ଅସନ୍ତୋଷର ଦୋକାନ ନାହିଁ, ଏହା ଆପେ ଫୁଟିକି ବାହାରିବ : ବିଜୟ ପଟ୍ଟନାୟକ

ଭୁବନେଶ୍ୱର : ଅଣ୍ଡା ଦୋକାନ ବନ୍ଦ କରିହେବ। ହେଲେ ଅସନ୍ତୋଷ କେମିତି ବନ୍ଦ ହେବ। ଅଣ୍ଡାର ସିନା ଦୋକାନ ଅଛି। ହେଲେ ଅସନ୍ତୋଷର ଦୋକାନ ନାହିଁ। ତେଣୁ ଅସନ୍ତୋଷ ଲୋକମାନଙ୍କ ମଧ୍ୟରେ ଫୁଟିକି ବାହାରିବ ବୋଲି କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ କହିଛନ୍ତି। କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀ ପରେ ବୈଦ୍ୟୁତିକ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଶ୍ରୀ ପଟ୍ଟନାୟକ ଏହା କହିଛନ୍ତି। ସେହିପରି ବିଜେପି କଦାପି ବିଜେଡିର ବିକଳ୍ପ ହୋଇପାରିବ ନାହିଁ ବୋଲି ବିଜୟ କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ବିଜେପି-ବିଜେଡି ଗୋଟିଏ ଦଳ। କିଛି ଅଲଗା ନାହିଁ। ପରସ୍ପର ଅଲଗା ହେବାର ନାଟକ କରୁଛନ୍ତି। ଅଫିସରଙ୍କ ରାଜନୈତିକ କାର୍ଯ୍ୟକ୍ରମ ନେଇ ମୁଁ ଲେଖିଥିବା ଚିଠି ଉପରେ କେନ୍ଦ୍ର କେତେଦିନ ଚୁପ୍ ବସିବ, ସେମାନେ ନିଶ୍ଚୟ କାର୍ଯ୍ୟାନୁଷ୍ଠାନ କରିବେ ବୋଲି ଶ୍ରୀ ପଟ୍ଟନାୟକ ଆଶାବାଦୀ ଅଛନ୍ତି।

ଗତକାଲି ଓଡ଼ିଶା କ୍ୟାବିନେଟ୍ ଦ୍ୱାରା ଆମ ଓଡ଼ିଶା, ନବୀନ ଓଡ଼ିଶା କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଏହି କାର୍ଯ୍ୟକ୍ରମ ପାଇଁ ପ୍ରାୟ ୪୦୦୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ମାତ୍ର ଏହି ଘୋଷଣାକୁ ନେଇ ପିସିସି ସଭାପତି ଶରତ ପଟ୍ଟନାୟକ ଏବଂ ବିଜେପିର ପୂର୍ବତନ ସଭାପତି ସମୀର ମହାନ୍ତି ପ୍ରତିକ୍ରିୟାଶୀଳ ହୋଇଛନ୍ତି। ନିର୍ବାଚନକୁ ଦୃଷ୍ଟିରେ ରଖି ଗ୍ରାମାଞ୍ଚଳର ବିଜେଡି କର୍ମୀଙ୍କୁ ପୋଷିବା ପାଇଁ ଏହି ଯୋଜନା ଆରମ୍ଭ କରାଯାଇଥିବା ପିସିସି ସଭାପତି ଅଭିଯୋଗ କରିଛନ୍ତି। ବିଜେପି ନେତା ଶ୍ରୀ ମହାନ୍ତି କୁହନ୍ତି ଯେ, ସରକାର ଜଗନ୍ନାଥ ସଂସ୍କୃତି ଓ ଐତିହ୍ୟକୁ ଆଳ କରି ଆମ ଓଡ଼ିଶା, ନବୀନ ଓଡ଼ିଶା ଯୋଜନା କରିଛନ୍ତି। ବିନା ଟେଣ୍ଡରରେ କାର୍ଯ୍ୟାଦେଶ ଦେବା ପାଇଁ ଏହା ପ୍ଲାନ କରାଯାଇଥିବା ସେ କହିଛନ୍ତି।

Leave a Reply

Your email address will not be published. Required fields are marked *