କାହିଁକି ଶୁଭୁନି ସୌମ୍ୟ ରଞ୍ଜନଙ୍କ ସ୍ୱର, ସେ କଣ ଯୋଜନା କରୁଛନ୍ତି..EOW ତଦନ୍ତ ଅଧାରୁ ବନ୍ଦ କଲେ କି ସରକାର..

ଭୁବନେଶ୍ୱର : ସୌମ୍ୟ ରଞ୍ଜନ ପଟ୍ଟନାୟକ ସ୍ୱାଭିମାନୀ ଲୋକ। ତାଙ୍କର ସମ୍ବାଦ ପରି ସୁଦୂର ପ୍ରସାରୀ ଖବରକାଗଜ ଅଛି। କେଉଁ ଭାଇ ସର୍ବାଧିକ କର ଦେଉଥିବା ଖଣି ବ୍ୟବସାୟୀ ତ କେଉଁ ଭାଇ ପୂର୍ବତନ ପିସିସି ସଭାପତି। ବିଜେଡିର ଅଧିକାଂଶ ବିଧାୟକ ତାଙ୍କୁ ସମର୍ଥନ କରୁଛନ୍ତି। ଏଥରକ ଆଉ ନିସ୍ତାର ନାହିଁ। କଥା ଯାଇ ମୋଦି-ଶାହାଙ୍କ ପାଖରେ ପହଞ୍ଚିଲାଣି। ସୌମ୍ୟ ବାବୁ ପାଗ ଭିଡିଛନ୍ତି ମାନେ ବିଜୟ ମହାପାତ୍ର, ଦିଲ୍ଲୀପ ରାୟ ଇତ୍ୟାଦି ଆହୁରି ସକ୍ରିୟ ହେବେ। ଅପରାଜିତା ଷଡଙ୍ଗୀ ଏବଂ ବୈଜୟନ୍ତ ପଣ୍ଡା ସହଯୋଗ କରିବେ। ଏମିତି କେତେ କଥା ପ୍ରାୟ ସପ୍ତାହକ ପୂର୍ବରୁ ସାମାଜିକ ଗଣମାଧ୍ୟମ ଏବଂ ଚା ଖଟିରେ ଶୁଣିବାକୁ ମିଳିଥିଲା। ବିଜେଡ଼ି କାହା ବୋପାର ନୁହଁ। ତାଙ୍କୁ ଉପସଭାପତି ପଦରୁ କରାଯାଇଥିବା ଅପସାରଣ ବିଜ୍ଞପ୍ତି ଚିଠିର ଦସ୍ତଖତ ଅସଲି କି ନକଲି ବୋଲି ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିଥିଲେ। ଦଳେ ସପକ୍ଷବାଦୀ ଏବଂ ଦଳେ ବିପକ୍ଷବାଦୀ ଭାବେ ସୌମ୍ୟ ଓ ରାଜ୍ୟ ସରକାରଙ୍କ ପକ୍ଷରେ ରହିଥିଲେ। ମାତ୍ର ବର୍ତ୍ତମାନ ଆଉ ସେହି ପରିସ୍ଥିତି ନାହିଁ। ସମ୍ପୂର୍ଣ୍ଣ ବଦଳିଗଲାଣି।
ଯେଉଁମାନେ କହୁଥିଲେ ସୌମ୍ୟ କିଛି କରିବେ। ସେମାନେ ଏବେ ଭିନ୍ନ ମତ ଦେଲେଣି। ସାମ୍ବାଦିକ ଦେବେନ୍ଦ୍ର ପୃଷ୍ଟି ନିଜ ଫେସବୁକ୍ ପୋଷ୍ଟରେ ଉଲ୍ଲେଖ କରିଛନ୍ତି ଯେ, ଆଉ ହାଲଚାଲ କଣ । ମୂଲଚାଲ ହୋଇ ଗଲା ବୋଧେ। ସେହିପରି ଛାତ୍ର କଂଗ୍ରେସ ନେତା ବିଶ୍ୱଭୂଷଣ ମହାପାତ୍ର ପୋଷ୍ଟ କରିଛନ୍ତି ଯେ, ସୌମ୍ୟ ପଟ୍ଟନାୟକ ଆଉ ସଚିବ ଓଡ଼ିଶାରେ ବୋକା ଗଣୁଥିଲେ। ଗଣା ସରିବା ପରେ ଚୁପ୍ ହୋଇଗଲେ ବୋଲି ଶ୍ରୀ ମହାପାତ୍ର କହିଛନ୍ତି। ସିନ୍ଧୁଜ୍ୟୋତି ତ୍ରିପାଠୀ କହିଛନ୍ତି ଯେ, ସ୍ୱାଭିମାନୀ ବାବୁଲା ବାବୁ ବୋଧହୁଏ ଆତ୍ମସମର୍ପଣ କରିସାରିଲେଣି। ଅନୁରୂପ ଭାବେ ବରିଷ୍ଠ ସାମ୍ବାଦିକ ଶ୍ରୀକୁମାର ଶୁକ୍ଳା ଏକ ଦୀର୍ଘ ଲେଖା ପୋଷ୍ଟ କରିଛନ୍ତି। ଯେଉଁଥିରେ ଉଲ୍ଲେଖ କରାଯାଇଛି ଯେ, ସୌମ୍ୟ ବାବୁ ଅମିତ ଶାହାଙ୍କ ପାଖକୁ ଯାଇଥିଲେ। ମାତ୍ର ନବୀନଙ୍କ ସମର୍ଥନ କାରଣରୁ ଶାହା ବିଜେଡିର ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାଇବେ ନାହିଁ। ଯଦି ସୌମ୍ୟ ବାବୁ ଏପରି ହେବେ। ତେବେ ପଟ୍ଟନାୟକ ପରିବାରର କଳା କାରନାମା ପଦାରେ ପଡିବ। ବିଜେଡିର ଜଣେ ନେତା ସୌମ୍ୟଙ୍କୁ ଭେଟିଥିଲେ। ଆଗାମୀ ଦିନରେ ସୌମ୍ୟ ବିଜେଡି କିମ୍ବା ସରକାର ବିରୋଧରେ କିଛି କହିବେ ନାହିଁ ବୋଲି ଏକ ଅଲିଖିତ ଚୁକ୍ତି ସ୍ୱାକ୍ଷର ହେଲା। ଦୁଇ ପଟ୍ଟନାୟକ ମିଛ ଷଣ୍ଡ ଲଢେଇ କଲେ। ପରବର୍ତ୍ତୀ ସମୟରେ ଗୋଟିଏ ସ୍ଥାନରେ ଖାଇବେ ବୋଲି ଶ୍ରୀ ଶୁକ୍ଳାଙ୍କ ଲମ୍ବା ପୋଷ୍ଟରେ ଉଲ୍ଲେଖ କରାଯାଇଛି। ଦିଲ୍ଲୀରେ ଥିବା ଓଡ଼ିଆ କହିଲେ, ସୌମ୍ୟ ବାବୁ ଅପରାଜିତା ଷଡଙ୍ଗୀଙ୍କ ଜରିଆରେ ପି.କେ ମିଶ୍ରଙ୍କ ସହ ଯୋଗାଯୋଗ କଲେ। ପିକେ ମିଶ୍ର ରାଜ୍ୟରେ ଅଶୋକ ପରିଜାଙ୍କ ଜରିଆରେ ଘଟଣାକୁ ଚାପିବା ପାଇଁ ପରାମର୍ଶ ଦେଲେ। ତେଣୁ ଦୁଇ ପଟ୍ଟନାୟକଙ୍କ ମିଛ କଳିରେ ଏ ପ୍ରକାର ଶିଥୀଳତା। ଏକଥା ଠିକ୍ କି ଭୁଲ୍ ଅଂଶୀଦାରମାନେ ସ୍ପଷ୍ଟ କରିବେ। ଯାହା ଶୁଣାଗଲା, ତାହାକୁ ଓଡ଼ିଶା ପତ୍ରିକା ଲେଖିଲା। ଅବଶ୍ୟ ରାଜ୍ୟ ସରକାରଙ୍କ ବି ଗଣମାଧ୍ୟମ ଦରକାର। ନିର୍ବାଚନ ସମୟରେ ସମ୍ବାଦ ଓ କନକକୁ ବ୍ୟବହାର କରିବେ। ତେଣୁ ସେମାନେ କରୁଥିବା ତଦନ୍ତ ବି ସ୍ଥଗିତ ରହିଛି। ଯାହା ଖାଲି ଓଡ଼ିଶାବାସୀ ଭକୁଆ ହେଲେ।