ଦଶମ ଦିନରେ ଆମ ଓଡ଼ିଶା, ନବୀନ ଓଡ଼ିଶା କାର୍ଯ୍ୟକ୍ରମ..ମୟୂରଭଞ୍ଜ, ସମ୍ବଲପୁର ଓ ମାଲକାନଗିରିର ପ୍ରତି ପଞ୍ଚାୟତ ସାମିଲ

ଭୁବନେଶ୍ୱର : ରାଜ୍ୟ ସରକାରଙ୍କର ଗ୍ରାମାଭିମୂଖୀ ଯୋଜନା ‘ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ସଫଳତାର ସହ ଆଗେଇ ଚାଲିଛି।   ଏହି କାର୍ଯ୍ୟକ୍ରମର ଫୋକସ୍‌ ରହିଛି ପ୍ରତିଟି  ପଞ୍ଚାୟତ ଓ   ପ୍ରତି ଗାଁ ।  ଆଜି  ରାଜଧାନୀ ଭୁବନେଶ୍ୱରରୁ ଆଭାସୀ ଯୋଗେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମର ୧୦ମ ଦିନରେ ମୟୁରଭଞ୍ଜ, ସମ୍ବଲପୁର ଓ ମାଲକାନଗିରି ଜିଲ୍ଲାରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ।  ପ୍ରତି ପଞ୍ଚାୟତ ପାଇବେ ୫୦ ଲକ୍ଷ ଟଙ୍କା ।

  ଏଥିପାଇଁ ମୟୁରଭଞ୍ଜ ଜିଲ୍ଲାର  ୪ଟି ନିର୍ବାଚନମଣ୍ଡଳୀକୁ ମିଳିଛି ୯୦.୫୦ କୋଟି  ଟଙ୍କା । ଏହି ନିର୍ବାଚନମଣ୍ଡଳୀ ଗୁଡିକ ହେଲା – ଯଶିପୁର, କରଞ୍ଜିଆ, ସାରସକଣା ଓ ରାଇରଙ୍ଗପୁର  ।  ଏହିସବୁ ନିର୍ବାଚନ ମଣ୍ଡଳୀର ୧୩ଟି ବ୍ଲକ୍‌‌ର ୧୮୧ଟି  ଗ୍ରାମ ପଞ୍ଚାୟତରେ ୨୪୨୭ଟି ପ୍ରକଳ୍ପ ହେବ। ସେହିପରି ସମ୍ବଲପୁର ଜିଲ୍ଲାର ୩ଟି ନିର୍ବାଚନମଣ୍ଡଳୀ ପାଇଁ ୬୯ କୋଟି ଟଙ୍କା  ମଂଜୁର ହୋଇଛି। ଏହି ନିର୍ବାଚନମଣ୍ଡଳୀ ଗୁଡିକ ହେଲା – ରେଢାଖୋଲ, ରେଙ୍ଗାଲି ଓ କୁଚିଣ୍ଡା।  ଏଥିରେ ୯ଟି ବ୍ଲକ୍‌ର ୧୩୮ଟି   ଗ୍ରାମପଞ୍ଚାୟତରେ ୧୮୦୧ଟି ପ୍ରକଳ୍ପ କରାଯିବ। ସେହିପରି ମାଲକାନଗିରି ଜିଲ୍ଲାର ୨ଟି ନିର୍ବାଚନ ମଣ୍ଡଳୀକୁ ମିଳିଛି ୫୫.୫୦ କୋଟି ଟଙ୍କା। ଏହି ନିର୍ବାଚନମଣ୍ଡଳୀ ଗୁଡିକ ହେଲା – ଚିତ୍ରକୋଣ୍ଡା ଓ ମାଲକାନଗିରି। ଏହିସବୁ ନିର୍ବାଚନମଣ୍ଡଳୀର ୭ଟି ବ୍ଲକ୍‌‌ର ୧୧୧ଟି  ଗ୍ରାମ ପଞ୍ଚାୟତରେ ୧୪୩୦ଟି ପ୍ରକଳ୍ପ ହେବ। ଆଜିର କାର୍ଯ୍ୟକ୍ରମ ପାଇଁ ମୟୁରଭଞ୍ଜ ଜିଲ୍ଲାର ୪ଟି, ସମ୍ବଲପୁର ଜିଲ୍ଲାର ୩ଟି ଓ ମାଲକାନଗିରି ଜିଲ୍ଲାର ୨ଟି ନିର୍ବାଚନମଣ୍ଡଳୀରେ ଆୟୋଜିତ କାର୍ଯ୍ୟକ୍ରମରେ ବିପୁଳ ଜନସମାଗମ ହୋଇଥିଲା। ‘ଆମ ଓଡିଶା ନବୀନ ଓଡିଶା’ କାର୍ଯ୍ୟକ୍ରମ ପାଇଁ ଲୋକଙ୍କ ଭିତରେ ବିପୁଳ ଉତ୍ସାହ ପରିଲକ୍ଷିତ ହୋଇଥିଲା।

       ଏହି କାର୍ଯ୍ୟକ୍ରମରେ ପ୍ରତି ଗାଁରେ ଜଗନ୍ନାଥ ସଂସ୍କୃତିର ପ୍ରସାର, ପ୍ରତି ପୂଜାସ୍ଥଳୀର ବିକାଶ ଜରିଆରେ  ଓଡିଶାର ସଂସ୍କୃତିର ମୂଳ ଭିତ୍ତିକୁ ସୁଦୃଢ କରାଯିବା ସହିତ ଡିଜିଟାଲ ଭିତ୍ତିଭୂମିର ମଧ୍ୟ ବିକାଶ କରାଯିବ। ଏକ ଆକାଂକ୍ଷୀ ଓଡିଶା ଗଠନ ପାଇଁ ଏହା ହେବ ମୂଳ ଭିତ୍ତି ।   ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସଂସ୍କୃତିର ପ୍ରସାର ଓ ଆଧୁନିକ ଭିତ୍ତିଭୂମିର ଉନ୍ନତି ଆମର ଗାଁଗୁଡିକୁ ବିକାଶର ଶିଖରରେ ପହଞ୍ଚାଇବ। ‘ଆମ ଓଡିଶା ନବୀନ ଓଡିଶା’ କାର୍ଯ୍ୟକ୍ରମ ଗ୍ରାମବିକାଶ କ୍ଷେତ୍ରରେ ସାରା ଭାରତବର୍ଷପାଇଁ ପଥ ପ୍ରଦର୍ଶକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ସେ ପୁଣି କହିଲେ ଯେ  ଆମର ସୁଦୃଢ ସାଂସ୍କୃତିକ ଭିତ୍ତିଭୂମିରୁ ଆଧୁନିକ ବୈଷୟିକ ଜ୍ଞାନର ବିସ୍ତୃତ ଦିଗ୍‌ବଳୟକୁ ଛୁଇଁବା ନିମନ୍ତେ ନୂଆ ଓଡିଶା ତା’ର ଡେଣାକୁ ଆହୁରି ପ୍ରସାରିତ କରି ନୂଆ ଶିଖରରେ ପହଞ୍ଚିବ ଏବଂ ଆମେ ଗଢିବା ନୂଆ ଓଡିଶା ନବୀନ ଓଡିଶା।  କାର୍ଯ୍ୟକ୍ରମକୁ ନବୀନ ଓଡ଼ିଶାର ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *