ଖାଲି ଟ୍ରମ୍ପ ଆଉ ବିଦେଶକୁ ଦୋଷ ଦେଲେ ହେବନି

ଭୁବନେଶ୍ୱର : (ରଙ୍ଗାଚରଣ ପ୍ରଧାନ )- ମୁଁ ଟ୍ରମ୍ପଙ୍କୁ ଦୋଷ ଦେବି ନାହିଁ କି ଚାଇନାକୁ ଦୋଷ ଦେବି ନାହିଁ । ସେମାନେ ଯାହା କରନ୍ତି ସେମାନଙ୍କ ଦେଶ ସ୍ବାର୍ଥରେ କରନ୍ତି । କିନ୍ତୁ ଆମ ଦେଶର ସରକାର ?

ଆମର ଚଳନ୍ତି ସରକାର ଆସିବା ପରଠାରୁ ଆମଦାନୀ ଉପରେ ସର୍ବାଧିକ ତାରିଫ୍ ଲଗାଇଛି । ତଥାପି ଏ ସରକାର ସମୟରେ ଚାଇନା ସହିତ ଆମର ବାଣିଜ୍ୟ ନିଅଣ୍ଟ ପ୍ରାୟ ୪୮ ବିଲିଅନ୍ ଡଲାରରୁ ପ୍ରାୟ ୧୦୦ ବିଲିଅନ୍ ଡଲାରରେ ପହଞ୍ଚିଛି ।

ଭାରତର ମୋଟ ଅର୍ଥନୀତି ଜର୍ମାନୀ ଓ ଇଂଲଣ୍ଡକୁ କାଟି ଜାପାନ ସମକକ୍ଷ ହୋଇଛି । ଆଶା କରା ଯାଉଛି ଚଳିତ ବର୍ଷ ଜାପାନକୁ କାଟି ଭାରତ ପୃଥିବୀର ଚତୁର୍ଥ ବୃହତମ ଅର୍ଥନୀତି ହେବ । ଏଥିପାଇଁ ମୁଁ ନେହେରୁଙ୍କ ଠାରୁ ଆରମ୍ଭ କରି ମୋଦୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ସରକାରକୁ ଶ୍ରେୟ ଦେବି । ଏହା ଏକ ରିଲେ ରେସ୍ ଭଳି । ଜଣେ ଧାବକ କିଛି ବାଟ ଦଉଡି ଆଉ ଜଣେ ଧାବକକୁ ବାଟନ୍ ଦିଏ । ଦ୍ବିତୀୟ ଧାବକ ବାଟନ୍ ଧରି କିଛି ବାଟ ଦଉଡେ ଓ ତୃତୀୟ ଧାବକକୁ ଦିଏ । ତାପରେ ତୃତୀୟ ଧାବକ ବାଟନ୍ ଧରି ଆଗକୁ ଦଉଡେ ।

ବର୍ତମାନ ଭାରତ ବିଶ୍ବର ପଞ୍ଚମ ବୃହତମ ଅର୍ଥନୀତି । ମୁଣ୍ଡପିଛା ଆୟ ଦୃଷ୍ଟିରୁ ଆମେ ବହୁତ ତଳେ ରହିଥିବା ସତ୍ତ୍ବେ ବଡ ଅର୍ଥନୀତି ହେବାରେ ମଧ୍ୟ ଦେଶକୁ କେତେକ ସୁବିଧା ମିଳିଥାଏ । ଏହି ସମୟରେ କେତେକ ରାଷ୍ଟ୍ରବାଦୀ ଭାବିଲେ ‘ଏବେଠାରୁ ଆମେ ବିଶ୍ବକୁ ଆମର ତାକତ ଦେଖାଇବା । ଘୁଷକେ ମାରେଙ୍ଗେ । ଅନ୍ୟ ଦେଶଗୁଡିକ ପ୍ରତି ଆକ୍ରମଣାତ୍ମକ ବ୍ୟବହାର ଦେଖାଇବା । ଆମେ ତ ସୁପର ପାଓ୍ବାର ହେବାକୁ ଯାଉଛୁ । ଆଜିଠାରୁ ଆମେ ସୁପର ପାଓ୍ବାର ଭଳି ବ୍ୟବହାର ଦେଖାଇବା ନାହିଁ କାହିଁକି ?’ ଆପଣ ଭାବନ୍ତୁ ନାହିଁ ଯେ ‘ପାପା ଓ୍ବାର ରୁକଓ୍ବା ଦି’ କଥା ଭାରତରେ ଥିବା ଆମେରିକ ଦୂତବାସ ଆମେରିକା ସରକାରକୁ ଜଣାଇ ନାହିଁ । ଆମ ନୂଆ ପାର୍ଲାମେଣ୍ଟରେ ଗୋଟିଏ ଭବିଷ୍ୟତ ଅଖଣ୍ଡ ମାନଚିତ୍ର ଅଛି ଯେଉଁଥିରେ ପାକିସ୍ଥାନ, ବଙ୍ଗଳାଦେଶ ଓ ନେପାଳକୁ ତାହାର ଅଂଶ ଭାବରେ ଦେଖା ଯାଇଛି । ଏହି ଦେଶମାନେ ଏଥିନେଇ ଆପତ୍ତି ମଧ୍ୟ ଜଣାଇ ସାରିଛନ୍ତି ।

ଚାଇନା ଯେତେବେଳେ ଦ୍ରୁତ ବିକାଶ ଆରମ୍ଭ କଲା  ସେତେବେଳେ ଏହାର ତତ୍କାଳୀନ ରାଷ୍ଟ୍ରପତି ଡେଙ୍ଗ୍ ଜିଆଓପିଙ୍ଗ କହିଥିଲେ ‘ଚାଇନା ତାର କ୍ଷମତାକୁ ଏବେ  ବିଶ୍ବଠାରୁ ଲୁଚାଇ ରଖୁ ଓ ସମୟକୁ ଅପେକ୍ଷା କରୁ । ‘ ୨୦୧୭ରେ ଯାଇ ବର୍ତମାନର ରାଷ୍ଟ୍ରପତି ଡେଙ୍ଗ ଜିଆଓପିଙ୍ଗ ପାର୍ଟି କଂଗ୍ରେସରେ ଭାଷଣ ଦେଇ କହିଲେ ବର୍ତମାନ ସମୟ ଆସିଗଲା ଆମେ ବିଶ୍ବକୁ ଆମର ତାକତ ଦେଖାଇବା ‘ . . the Chinese nation has gone from standing up, to becoming rich, to becoming strong.’

ସେବେ ଠାରୁ ଆମେରିକା ଚାଇନାର ଅଗ୍ରଗତି ପ୍ରତି ସଜାଗ ହୋଇଗଲା । ଚାଇନାରୁ ଆସୁଥିବା ଅନେକ ଜିନିଷ ଉପରେ ତାରିଫ୍ ଲଗାଇବା ଆରମ୍ଭ କଲା । ଆମେରିକାରୁ ଚାଇନାକୁ ଟେକ୍ନୋଲୋଜି ଟ୍ରାନ୍ସଫର ଉପରେ ସୀମା ନିୟନ୍ତ୍ରଣ  ଆରମ୍ଭ କଲା । ଆମେରିକାକୁ ଦେଖି ଯାପାନ ଓ ୟୁରୋପ ମଧ୍ୟ ଚାଇନା ପ୍ରତି ସେହି ଭଳି ବ୍ୟବହାର ଦେଖାଇବା ଆରମ୍ଭ କଲେ । ଚାଇନାର ପଡୋଶୀ ଦେଶଗୁଡିକ ମଧ୍ୟ ଚାଇନାକୁ ଏକ ବିପଦ ଭଳି ଦେଖିବାକୁ ଲାଗିଲେ । ଆଜି କେଉଁ ନୂଆ ଆମେରିକା କମ୍ପାନୀ ଚାଇନାରେ ଅର୍ଥ ଲଗାଇବାକୁ ଆଗ୍ରହୀ ହେଉନାହିଁ ।

ଭାରତର ପୂର୍ବତନ ବିଦେଶ ମନ୍ତ୍ରୀ ଶିବଶଙ୍କର ମେନନ ତାଙ୍କ ବହିରେ ଲେଖିଛନ୍ତି ‘ ଇତିହାସରେ ସବୁ ବିକାଶଶୀଳ ଦେଶ ନିଜର ଶକ୍ତି ବୃଦ୍ଧି କରିବା ବେଳେ ନିଜ ମୁଣ୍ଡ ତଳକୁ କରିଥାନ୍ତି , ନିଜେ ବୃହତ ଶକ୍ତି ହୋଇଗଲାଣି କହି ଅନ୍ୟ ଦେଶଠାରୁ ପ୍ରତିରୋଧକୁ ନିମନ୍ତ୍ରଣ କରନ୍ତି ନାହିଁ ।

( ଏହା ରଘୁରାମ ରାଜନଙ୍କ ବହିରୁ କିଛି ଲେଖା ଆଧାରରେ ପ୍ରସ୍ତୁତ କରାଯାଇଛି)

Leave a Reply

Your email address will not be published. Required fields are marked *