‘ସରକାରୀ ନୀତି ହିଁ ମଦ ବ୍ୟବସାୟୀଙ୍କ ଘରୁ ଟଙ୍କା ମିଳିବାର ଅସଲ କାରଣ’

ଭୁବନେଶ୍ୱର : ମଦ ବ୍ୟବସାୟୀଙ୍କ ଘରୁ ପ୍ରାୟ ତିନିଶହ କୋଟି ଟଙ୍କା ଜବତ ହୋଇ ସାରିଛି। ହେଲେ ଜଣେ ବ୍ୟବସାୟୀଙ୍କ ପାଖରେ ଏତେ ଟଙ୍କା ଠୁଳ ହେଲା କିପରି। ଏହା ପାଇଁ ଦାୟୀ କିଏ। କେଉଁ ବ୍ୟବସ୍ଥା ଏତେ ସଂଖ୍ୟକ କଳା ଟଙ୍କା ଠୁଳ କରିବାରେ ସହାୟତା କଲା। ସେ ନେଇ ସାରା ରାଜ୍ୟରେ ତମ୍ବି ତୋଫାନ୍ ଜାରି ରହିଛି। ଏହା ମଧ୍ୟରେ ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀକାନ୍ତ ଜେନା କହିଛନ୍ତି ଯେ, ରାଜ୍ୟ ସରକାର ପ୍ରାୟ ଦୁଇ ଦଶନ୍ଧି ଧରି ପୁରୁଣା ଅବକାରୀ ନୀତି ପ୍ରଚଳନ କରି ଆସୁଛନ୍ତି। ପୁରୁଣା ବ୍ୟବସାୟୀଙ୍କ ଲାଇସେନ୍ସକୁ ନିୟମିତ କରି ଦିଆଯାଉଛି। ନୂଆ ଟେଣ୍ଡର କି ନୂଆ ଲାଇସେନ୍ସ ନାହିଁ। ପ୍ରତିବର୍ଷ କିଛି ଅର୍ଥ ବଢାଇ କେତେକ ବ୍ୟବସାୟୀଙ୍କୁ ମଦ ବିକ୍ରି କରିବାର ସୁଯୋଗ ଦିଆଯାଉଛି। ଯାହା ଫଳରେ ପାଣିରେ ବୁଡିଥିବା ବରଫ ଖଣ୍ଡ ସଦୃଶ ଟଙ୍କା ଟିକସ ଆକାରରେ ଆସୁଛି। ଏହି ଟିକସ ପ୍ରାୟ ଅଢେଇ ଗୁଣା ଅନୈତିକ ଭାବରେ ବ୍ୟବସାୟୀମାନଙ୍କ ଦ୍ୱାରା ଠୁଳ ହେଉଥିବା ଶ୍ରୀ ଜେନା କହିଛନ୍ତି। ଏହି ଅର୍ଥର ଏକ ବୃହତ ଅଂଶ ଶାସକ ଦଳ ତଥା ରାଜନୈତିକ ଦଳ ଗୁଡିକ ନିକଟକୁ ଚାନ୍ଦା ଆକାରରେ ଆସୁଛି। ନିର୍ବାଚନରେ ଖର୍ଚ୍ଚ ହେଉଛି। ଏହି ଟଙ୍କାକୁ ସରକାର ରାଜକୋଷ ମୁହାଁ କରାଯାଇପାରିବ। ମାତ୍ର ସେଥିପାଇଁ ସରକାରୀ ନୀତିରେ ପରିବର୍ତ୍ତନ କରିବାର ଆବଶ୍ୟକତା ରହିଥିବା ଶ୍ରୀ ଜେନା କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ମଦ ସମ୍ପୂର୍ଣ୍ଣ ନିଷେଧ କରାଯାଇପାରିବ। ଏଥିରୁ ରାଜ୍ୟ ପ୍ରାୟ ୬ ହଜାରରୁ ୬୫୦୦ କୋଟି ଟଙ୍କାର ରାଜସ୍ୱ ପାଉଛି। ଏହି ରାଜସ୍ୱ ଅନ୍ୟ ସୂତ୍ରରୁ ଭରଣା କରାଯାଇପାରିବ। ଉଦାହରଣ ସ୍ୱରୂପ-କୋଇଲା, ବକ୍ସାଇଟ୍, କ୍ରୋମାଇଟ୍ ଉପରେ ସରଚାର୍ଜ ଲଗାଇ ଏହା ଠାରୁ ଅଧିକ ରାଜସ୍ୱ ଆଦାୟ କରାଯାଇପାରିବ। ବିହାର ଆମଠାରୁ ଅଧିକ ରାଜସ୍ୱ ପାଉଥିଲା, ତାଙ୍କର ଆର୍ଥିକ ଭରଣା ପାଇଁ ଆମ ପରି ସୂତ୍ର ନାହିଁ। ଗୁଜରାଟ ମଧ୍ୟ ମଦ ନିଷେଧ କରିଛି। ତେଣୁ ମଦ ସମ୍ପୂର୍ଣ୍ଣ ବ୍ୟାନ୍ କରାଯାଉ। ଯଦି କୌଣସି ବ୍ୟକ୍ତିର ମଦ ଆବଶ୍ୟକ, ତେବେ ତାଙ୍କୁ ଡାକ୍ତରଙ୍କ ସୁପାରିସ୍ କ୍ରମେ କିଣିବାକୁ ଅନୁମତି ମିଳୁ ବୋଲି ଶ୍ରୀକାନ୍ତ ଜେନା କହିଛନ୍ତି। ମଦ ଦ୍ୱାରା ସାମାଜିକ ସମ୍ପର୍କ, ପ୍ରତିଷ୍ଠା ବହୁଳ ଭାବେ ପ୍ରଭାବିତ ହୋଇଛି। ମଦ ରାଜ୍ୟର ହଜାର ହଜାର ନାରୀଙ୍କୁ ବିଧବା କରିଛି। ମଦ ପ୍ରତ୍ୟକ୍ଷ ଓ ପରୋକ୍ଷରେ ସେମାନଙ୍କ ନିର୍ଯ୍ୟାତନାର କାରଣ ହୋଇଛି। ତେଣୁ ଜନସଂଖ୍ୟାର ଅର୍ଦ୍ଧେକ ମହିଳାଙ୍କ ଭଲ ପାଇଁ ମଦ ବ୍ୟାନ୍ ସମୟର ଆବଶ୍ୟକତା। ସରକାର ତୁରନ୍ତ କ୍ୟାବିନେଟ୍ ବୈଠକ ଡାକି ଏ ସମ୍ପର୍କରେ ନୀତିଗତ ନିଷ୍ପତ୍ତି ନିଅନ୍ତୁ ବୋଲି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀକାନ୍ତ ଜେନା ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *