ରାଜ୍ୟ ପୁଲିସ୍ ପ୍ରଶାସନରେ ବଡ଼ ଧରଣର ଅଦଳବଦଳକୁ ଅପେକ୍ଷା …

ଭୁବନେଶ୍ୱର : ବିଧାନସଭା ଅଧିବେଶନ ସରିଛି। ସମସ୍ତଙ୍କ ନଜର ପୁଣି ପ୍ରଶାସନ ମୁହାଁ ହୋଇଛି। ଆଇଏଏସ୍ ଅଦଳବଦଳ ପରେ ଏବେ ରାଜ୍ୟ ପ୍ରଶାସନରେ ଆଇପିଏସ୍ ଅଦଳବଦଳ ଉପରେ ସମସ୍ତଙ୍କ ନଜର ରହିଛି। ଖୁରାନିଆ ମହୋଦୟ ଡିଜି ଦାୟିତ୍ୱ ନେବା ପରେ ପୂର୍ବ ଡିଜି ଅରୁଣ ଷଡଙ୍ଗୀ ସ୍ୱେଚ୍ଛାକୃତ ଅବସର କଥା ଚିନ୍ତା କରୁଥିବା ପୁଲିସ୍ କରିଡରରେ ଚର୍ଚ୍ଚା ହେଉଛି। ସେହିପରି ସଞ୍ଜୀବ ପଣ୍ଡାଙ୍କୁ ଦ୍ୱୈତ ନଗର କମିଶନରରୁ ଅପସାରିତ କରି ଅନ୍ୟ ଏକ ରାଜ୍ୟସ୍ତରୀୟ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇପାରେ। ଏହା ହୋଇପାରିଲେ ପୁଲିସ୍ କମିଶନର ଭାବେ ଆଇପିଏସ୍ ଅମିତାଭ ଠାକୁର କିମ୍ବା ଦେବଦତ୍ତ ସିଂଙ୍କୁ ଦେଖିବାକୁ ମିଳିପାରେ। ରାଜ୍ୟର ଦ୍ୱୈତ ନଗରୀରେ ଅତିରିକ୍ତ ପୁଲିସ୍ କମିଶନର ଏବଂ ଜେଲ ଡିଜି ଭଳି ଗୁରୁତ୍ୱପୂର୍ଣ୍ଣ ପଦ ଖାଲି ରହିଛି। ରାଜ୍ୟର ପାଞ୍ଚଟି ସ୍ଥାନରେ ଡିଆଇଜି ପାହ୍ୟାର ଅଧିକାରୀ ଏସପି ଭାବେ ଦାୟିତ୍ୱ ତୁଲାଉଛନ୍ତି। ଏହି ସ୍ଥାନ ଗୁଡିକ ହେଲା-ବ୍ରହ୍ମପୁର, ରାଉରକେଲା, ଖୋର୍ଦ୍ଧା, କଟକ ଓ ଅନୁଗୁଳ। ସାଧାରଣତଃ ଡିଆଇଜି ଅଧିକାରୀ ଏହି ଦାୟିତ୍ୱରେ ରହିବା କଥା ନୁହେଁ। ନୂଆ ଡିଜିପି ମାସେ ପୂରଣ କରିବାକୁ ଯାଉଛନ୍ତି। ସରକାର ମଧ୍ୟ ଶହେ ଦିନ ପୂରଣ କରିବାକୁ ଯାଉଛନ୍ତି। କିଛି ଅଧିକାରୀ କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି। ଏହା ସତ୍ତ୍ୱେ ରାଜ୍ୟରେ ଆଇପିଏସ୍ ମରୁଡି ମଧ୍ୟ ରହିଛି। ଦୁଇ ଡର୍ଜନ ତଥା ପ୍ରାୟ ୨୨ ଜଣ ରାଜ୍ୟ ବାହାରେ ଡେପୁଟେସନରେ ରହିଛନ୍ତି। ଅଧଡର୍ଜନରୁ ଅଧିକ ତଥା ୭ ପଦ ସମ୍ପୂର୍ଣ୍ଣ ଖାଲି ରହିଛି। ୨୦୨୧-୨୨ବ୍ୟାଚର ଦୁଇ ଡର୍ଜନ ଅଧିକାରୀ ଟ୍ରେନିଂରେ ଅଛନ୍ତି। ବିଜେଡି ସମୟରେ ଚାରି ଗୁରୁତ୍ୱପୂର୍ଣ୍ଣ ପଦରେ ଥିବା ଅଧିକାରୀ କିଛି କାମ ନ କରି ଦରମା ଗଣ୍ଡେ ନେଉଛନ୍ତି। ଏମାନେ ହେଲେ ଡିଏସ କୁଟ୍ଟେ, ଆଶିଷ ସିଂ, ରବିକାନ୍ତ, ଏବଂ ଡିଏସ୍ ନର୍ୱାନେ। ନିକଟରେ ଆଇପିଏସ୍ ରାଜେଶ ନିଲମ୍ବିତ ହୋଇଛନ୍ତି। ଜଣେ ମହିଳା ଆଇପିଏସ୍ କାର୍ଯ୍ୟରେ ଦୀର୍ଘଦିନ ଧରି ଯୋଗ ଦେଇ ନାହାନ୍ତି। ୯୦ରୁ କମ୍ ଆଇପିଏସ୍ ଅଧିକାରୀଙ୍କ ଜରିଆରେ ଶାସନ କାର୍ଯ୍ୟ ଜାରି ରହିଛି।

Leave a Reply

Your email address will not be published. Required fields are marked *