ତିନି ପ୍ରସିଦ୍ଧ ବ୍ୟାଟରଙ୍କୁ ପଛରେ ପକାଇ ଦେଲେ କେଏଲ୍ ରାହୁଲ
ମୁମ୍ବାଇ : ଭାରତରେ ଜାରି ରହିଥିବା କ୍ରିକେଟ୍ ବିଶ୍ୱକପର ଦିନକ ପରେ ସେମି ଫାଇନାଲ ଭେଟଘାଟ୍ ହେବାକୁ ଯାଉଛି। ହେଲେ ଏହା ପୂର୍ବ ମ୍ୟାଚ୍ ରେ କେଏଲ ରାହୁଲ ଏକ କିର୍ତ୍ତୀମାନ ସ୍ଥାପନ କରିଛନ୍ତି। ଯାହା କୌଣସି ଭାରତୀୟ ବ୍ୟାଟରଙ୍କ ପାଇଁ ଗୌରବର ବିଷୟ। ନେଦରଲ୍ୟାଣ୍ଡ ବିପକ୍ଷ ମ୍ୟାଚରେ ଭାରତ ବିଶାଳ ବିଜୟ ହାସଲ କରିଥିଲା। ଏହି ମ୍ୟାଚରେ ଶ୍ରେୟସ୍ ଆୟରଙ୍କ ସମେତ କେଏଲ ରାହୁଲ ଦ୍ରୁତତମ ଶତକ ହାସଲ କରିଥିଲେ। ରାହୁଲ ମାତ୍ର ୬୨ ବଲରେ ନିଜର ଶତକ ପୂରଣ କରିଥିଲେ। ଏହି ଶତକ କରିବା ସଙ୍ଗେ ସଙ୍ଗେ ସେ ବର୍ତ୍ତମାନ ଭାରତୀୟ ଅଧିନାୟକ ରୋହିତ ଶର୍ମା, ସେହୱାଗ ଏବଂ ବିରାଟ କୋହଲିଙ୍କ ରେକର୍ଡ ଭାଙ୍ଗିଥିଲେ। ଖେଳ ସମୟରେ ରାହୁଲ ତାଙ୍କ ଶତକ ପାଇଁ ୧୧ ରନ୍ ଆବଶ୍ୟକ କରିଥିଲେ, ସେତେବେଳେ ସେ ଶେଷ ଓଭରରେ କ୍ରମାଗତ ଦୁଇଟି ଛକା ମାରି ଶତକ ପୂରଣ କରିଥିଲେ । ଏହି ଦୁଇଟି ଛକା ତାଙ୍କୁ ଦେଶର ତିନି ପ୍ରସିଦ୍ଧ ବ୍ୟାଟ୍ସମ୍ୟାନଙ୍କ ରେକର୍ଡ ଭାଙ୍ଗିବାରେ ସହାୟକ ହୋଇଥିଲେ। ଭାରତ ପକ୍ଷରୁ ରାହୁଲଙ୍କ ପୂର୍ବରୁ ରୋହିତ ଶର୍ମାଙ୍କ ନାଁରେ ଦ୍ରୁତତମ ଶତକ ତାଲିକାରେ ରହିଥିଲା। ସେ ମାତ୍ର ୬୩ଟି ବଲରେ ଶତକ ହାସଲ କରିଥିଲେ।