ବର୍ତ୍ତମାନ ପିସିସି ସଭାପତିଙ୍କୁ ବଦଳାଇ ବହୁଜନ ବର୍ଗରୁ ପ୍ରତିନିଧିତ୍ୱ ଦେବା ପାଇଁ ଉଠିଲା ସ୍ୱର, ଏଆଇସିସି ନେତାଙ୍କୁ ଚିଠି ଲେଖିଲେ ପୂର୍ବତନ ପିସିସି ସଭାପତି

ଭୁବନେଶ୍ୱର : ରାଜନୀତି ବହୁତ ବଦଳି ଗଲାଣି। ଛତିଶଗଡ଼, ମଧ୍ୟପ୍ରଦେଶ ଓ ରାଜସ୍ଥାନ ଫଳାଫଳ ଆମ ସପକ୍ଷରେ ଗଲାନାହିଁ। କୌଣସି ବର୍ଗର ଭୋଟ କଂଗ୍ରେସ ରଖିପାରିଲା ନାହିଁ। ବିଶେଷ କରି ଆଦିବାସୀ ଭୋଟ୍ ମଧ୍ୟ ଦଳ ବିରୋଧରେ ଗଲା। ଆଗାମୀ ଦିନରେ ଅନୁସୂଚିତ ଜାତି ଭୋଟ ରଖିବା ଦଳ ପାଇଁ କଷ୍ଟକର ହୋଇ ପଡିବ। ଓଡ଼ିଶାର ମୋଟ ଜନସଂଖ୍ୟାର ପ୍ରାୟ ୪୦ % ଆଦିବାସୀ ଏବଂ ଅନୁସୂଚିତ ଜାତି। ଏହି ବର୍ଗ ହିଁ କଂଗ୍ରେସର ମୁଖ୍ୟ ଭୋଟର। ତେଣୁ ଆମକୁ ଏବେ ଠାରୁ ସତର୍କ ହେବାକୁ ପଡିବ। ରାଜ୍ୟରେ ଏହି ଦୁଇ ବର୍ଗକୁ ଆନୁଷ୍ଠାନିକ ଭାବେ ନେତୃତ୍ୱ ଆସିବା ସହ ଯୁଦ୍ଧକାଳୀନ ଭିତ୍ତିରେ ରଣନୀତି ପ୍ରସ୍ତୁତ ହେବା ଦରକାର ବୋଲି ଜଣେ ପୂର୍ବତନ ପିସିସି ସଭାପତି ମତ ରଖିଛନ୍ତି। ଏଥିସହ ଏହି ବର୍ଗରୁ ପିସିସି ସଭାପତି କରିବା ପାଇଁ ଏଆଇସିସି ଏସଟିଏସସି ଏବଂ ଓବିସି ସେଲ୍ ଆବାହାକ କେ.ରାଜଙ୍କୁ ଚିଠି ମଧ୍ୟ ଲେଖିଛନ୍ତି। ନିକଟରେ ଏହି ଚିଠି ଲେଖାଯାଇଛି। ସମାନ ସମୟରେ ପିସିସି ସଭାପତି ଶରତ ପଟ୍ଟନାୟକ ନୂଆଦିଲ୍ଲୀ ଗସ୍ତ କରିଛନ୍ତି। ତେଣୁ ନିକଟ ଭବିଷ୍ୟତରେ ପିସିସି ପରିବର୍ତ୍ତନ ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନ ପାରେ ବୋଲି ଏକ ଆଲୋଚନା ଆରମ୍ଭ ହୋଇଛି। ବର୍ତ୍ତମାନ କୌଣସି ଅନୁସୂଚିତ ଜନଜାତି ବର୍ଗର ନେତା ପିସିସି ଦୌଡ଼ରେ ନାହାନ୍ତି। ମାତ୍ର ଅନୁସୂଚିତ ଜାତି ବର୍ଗରୁ ଏକାଧିକ ନେତା ପିସିସି ପାଇଁ ଆଶାୟୀ ଅଛନ୍ତି। ଏହି ଚିଠିଟି ସେହି ପୂର୍ବତନ ପିସିସି ସଭାପତିଙ୍କ ଦ୍ୱାରା ସାର୍ବଜନୀନ କରାଯାଇନାହିଁ। ମାତ୍ର ବିଶେଷ ସୂତ୍ରରୁ ଏପରି ଚିଠି ଲେଖାଯାଇଥିବା ଜଣେ କଂଗ୍ରେସ ପୂର୍ବତନ ବିଧାୟକ ଓଡ଼ିଶା ପତ୍ରିକାକୁ ଅବଗତ କରିଛନ୍ତି।