ଭାରତରେ କ୍ରିକେଟ ଆଉ ଚେସକୁ ନେଇ ଏକ ଆଲେଖ୍ୟ

ଭୁବନେଶ୍ୱର : (ରବି ନାରାୟଣ ସେନାପତି) – ଚେସ ଏବେ ଏକ ଆନ୍ଦୋଳନ ଭାବେ ଦେଖାଯାଇଛି। ଜଣେ କିଶୋର ଏବେ ବିଶ୍ବ ଚମ୍ପିୟାନ ହୋଇଥିବା ବେଳେ ଆଉ ଜଣେ କିଶୋରୀ ଏବେ ବିଶ୍ବ କପ ବିଜେତା। କ୍ରିକେଟ ଏ ଦେଶର ସବୁଠୁ ଲୋକପ୍ରିୟ ଖେଳ ହୋଇପାରେ କିନ୍ତୁ ଯାହା ଜଣାପଡେ ପ୍ରତି ଦିନ ଅଧିକ ଚେସ୍ ଖେଳାଳି ଇଣ୍ଟରନେଟରେ ଚେସ୍ ଖେଳୁଛନ୍ତି। କ୍ରିକେଟ ତ ନେଟରେ ଖେଳି ହେବ ନାହିଁ। କ୍ରିକେଟରେ ତିନୋଟି ଫର୍ମାଟ। ଚେସ ରେ ଅଗଣିତ ଫର୍ମାଟ। ବୁଲେଟ, ବ୍ଲିଜ୍, ରାପିଡ୍ ଓ କ୍ଲାସିକାଲ। ଏ ପ୍ରତ୍ୟେକଟି ବିଭାଗରେ ପୁଣି ଭିନ୍ନ ଭିନ୍ନ ଟାଇମ୍ କଣ୍ଟ୍ରୋଲ। କ୍ରିକେଟ ଏକ ଦଳଗତ ଖେଳ ହୋଇଥିବା ବେଳେ ଚେସ୍ ଏକ ବ୍ୟକ୍ତି ଗତ ଖେଳ। ଏଣୁ ସ୍ଥାନ ନମିଳିବା ବାବଦରେ ରାଜନୀତିକୁ ଦୋଷ ଦେବାର ନାହିଁ। ତିନୋଟି ଫର୍ମାଟ ଓ ଆଇପିଏଲ ଥାଇ ମଧ୍ୟ ଭାରତର ଅସଂଖ୍ୟ ପ୍ରତିଭାବାନ କ୍ରିକେଟର ତଥାପି ସୁଯୋଗ ପାଉ ନାହାନ୍ତି। ଏକ ଉଦାହରଣ ସ୍ବରୂପ ଦେଖା ଯାଇପାରେ ଓଡ଼ିଶାକୁ, କାହିଁ କେହିଜଣେ ବି କେଉଁଠି ନାହାନ୍ତି। କୁହାଯାଇପାରେ ଚେସ୍ ମଧ୍ୟ ସେମିତି ଅବସ୍ଥାରେ ଓଡ଼ିଶାରେ। ହୁଏତ ନା। ଆରେ ବାବା ଏକ ରେଟିଙ୍ଗ ସିଷ୍ଟମ କେବଳ ଚେସରେ ଅଛି। ପନ୍ଦର ମିନିଟିଆ ଖେଳଟିଏ ଖେଳି ଆଠ ପଏଣ୍ଟ ସଂଗ୍ରହ କରିଦେଲେ ମନେହୁଏ ବାଃ ଆଗକୁ ଆଇଏମ ହେବାର ସମ୍ଭାବନା ଅଛି। ଅର୍ଥାତ୍ ପ୍ରତ୍ୟେକଟି ମଣିଷ ପାଇଁ ଖେଳର ସୁଯୋଗ ରହିଛି। ବେଞ୍ଚ ଷ୍ଟ୍ରେଙ୍ଗ୍ଥ୍ ଭଳି ଏକ କଥା ଚେସରେ ନାହିଁ। ସବୁଦିନ ଜଣେ ଇଣ୍ଟରନେଟ ନାଲ ଖେଳାଳି ସହ ଖେଳି ପାରିବ। ପୁଣି ଟୁର୍ଣ୍ଣାମେଣ୍ଟ ସଂଖ୍ୟା ଏତେ ବେଶୀ ହେଲାଣି ଯେ ନିଜକୁ ରିଜେକ୍ଟେଡ୍ ମନେ କରିବାର ସମ୍ଭାବନା ନାହିଁ। ଇଶାନ କିଶାନ୍, ଶ୍ରେୟାସ, ପାଣ୍ଡ୍ୟା, ଚହଳ, ସଞ୍ଜୁ ସାମ୍ପସନଙ୍କ ଭଳି ଖେଳାଳି ବି ମାନସିକ ଚାପରେ ରହିବାକୁ ବାଧ୍ୟ। ପୃଥିବୀ ଶଙ୍କ କଥା ହୁଏତ ଭିନ୍ନ। କୋହଲି, ରୋହିତ ଓ ଅଶ୍ବିନୀଙ୍କ ଭଳି ତାରକା ଖେଳାଳି ବନାମ ଭିସି ଆନନ୍ଦ, ଅଭିଜିତ କୁନ୍ତେ, କିମ୍ବା ହମ୍ପିଙ୍କ କଥା ଚିନ୍ତା କରାଯାଉ। ମନେହୁଏ ନିଜର କୌଶଳ ଦେଖାଇବାକୁ ଚେସରେ ଯେତେ ଲମ୍ବା ଦିନ ପର୍ଯ୍ୟନ୍ତ ସୁଯୋଗ ଅଛି କ୍ରିକେଟରେ ନାହିଁ। ଏମିତି କି ଅଶ୍ବିନୀ ଏବେ ଚାହିଁଲେ ଜିଏମ୍ ନହୋଇ ପାରିଲେ ମଧ୍ୟ ଆଇଏମ୍ ହୋଇପାରିବେ। କିନ୍ତୁ ଆନନ୍ଦ କଣ କ୍ରିକେଟ ଖେଳିପାରିବେ। ଅବଶ୍ୟ ଏମିତି ତୁଳନା ଗୁଡ଼ିକ ଉଦ୍ଭଟ ମନେ ହେଉଛି କିନ୍ତୁ ସତରେ ଚେସ୍ ଖେଳାଳି ମାନେ ଛୋଟ ହୁଅନ୍ତୁ କି ବଡ଼ ଯେତେ ଖୁସିରେ ଅଛନ୍ତି କ୍ରିକେଟ ଖେଳାଳି ମାନେ ସେତେ ଖୁସିରେ ନାହାନ୍ତି। କେବଳ ଖେଳାଳି ନୁହନ୍ତି ତାଙ୍କ ପରିବାର ମଧ୍ୟ। ଅଭିମନ୍ୟୁ ଈଶ୍ୱରନଙ୍କ ପିତାଙ୍କ ମନ୍ତବ୍ୟ, ଅଶ୍ବିନୀଙ୍କ ଅବସର ବେଳେ ତାଙ୍କ ବାପାଙ୍କ ମନ୍ତବ୍ୟ ଓ ବାଣ୍ଟି ହୋଇଯାଇଥିବା ଫ୍ୟାନ ମାନଙ୍କ ଟେନସନକୁ ବିଚାରକୁ ନେଲେ ମନେହୁଏ କ୍ରିକେଟ ଅଧିକ ମାନସିକ ଚାପ ସୃଷ୍ଟି କରୁଛି।
ତା ବ୍ୟତୀତ ଚେସ ଯେମିତି ଭାରତୀୟ ମଗଜ ପାଇଁ ତିଆରି ହୋଇଥିବା ଖେଳ ସେମିତି ମନେ ହୁଏ। ହେବନି କେମିତି ଏହି ଭାରତୀୟ ବୁଦ୍ଧିଜୀବୀ ଦିନେ ଏ ଖେଳ ସୃଷ୍ଟି କରିଥିଲେ।ସମୟ ଆସିଗଲାଣି ଆମେ ରୁଷିଆ, ଯୁକ୍ତରାଷ୍ଟ୍ର, ଚୀନ, ଉଜବେକିସ୍ଥାନ ଇତ୍ୟାଦି ଦେଶ ଠାରୁ ବି ଆଗରେ। ଖୁବ୍ ଶୀଘ୍ର ଆମ ଗ୍ରାଣ୍ଡ ମାଷ୍ଟରଙ୍କ ସଂଖ୍ୟା ପାଞ୍ଚ ଶହ କଣ ଏକ ହଜାରରେ ପହଞ୍ଚିଯିବ।
ବିଶ୍ବନାଥ ଆନନ୍ଦଙ୍କ ସହ ଏକଦା ଜିତିଥିବା ଗାଟା କାମ୍ସ୍କିଙ୍କ କଥା ମନେ ଥିବ। ବଡ଼ ଚମତ୍କାର ଖେଳାଳି। ଡାକ୍ତରୀ ଛାତ୍ରରୂ ଖେଳାଳି। ଚମ୍ପିୟାନରୁ ପୁଣି ଖେଳ ଛାଡ଼ି ଡାକ୍ତରୀ। କୁଆଡେ ସେ ବହୁତ ଉନ୍ନତ ଡାକ୍ତର ମଧ୍ୟ। ଏବେ ଆମ ଭାରତୀୟ ଟେକ୍ନୋଜୀବୀ ଜଣେ ସେମିତି ଅଛନ୍ତି। ନେଟରେ ବିରାଟ ବିରାଟ ଖେଳାଳିଙ୍କୁ ହରାଉଛନ୍ତି କିନ୍ତୁ କେବଳ ସୌଖିନ ଖେଳାଳି। ପେଶା ତାଙ୍କର ଯନ୍ତ୍ରୀ।ଏତେ କହିବା ପରେ କହିବାକୁ ପଡୁଛି ଯେ ସାବଧାନ ଏହା ଏକ ନିଶାଯୁକ୍ତ ଖେଳ ଏଣୁ ହୁସିଆର ହୋଇ ଖେଳ। ନଚେତ୍…
ଦୁଇଜଣ ଚେସ୍ ଖେଳୁଥିଲେ, ରାସ୍ତାରେ ଏକ ଶବ ଶୋଭାଯାତ୍ରା ଚାଲୁଥିଲା, ଜଣେ ଖେଳାଳି ଉଠି ଗଲେ ରାସ୍ତାକୁ, ଟୋପି ଖୋଲି ଅଭିବାଦନ ଜଣାଇ ପୁଣି ଫେରିଆସି ଖେଳିଲେ। ତାଙ୍କ ପ୍ରତିଦ୍ବନ୍ଦୀ ତାଙ୍କୁ ମାନବିକ ମୂଲ୍ୟବୋଧ ପାଇଁ ସାବାସୀ ଦେଲେ। ପ୍ରତ୍ୟୂତରଟି ବିଚଳିତ କଲାଭଳି। ଶବ ଥିଲେ ଖେଳାଳିଙ୍କ ଆପଣା ସମ୍ପର୍କୀୟ।