କଂଗ୍ରେସ କିଛି ବୁଝି ପାରୁନି
ନୂଆଦିଲ୍ଲୀ : (ବିଜୟ ସାହୁ) – ବିହାର ବିଧାନସଭା ନିର୍ବାଚନ ଓ ଓଡ଼ିଶା ଉପନିର୍ବାଚନ ଫଳାଫଳ ପରେ ମହା ଗଠବନ୍ଧନ ନେତା ଓ କଂଗ୍ରେସ ଲୋକସଭାରେ ବିରୋଧୀ ଦଳ ନେତା ବିହାର ଭୋଟରଙ୍କୁ ଅଭିନନ୍ଦନ ଜଣେଇଲେ ଓ ମହା ଗଠବନ୍ଧନ କାହିଁକି ନିର୍ବାଚନରେ ଅସଫଳ ହେଲେ ତାହା ମିଶି କିରି ସମୀକ୍ଷା କରିବେ ବୋଲି ବିବୃତି ଦେଲେ ।
ତାଙ୍କର X -A/C ରେ ବିବୃତି ଟି
ନିମ୍ନ ପ୍ରକାର –
“ମୁଁ ବିହାରର ସେହି କରୋଡ଼ ମତଦାତାଙ୍କୁ ହାର୍ଦ୍ଦିକ ଆଭାର ବ୍ୟକ୍ତ କରୁଛି ,ଯେଉଁମାନେ ମହାଗଠନ ଉପରେ ନିଜର ବିଶ୍ୱାସ ପ୍ରକଟ କରିଛନ୍ତି । ବିହାରର ଏହି ପରିମାଣ ପ୍ରକୃତରେ ଚକିତ କଲା ଭଳି । ଆମେ ଏହି ଭୋଟରେ ଜିତି ପାରିଲୁ ନାହିଁ ,ଯାହା ପ୍ରଥମରୁ ହିଁ ନିଷ୍ପକ୍ଷ ନଥିଲା । ଏ ଲଢ଼େଇ ସମ୍ବିଧାନ ଓ ଗଣତନ୍ତ୍ର କୁ ରକ୍ଷା କରିବା ପାଇଁ । କଂଗ୍ରେସ ଓ ଇଣ୍ଡିଆ ଗଠ ବନ୍ଧନ ଏହି ପରିମାଣର ଗହନ ସମୀକ୍ଷା ( S-IR ) କରିବେ ଏବଂ ଲୋକତନ୍ତ୍ରକୁ ବଞ୍ଚେଇବା ପାଇଁ ଅଧିକ ପ୍ରଭାବୀ ପ୍ରୟାସ କରିବେ ।”
ଏହି ବିବୃତି ପଢିଲେ ଯିଏ କେହି ଚିନ୍ତାଶୀଳ ରାଜନୈତିକ ବ୍ୟକ୍ତି ଭାବିବ ରାହୁଲ ଗାନ୍ଧୀ ବୋଧେ ବିହାର ବାସ୍ତବ ପରିସ୍ଥିତି ସହିତ କୌଣସି ସମ୍ପର୍କ ନଥିଲା ଅଥବା ଏହି ନିର୍ବାଚନରେ ତାଙ୍କର କୌଣସି ଭୂମିକା ନଥିଲା । କେବଳ କୋଚିଂ ସେଣ୍ଟର ବ୍ଲାକ ବୋର୍ଡରେ ଏଣ୍ଟ୍ରାନ୍ସ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ପିଲାଙ୍କୁ କେମିତି ପରୀକ୍ଷା ଦେଵ ତାହା ବୁଝାଉଥିଲେ ।
ଅନ୍ୟଥା ତିନି ମୁଖ୍ୟ ଦଳ ଭିତରେ ଆରଜେଡି ସର୍ବାଧିକ 1,14,17,835
ଭୋଟ ପାଇ (23%) ସର୍ବନିମ୍ନ 25 ଟି ଆସନ ପାଇବା, ବିଜେପି 99,78,939 (20.11)%ଭୋଟ ପାଇ 89 ଆସନ ପାଇବା ଓ ଜେଡିୟୁ 95,78,895 (19.29%) ଭୋଟ ପାଇ 85ଟି ଆସନ ପାଇବା ତଥ୍ୟକୁ ରାହୁଳ ଗାନ୍ଧୀ ଯଦି ଟିକିଏ ମସ୍ତିଷ୍କରେ ଭର୍ତ୍ତି କରିଥାନ୍ତେ ତାହେଲେ ତାଙ୍କର ପ୍ରାଥମିକ ପ୍ରତିକ୍ରିୟାରେ ଏହି ନିର୍ବାଚନକୁ Lock Stock Barel ନାକଚ କରିଥାନ୍ତେ ।
ଯୁଦ୍ଧର ଆତ୍ମ ଘୋଷିତ ସେନାପତିଙ୍କ ଟିପ୍ପଣୀ ସେନା ବାହିନୀଙ୍କୁ ସମ୍ପୂର୍ଣ୍ଣ ନିରସ୍ତ୍ର ଆତ୍ମ ସମର୍ପଣ କରେଇବା ପାଇଁ ସେ ଉପଦେଶ ଦେଇଛନ୍ତି ।
ରାହୁଳ ଗାନ୍ଧୀଙ୍କ SIR, VOTE CHORI ସମୀକ୍ଷା ଗୁରୁ ଓ
ଲୋହିୟାବାଦୀ ପ୍ରଫେସର ଯୋଗେନ୍ଦ୍ର ଯାଦବଙ୍କ ପ୍ରତିକ୍ରିୟା ଆହୁରି ହାସ୍ୟାସ୍ପଦ । ତେଣୁ ଉଲ୍ଲେଖ କରିବା ଜରୁରୀ ନୁହେଁ । ମୋଟା ମୋଟି ଭାବରେ ସେ ବିହାର ଫଳାଫଳକୁ ନିତିଶଙ୍କ ବିହାରରେ ବିକାଶ ମୂଳକ କାର୍ଯ୍ୟ, ସୁଶାସନ ଓ ଆଇନଶୃଙ୍ଖଳା ପରିସ୍ଥିତି ଏବଂ ମହିଳା ସଶକ୍ତିକରଣ ସପକ୍ଷରେ ଲୋକେ ଭୋଟ ଦେଇଛନ୍ତି ବୋଲି ଟିଭି ଆଲୋଚନା ରେ କହୁଥିଲେ । ତେଣୁ ମୋର ଦୃଢ଼ ବିଶ୍ୱାସ ଯୋଗେନ୍ଦ୍ର ଯାଦବ ମହା ଗଠବନ୍ଧନ ଭିତରେ AGENT VOVOCATEUR ଭାବରେ କାର୍ଯ୍ୟ କରୁଥିଲେ ଓ ନିର୍ବାଚନ କମିଶନ, ସୁପ୍ରିମକୋର୍ଟ, କେନ୍ଦ୍ର ସରକାର, ନିର୍ବାଚନ ପରିଚାଳନା ମେସିନେରୀ ,ପୋଲିସ ସମସ୍ତଙ୍କୁ କ୍ଲିନ ଚିଟ ଦେଇଛନ୍ତି ।
ଅତଏବ ରାହୁଲ ଓ ଯୋଗେନ୍ଦ୍ର ଯାଦବ ତୁରନ୍ତ ରାଜନୀତିରୁ ଦୂରେଇ ଯିବା ଉଚିତ ଅଥବା ଲୋକେ ସେମାନଙ୍କ ପାଖରୁ ଦୂରେଇ ଯିବା ଉଚିତ । ଦୁହେଁ ଭୋଟ ଚୋରି ଉପରେ ପୁସ୍ତକ ଲେଖି ଜୀବିକା ନିର୍ବାହ କରନ୍ତୁ । ଅବଶ୍ୟ ସେମାନଙ୍କ ପୁସ୍ତକ ମଧ୍ୟ କେହି ପଢିବେ ନାହିଁ ।
ଏଠାରେ ଏତିକି ସୂଚନା ଦିଆ ଯାଇପାରେ ଯେ ଏନଡ଼ିଏ ମେଣ୍ଟ 2,31,32,050 ଓ ମହାଗଠବନ୍ଧନ 1,81,19,212 ଅର୍ଥାତ 50,12,838 ଖଣ୍ଡ ଭୋଟ ଅଧିକ ପାଇଥିବା ସତ୍ତ୍ୱେ ମାତ୍ର 35 ଟି ଆସନ ପାଇବା ଓ ଏନଡିଏ 202 ଆସନ ପାଇବା ଭାରତର କେବଳ ନୁହେଁ ବିଶ୍ୱ ନିର୍ବାଚନ ଇତିହାସର ଏକ ସର୍ବକାଳୀନ ବିରଳ ଘଟଣା ।
ଏହା କେବଳ କୌଣସି ଅଲୌକିକ ସ୍ବର୍ଗୀୟ ଶକ୍ତି କରିବା ସମ୍ଭବ ।
ଦ୍ଵିତୀୟ ବିନ୍ଦୁକୁ ଆସିବା । ଯେଉଁମାନେ ସମୀକ୍ଷା କରୁଛନ୍ତି ନିତିଶଙ୍କ ମହିଳା ଖାତାକୁ ₹10ହଜାର ପଠେଇବା, ବୃଦ୍ଧ ଓ ଭିନ୍ନ କ୍ଷମ ଭତ୍ତା ବଢ଼େଇବା, ସାମ୍ବାଦିକ ପେନସନ ପର ପିଢ଼ି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବା ଘୋଷଣା କରିବା , ଯୁବକ ମାନଙ୍କୁ କର୍ମ ନିଯୁକ୍ତି ଦେବାକୁ ଘୋଷଣା କରିବା ଯୋଗୁଁ ଲୋକେ ତେଜସ୍ଵୀଙ୍କ ପାଖ ଛାଡି ଦେଇ ନୀତିଶଙ୍କ ମୁହାଁ ହେଇଗଲେ । ଠିକ ଅଛି । ଆମେ ଜାଣିଲେ ଭୋଟର ମାତ୍ର କିଛି ଟଙ୍କା ପାଇଁ ବିକ୍ରି ହେଇ ଯାଆନ୍ତି । ଏପରି କି ଗଣତନ୍ତ୍ରର ପଞ୍ଚମ ସ୍ତମ୍ଭ ସାମ୍ବାଦିକ ବି କଣ ବିକ୍ରି ହେଇ ଗଲେ କି ?
ଜେ ଡି ୟୁ ନୀତିଶଙ୍କୁ ଶେଷ ଥର ପାଇଁ ସହାନୁଭୂତି ଭୋଟ ଦେଲେ ବୋଲି ଯେଉଁମାନେ ସମୀକ୍ଷା କରୁଛନ୍ତି, ସେମାନେ ଉତ୍ତର ଦେବେ କି ବିଜେପିକୁ କାହିଁକି ଭୋଟ ଦେଲେ ? ଏ ଆଇ ଏମ ଏମ କୁ କାହିଁକି ଭୋଟ ଦେଲେ ? ଅନ୍ୟପକ୍ଷରେ ବାମପନ୍ଥୀମାନଙ୍କୁ କାହିଁକି ଭୋଟ ଦେଲେ ନାହିଁ, ଯେଉଁମାନେ ପ୍ରତି କ୍ଷେତ୍ରରେ ବିହାର ର ସାଧାରଣ ମଣିଷଙ୍କ ସ୍ୱର ହେଇ ଲଢେ଼ଇ କରୁଛନ୍ତି ?
ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କୁ କାହିଁକି ଗତ ନିର୍ବାଚନରେ ଭୋଟ ଦେଲେ ନାହିଁ ? ନୂଆପଡାରେ ସହାନୁଭୂତି ଭୋଟ ମିଳିଲା ନାହିଁ । ବିଜେଡି ତ ଲୋକଙ୍କ ପାଇଁ ମା ଗର୍ଭରୁ ଶ୍ମଶାନ ପର୍ଯ୍ୟନ୍ତ ଲୋକଙ୍କୁ ଦେଇଥିଲେ ଓ ବିଜେପି ଦେଢ଼ ବର୍ଷ ଭିତରେ ସବୁ କାଢ଼ି ନେଉଛି । ଏହାର କୌଣସି ଯଥାର୍ଥ ଉତ୍ତର ଅଛି କି ?
ତାହେଲେ ବିହାର ପାଇଁ ଯେଉଁ ମାପଦଣ୍ଡ ଗ୍ରହଣ କରିବା, ଓଡ଼ିଶା କ୍ଷେତ୍ରରେ କାହିଁକି ଲାଗୁ ହେବ ନାହିଁ ? ଦେଢ଼ ବର୍ଷ ଭିତରେ ନୂଆପଡା ବାସୀ ଏମିତି କଣ ଦେଖିଲେ ଯେ ଦାଦନ ବହୁଳ , ଆଦବାସୀ ବହୁଳ ଗୋଟିଏ ନିର୍ବାଚନ ମଣ୍ଡଳୀରେ 90% ଭୋଟ ହେଇ ଯାଉଛି ଓ ଏ ଦଳରୁ ଯାଇ ସେ ଦଳର ପ୍ରାର୍ଥୀଙ୍କୁ 80 ହଜାରରୁ ଅଧିକ ଭୋଟରେ ଜିତେଇ ଦେଉଛନ୍ତି ?
ଲୋକମାନଙ୍କ ଭୋଟ ଦ୍ୱାରା ଆଉ ପ୍ରାର୍ଥୀ ଜିତୁ ନାହାନ୍ତି । ନିର୍ବାଚନ ପରିଚାଳନା ଦ୍ୱାରା ପ୍ରାର୍ଥୀ ଜିତୁଛନ୍ତି । ଏବଂ ଏହି ପରିଚାଳନା ପାଇଁ କେବଳ ଅର୍ଥ ଏକମାତ୍ର ମାପଦଣ୍ଡ ନୁହେଁ । ଏହାର ପରିଚାଳନା ମଧ୍ୟ ସେମିତି ଯୋଗ୍ୟ ହାତରେ ରହିବା ଦରକାର । ଏବଂ ସେଇ ଯୋଗ୍ୟ ହାତ ହେଉଛନ୍ତି ନିର୍ବାଚନ କମିଶନ, ସୁପ୍ରିମକୋର୍ଟ, ପ୍ରଧାନମନ୍ତ୍ରୀ ଓ ଅମିତ ସାହା । ଅର୍ଥ ଆଦୌ ସେମାନଙ୍କ ପାଇଁ ବାଧକ ନୁହେଁ, କିମ୍ବା କେନ୍ଦ୍ରରେ ବିଜେପି କ୍ଷମତାରେ ଥିବା ପର୍ଯ୍ୟନ୍ତ ବାଧକ ହେବ ନାହିଁ ।
ତେଣୁ ଏ ନିର୍ବାଚନ ପ୍ରହସନ କାହିଁକି ? ଏ ଗଣତନ୍ତ୍ର, ସମ୍ବିଧାନ, ଭୋଟ ଚୋରୀ ପ୍ରହସନ କାହିଁକି ?
ଅଯଥା ରାଜନୈତିକ ଦଳ ଓ ପ୍ରଚାର ମାଧ୍ୟମ ଲୋକଙ୍କ ମୁଣ୍ଡରେ ଅଠା ଲଦି ପ୍ରକୃତ କଳାକାରଙ୍କୁ କ୍ଲିନଚିଟ ଦେଇ ନିଜର ଓ ଦେଶର ଭବିଷ୍ୟତକୁ ଅନ୍ଧକାର ଭିତରକୁ ଠେଲି ଦିଆ ନଯାଉ । ଯଦି ପାରୁଛ, ଲୋକଙ୍କୁ ଏହି ତଥାକଥିତ ଗଣତନ୍ତ୍ରର ମୁଖା ଖୋଲିବାରେ ସହାୟକ ହୁଅନ୍ତୁ ଓ ନିର୍ବାଚନଗୁଡିକୁ ବର୍ଜ୍ଜନ କରିବା ପାଇଁ ପ୍ରେରଣା ଦିଅନ୍ତୁ । ବିଜେପି କିଛି ବର୍ଷ ଶାସନ କରିବାକୁ ଛାଡି ଦିଆ ଯାଉ ।
ଏଠାରେ କଂଗ୍ରେସର ନିର୍ବାଚନ ରେ ଅଂଶ ଗ୍ରହଣର100 ବର୍ଷ ପୂର୍ତ୍ତି ଉପଲକ୍ଷେ ଗାନ୍ଧୀ ଓ ବିଥଲ ଭାଇ ପଟେଲଙ୍କ ଗୋଟିଏ କଥା ଉଲ୍ଲେଖ କରିବାକୁ ଚାହୁଁଛି । ଭାରତୀୟ ଜାତୀୟ କଂଗ୍ରେସ ଗାନ୍ଧୀ ରାଜନୀତି କୁ ଆସିବା ପୂର୍ବରୁ ବିଶେଷ କରି 1909 ପରଠାରୁ ସାମ୍ବିଧାନିକ ପ୍ରକ୍ରିୟାରେ ସହଭାଗୀ ହେବାକୁ ଦାବୀ କରି ଆସୁଥିଲା । 1919 ମସିହା ଭାରତ ସରକାର ଆଇନ -1919 ଅନୁଯାୟୀ ପ୍ରୋଭିନସିଆଲ ଲେଜିସଲେଟିଭ କାଉନ୍ସିଲକୁ ନିର୍ବାଚନ ଘୋଷଣା ହେଲା ( ମଣ୍ଟେଗୁ-ଚେମ୍ସଫୋର୍ଡ ସଂସ୍କାର ) !
କିନ୍ତୁ ଇତିମଧ୍ୟରେ ବ୍ରିଟିଶ ସରକାର ରୱାଲଟ ଆକ୍ଟ ପ୍ରଣୟନ କଲା । ବର୍ତ୍ତମାନର କିଛି ଆଇନ ଭଳି ଯାହାଦ୍ୱାରା ବିନା ବିଚାରରେ ଆନ୍ଦୋଳନକାରୀ/ ଷଢଯନ୍ତ୍ରକାରୀଙ୍କୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଜେଲରେ ଠୁଙ୍କି ହେବ । ପୁଣି ଏହି ସମୟରେ ଜାଲିଆବାଗ ନର ସଂହାର । ତେଣୁ ଗାନ୍ଧୀ ନିର୍ବାଚନକୁ ବର୍ଜ୍ଜନ କରି ଅସହଯୋଗ ଆନ୍ଦୋଳନ ଡାକରା ଦେଲେ । ଅବଶ୍ୟ କଂଗ୍ରେସ ସଭାପତି ସୁରେନ୍ଦ୍ର ନାଥ ବାନାର୍ଜୀ ଓ କେତେକ ନେତା ନିର୍ବାଚନରେ ଅଂଶ ଗ୍ରହଣ କରିଥିଲେ । ଗାନ୍ଧିଜୀ ୟଙ୍ଗ ଇଣ୍ଡିଆରେ ଲେଖିଲେ, ମଣ୍ଟେଗୁ-ଚେମ୍ସଫୋର୍ଡ ସଂସ୍କାର କାର୍ଯ୍ୟରେ ସହଯୋଗ କରିବା ଅର୍ଥ ରୱାଲଟ ଆକ୍ଟ ଓ ପଞ୍ଜାବ ଅପରାଧର ଯୌକ୍ତିକତାକୁ ମୋହର ମାରିବା ସହ ସମାନ ହେବ ।
ଗାନ୍ଧୀଙ୍କ ଭୋଟ ବର୍ଜ୍ଜନ ଆହ୍ୱାନକୁ ଅନେକ ପ୍ରଦେଶ ସମର୍ଥନ କଲେ । ଯେଉଁମାନେ ଅଂଶ ଗ୍ରହଣ କଲେ ସେମାନେ 5% ରୁ କମ ଭୋଟ ପାଇଥିଲେ ।
ଚୌରୀ ଚୌରା ଘଟଣା ପରେ ଗାନ୍ଧୀ ଜୀ ଅସହ ଯୋଗ ଆନ୍ଦୋଳନ ପ୍ରତ୍ୟାହାର କରିଥିଲେ ।
ସର୍ଦାର ବଲ୍ଲଭ ଭାଇ ପଟେଲଙ୍କ ବଡ଼ ଭାଇ ବାରିଷ୍ଟର ବିଥଲ ଭାଇ ପଟେଲ ଯଦିଓ ବହୁ କ୍ଷେତ୍ରରେ ଗାନ୍ଧୀଙ୍କ ମତର ତୀବ୍ର ବିରୋଧୀ ଥିଲେ ତଥାପି ସେ ଏହି ନିର୍ବାଚନକୁ ବର୍ଜ୍ଜନ କଲେ । 1923 ରେ ବର୍ଜ୍ଜନ ନୀତିକୁ ଭଙ୍ଗ କରି ବମ୍ବେ ଲେଜିସ୍ଲେଟିଭ ଆସେମ୍ବଲି ନିର୍ବାଚନ ରେ ଅଂଶ ଗ୍ରହଣ କଲେ । ସେ ସ୍ୱରାଜ ପାର୍ଟିରୁ ପ୍ରତିଦ୍ବନ୍ଦିତା କରିଥିଲେ । ଏହି ପାର୍ଟିର ନେତା ମୋତିଲାଲ ନେହରୁ, ଚିତ୍ତ ରଞ୍ଜନ ଦାସ ପ୍ରମୁଖ ଥିଲେ । 1925 ରେ ବାଚସ୍ପତି ନିର୍ବାଚିତ ହେଲେ । ପ୍ରଥମ ଭାରତୀୟ ବାଚସ୍ପତି ।ପୂର୍ବରୁ ଇଂରେଜ ବାଚସ୍ପତି ଥିଲେ ।
ଏହି ନିର୍ବାଚନରେ ସମୁଦାୟ ଭାରତ ସରକାର ଆଇନ -1919 ଅନୁଯାୟୀ 104 ଜଣ କେନ୍ଦ୍ରୀୟ ଆଇନ ସଭାକୁ ନିର୍ବାଚିତ ହେଇଥିଲେ । ସେଥିରୁ 72 ଜଣ ସାଧାରଣ ବର୍ଗରୁ, ଓ 32 ଜଣ ମୁସଲିମ, ଶିଖ ଓ ବ୍ରିଟିଶ ଭାରତ ଇଉରୋପୀୟ ସଭ୍ୟ । 26 ଜଣ ମନୋନୀତ ସଭ୍ୟ ( ସରକାରୀ ଓ ବେସରକାରୀ ଅଫିସର ) ।
1925 ରେ ଯେତେବେଳେ ବାଚସ୍ପତି ଭାବରେ ହାଉସରେ ସଭାପତିତ୍ୱ କଲେ, ତାଙ୍କର ପ୍ରଥମ ରୁଲିଂ ଥିଲା ,” House is master of own procedure .
ବିଥଲ ଭାଇ ପଟେଲ ପୁଣି ଗାନ୍ଧୀଙ୍କ Civil Disobdience movement ପ୍ରତି ସମର୍ଥନ ଜଣାଇ ବାଚସ୍ପତି ପଦରୁ ଇସ୍ତଫା ଦେଇଥିଲେ ।
ମୋର କହିବା କଥା ଅତୀତରେ କଂଗ୍ରେସ ନେତାମାନଙ୍କ ପାଇଁ ନିର୍ବାଚନରେ କିଛି ଆସନ ଜିତି କ୍ଷମତା ଉପଭୋଗ କରିବା ଲକ୍ଷ୍ୟ ନଥିଲା । ଯାହା ଅନ୍ୟାୟ ବୋଲି ଭାବିଛନ୍ତି ତାହା ଜୋରରେ ବିରୋଧ କରିଛନ୍ତି , ଆଇନସଭାକୁ ଛି କରି ଦେଇଛନ୍ତି । ଗାନ୍ଧୀ ଓ ଗାନ୍ଧୀ ନୀତି ବିରୋଧୀ ବୃହତ୍ତର ସ୍ୱାର୍ଥ ପାଇଁ ନିର୍ବାଚନ ବର୍ଜ୍ଜନ ବର୍ଜ୍ଜନ କରିଛନ୍ତି ଓ ବିକଳ୍ପ ପନ୍ଥାରେ ଜନଜାଗୃତି ସୃଷ୍ଟି କରିଛନ୍ତି ।
ତେଣୁ ବ୍ଲଡ଼ କଂଗ୍ରେସ କହିବା ଗୋଟିଏ କଥା, କିନ୍ତୁ ସ୍ୱାଧୀନତା ସମୟରେ ଆନ୍ଦୋଳନରେ ସାମିଲ ହେଇ ବ୍ଲଡ଼ ଦେବା ପାଇଁ ଛାତି ଦେଖେଇବା ଭିନ୍ନ କଥା ।।
କିଛି ବର୍ଷ କଂଗ୍ରେସୀ ଓ ଲୋହିୟାବାଦୀ ( ଯଦି କେହି ଥାଆନ୍ତି ) ଲୋହିୟାଙ୍କ ଶିକ୍ଷା ପାଳନ କରି ସଂସଦର ଲଢ଼େଇ ସଡ଼କରେ କରନ୍ତୁ ।
# ଜବ ସଡ଼କ ଖାମୋଶ ହୋତି ହୈ, ତୋ ସଂସଦ ଆୱାରା ହୋ ଜାତି ହୈ !- ରାମ ମନୋହର ଲୋହିୟା
