ଆଗକୁ ପାର୍ବଣ : କୃତ୍ରିମ ମହଜୁଦ କରିବା ଲକ୍ଷ୍ୟରେ ଅସାଧୁ ବ୍ୟବସାୟୀ, ସତର୍କ ହେଲା ସରକାର

ନୂଆଦିଲ୍ଲୀ : ଦୁଇ ଦିନ ପରେ ବିଶ୍ୱକର୍ମା ପୂଜା। ଏହା ପରେ ଗଣେଶ ପୂଜା। ପୁଣି ଆସିବ ଦଶହରା। ଏହି ସମୟରେ ଗହମ, ଚାଉଳ ଏବଂ ଚିନିର ଆବଶ୍ୟକତା ଅଧିକ ପଡିଥାଏ। ମାତ୍ର ଏହି ସମୟରୁ ଫାଇଦା ନେବା ପାଇଁ କେତେକ ବ୍ୟବସାୟୀ ଅନେଇ ରହିଥାନ୍ତି। ଜାଣିଶୁଣି କୃତ୍ରମି ମହଜୁଦୀକରଣ କରିଥାନ୍ତି। ତେଣୁ ଏହାକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାର ଅଣ୍ଟା ଭିଡିଛନ୍ତି।

କେନ୍ଦ୍ର ଖାଦ୍ୟ ସଚିବ ସଞ୍ଜୀବ ଚୋପ୍ରାଙ୍କ ସୂଚନା ଅନୁଯାୟୀ, ଚାଉଳ, ଗହମ ଓ ଚିନି ଭଳି ପ୍ରମୁଖ ଖାଦ୍ୟ ପଦାର୍ଥ ଯଥେଷ୍ଟ ପରିମାଣରେ ମହଜୁଦ ରହିଛି। କିନ୍ତୁ ଦୁର୍ବଳ ମୌସୁମୀ ବାହାନା କରି କୃତ୍ରିମ ଅଭାବ ସୃଷ୍ଟି କରିବାକୁ ଉଦ୍ୟମ କରାଯାଉଥିବା ଗୁଇନ୍ଦା ସୂଚନା ମିଳିଛି। ବିଶେଷ କରି ଅଧିକ ଜମିରେ ଧାନ ଚାଷ ହୋଇଥିବାରୁ ଅସ୍ୱାଭାବିକ ବର୍ଷା ସତ୍ତ୍ୱେ ଚାଉଳ ଉତ୍ପାଦନରେ ରେକର୍ଡ ହେବ ବୋଲି ଶ୍ରୀ ଚୋପ୍ରା କହିଛନ୍ତି। ଖାଦ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ ସର୍ବନିମ୍ନ ୨୦.୨ ନିୟୁତ ଟନ୍ ଗହମ ମହଜୁଦ ରଖିବାର ନିୟମ ରହିଥିବା ବେଳେ ଗୋଦାମରେ ତା’ଠାରୁ ଅଧିକ ଅର୍ଥାତ ୨୫.୫ ନିୟୁତ ଟନ୍ ଗହମ ରହିଛି। ଆବଶ୍ୟକତାଠାରୁ ୮.୭ ନିୟୁତ ଟନ୍ ଅଧିକ ଗହମ ରହିଛି। ବଜାରରେ ମଧ୍ୟ ୫.୭ ନିୟୁତ ଟନ୍ ଗହମ ଉପଲବ୍ଧ କରାଯାଇଛି। ଦେଶରେ ଏବେ ୮.୫ ନିୟୁତ ଟନ୍ ଚିନି ରହିଛି ଯାହା ଆଗାମୀ ସାଢ଼େ ତିନି ମାସର ଆବଶ୍ୟକତା ପୂରଣ କରିପାରିବ। ଗ୍ରୀଷ୍ଣ ଋତୁରେ ଅମଳ କରାଯାଇଥିବା ଆଖୁରୁ ଆସନ୍ତା ମାସରୁ ରସ ବାହାର କରିବା ପ୍ରକ୍ରିୟା ଆରମ୍ଭ ହେବ। ଚିନି ସମ୍ପର୍କରେ ଶ୍ରୀ ଚୋପ୍ରା କହିଛନ୍ତି ଯେ ନିଅଣ୍ଟିଆ ବର୍ଷା ହେବାରୁ ଆଖୁ ଉତ୍ପାଦନ କମିବ ବୋଲି ଅଗଷ୍ଟରେ ଆଶଙ୍କା କରାଯାଉଥିଲା। ମାତ୍ର ଆଖୁ ଚାଷ ହେଉଥିବା ରାଜ୍ୟ ଯଥା କର୍ଣ୍ଣାଟକ ଓ ମହାରାଷ୍ଟ୍ରରେ ସେପ୍ଟେମ୍ବରରେ ଭଲ ବର୍ଷା ହୋଇଥିବାରୁ ଆଖୁ ଫସଲ ଚାଷର ସୁଧାର ଘଟିଛି। ତେଣୁ ଚିନି ଉତ୍ପାଦନ କମିବ ବୋଲି ଯେଉଁ ଆଶଙ୍କା ପ୍ରକାଶ ପାଇଛି ତାହର କୌଣସି ଆଧାର ନାହିଁ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି।

ସେହିପରି  ପାଇକାରୀ ବିକ୍ରେତା ଓ ସୁପରମାର୍କେଟ୍‌ ପାଇଁ ଗହମର ଷ୍ଟକ ସୀମା ନିର୍ଧାରଣ କରିଛନ୍ତି। ସେମାନେ ନିଜ ପାଖରେ ୨୦୦୦ ଟନ୍ ଗହମ ରଖିପାରିବେ। ମିଲ୍‌ ପାଖରେ ସେମାନଙ୍କ ସ୍ଥାପିତ କ୍ଷମତାର ୭୫% ଗହମ ରହିପାରିବ। ବ୍ୟବସାୟୀ ଓ ମିଲ୍‌ଗୁଡ଼ିକ ନିଜ ପାଖରେ ଅଧିକ ଗହମ ରଖିବା ଦ୍ୱାରା ବଜାରରେ ଏକ କୃତ୍ରିମ ଅଭାବ ସୃଷ୍ଟି ହେଉ ବୋଲି ଆମେ ଚାହୁନାହୁଁ ବୋଲି ଶ୍ରୀ ଚୋପ୍ରା କହିଛନ୍ତି। ଚାଉଳରେ ମୁଦ୍ରାସ୍ଫୀତି ୧୦% ରହିବା ଚିନ୍ତାର ବିଷୟ। ରାଜ୍ୟଗୁଡ଼ିକ ସହଯୋଗରେ ଚାଉଳ ଷ୍ଟକ୍ ଉପରେ ଆମେ ନଜର ରଖିଛୁ। ମହଜୁଦକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *