କୋଟିଆ ବିବାଦର ସମାଧାନ, ସୁରେଶଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ
ଭୁବନେଶ୍ୱର: କୋରାପୁଟ ଜିଲ୍ଲା ଏବଂ ଆନ୍ଧ୍ର ପ୍ରଦେଶ ସୀମାନ୍ତବର୍ତ୍ତୀ ଗ୍ରାମପୁଞ୍ଜ କୋଟିଆକୁ ନେଇ ଦୀର୍ଘଦିନ ଧରି ବିବାଦ ଲାଗି ରହିଛି। ବିଧାନସଭାରେ କୋଟିଆ ଏକ ପ୍ରମୁଖ ପ୍ରସଙ୍ଗ ଭାବେ ବିଜେପି ଦ୍ୱାରା ଉପସ୍ଥାପିତ ହୋଇ ଆସିଛି। ଏମିତି କି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କୋଟିଆ ଗସ୍ତ କରି ଆନ୍ଧ୍ର ଅଫିସରଙ୍କୁ ଘଉଡାଇଥିବା ଭିଡିଓ ଛାଡିଥିଲେ। ଏହାକୁ ନେଇ ସାମାଜିକ ଗଣମାଧ୍ୟମରେ ଭାଇରାଲ କରାଯାଇଥିଲା। ତତ୍କାଳୀନ ବିଜେଡି ସରକାର ରାଜ୍ୟର ଜମି ସୁରକ୍ଷା କରିବାରେ ବିଫଳ ବୋଲି ବିଜେପି ପକ୍ଷରୁ କୁହାଯାଇଥିଲା। ବର୍ତ୍ତମାନ ସରକାର ବଦଳିଛି। ବିଜେପି ସରକାରକୁ ଆସିଛି। ଦଳର ବରିଷ୍ଠ ନେତା ତଥା ଆଇନଜୀବୀ ସୁରେଶ ପୂଜାରୀ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ହୋଇଛନ୍ତି। ତେଣୁ କୋଟିଆ ବିବାଦର ସମାଧାନ ତାଙ୍କର ପ୍ରାଥମିକତା ହେବ ବୋଲି ସାଧାରଣରେ ଆଶା କରାଯାଉଛି। କେନ୍ଦ୍ରରେ ବିଜେପି ନେତୃତ୍ୱାଧିନ ଏନଡିଏ ସରକାର ଏବଂ ପଡୋଶୀ ଆନ୍ଧ୍ର ପ୍ରଦେଶରେ ଟିଡିପି ନେତୃତ୍ୱାଧିନ ଏନଡିଏ ସରକାର। ସବୁ ଅଂଶୀଦାର ଗୋଟିଏ ରାଜନୈତିକ ମେଣ୍ଟର। ତେଣୁ ସମସ୍ୟାର ସମାଧାନ ହେଉଛି ନା ପୂର୍ବାବସ୍ଥା ଜାରି ରହୁଛି, ତାହା ଉପରେ ସମସ୍ତଙ୍କ ନଜର ରହିବ।
ଉଲ୍ଲେଖଯୋଗ୍ୟ, ଆନ୍ଧ୍ର ସରକାର କୋଟିଆ ଗ୍ରାମ ପଞ୍ଚାୟତ ରେ ତିନୋଟି ଗ୍ରାମରେ ପଂଚାୟତ ନିର୍ବାଚନ କରିଛନ୍ତି । ଶୁଣା ଯାଏ ପୋଲିସ ଫୋର୍ସ ଲଗେଇ ଏହି ଭୋଟ ଗ୍ରହଣ କରିଛନ୍ତି । ଯେଉଁ ଗ୍ରାମ ଗୁଡିକରେ ଭୋଟ ହୋଇଛି ସେଗୁଡିକ ହେଲା ତଳ ଗଞ୍ଜେଇ ପଦର, ପଟୁ ସିନେରୀ, ଫଗୁଣ ସିନେରୀ । କିନ୍ତୁ ମଜାର କଥା ଆନ୍ଧ୍ର ଏହି ଗ୍ରାମ ଗୁଡ଼ିକ ର ନାଁ ଯଥାକ୍ରମେ ଗଞ୍ଜେଇ ବାଦର, ପଟ୍ଟୁ ଚେନେକ୍ରୁ, ପାଗଲ ଚେନୁରୁ କରି ଦେଇଛନ୍ତି । ଦୀର୍ଘ ବର୍ଷ ଧରି କୋଟିଆ ଅଞ୍ଚଳର ୨୧ ଟି ଗ୍ରାମକୁ ନେଇ ଆନ୍ଧ୍ର ସହ ବିବାଦ ଚାଲିଛି । ଏହି ଗ୍ରାମ ଗୁଡ଼ିକ ର ବାସିନ୍ଦା ଉଭୟ ରାଜ୍ୟର ଯାହା ଯାହା ସୁଯୋଗ ସୁବିଧା ବିନା ପ୍ରତିବାଦ ରେ ଉପଭୋଗ କରୁଛନ୍ତି । ତେଣୁ ଆମର ବିଧାନସଭା ଭୋଟ ବେଳେ ଓଡ଼ିଶା ଭୋଟର ହେଇ ଭୋଟ ଦେଉଛନ୍ତି , ପୁଣି ଏବେ ତାଙ୍କର ଭୋଟ ବେଳେ ଆନ୍ଧ୍ର ଭୋଟର ଭାବେ ଭୋଟ ଦେଉଛନ୍ତି । ଆଗାମୀ ପଂଚାୟତ ନିର୍ବାଚନ ଭୋଟ ହେଲେ ଓଡ଼ିଶାର ବି ଭୋଟ ହେଇଯିବେ । ଏଣୁ ଏହି ବିବାଦ ର ସମାଧାନ ପର୍ଯ୍ୟନ୍ତ ଏହା ଚାଲିବ , ଏଥିରେ ଆଶ୍ଚର୍ଯ୍ୟ ହେବାର ନାହିଁ । କିନ୍ତୁ ଆଶ୍ଚର୍ଯ୍ୟ ହେବାର କଥା ସୁପ୍ରିମକୋର୍ଟ ର ସ୍ଥାୟୀ ରହିତାଦେଶ ସତ୍ତ୍ୱେ ଆନ୍ଧ୍ର କାହିଁକି ଏମିତି କରୁଛି ।
ଏହି ବିବାଦ ର କିଛି ଇତିହାସ ଜାଣିବା ଦରକାର । ୧ ଏପ୍ରିଲ ୧୯୩୬ ରେ ପ୍ରଥମ ଭାଷା ଭିତ୍ତିକ ପ୍ରଦେଶ ହେଲେ । ଭାରତ ସରକାର ୧୯୩୬ ମାର୍ଚ୍ଚ ୧୯ ରେ ପ୍ରଦେଶ ଗଠନ ର ନୋଟିଫିକେସନ ଗେଜେଟ ରେ ଜାରୀ କଲେ । ଏହି ନୋଟିଫିକେସନ ଅନୁଯାୟୀ ସେତେବେଳର ବିଶାଖାପାଟନମ ଜିଲ୍ଲାର ଜୟପୁର ଇଷ୍ଟେଟ ଓ ଏହି ଇଷ୍ଟେଟରେ ନଥିବା ପଟ୍ଟାଙ୍ଗି ତାଲୁକ ନୂତନ ଓଡ଼ିଶା ରାଜ୍ୟରେ ଅନ୍ତର୍ଭୁକ୍ତ ହେଇଥିଲା । ୧୯୪୨ ରେ ଓଡ଼ିଶା, ବିହାର ଓ ମଧ୍ୟ ପ୍ରଦେଶର ଯୁଗ୍ମ ସର୍ଭେ ହେଲା ।ଏହି ସର୍ଭେ ରେ ପଟ୍ଟାଙ୍ଗି ବ୍ଲକ ର କୋଟିଆ ପଂଚାୟତ ଅନ୍ତର୍ଗତ ତୁରିଆ ବଡ଼ବନ୍ଧ, ତଳକାଣ୍ଟି, ଗୁମେଇ ପଦର, ମଠଲମ୍ବ, ସୁଲେଇ ମାଡି, କୁତ୍ରା ଗୁଡା ପ୍ରଭୃତି ୭ଟି ଗ୍ରାମ କୁ ରେଭିନିୟୁ ଗ୍ରାମ ଭାବେ ପରିଗଣିତ ହୋଇ ଓଡ଼ିଶା ସରକାର ଅଧିନକୁ ଆସିଲା । ଓଡ଼ିଶା ସରକାର ଏଗୁଡିକ ରୁ ରାଜସ୍ୱ ଆଦାୟ କଲେ । କିନ୍ତୁ ସେତେବେଳେ ଆଉ୨୧ଟି କୁଟିଆ ଗ୍ରାମର ଭୁଲ କ୍ରମେ ସର୍ଭେ ହୋଇ ନଥିଲା ।୧୯୫୫ ରେ ଯେତେବେଳେ ଆନ୍ଧ୍ର ପ୍ରଦେଶ ଗଠନ ହେଲା ସେତେବେଳେ ବି ଏହି ଗ୍ରାମପୁଞ୍ଜ ସର୍ଭେ ହେଲା ନାହିଁ । କିନ୍ତୁ ଭାରତ ସରକାରଙ୍କ ଓଡ଼ିଶା ରାଜ୍ୟ ଗଠନ ନୋଟିଫିକେସନ ଅନୁଯାୟୀ ଯେହେତୁ ପୂରା ଜୟପୁର ଇଷ୍ଟେଟ ଓଡ଼ିଶା ଅଧୀନ ରେ ବୋଲି ଦର୍ଶା ଯାଇଥିଲା ତେଣୁ ନିୟମ ଅନୁଯାୟୀ ଇ ଷ୍ଟେଟ ର କୋଟିଆ ଗ୍ରାମପୁଞ୍ଜ ଅର୍ଥାତ ୨୮ଗ୍ରାମ ଓଡ଼ିଶାର । ଓଡ଼ିଶା ମଧ୍ୟ ଏହି ଅଞ୍ଚଳରେ ଆନୁଷଙ୍ଗିକ କାର୍ଯ୍ୟ କରି ଆସିଛି । ୧୯୬୮-୬୯ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ଗ୍ରାମ ପଞ୍ଚାୟତ ଅଫିସ, ୧୯୬୩-୬୪ରେ ପୋଲିସ ଆଉଟ ପୋଷ୍ଟ,ବିଭିନ୍ନ ସମୟରେ ଗ୍ରାମ୍ୟ କୃଷି କେନ୍ଦ୍ରର ଓଭରସିୟର ବ୍ରାଞ୍ଚ, ବ୍ରାଞ୍ଚ ପୋଷ୍ଟ ଅଫିସ, ୩୮୦ ଶଯ୍ୟା ବିଶିଷ୍ଟ ବୋର୍ଡିଂ ସ୍କୁଲ, ସାପ୍ତାହିକ ବଜାର, ମେଡ଼ିକାଲ ଏଡ଼ ସେଣ୍ଟର , ଗ୍ରାମ ପଂଚାୟତ ଷ୍ଟକ ୟାର୍ଡ ଇତ୍ୟାଦି ଖୋଲା ଯାଇଛି, ସରକାରୀ କର୍ମଚାରୀଙ୍କ କ୍ୱାର୍ଟର ହେଇଛି । ଅର୍ଥାତ ଓଡ଼ିଶା ସରକାର ଏହି ଅଞ୍ଚଳରେ ନିଜର ଅଧିକାର ରଖି ଆସିଛନ୍ତି ।
କିନ୍ତୁ ଆନ୍ଧ୍ର ସରକାର ବିଭିନ୍ନ ସମୟରେ ଏହି ଗ୍ରାମ ଗୁଡ଼ିକ ରେ ନିଜର ହସ୍ତକ୍ଷେପ କରିଛି । ଏହାକୁ ରୋକିବା ପାଇଁ ଓଡ଼ିଶା ସରକାର ୧୯୬୮ ରେ ସୁପ୍ରିମକୋର୍ଟ ରେ ଏକ ମୋକଦ୍ଦମା ଦାୟର କରିଥିଲେ ଓ ଓଡ଼ିଶାର ଏହି ଅଞ୍ଚଳରେ ଦଖଲ, ସତ୍ଵାଧିକାର କ୍ଷେତ୍ରରେ ଆନ୍ଧ୍ର ର ହସ୍ତକ୍ଷେପ ରୋକିବା ପାଇଁ ଆବେଦନ କରିଥିଲେ । ୧୯୮୮ ରେ ସୁପ୍ରିମ କୋର୍ଟ ଆନ୍ଧ୍ର ହସ୍ତକ୍ଷେପ ନକରିବାକୁ ଏକ ଅସ୍ଥାୟୀ ରହିତାଦେଶ ଜାରୀ କରି ଆଦେଶ ଦେଇଥିଲେ ମୋକଦ୍ଦମା ର ପୂର୍ଣ୍ଣାଙ୍ଗ ବିଚାର ପର୍ଯ୍ୟନ୍ତ ଆନ୍ଧ୍ର ଏଥିରେ ହସ୍ତକ୍ଷେପ କରିବ ନାହିଁ । ପରବର୍ତ୍ତୀ ସମୟରେ ସୁପ୍ରିମକୋର୍ଟ କୋରାପୁଟ ର ଜିଲ୍ଲା ଜଜ ଙ୍କୁ କମିଶନର ଭାବେ ନିଯୁକ୍ତି ଦେଇ ସୁପ୍ରିମକୋର୍ଟ ତରଫରୁ ବିବାଦିତ ଅଞ୍ଚଳରେ ପ୍ରମାଣ ସଂଗ୍ରହ କରିବାକୁ ଆଦେଶ କରିଥିଲେ । ୨୦୦୦ ମସିହାରେ କମିଶନର-କମ – ଜିଲ୍ଲା ଜଜ ମୁକୁନ୍ଦ ମିଶ୍ର ଉଭୟ ପକ୍ଷର ପ୍ରମାଣ ନଥି ସୁପ୍ରିମକୋର୍ଟ ରେ ଦାଖଲ କରିଥିଲେ ।
୩୦ ମାର୍ଚ୍ଚ ୨୦୦୬ ରେ ମୋକଦ୍ଦମା ର ବିଚାର କରି ସୁପ୍ରିମକୋର୍ଟ ଅର୍ଡର କରି ଥିଲେ ଯେ ସମ୍ବିଧାନ ର ଅନୁଛେଦ ୧୩୧ ଅନୁଯାୟୀ ବିବାଦ ଯେହେତୁ ରାଜ୍ୟ ରାଜ୍ୟ ମଧ୍ୟରେ ସୀମା ସଂକ୍ରାନ୍ତୀୟ ତେଣୁ ଏହାର ବିଚାର ସୁପ୍ରିମକୋର୍ଟ ପରିସର ମଧ୍ୟରେ ଆସୁନାହିଁ । ଏହାକୁ କେବଳ ପାର୍ଲିଆମେଣ୍ଟ କରି ପାରିବ । ତେଣୁ ସୁପ୍ରିମକୋର୍ଟ ଏକ ସ୍ଥାୟୀ ରହିତାଦେଶ ଜାରି କରି ପାର୍ଲିଆମେଣ୍ଟ ଏହାର ସମାଧାନ କରିବାକୁ ଇଙ୍ଗିତ କରିଥିଲେ । ଇତି ମଧ୍ୟରେ ୨୦ବର୍ଷ ବିତି ଗଲାଣି । ଏଣୁ କାଳ ବିଳମ୍ବ ନକରି ଆନ୍ଧ୍ର-ଓଡ଼ିଶା ସୀମା ବିବାଦ କୁ ଯୁଦ୍ଧକାଳୀନ ଭିତ୍ତିରେ ପାର୍ଲିଆମେଣ୍ଟ ସମାଧାନ କରିବା ଉଚିତ । ଯେଉଁ ପର୍ଯ୍ୟନ୍ତ ସମାଧାନ ହୋଇନାହିଁ ସେ ପର୍ଯ୍ୟନ୍ତ ଆନ୍ଧ୍ର ସରକାର ସୁପ୍ରିମକୋର୍ଟ ର ରହିତାଦେଶ କୁ ସମ୍ମାନ ଦେବା ଉଚିତ । ଆନ୍ଧ୍ର ରାଜ୍ୟପାଳ ଏକ୍ଷେତ୍ରରେ ନିଜର ଭୂମିକା ପାଳନ କରି ଆନ୍ଧ୍ର ସରକାର ଙ୍କୁ ଉଚିତ ମାର୍ଗଦର୍ଶନ କରିବା ଉଚିତ । ଓଡ଼ିଶା ସରକାର ମଧ୍ୟ ଆନ୍ଧ୍ର ସରକାର ଙ୍କ ସହ ଆଲୋଚନା କରିବା ଉଚିତ । ଓଡ଼ିଶାର ବିଜେପି ମନ୍ତ୍ରୀ ଦ୍ୱୟ କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରି ପାର୍ଲିଆମେଣ୍ଟ ରେ ବିଷୟଟି ଆସିବା ପାଇଁ ଉଦ୍ୟମ କରିବା ଉଚିତ । ଯେହେତୁ ଭାରତ ସରକାର ନିଜର ନୋଟିଫିକେସନ ଅନୁଯାୟୀ କୁଟିଆ ଗ୍ରାମ ପୁଞ୍ଜ କୁ ଓଡ଼ିଶାରେ ଅନ୍ତର୍ଭୁକ୍ତ କରି ସ୍ୱତନ୍ତ୍ର ପ୍ରଦେଶ ଗଠନ କରିଥିଲେ ତେଣୁ ଆମ ଅଞ୍ଚଳ କେହି କେବେ ନେବାର ପ୍ରଶ୍ନ ଉଠୁନାହିଁ । ଆନ୍ଧ୍ର ଯାହା କିଛି ଖୁଚୁରୁ ମୁଚୁରୁ କରିବ ସେଥିପାଇଁ ଓଡ଼ିଶା ସରକାର ଖଣ୍ଡା ଉଠେଇବା ଅନୁଚିତ । ଆଲୋଚନା ଓ ଆଇନ ମାର୍ଗରେ ଏହାର ସମାଧାନ ବିଜ୍ଞତା ର ପରିଚାୟକ ହେବ ।।