ବିସ୍ଥାପିତଙ୍କୁ ଜମି ପଟ୍ଟା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ବିସ୍ଥାପିତ ଲୋକମାନଙ୍କର ଦୀର୍ଘଦିନର ସମସ୍ୟା ଦୂର ହୋଇଛି। ୫-ଟି ରୂପାନ୍ତରଣ ପ୍ରକ୍ରିୟାରେ ମାତ୍ର ୧୦୦ ଦିନରେ ସେମାନଙ୍କର ବର୍ଷ ବର୍ଷର ସମସ୍ୟା ଦୂର ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ରାଜ୍ୟର ବିଭିନ୍ନ ଅଞ୍ଚଳର ବିସ୍ଥାପିତ ଲୋକମାନଙ୍କର ଦୀର୍ଘ ଦିନର ଜମିଜମା ସମସ୍ୟା ଦୂର କରି ସେମାନଙ୍କୁ ଜମିପଟ୍ଟା ବଣ୍ଟନ କରିଛନ୍ତି । ଝାରସୁଗୁଡା ଜିଲ୍ଲା ଲଖନପୁର ତହସିଲର ଲୋକମାନେ ବର୍ଷ ବର୍ଷ ଧରି ଜମି ସମସ୍ୟା ପାଇଁ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଅଗଷ୍ଟ ୨୦ ତାରିଖରେ ୫-ଟି ଅଧ୍ୟକ୍ଷ ଭି.କେ. ପାଣ୍ଡିଆନଙ୍କ ଗସ୍ତ ପରେ ସମାଧାନ ପ୍ରକ୍ରିୟା ତ୍ଵରାନ୍ୱିତ ହୋଇଥିଲା । ଏମାନଙ୍କର ୧୮ଟି ରାଜସ୍ୱ ଗ୍ରାମ ପାଇଁ ସର୍ଭେ ଆରମ୍ଭ ହୋଇଥିଲା। ଏଥିମଧ୍ୟରୁ ଆଜି ୭ଟି ଗାଁର ୮୬୬ଟି ପରିବାର ପାଇଁ ସର୍ଭେ ସଂପୂର୍ଣ୍ଣ କରାଯାଇ ଜମିପଟ୍ଟା ଦିଆଯାଇଛି। ବାକି ୧୧ଟି ଗାଁର ସର୍ଭେ ଚାଲିଛି । ଏହି ୧୧ଟି ଗାଁର ଖୁବଶୀଘ୍ର ୧୩୩୯ଟି ପରିବାର ଖୁବଶୀଘ୍ର ଜମିପଟ୍ଟା ପାଇବେ । ଗଞ୍ଜାମ ଜିଲ୍ଲା ସୋରଡା ତହସିଲର ୨୨ଟି ଗାଁର ଜମି ୧୯୮୩ ମସିହାରେ ଜଳସଂପଦ ବିଭାଗ ନାମରେ ରେକର୍ଡ ହୋଇଥିଲା। ଆଜି ୧୭ଟି ଗାଁର ଜମି ରାଜସ୍ୱ ବିଭାଗକୁ ଯାଇଛି ଏବଂ ସେଗୁଡିକର ବନ୍ଦୋବସ୍ତ ଚାଲିଛି । ଏମାନଙ୍କ ମଧ୍ୟରୁ ୯୬୨ ଜଣଙ୍କୁ ଆଜି ଘରଡିହ ପଟ୍ଟା ଓ ୭୦୦ ଜଣଙ୍କୁ ଜମିପଟ୍ଟା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଣ୍ଟନ କରିଛନ୍ତି । ଅଗଷ୍ଟ ମାସ ୨୬ ଓ ୨୭ରେ ୫-ଟି ଅଧ୍ୟକ୍ଷଙ୍କ ଗସ୍ତ ପରେ ଏଠାରେ ସର୍ଭେ କାମ ତ୍ୱରାନ୍ୱିତ କରାଯାଇ ସମସ୍ୟାର ସମାଧାନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା ।