ରାହୁଲ ସେଠି ସିନା କହିଦେଲେ, ହେଲେ ଏଠି କଣ କହିପାରିବେ….?

ଭୁବନେଶ୍ୱର : ଏଆଇସିସି ପକ୍ଷରୁ ଏକ ଖବରଦାତା ସମ୍ମିଳନୀ ଚାଲୁଥାଏ। ସେଠାରେ ବସିଥିବା ସମସ୍ତ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ରାହୁଲ ଗାନ୍ଧୀ ପ୍ରଶ୍ନ ପଚାରିଲେ, କେତେ ଜଣ ଦଳିତ ଅଛନ୍ତି। ସମସ୍ତେ ଚୁପ୍ ରହିଲେ। ପୁଣି ପଚାରିଲେ , କେତେ ଜଣ ଆଦିବାସୀ ଅଛନ୍ତି। ସମସ୍ତେ ଚୁପ୍ ରହିଲେ। ଏହା ପରେ ପୁଣି ପଚାରିଲେ କେତେ ଜଣ ଓବିସି ଅଛନ୍ତି। କେହି ଗଣମାଧ୍ୟମ ପ୍ରତିନିଧି ହାତ ଟେକିଲେନି। ଜଣେ ମାତ୍ର କ୍ୟାମେରାମ୍ୟାନ ହାତ ଟେକିଲେ। ଏହା ପରେ ରାହୁଲ ଗାନ୍ଧୀ କହିଦେଲେ ଯେ, ଦେଶର ଜନସଂଖ୍ୟାର ସଂଖ୍ୟାଗରିଷ୍ଠ ଲୋକଙ୍କ ପ୍ରତିନିଧିତ୍ୱ ନାହିଁ। ଏହି ଖବର ଆଜି ଦିନ ସାରା ଭାଇରାଲ ହେବାରେ ଲାଗିଛି। ହେଲେ ଜାତୀୟସ୍ତରରେ ରାହୁଲ ଗାନ୍ଧୀ କହିଥିବା କଥା, ଓଡ଼ିଶାରେ ସମାନ ଭାବରେ ପ୍ରଜୁର୍ଯ୍ୟ।

ଏଠାରେ ପ୍ରଦେଶ କଂଗ୍ରେସର କୌଣସି ମୁଖ୍ୟ ପଦରେ ଓବିସି, ଅନୁସୂଚିତ ଜାତି, ଅନୁସୂଚିତ ଜନଜାତିର ଲୋକ ନାହାନ୍ତି। ପିସିସି ସଭାପତି ଶରତ ପଟ୍ଟନାୟକ, ଇସ୍ତାହାର କମିଟି ମୁଖ୍ୟ ପଞ୍ଚାନନ କାନୁନଗୋ, ପ୍ରଚାର କମିଟି ମୁଖ୍ୟ ବିଜୟ ପଟ୍ଟନାୟକ କରଣ ବର୍ଗର। ସେହିପରି ଦୀର୍ଘ ଦଶନ୍ଧି ଧରି ବିଧାୟକ ଦଳ ଥିବା ନରସିଂହ ମିଶ୍ର ବ୍ରାହ୍ମଣ ବର୍ଗର। ପ୍ରଚ୍ଛଦପଟ୍ଟରେ ରହୁଥିବା ନିରଞ୍ଜନ ପଟ୍ଟନାୟକ ମଧ୍ୟ କରଣ ବର୍ଗର। ତେଣୁ ରାହୁଲ ଗାନ୍ଧୀ ଓଡ଼ିଶା ପରିପ୍ରେକ୍ଷୀରେ ସେ ପ୍ରଶ୍ନ କଣ ପଚାରିପାରିବେ ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଇଛନ୍ତି। ଅନୁରୂପ ଭାବେ ଓଡ଼ିଶାର ପ୍ରମୁଖ ଗଣମାଧ୍ୟମ କୁହାଯାଉଥିବା ସମସ୍ତ ସଂସ୍ଥା ସାଧାରଣ ବର୍ଗ ଦ୍ୱାରା ନିୟନ୍ତ୍ରିତ। ଉଦାହରଣ ଭାବେ ସମ୍ବାଦ-କନକ-ଧରିତ୍ରୀ, ପ୍ରଗତିବାଦୀ, ପ୍ରମେୟ, ନନ୍ଦିଘୋଷ,ଅର୍ଗସ, ସମାଜ ଆଦିକୁ ନିଆଯାଇପାରେ। ବାହାରକୁ ପ୍ରମେୟ ଏବଂ ଅର୍ଗସ ମାଲିକାନା ଓବିସି ବର୍ଗର ବୋଲି ମନେ ହୁଏ। ମାତ୍ର ବ୍ୟବସାୟିକ ଓ ନୀତିଗତ ନିଷ୍ପତ୍ତି, ସାଧାରଣ ବର୍ଗର ହାତରେ ରହିଛି। ସମାଜ କାଗଜର ସମ୍ପାଦକ ସ୍ୱର୍ଗତ ରାଧାନାଥ ରଥ ଆଶାୟୀ ସାମ୍ବାଦିକଙ୍କ ପିଠିରେ ହାତମାରି ପଇତା ଦେଖି ଚାକିରୀ ଦେଉଥିବା ବିଷୟ ଲୋକକଥା ହୋଇ ରହିଛି। କୌଣସି ଚଷା, ଖଣ୍ଡାୟତ ବର୍ଗର ଆଇଏଏସ୍ ଅଧିକାରୀଙ୍କ ନିଲମ୍ବନ ଓ ମିଥ୍ୟା ଅଭିଯୋଗ ଖବରକୁ ରଙ୍ଗେଇକି ପରିବେଷଣ କରିବାରେ ସୌମ୍ୟ ରଞ୍ଜନ ପଟ୍ଟନାୟକ ଏକ ନିଆରା ଆନନ୍ଦ ପାଆନ୍ତି। ତେଣୁ ରାହୁଲଙ୍କ ପ୍ରଶ୍ନ ଓ ଓଡ଼ିଶା.. ଅନେକ ଅସମାହିତ ପ୍ରଶ୍ନର ସମାହାର।

Leave a Reply

Your email address will not be published. Required fields are marked *