ଜଳେଶ୍ୱର କଂଗ୍ରେସ ବିଧାନସଭା ପ୍ରାର୍ଥୀତ୍ୱକୁ ନେଇ ରାଜନୀତି ସରଗରମ, ନବଜ୍ୟୋତି- ସୁଦର୍ଶନ ଗୋଷ୍ଠୀ ଛକାପଞ୍ଝା

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଭିନ୍ନ କାରଣରୁ ଚର୍ଚ୍ଚାରେ ରହି ଆସିଛି। ଏହି ଆସନରୁ ବିଧାୟକ ଥିବା ଅଶ୍ୱିନୀ ପାତ୍ର ବର୍ତ୍ତମାନ ରାଜ୍ୟ ସରକାରଙ୍କ ମନ୍ତ୍ରୀ ଅଛନ୍ତି। ଏହି ଆସନ କେତେବେଳେ ବିଜେଡି ତ କେତେବେଳ କଂଗ୍ରେସ ହାତେଇ ଥାଏ। ମାତ୍ର ବିଗତ ଦୁଇଥର ଯାକ ଏହି ଆସନରେ କଂଗ୍ରେସ ବିଜୟୀ ହୋଇଛି। ଗତବର୍ଷ କଂଗ୍ରେସ ପ୍ରାର୍ଥୀ ପରିବର୍ତ୍ତନ କରାଯାଇଥିଲା। ମାତ୍ର ଏହାର କୁଫଳ ବାଲେଶ୍ୱର ସଂସଦୀୟ ଆସନରେ ପଡ଼ିଥିଲା।

ଗତଥର ଓଡ଼ିଶା ରାଜନୀତିର ବିତ୍ତଶାଳୀ ପରିବାରର ଦାୟଦ ନବଜ୍ୟୋତି ପଟ୍ଟନାୟକ ବାଲେଶ୍ୱର ଲୋକସଭାରୁ ଲଢିଥିଲେ। ତାଙ୍କ ମନପସନ୍ଦର ବିଧାନସଭା ପ୍ରାର୍ଥୀ ସାତୋଟି ଯାକ ନିର୍ବାଚନମଣ୍ଡଳୀରେ ପ୍ରଦାନ କରାଯାଇଥିଲା। ମାତ୍ର ବାଲେଶ୍ୱର ଲୋକସଭା ଆସନରେ କଂଗ୍ରେସ ଇତିହାସରେ ସବୁଠୁ କମ୍ ଭୋଟ ପାଇଥିଲା। ନବଜ୍ୟୋତି ପଟ୍ଟନାୟକଙ୍କ ଗୋଷ୍ଠୀଙ୍କ କହିବାନୁଯାୟୀ ସିଡବ୍ଲୁସିରେ ଜିତେନ୍ଦ୍ର ସିଂ, ପ୍ରଭାରୀ ଚେଲ୍ଲା କୁମାର , ମଧ୍ୟ ପ୍ରଦେଶ କମଲନାଥ ଏବଂ କେରଳର କେ.ସି ବେଣୁଗୋପାଳକୁ ହାତ କରି ବାଲେଶ୍ୱର ଲୋକସଭା ସିଟ୍ ଯୋଗାଡ଼ ହୋଇଯିବ। ଦଳ ପାଣ୍ଠି ସହ ନିଜସ୍ୱ ପାଣ୍ଠି ମଧ୍ୟ ଖର୍ଚ୍ଚ ହେବ। ତେଣୁ ବିଧାନସଭାରେ ଯିଏ ଅଧିକ ଭୋଟ କରାଇପାରିବ, ତାକୁ ଗୁରୁତ୍ୱ ଦିଆଯିବ। ଏହି ଦୃଷ୍ଟିରୁ ଦେଖିଲେ ସୁଦର୍ଶନ ନବଜ୍ୟୋତିଙ୍କ ଆଶାନୁରୂପ ଭୋଟ ଗୋଟାଇ ପାରୁ ନାହାନ୍ତି। ତେଣୁ ତାଙ୍କ ବିକଳ୍ପ ଖୋଜା ଯାଉଥିବା ନବଜ୍ୟୋତି କ୍ୟାମ୍ପ ପକ୍ଷରୁ କୁହାଯାଇଛି।

ଅପରପକ୍ଷରେ ସୁଦର୍ଶନଙ୍କ ସମର୍ଥନ କହିଛନ୍ତି ଯେ, ନିର୍ବାଚନ ପରେ କଂଗ୍ରେସର ସମସ୍ତ ବାଲେଶ୍ୱର ପ୍ରାର୍ଥୀ ମଧ୍ୟରେ ଶ୍ରୀ ଦାସ ଅଧିକ ସକ୍ରିୟ। ରାଜଧାନୀରେ ମଧ୍ୟ ବିଭିନ୍ନ ପ୍ରସଙ୍ଗରେ ଦଳ ପାଇଁ ପକ୍ଷ ରଖିଥାନ୍ତି। ତେଣୁ ତାଙ୍କୁ ଅଣଦେଖା କରା ନ ଯାଉ। ସ୍ଥାନୀୟ ଯୁବକ କୌସିକ ମହାପାତ୍ର କୁହନ୍ତି ଯେ, ନବଜ୍ୟୋତି ବାବୁଙ୍କ ଧାରଣା ଠିକ୍ ନୁହେଁ। ଓଡ଼ିଶାର ଜନସାଧାରଣ ଲୋକସଭା ଓ ବିଧାନସଭା ପାଇଁ ଅଲଗା ଭୋଟିଂ କରନ୍ତି। ତେଣୁ ଲୋକ ନ ଚାହିଁଲେ କେହି ବିଧାନସଭା ପ୍ରାର୍ଥୀ ତାଙ୍କ ପାଇଁ ଭୋଟ କରିପାରିବ ନାହିଁ। ସେହିପରି ନବଜ୍ୟୋତି କ୍ୟାମ୍ପ ଲୋକସଭା ନ ଲଢି ମଧ୍ୟ ରାଜ୍ୟର ଅନ୍ୟ ସ୍ଥାନରେ ବିଧାନସଭା ଲଢିଲେ ଫାଇଦାରେ ରହିବେ। ନବଜ୍ୟୋତିଙ୍କ ଦ୍ୱିତୀୟଥର ପ୍ରାର୍ଥୀତ୍ୱ ପୁଣି ବିଜେପି ପାଇଁ ବାଟ ଖୋଲିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।
