ପଦ ଗୋଟିଏ…ଦାବିଦାର ଅନେକ…..ନିଜ ସପକ୍ଷରେ ଲବି ଆରମ୍ଭ….
ଭୁବନେଶ୍ୱର: ବିଜେପି କ୍ଷମତାକୁ ଆସିବା ପରେ ମୁଖ୍ୟମନ୍ତ୍ରୀ ଦୌଡ଼ରେ ସାମିଲ ହୋଇଛନ୍ତି ଦଳୀୟ ନେତା। କିଏ ଦିଲ୍ଲୀ ଗସ୍ତ କରୁଛି ତ କିଏ ନାଗପୁର ଗସ୍ତ କରୁଛି। କିଛି ନେତା ଦଳର ଶିଳ୍ପପତି ଏବଂ ଓଡ଼ିଶାରେ ଖଣି କାରବାର କରିବା ନେତାଙ୍କୁ ଭେଟି ଲବି ଆରମ୍ଭ କରିଛନ୍ତି। ବିଜେପି କ୍ଷମତାକୁ ଆସିଛି ସତ ମାତ୍ର ମନମୋହନ ସାମଲ ନିଜ ଚାନ୍ଦବାଲି ଆସନରୁ ପରାସ୍ତ ହୋଇଛନ୍ତି। ତେଣୁ ତାଙ୍କୁ ମୁଖ୍ୟମନ୍ତ୍ରୀ କରାଗଲେ ଅନ୍ୟ ଏକ ଆସନରୁ ଜିତାଇ ଆଣିବାକୁ ପଡିବ। ସେହିପରି ସାଂସଦ ହୋଇଥିବା ଏକାଧିକ ନେତା ନିଜକୁ ମୁଖ୍ୟମନ୍ତ୍ରୀ ଦୌଡ଼ରେ ସାମିଲ କରିଛନ୍ତି। ଏମାନଙ୍କ ମଧ୍ୟରେ ସର୍ବାଗ୍ରେ ଅଛନ୍ତି- ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ, ପ୍ରତାପ ଷଡଙ୍ଗୀ, ବୈଜୟନ୍ତ ପଣ୍ଡା, ଭର୍ତ୍ତୃହରି ମହତାବ ଏବଂ ଅପରାଜିତା ଷଡଙ୍ଗୀ। ବୈଜୟନ୍ତ , ଜୁଏଲ ଓ ଭର୍ତ୍ତୃହରି କେନ୍ଦ୍ର କ୍ୟାବିନେଟ୍ ମନ୍ତ୍ରୀ ଦୌଡ଼ରେ ମଧ୍ୟ ନିଜକୁ ସାମିଲ କରିଛନ୍ତି। ଶ୍ରୀ ମହତାବଙ୍କୁ ଲୋକସଭାର ବାଚସ୍ପତି କରିବାକୁ ମଧ୍ୟ ବିଜେପି ଆଗ୍ରହ ପ୍ରକାଶ କରିଛି। ଜଣେ ଓଡ଼ିଆ ମୁଖ୍ୟମନ୍ତ୍ରୀ ହେବ ବୋଲି ବାରମ୍ବାର କୁହାଯାଇ ଥିବାରୁ ବିହାର ଜନ୍ମିତ ଅପରାଜିତାଙ୍କ ସମ୍ଭାବନା ସାମାନ୍ୟ ହ୍ରାସ ପାଇଛି। ଏହି ସମସ୍ତଙ୍କୁ ଚକମା ଦେଇ ଅନ୍ୟ କେତେକ ନାଁ ନେଇ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀଙ୍କ ସହଯୋଗୀ ଗିରୀଶ ମୁର୍ମୁଙ୍କ ନାଁ ମଧ୍ୟ ଚର୍ଚ୍ଚାରେ ରହିଛି। ମୁଖ୍ୟମନ୍ତ୍ରୀ ସମେତ ଦୁଇଟି ଉପ-ମୁଖ୍ୟମନ୍ତ୍ରୀ ପଦ ମଧ୍ୟ ବିଜେପି ରଖିବାକୁ ଯୋଜନା କରୁଛି। ଯାହା ଫଳରେ ରାଜ୍ୟର ଆଦିବାସୀ, ଦଳିତ ଏବଂ ଓବିସି ବର୍ଗର ପ୍ରତିନିଧିତ୍ୱ ହୋଇପାରିବ। ଉପ-ମୁଖ୍ୟମନ୍ତ୍ରୀ ଦୌଡ଼ରେ ଜୟ ନାରାୟଣ ମିଶ୍ର, ସୁରେଶ ପୂଜାରୀ, ମୋହନ ମାଝୀ, କେ.ଭି ସିଂଦେଓ ପ୍ରମୁଖ ରହିଛନ୍ତି।