ସମୟ କୌଣସି ଅପରାଧକୁ ବେଶିଦିନ ଗୁପ୍ତ ରଖେନି,



ଭୁବନେଶ୍ୱର : (ବିଜୟ ସାହୁ)-ବାଲେଶ୍ଵର ସାଂସଦ ପ୍ରତାପ ସାରଙ୍ଗୀ ନିଜକୁ ପ୍ରୋଜେକ୍ଟ କରିବାକୁ ଯାଇ ଯେଉଁ ନାଟକ ରଚିଲେ ସେଇ ନାଟକ ହିଁ ଲୋକଙ୍କୁ ଅତୀତର କଥା କୁ ତାଙ୍କ ଆଗରେ ଦର୍ପଣ ଭଳି ଥୋଇଦେଲା ।
ଅବଶ୍ୟ 2014ରେ ମୋଦୀ ଯେତେବେଳେ ବହୁମତ ନେଇ ପ୍ରଧାନମନ୍ତ୍ରୀ ହେଲେ ସେତେବେଳେ ପ୍ରତାପ ସାରଙ୍ଗୀଙ୍କୁ କ୍ୟାବିନେଟରେ ନେବାକୁ ମାନବ ଅଧିକାର ସଙ୍ଗଠକ ମାନେ ଦିଲ୍ଲୀର କିଛିଟା ବିରୋଧ କରିଥିଲେ, କିନ୍ତୁ ତାହା ବହୁଳ ପ୍ରଚାରିତ ହେଲା ନାହିଁ। ମୋଦୀଙ୍କ
ପ୍ରଧାନମନ୍ତ୍ରୀ ହେବାକୁ ଦେଶବାସୀ ଏତେ ସମର୍ଥନ ଦେଲେ ଯେ ସମସ୍ତେ ପ୍ରତାପ ସାରଙ୍ଗୀଙ୍କ ଅପରାଧ ପୃଷ୍ଠଭୂମିକୁ ଗୌଣ କରିଦେଲେ ।

ପ୍ରତାପ ସାରଙ୍ଗୀଙ୍କ ବର୍ତ୍ତମାନର ଅଭିନୟ ପୁଣି ଥରେ ତାଙ୍କର ଅପରାଧ ଇତିହାସକୁ ଚର୍ଚ୍ଚା ଭିତରକୁ ନେଇ ଆସିଛି । କେବଳ ଦେଶ ଭିତରେ ନୁହେଁ, ବିଦେଶ ଭୂଇଁକୁ ମଧ୍ୟ ଏକଥା ଚାଲି ଯାଇଛି ଓ କେନ୍ଦୁଝର ଜିଲ୍ଲାର ମନୋହରପୁର ଓ ମୟୁରଭଞ୍ଜ ଜିଲ୍ଲାର ବାରିପଦା ପୁଣି ଥରେ ଚର୍ଚ୍ଚିତ ଵିଷୟ ହେଇଛି ।ଏପରି କି ଗୋଦୀ ମିଡ଼ିଆ ମଧ୍ୟ ବିଷୟ ଉପରେ ଆଲୋକପାତ କରୁଛି । ଅନ୍ୟ ପକ୍ଷରେ ପ୍ରତାପ ସାରଙ୍ଗୀ ଭଳି ବିଜେପିର ଜଣେ ପଛ ଧାଡ଼ିର ସାଂସଦଙ୍କୁ ସୁରକ୍ଷା ଦେବାକୁ ଯାଇ ବିଜେପିର ତୁଙ୍ଗ ନେତାମାନେ ICU ଭିତରକୁ ଯେଭଳି ଛୁଟୁଛନ୍ତି  , ତାହା ଭଲ ଜାଗାରେ ଭେଲ ହେଉଛି । ଏହାକୁ ଦର୍ଶାଇବାକୁ ଯାଇ ମିଡ଼ିଆ ସାରଙ୍ଗୀଙ୍କ ଅତୀତ ଦସ୍ତାବିଜ ଖୋଜୁଛନ୍ତି ।
ଓଡ଼ିଶା ଲୋକ ମଧ୍ୟ ପ୍ରତାପ ସାରଙ୍ଗୀ ଙ୍କ ବିଷୟରେ ବିଶେଷ ଜାଣୁ ନ ଥିଲେ । ସେ ଅବିବାହିତ ରହୁଛନ୍ତି, ଦିଲ୍ଲୀ ରେ ଚାଳ ଘରେ ରହୁଛନ୍ତି, ନିର୍ବାଚନ ମଣ୍ଡଳୀକୁ ଆସିଲେ ଚାଳ ଘରେ ରହୁଛନ୍ତି, ସାଇକେଲରେ ଯାତାୟତ କରୁଛନ୍ତି , ଗୋପବନ୍ଧୁଙ୍କ ଦ୍ଵିତୀୟ ଅବତାର ଏଭଳି କିଛି କଥା କୁ ପ୍ରତାପ ସାରଙ୍ଗୀ ମନ୍ତ୍ରୀ ହେଲା ବେଳେ ବର୍ତ୍ତମାନର ଯୁବ ମାନସ ଭିତରେ ପୂରେଇ ଦିଆ ଯାଇଥିଲା । ସ୍ୱୟଂ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ତାଙ୍କୁ ପାର୍ଲିଆମେଣ୍ଟରେ ସେଇଭଳି ଉପସ୍ଥାପନ କରିଥିଲେ । କିନ୍ତୁ ସେଇ ଖୋଳପା ଗୋଟିଏ ଘଟଣା ରେ ପୂରା ଖୋଲି ଗଲା । ଯେମିତି ଅଦିନିଆ ଝଡ଼ ସବୁ ଉଡେଇ ନିଏ ।

ପ୍ରତାପ ସାରଙ୍ଗୀ ଙ୍କ ସେଇ ପୁରୁଣା ପୋଥିର  ପ୍ରତିଟି ପୃଷ୍ଠା ଲୋକେ ଜାଣିବା ଦରକାର ଯାହା ସେତେବେଳେ ଦେଶର ଇଂରାଜୀ, ହିନ୍ଦୀ ମିଡିଆରେ ବିସ୍ତୃତ ଭାବରେ ମନୋହରପୁର ଓ ଗ୍ରାହମ ଷ୍ଟେନ୍ସଙ୍କୁ ନେଇ ଚର୍ଚ୍ଚା ହେଇଥିଲା ଓ ପାର୍ଲିଆମେଣ୍ଟରେ ମଧ୍ୟ ଝଡ଼ ଉଠିଥିଲା । ସେତେବେଳର ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ନିଜକୁ ଲଜ୍ଜିତ ବୋଧ କରିଥିଲେ । ପାର୍ଲିଆମେଣ୍ଟରେ ସମସ୍ତଙ୍କ ପକ୍ଷରୁ ରାଷ୍ଟ୍ରପତି କେ ଆର ନାରାୟଣ ପ୍ରସ୍ତାବ ରଖି କହିଲେ, “a monumental aberration of time tested tolerance and harmony . The killings belong to the world’s inventory of black deeds ” ( India Today , 8February 1999) .)



ଘଟଣା ସମ୍ପର୍କରେ –
January 22-23 ନିର୍ଜନ ରାତିରେ ଅଷ୍ଟ୍ରେଲିଆ ଜନ୍ମିତ 58 ବର୍ଷୀୟ ଖ୍ରୀଷ୍ଟିଆନ ମିଶନାରୀ ଗ୍ରାହମ ଷ୍ଟୁଆର୍ଟ ଷ୍ଟେନ୍ସ,ତାଙ୍କର ଦୁଇ ନାବାଳକ ପୁତ୍ର ଫିଲିପି (10),
ଟିମୋଥି ( 7) ତାଙ୍କର ପୁରୁଣା Willy’s Station Wagon ରେ ମନୋହରପୁର ନିପଟ ଗାଁ ରେ ବାହାରେ ଶୋଇଥିଲେ । ସେତେବେଳେ ରାତି 3ଟା ।
ସକାଳୁ ଯେତେବେଳେ ଖବର ପ୍ରସାରିତ ହେଲା ସେତେବେଳେ ତିନୋଟି ଶରୀର ଏଭଳି ପୋଡି ଯାଇଥିଲା ଯେ ଚିହ୍ନଟ କରିବା ମୁସ୍କିଲ ଥିଲା । କେବଳ ପୋଡି ଯାଇଥିବା ଗାଡି ଭିତରେ ଗ୍ରାହମ ଷ୍ଟେନ୍ସ ନିଜର ଦୁଇ ପୁତ୍ରକୁ କୁଣ୍ଢେଇ ଧରିଥିବା ଜଣା ପଡିଲା ।
ସେତେବେଳର ମୟୁରଭଞ୍ଜ ଜିଲ୍ଲା ପାଳ ଆର ବାଲ କ୍ରିଷ୍ଣନ କହିଥିଲେ ,it is as if we all have had a personal bereavement .
ଆଦିବାସୀ ବହୁଳ ବାରିପଦା ସହରରେ ଗଭୀର ଶୋକର ବାତାବରଣ ସୃଷ୍ଟି ହେଇଥିଲା ।
ଗ୍ରାହମ ଷ୍ଟେନ୍ସ 35 ବର୍ଷ କାଳ କାଜୁଆଲ ପୋଷାକ ଓ ଟ୍ରେଡ଼ ମାର୍କ ହ୍ୟାଟ ସହ ସାଇକେଲରେ ଯାତାୟାତ ଥିଲା ତାଙ୍କର ପରିଚୟ । ତାଙ୍କୁ ଆଦିବାସୀମାନେ ସାହିବ ବୋଲି ସମ୍ବୋଧନ କରୁଥିଲେ । ସହର ତଳିରେ ଥିବା କୁଷ୍ଠ ରୋଗୀଙ୍କୁ
ସେବା ପ୍ରଦାନ କରିବା ତାଙ୍କର ନିୟମିତ କାର୍ଯ୍ୟ ଥିଲା । ଏଥିପାଇଁ ସେଇ ଆଶ୍ରମଟି 1892ରେ Evangelical Missionary Of Baripada ପ୍ରତିଷ୍ଠା ହେଇଥିଲା ।
ପାର୍ଲିଆମେଣ୍ଟରେ ଯେତେବେଳେ ବାଜପେୟୀଙ୍କ ସରକାର ତୀବ୍ର ସମାଲୋଚନାର ଶିକାର ହେଲେ ଯେ ଏହି କାଣ୍ଡ ବିଶ୍ବହିନ୍ଦୁ ପରିଷଦ ଓ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘ ସହ ସମ୍ପର୍କିତ ଏକ ହିନ୍ଦୁ ସଂଗଠନ ଦ୍ୱାରା କରା ଯାଇଛି , ସେତେବେଳେ ବାଜପେୟୀ ଏକ ତିନି ଜଣିଆ ତଥ୍ୟ ଅନୁସନ୍ଧାନକାରୀ କ୍ୟାବିନେଟ କମିଟିକୁ ମନୋହରପୁର ପଠେଇଲେ ଓ ସୁପ୍ରିମକୋର୍ଟ ତତ୍ୱବାଧାନରେ ବିଚାରବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ।
କ୍ୟାବିନେଟ କମିଟିରେ ମନ୍ତ୍ରୀ ଜର୍ଜ ଫର୍ଣ୍ଣାଡିଜ, ମୁରଲୀ ମନୋହର ଯୋଶୀ ଓ ନବୀନ ପଟ୍ଟନାୟକ ଥିଲେ । ସେମାନେ ମନୋହରପୁର
ଭ୍ରମଣ କରି ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ରିପୋର୍ଟ ପ୍ରଦାନ କଲେ ।
ଦିଲ୍ଲୀ ଫେରିବା ପରେ ଫର୍ଣ୍ଣାଡିଜ ମିଡ଼ିଆକୁ କହିଲେ ମନୋହରପୁର ଗାଁ ରେ ଖ୍ରୀଷ୍ଟିଆନ ଓ ଅଣ ଖ୍ରୀଷ୍ଟିୟାନଙ୍କ ମଧ୍ୟରେ ସମ୍ପର୍କ ଉତ୍ତମ ।
ଫର୍ଣ୍ଣାଡିଜ ତାଙ୍କର ରିପୋର୍ଟରେ ଏହି ଘଟଣାର କ୍ରନୋଲୋଜି ଉଲ୍ଲେଖ କରି କହିଥିଲେ, 1986 ରୁ 1998 ମଧ୍ୟରେ 60ଟି ଚର୍ଚ୍ଚ ଉପରେ ଆକ୍ରମଣ ହେଇଛି । ଦେଶର ଅନ୍ୟ ସମସ୍ତ ରାଜ୍ୟ ଠାରୁ ଓଡ଼ିଶାର ସଂଖ୍ୟା ଅଧିକ ।
କିନ୍ତୁ ଏହା ହିନ୍ଦୁ Fringe Element ମାନଙ୍କ ଦ୍ଵାରା ହେଇଛି ଓ ଏଥିରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘ କିମ୍ବା ବିଶ୍ଵ ହିନ୍ଦୁ ପରିଷଦ ଆନୁଷ୍ଠାନିକ ଭାବରେ ଜଡିତ ନୁହେଁ ।
ହିନ୍ଦୁ ଜାଗରଣ ସାମ୍ମୁଖ୍ୟ ଆବାହକ ସୁବାଷ ଚୌହାନ କହିଥିଲେ, ଲୋକେ ବୋଧେ ସେମାନଙ୍କୁ ସନ୍ଦେହ କରି ରାଗରେ ହତ୍ୟା କରିଥିବେ , ଯଦିଓ ସେ ଧର୍ମାନ୍ତିକରଣ ସହ ସମ୍ପୃକ୍ତ ନଥିଲେ ।
ସ୍ଥାନୀୟ ସରପଞ୍ଚ ଠାକୁର ଦାସ ମୁର୍ମୁ ବୟାନ ଦେଇଥିଲେ ଧର୍ମାନ୍ତିକରଣ ଏହି ହତ୍ୟାକାଣ୍ଡ ପାଇଁ ଆଶୁ ଉସକାନି ନଥିଲା ।
ପ୍ରଧାନମନ୍ତ୍ରୀ ବାଜପେୟୀ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଲେ ତୁରନ୍ତ ଅପରାଧୀମାନଙ୍କୁ ଗିରଫ କରାଯାଉ । ସେ ଜାନୁଆରୀ 30 ଗାନ୍ଧୀ ହତ୍ୟା ବର୍ଷିକୀ ଦିନ ଅନଶନ ଘୋଷଣା କଲେ ଓ ସାମ୍ପ୍ରଦୟିକ ସୌହାର୍ଦ୍ଦ୍ୟ ପାଇଁ ସାଧାରଣ ଜନତା ଏଥିରେ ସାମିଲ ହେବାକୁ ନିବେଦନ କଲେ ।

ଦାରା ସିଂ ଓ ତାର ରାଜନୈତିକ
ସମ୍ପୃକ୍ତି –

ପାର୍ଲିଆମେଣ୍ଟରେ ଯେତେବେଳେ ଝଡ଼ ଉଠିଲା ଓ ସେତେବେଳେ କଂଗ୍ରେସ ସାଧାରଣ ସମ୍ପାଦକ କହିଲେ ବର୍ତ୍ତମାନ ସମୟ ଆସି ଯାଇଛି ବାଜପେୟୀ ଓ ଆଡଭାନୀ ନିଜର ବ୍ୟାଗ ଓ ବ୍ୟାଗେଜେ ପ୍ୟାକ କରିନେବା ଉଚିତ , ସେତେବେଳେ ଆଡଭାନୀ ସମ୍ପୂର୍ଣ୍ଣ ତଦନ୍ତ ରିପୋର୍ଟ ପାଇବା ପୂର୍ବରୁ ବଜରଙ୍ଗ ଦଳକୁ କ୍ଲିନ ଚିଟ ଦେଲେ ।  ଫର୍ଣ୍ଣାଡିଜ କହିଲେ ଏହି ଘଟଣାରେ ଏକ ଷଢ଼ଯନ୍ତ୍ର ରହିଛି । ପୋଖରାଣ ପରେ ” some one had decided at some point of time Staines had to be killed . As of now we have not been able to figure out any motive .”

ଗ୍ରାହମ ଷ୍ଟେନ୍ସ ଯେତେବେଳେ ଜଣେ କିଶୋର ଥିଲେ ସେ ବାରିପଦାର ଶାନ୍ତନୁ ଶତପଥୀଙ୍କ ସହ ପତ୍ର ବନ୍ଧୁ ହେଇଥିଲେ । କେହି କାହାକୁ ଚିହ୍ନି ନଥିଲେ । ସୁଦୂର ଅଷ୍ଟ୍ରେଲିଆରୁ ତାଙ୍କର ପତ୍ର ବିନିମୟରେ ବନ୍ଧୁତ୍ବ ଯୋଗୁଁ 1965ରେ ସେ ବାରିପଦାରେ
ଶାନ୍ତନୁଙ୍କ ଜନ୍ମ ଦିନ ପାଳନ ପାଇଁ ଆସିଥିଲେ । ଆଉ ଅଷ୍ଟ୍ରେଲିଆ ଫେରି ନଥିଲେ କିମ୍ବା ତାଙ୍କର ମୃତ ଶରୀର ମଧ୍ୟ ଜନ୍ମ ଭୂମିକୁ ଫେରି ନଥିଲା ।
ବାରିପଦାରେ ଲେପ୍ରସି ହୋମରେ ଅସହାୟଙ୍କ ଅବସ୍ଥା ଦେଖି ସେ ସେମାନଙ୍କ ସେବାରେ ଲାଗିଗଲେ ।
ତାଙ୍କର ସ୍ତ୍ରୀ ଗ୍ଲାଡେସଙ୍କ ସହ ବାରିପଦାରେ ହିଁ ଭେଟ ହେଇଥିଲା ଓ ଦୁହେଁ 1980 ଦଶକରେ ବିବାହ କରିଥିଲେ । ଗ୍ଲାଡେସ ଜଣେ ଟ୍ରେନିଂ ପ୍ରାପ୍ତ ନର୍ସ ଥିଲେ । ଉଭୟ ବାରିପଦା ଲୋକଲ ସମାଜରେ ସ୍ତମ୍ଭ ହେଇଗଲେ ।
ଏହି ସମୟରେ ଗୋଟିଏ ଧର୍ମସଭା କ୍ୟାମ୍ପରେ ନିଆଁ ଲାଗି ଭସ୍ମୀଭୂତ ହେଇଥିଲା । ଏଥିରେ ଶତାଧିକ ଶ୍ରଦ୍ଧାଳୁ ମୃତ୍ୟୁ ବରଣ କରିଥିଲେ ଓ ଅନେକ ଗୁରୁତର ହେଇଥିଲେ । ଏତେ ସଂଖ୍ୟକ ଗୁରୁତରମାନଙ୍କୁ ପ୍ରାଥମିକ ଚିକିତ୍ସା ପ୍ରଦାନ ପାଇଁ ଲୋକାଲ ସ୍ତରରେ ମେଡ଼ିକାଲ ବ୍ୟବସ୍ଥା ନଥିଲା ।ଷ୍ଟେନ୍ସ ଓ ପତ୍ନୀ ଗ୍ଲାଡେସ ରାତି ରାତି ଉଜାଗର ରହି ସେମାନଙ୍କ ଚିକିତ୍ସା କରିଥିଲେ ।
2001ରେ ଷ୍ଟେନ୍ସ ରୋଟାରୀ କ୍ଲବର ସ୍ଥାନୀୟ ସଭାପତି ଭାବରେ ପୋଲିଓ ନିରାକରଣ ଟୀକାକରଣରେ ମୁଖ୍ୟ ଭୂମିକା ପାଳନ କରିଥିଲେ । ବିଭିନ୍ନ ଅଂଚଳରେ ବୁଲି ବୁଲି ପ୍ରଚାରପତ୍ର ବାଣ୍ଟି ଟୀକା ଗ୍ରହଣ ପ୍ରତି ଜାଗରଣ ସୃଷ୍ଟି କରିଥିଲେ । ପତ୍ନୀ ପତିଙ୍କ
ତାଙ୍କର ସେବାମୂଳକ କାର୍ଯ୍ୟ ଯୋଗୁଁ ଷ୍ଟେନ୍ସ ବାରିପଦା ଅଞ୍ଚଳରେ ଜଣେ ସ୍ତମ୍ଭ ଭାବରେ ଲୋକଙ୍କ ଭିତରେ ଆଦର ପାଉଥିଲେ ।

ଦାରା ସିଂହ ସମ୍ପର୍କରେ ଗ୍ରାହମ ଷ୍ଟେନ୍ସ ପୋଡି ମାମଲା ପୂର୍ବରୁ ବିଶେଷ ଜନ୍ମ ଜାତକ ଜଣା ନଥିଲା । ଏହି ଘଟଣା ପରେ ପୋଲିସ ତଦନ୍ତ ବେଳେ ଜଣା ପଡ଼ିଲା ଦାରା ସିଂ ଓରଫ ରବୀନ୍ଦ୍ର ପାଲ ହେଉଛି ଉତ୍ତର ପ୍ରଦେଶ ବାସିନ୍ଦା । ତାର ବଡ଼ ଭାଇ ଦିଲ୍ଲୀରେ ଏନ ଟି ପି ସି ରେ ଚାକିରୀ କରୁଥିଲେ । ଦାରା ସିଂ ଦିଲ୍ଲୀ ଆସି କିଛି ବର୍ଷ ଗ୍ରୋସେରୀ ବ୍ୟବସାୟ କଲା । ଏହି ସମୟରେ ସେ ବିଜେପିର ଜଣେ ସକ୍ରିୟ ସଭ୍ୟ ହେଲା ଓ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘ, ବିଶ୍ଵ ହିନ୍ଦୁ ପରିଷଦ,ବଜରଙ୍ଗ ଦଳର କ୍ୟାମ୍ପ ଓ ରାଲି ରେ ସକ୍ରିୟ ହେଲା । 1991 ରେ ପାଟନା ଯାଇ ବିଜେପି ପ୍ରାର୍ଥୀ ସପକ୍ଷରେ ପ୍ରଚାର ଅଭିଯାନ କଲା ।
1989 ରେ ମାଳିଆପଶିର ଏକ ସ୍ଥାନୀୟ ସ୍କୁଲରେ ହିନ୍ଦୀ ଶିକ୍ଷକ ଭାବରେ ନିଯୁକ୍ତି ପାଇ ଓଡ଼ିଶା ଆସିଲା । ମୟୁରଭଞ୍ଜର ମାଳିଆପଶିରେ ଅନେକ ବ୍ୟବସାୟୀ ସମ୍ପ୍ରଦାୟ ରହୁଥିଲେ । ସେମାନଙ୍କ ଭିତରେ ହିଁ ପ୍ରଥମ ଅବସ୍ଥାରେ ଦାରା ସିଂ ର ସମ୍ପର୍କ ଥିଲା । ସେଇଠାରୁ ହିଁ ଦାରା ନିଜର ଗୋ-ରକ୍ଷା ଅଭିଯାନ ଆରମ୍ଭ କଲା । ତାର ମୁଖ୍ୟ ଟାର୍ଗେଟ ଥିଲା ପଶ୍ଚିମବଙ୍ଗ ଯାଉଥିବା ଗୋରୁ ଗାଈ ଟ୍ରକ ର ମୁସଲିମ ଡ୍ରାଇଭର । ଗାଈ ଛଡେଇ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ବାଣ୍ଟୁଥିଲା ।
ଏହା ଦ୍ୱାରା କିଛିଟା ଆଦିବାସୀଙ୍କ ମହଲରେ ଜନପ୍ରିୟତା ଅର୍ଜନ କଲା ।ତାର ଗୋଟିଏ କ୍ଷୁଦ୍ର ଅନୁଗତ ଥିଲେ ଯେଉଁମାନେ ଏହି କାର୍ଯ୍ୟରେ ସମ୍ପୃକ୍ତ ଥିଲେ । ଗ୍ରାହମ ଷ୍ଟେନ୍ସ ଘଟଣା ପରେ ସେମାନେ ହିଁ ଦାରା ସିଂ କୁ ବିଭିନ୍ନ ଗାଁ ରେ ଲୁଚେଇ ମାସେ କାଳ ସୁରକ୍ଷା ଦେଇଥିଲେ ।
1998ରେ ଗୋଟିଏ ଗୋରୁ ଟ୍ରକକୁ ଲୁଟ କରି ଦାରା ଗୋଷ୍ଠୀ ଜାଳିଦେଲେ ଓ ଏହାର ହେଲ୍ପର ଶେଖ ଇମାମକୁ ଗୋଡଭଙ୍ଗା ଘାଟିରେ ପିଟି ପିଟି ମାରିଦେଲେ । ସିଂ ଏହି ମାମଲାରେ ଅଭିଯୁକ୍ତ ହେଇଥିଲା , କିନ୍ତୁ ସାକ୍ଷୀ ପ୍ରମାଣ ଅଭାବରୁ 2006ରେ ଦୋଷମୁକ୍ତ ହେଇଗଲା ।
1999ରେ ସେପ୍ଟେମ୍ବରରେ ଜଣେ କାଥୋଲିକ ପ୍ରିଷ୍ଟ ଅତୁଲ ଦାସଙ୍କୁ ତୀର ଦ୍ୱାରା ହତ୍ୟା କରିଥିଲା । ମୟୁରଭଞ୍ଜ ଜିଲ୍ଲାର ଜାମବଣି ଗାଁ ରେ ଗୋଟିଏ ଘରକୁ ଦାରା ସିଂ ନେତୃତ୍ୱରେ ଗୋଟିଏ ଗୋଷ୍ଠୀ  ନିଆଁ ଲଗେଇ ସେଠାରେ ରହୁଥିବା ଅତୁଲ ଦାସଙ୍କୁ  ଗୋଡେଇ ଗୋଡେଇ ତୀର ଦ୍ଵାରା ହତ୍ୟା କରିଥିଲେ ।
2007ରେ ଦାରା ର ବିଚାର ହେଇ ଆଜୀବନ କାରାଦଣ୍ଡ ହେଇଥିଲା । ଏହି ମାମଲାରେ ଚେନା ହୋ, ରାଜକିଶୋର ମହନ୍ତ ଓ ଯଦୁନାଥ ମହନ୍ତ ସମାନ ଦଣ୍ଡ ପାଇଥିଲେ ।
1999 ନଭେମ୍ବର 26ରେ ପେଡ଼ିଆପଶିର ମୁସଲିମ ପୋଷାକ ବ୍ୟବସାୟୀ ଶେଖ ରହମାନଙ୍କୁ ଗୋଟିଏ ଗୋଷ୍ଠୀ ଅସ୍ତ୍ରଶସ୍ତ୍ରଧାରୀ ଆକ୍ରମଣ କରି ଗୋଡ଼ହାତ ଭାଙ୍ଗି ଦେଲେ ନିଆଁ ରେ ପୋଡ଼ିଦେଲେଓ ଲୁଗା ଦୋକାନକୁ ସମ୍ପୂର୍ଣ୍ଣ ଜଳିଦେଲେ । ଏହି ଘଟଣା ରେ ଦାରା ଓ ତାର ସହଯୋଗୀ ବୁଲୁରାମ ମହନ୍ତ ଅଭିଯୁକ୍ତ ହେଇ 2007 ଅକ୍ଟୋବରରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହେଇଥିଲେ । ଅନ୍ୟ 23 ଜଣଙ୍କୁ ଯଥେଷ୍ଟ ପ୍ରମାଣ ଅଭାବରୁ ମୁକ୍ତ କରା ଯାଇଥିଲା ।
ଦାରା ସିଂ ର ଏହି ଭଳି ଏକ ଅପରାଧିକ ପୃଷ୍ଠଭୂମୀରେ  ଗ୍ରାହମ ଷ୍ଟେନ୍ସ ଓ ତାଙ୍କର ଶିଶୁ ପୁତ୍ର ଦ୍ବୟଙ୍କ ପେଟ୍ରୋଲ ପକେଇ ଗାଡି ଭିତରେ ଜୀଅନ୍ତା ହତ୍ୟା କରିବା ଘଟଣା ଆସିଥିଲା । କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ 1999 ଜୁନରେ ସମୁଦାୟ 18 ଜଣଙ୍କୁ ଦୋଷୀ ଘୋଷଣା କରିଥିଲା । ସେମାନେ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହେଲେ । ଦାରା ସିଂ କୁ 2003ରେ ଖୋର୍ଦ୍ଧା ସେସନ୍ସ ଜଜ ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରିଥିଲେ ।
ଏହି ଦଣ୍ଡା ଦେଶ ପରେ ଦାରା ସମର୍ଥକମାନେ ବିଭିନ୍ନ ସଂଗଠନ ଛତା ତଳେ ପ୍ରତିବାଦ ଜଣେଇଲେ ।
ଦାରା ସେନା ସେଗୁଡିକ ମଧ୍ୟରେ ପ୍ରମୁଖ । ଜଷ୍ଟିସ ୱାଧୱା କମିଶନ ଦାରା ଉପରେ ସବୁ ଦୋଷ ଲଦି ଦେଇଥିଲେ । କିନ୍ତୁ ବଜରଙ୍ଗ ଦଳ , ଆର ଏସ ଏସ , ବିଜେପି ସହ ତାର କୌଣସି ସମ୍ପର୍କ ନାହିଁ ବୋଲି  ରିପୋର୍ଟ ଦେଇଥିଲେ ।
କିନ୍ତୁ ଜାତୀୟ ସଂଖ୍ୟାଲଘୁ କମିଶନ ରିପୋର୍ଟରେ ବଜରଙ୍ଗ ଦଳ ର ସମ୍ପୃକ୍ତିକୁ ଦର୍ଶାଇଥିଲେ । କାରଣ ସାକ୍ଷୀମାନେ କହିଥିଲେ ଦାରା ସିଂ ଗୋଷ୍ଠୀ ଯେଉଁଆଡ଼େ ଯାଉଥିଲେ ଆକ୍ରମଣ ପୂର୍ବରୁ Long live the Bajaranga Dal ସ୍ଲୋଗାନ ଦେଉଥିଲେ ।
ଗ୍ରାହମ ଷ୍ଟେନ୍ସ ଘଟଣା ପରେ ଦାରା ଫେରାର ହେଇ ଯାଇଥିଲା । ସେ ବିଭିନ୍ନ ଜାଗାରେ ଆଶ୍ରୟ ମଧ୍ୟ ପାଉଥିଲା । ଏପରି କି ରାଜନୈତିକ ଓ ପୋଲିସ ଆଶ୍ରୟ ମଧ୍ୟ ପାଉଥିଲା । ବର୍ଷେ କାଳ ଲୁଚିବା ପରେ ଦାରା ଜାନୁଆରୀ 31, 2000ରେ ଗିରଫ ହେଇଥିଲା । 2005 ଏପ୍ରିଲ 5ରେ ଜଣେ ଅଭିଯୁକ୍ତ ଦୟାନିଧି ପାତ୍ର ବୟାନ ଦେଇଥିଲା ଯେ ଦାରା ସିଂ ସହିତ ସେ ଥିଲା ଓ ଗ୍ରାହମ ଷ୍ଟେନ୍ସ ଙ୍କ ଗାଡ଼ିରେ ପେଟ୍ରୋଲ ଢାଳି ନିଆଁ ଲଗାଇବା ସେ ଦେଖିଛି ।
ସେପ୍ଟେମ୍ବର 23, 2003ରେ ଦାରାସିଂକୁ ଫାଶୀ ଓ ଅନ୍ୟ ସହଯୋଗୀ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ହେଲା । ଅବଶ୍ୟ ଓଡ଼ିଶା ହାଇକୋର୍ଟରେ ଦାରା ମୃତ୍ୟୁ ଦଣ୍ଡରୁ ରକ୍ଷା ପାଇ ଆଜୀବନ କାରାଦଣ୍ଡ ପାଇଲା । ଦାରାସିଂ ସିଂ 2024 , ଜୁଲାଇ 10ରେ ସୁପ୍ରିମକୋର୍ଟରେ ନିଜର କାଣ୍ଡ ପାଇଁ ମାନସ୍ତାପ ପ୍ରକାଶ କରି ଜେଲ ଦଣ୍ଡକୁ ହ୍ରାସ କରିବା ପାଇଁ ଆବେଦନ କରିଛି । ଏ ସମ୍ପର୍କରେ ରାଜ୍ୟ ସରକାରଙ୍କ ମତାମତ ସୁପ୍ରିମକୋର୍ଟ ମାଗିଛନ୍ତି ।

ଏହି ଘଟଣା ସମ୍ପର୍କରେ ଯେତେବେଳେ ପ୍ରତାପ ସାରଙ୍ଗୀଙ୍କୁ ପୋଲିସ ପ୍ରଶ୍ନ କରିଥିଲା, ସେତେବେଳେ ସେ କହିଥିଲେ ,” ଦାରାସିଂ ଜଣେ ଉଦଭ୍ରାନ୍ତ ବ୍ୟକ୍ତି , ସେ ନିଜ ଇଚ୍ଛା ଅନୁଯାୟୀ କାର୍ଯ୍ୟ କରୁଥିଲା ।”  ସେତେବେଳେ ପ୍ରତାପ ସାରଙ୍ଗୀ ରାଜ୍ୟ ବଜରଙ୍ଗ ଦଳ ର ଆବାହକ ଥିଲେ ।
ପୋଲିସ କିନ୍ତୁ ଦାରା ସିଂ କୁ ବଜରଙ୍ଗ ସଭ୍ୟ ବୋଲି ପ୍ରମାଣ ଦେଇଥିଲା ।
ଦାରା ସିଂ ବିଜେପି / ଆର ଏସ ଏସ / ବଜରଙ୍ଗ ଦଳ ଓ ଅନ୍ୟାନ୍ୟ ହିନ୍ଦୁ ସଙ୍ଗଠନ ସହ ଜଡ଼ିତ ଥିଲା କି ନାହିଁ ତାର ପ୍ରମାଣ ଦେଇଛନ୍ତି ସୁଦର୍ଶନ ନିଉଜ ମୁଖ୍ୟ ସମ୍ପାଦକ ସୁରେଶ ଚୌଭେହାଙ୍କେ ସେପ୍ଟେମ୍ବର 21,2024ରେ ଦାରା ସିଂ କୁ ଭେଟ କରିବା ପାଇଁ ଜେଲ ପରିଦର୍ଶନ ରେ ଆସିଥିଲେ ଓ ଜେଲ କର୍ତ୍ତୃପକ୍ଷ ଅନୁମତି ନ ଦେବାରୁ ବାହାରେ ଧାରଣାରେ ବସିଥିଲେ । ତାଙ୍କର କାର୍ଯ୍ୟକ୍ରମକୁ ସୁଦର୍ଶନ ନିଉଜ ଲାଇଭ ଟେଲିକାଷ୍ଟ କରିଥିଲା ଓ ଅନ୍ୟ ଚାନେଲଗୁଡିକ ଏହାକୁ ଶେୟାର ମଧ୍ୟ କରିଥିଲେ । ଦାରା ସିଂ କୁ ସେ ହିନ୍ଦୁ ହୃଦୟ ସମ୍ରାଟ ବୋଲି ବର୍ଣ୍ଣନା କରିଛନ୍ତି ।
ଆନ୍ଧ୍ର ପ୍ରଦେଶର ଜଣେ ବିଜେପି ବିଧାୟକ ଦାରା ମୁକ୍ତି ପାଇଁ ଖୋଲା ଖୋଲି ପ୍ରଚାର କରୁଛନ୍ତି ଓ ସୁପ୍ରିମକୋର୍ଟରେ ଓକିଲ ନିଯୁକ୍ତି କରିଛନ୍ତି ।
ଏସବୁ ସତ୍ତ୍ୱେ ସାରଙ୍ଗୀ ଦାରା ସହ କୌଣସି ସମ୍ପର୍କ ନଥିବା ଦାବୀ କରିଛନ୍ତି । ସବୁଠାରୁ ଆଶ୍ଚର୍ଯ୍ୟ ଯେ ବାଲେଶ୍ୱର ଜିଲ୍ଲା ହେଉଛି ସାରଙ୍ଗୀ ଙ୍କ ଗୋ-ରକ୍ଷା ସଂଗଠନର ମୁଖ୍ୟ କେନ୍ଦ୍ର ।
ଗ୍ରାହମ ଷ୍ଟେନ୍ସ ଘଟଣା ଉପରେ F Ahmed ଲେଖିଛନ୍ତି -Staines murder will remain a collective blot on the conscience of India for a long time to come . It has made a great country look small and ugly .

ଏହା ସତ୍ତ୍ୱେ ତାଙ୍କର ପତ୍ନୀ ସମସ୍ତଙ୍କୁ କ୍ଷମା କରି ଦେଇଛନ୍ତି ଓ 2005 ରେ ଗ୍ରାହେମ ଷ୍ଟେନ୍ସ ଙ୍କ ସ୍ମୃତିରେ 15 ବେଡ଼ ହସ୍ପିଟାଲ ପ୍ରତିଷ୍ଠା କରିଛନ୍ତି ଓ ଷ୍ଟେନ୍ସ ଙ୍କ ସେବା କାର୍ଯ୍ୟକୁ ଆଗେଇ ନେଉଛନ୍ତି ।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କୁ ଭେଟି ଖ୍ରୀଷ୍ଟିୟାନ ସଂଗଠନ ଓଡ଼ିଶାରେ ଖ୍ରୀଷ୍ଟୀୟ ମାନଙ୍କ ଉପରେ ହେଉଥିବା ଆକ୍ରମଣ ସମ୍ପର୍କରେ  ଯେତେବେଳେ ଗୋଟିଏ ମେମୋରାଣ୍ଡମ ଦେଇଥିଲେ, ସେତେବେଳେ ସେ କହିଥିଲେ , ଯଦିଓ ସେ ଗ୍ରାହେମ ଷ୍ଟେନ୍ସ ପରିବାର ର ପଡୋଶୀ ଥିଲେ, ସେ ଏହି ଘଟଣା କୁ ରୋକିବା ପାଇଁ କିଛି କରି ପାରି ନଥିଲେ ।
*(ଲେଖାଟି ଇଣ୍ଡିଆ ଟୁ ଡେ, ନିଉଜ ଲଣ୍ଡ୍ରି, ଦି ୱାୟାର, ସୁଦର୍ଶନ ନିଉଜ, ବିବିସି ନିଉଜ, ୟୁ ଏସ ଏ ରେଭାରତୀୟ ଏମ୍ବାସୀ ଇତ୍ୟାଦି ସୂତ୍ର ଉପରେ ଆଧାରିତ ।)

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *