି। ଯେହେତୁ ଅମିତଙ୍କ ପୈତୃକ ଘର ଧାମନଗର, ତେଣୁ କିପରି ଏହି ପ୍ରସଙ୍ଗକୁ ଉଷ୍ମ ରଖି ଅମିତଙ୍କୁ ଚାନ୍ଦବାଲି ଟିକେଟ ଦୌଡ଼ରୁ ବାଦ୍ ଦିଆଯିବ ସେନେଇ ସେ ଭରପୁର ଉଦ୍ୟମ ଆରମ୍ଭ କରିଛନ୍ତି।  ଅତୀତରେ ଚାନ୍ଦବାଲି ବାହାରୁ ବିଜୟ ନାୟକ, ବିଷ୍ଣୁ ସେଠୀ ଓ ନେତ୍ରାନନ୍ଦ ମଲ୍ଲିକଙ୍କ ସମେତ ଅନ୍ୟମାନେ ବିଭିନ୍ନ ରାଜନୈତିକ ଦଳରୁ ଲଢି ବିଧାୟକ ହୋଇଛନ୍ତି। ହେଲେ ଗତ କିଛି ଦିନ ହେବ ବିଶେଷ କରି  ଅମିତଙ୍କ ନାମ ଚାନ୍ଦବାଲି ସହ ଯୋଡ଼ି ହେବାଠାରୁ, ବ୍ୟୋମକେଶଙ୍କ ସମର୍ଥକ ଚାନ୍ଦବାଲି ଓ ଚାନ୍ଦବାଲି ବାହାରର ପ୍ରସଙ୍ଗକୁ ଅଧିକ ଶକ୍ତିଶାଳୀ କରିବାକୁ କୌଣସି ସୁଯୋଗ ହାତ ଛଡ଼ା କରୁ ନାହାନ୍ତି। ଏବେ ନିଜେ ବ୍ୟୋମକେଶ  ମୁଁହ ଖୋଲି ସିଧାସଳଖ ଚାନ୍ଦବାଲି ଓ ଅଣଚାନ୍ଦବାଲି ପ୍ରସଙ୍ଗକୁ ଅସ୍ତ୍ର କରିଛନ୍ତି।

ଅନ୍ୟ ପଟେ ଚାନ୍ଦବାଲିରେ ପୂର୍ବାପେକ୍ଷା ବିଜେପିର ଶକ୍ତି ବୃଦ୍ଧି ହେବାରେ ଲାଗିଛି। ୨୦୧୪ ନିର୍ବାଚନରେ ମନମୋହନ ସାମଲ ୩ ନମ୍ବର ସ୍ଥାନରେ ରହିଥିବା ବେଳେ ନବାଗତ ବ୍ୟୋମକେଶ ପାଖାପାଖି ୨୫ ହଜାର ଭୋଟ ବ୍ୟବଧାନରେ ନିର୍ବାଚନ ଜିତି ପ୍ରଥମ ଥର ବିଧାୟକ ହୋଇଥିଲେ। ହେଲେ ୨୦୧୯ ରେ ମନମୋହନ ଓ ବ୍ୟୋମକେଶଙ୍କ ମଧ୍ୟରେ କଡ଼ା ଟକ୍କର ହେବା ସହ ବ୍ୟୋମକେଶ ମାତ୍ର ୮ ହଜାର ଭୋଟ ବ୍ୟବଧାନରେ ଜିତିବାକୁ ସକ୍ଷମ ହୋଇଥିଲେ। ତେଣୁ ମନମୋହନଙ୍କ ଶକ୍ତି ବୃଦ୍ଧି ଓ ନୂଆ ଆଶାୟୀଙ୍କ ଅଭ୍ୟୁଦୟ ବ୍ୟୋମକେଶଙ୍କ ଚିନ୍ତା ବଢ଼ାଇଛି। ଏହା ବ୍ୟତୀତ ଜିଲ୍ଲା ଭିତରେ ବିଦେଶୀ ଓ ମାଟିର ପୁଅ ପ୍ରସଙ୍ଗ ଉଥାପ୍ପନ କରି ବ୍ୟୋମକେଶ ପରୋକ୍ଷରେ ୫-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କ ଗ୍ରହଣୀୟତାକୁ ନେଇ ମଧ୍ୟ  ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି ବୋଲି ଚାନ୍ଦବାଲି ବିଜେଡିର ଜଣେ ଛାମୁଆ ନେତା ଓଡ଼ିଶା ପତ୍ରିକା ଭଦ୍ରକ ପ୍ରତିନିଧିଙ୍କୁ କହିଛନ୍ତି।

Leave a Reply

Your email address will not be published. Required fields are marked *