ଶରତ ପଟ୍ଟନାୟକ ନିଜ ଛାଇକୁ ଡରନ୍ତି, ୨୦୨୪ ନିର୍ବାଚନ ନିଶ୍ଚୟ ଲଢିବି ବୋଲି କହିଲେ ଚିରଞ୍ଜୀବ
ଭୁବନେଶ୍ୱର : ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ପାଦ ତଳେ ମାଟି ନାହିଁ। ନିଜର ଛାଇକୁ ଡରୁଥିବା ଲୋକ ଏପରି କରିଥାଆନ୍ତି ବୋଲି କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ସୋମବାର କହିଛନ୍ତି। ଦଳରୁ ନିଲମ୍ବନ ହେବା ପରେ ପ୍ରଥମଥର ପାଇଁ ଶ୍ରୀ ବିଶ୍ୱାଳ ଗଣମାଧ୍ୟମ ସମ୍ମୁଖରେ ଏପରି ମତ ରଖିଛନ୍ତି।
ଚିରଞ୍ଜୀବ ବିଶ୍ୱାଳ କହିଥିଲେ ଯେ, ସତ କହିବା ଯଦି ପାପ ସେ ପାପ ମୁଁ ବାରମ୍ବାର କରିବି। ପ୍ରତି ପଞ୍ଚାୟତରେ ମାତ୍ର ଶହେ ରୁ ଦେଢଶହ ଭୋଟ ରହିଛି। ମୋ ବିରୋଧରେ ଚକ୍ରାନ୍ତ କରୁଥିବା ଲୋକ 25 ବର୍ଷ ହେଲା ଜିତି ନାହାନ୍ତି। କଂଗ୍ରେସରେ କିଛି କୁଚକ୍ରୀ ଗୋଷ୍ଠୀ ଅଛନ୍ତି, ଯେଉଁମାନେ ମୋତେ ବାହାର କରିଦେବାକୁ ଚାହୁଁଛନ୍ତି। ମୋ କଥା ଯଦି ଝାରସୁଗୁଡ଼ା ଉପନିର୍ବାଚନରେ ପ୍ରଭାବ ପକାଇଲା। ଆଉ ସବୁ ଉପନିର୍ବାଚନର ଫଳାଫଳ କାହିଁକି ଖରାପ ହେଲା। ମୁଁ କଂଗ୍ରେସ ପରିବାରର ସଦସ୍ୟ। ବେଇମାନ ପରିବାରର ରକ୍ତ ମୋ ଦେହରେ ନାହିଁ। ପିସିସି ସଭାପତି ବୋଧେ ଅନୁଭବ କଲେ ମୋତେ ନିଲମ୍ବନ କଲେ ନଅ ରୁ ନବେ ହେବ। ତେଣୁ ଏଆଇସିସିକୁ ସୁପାରିଶ୍ କରିଦେଲେ। ଏଆଇସିସି ମଧ୍ୟ ଅନୁଭବ କଲା ମୋତେ ନିଲମ୍ବନ କଲେ ନଅୁ ନବେ ହୋଇପାରିବ। ତେଣୁ ନିଲମ୍ବନ କରିଥିବେ ବୋଲି ଭାବବିହ୍ୱଳ ହୋଇ ଶ୍ରୀ ବିଶ୍ୱାଳ କହିଥିଲେ। 2024 ସାଧାରଣ ନିର୍ବାଚନ ସେ ନିଶ୍ଚୟ ଲଢିବେ। କଂଗ୍ରେସରୁ ଲଢିପାରେ କିମ୍ବା ସ୍ୱାଧୀନରୁ ଲଢିପାରେ। ଏହା ଛଡା ତୃତୀୟ ବିକଳ୍ପ ମଧ୍ୟ ରହିଥିବା ଚିରଞ୍ଜୀବ ସୂଚନା ଦେଇଛନ୍ତି। ରାଜସ୍ଥାନରେ ଅଶୋକ ଗେହଲେଟ-ସଚିନ୍ ପାଇଲଟ୍ ବିବାଦ ଆପୋଷ ଆଲୋଚନା କରାଯାଇପାରିଲା। ମୁଁ ସେମିନାରରେ କହିବା ପରେ ମୋ ସହିତ ଆଲୋଚନା କରାଯାଇପାରିଥାନ୍ତା ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି