ଗୁଜରାଟରେ ପଡ଼ିଆ ଫାଙ୍କା, ବାରବାଟୀକୁ ମ୍ୟାଚ ମିଳୁନାହିଁ
ଭୁବନେଶ୍ୱର : ଗତକାଲି ଠାରୁ ବିଶ୍ୱକପ୍ କ୍ରିକେଟ୍ ଆରମ୍ଭ ହୋଇଯାଇଛି। ପ୍ରଥମ ମ୍ୟାଚ୍ ଗତକାଲି ବିଶ୍ବର ସର୍ବବୃହତ୍ ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍ରେ ଖେଳାଯାଇଛି। ଯେଉଁ ଷ୍ଟାଡିୟମର ଦର୍ଶକ କ୍ଷମତା ପ୍ରାୟ ୧ ଲକ୍ଷ ୩୨ ହଜାର। ମାତ୍ର ଆଶ୍ଚର୍ଯ୍ୟର କଥା କ୍ରିକେଟ୍ ପାଗଳ ଭାରତରେ ଷ୍ଟାଡିୟମ୍ ଫାଙ୍କା ପଡୁଛି। ସମୁଦାୟ ହଜାରେ ଦର୍ଶକଙ୍କୁ ଦେଖିବାକୁ ମିଳୁନାହିଁ। ବିଭିନ୍ନ ଗଣମାଧ୍ୟମରେ ମିଳିଥିବା ରିପୋର୍ଟ ଅନୁଯାୟୀ, ଭାରତୀୟ ଜନତା ପାର୍ଟି (ବିଜେପି)ର ମହିଳାମୋର୍ଚ୍ଚା ପକ୍ଷରୁ ଉଦ୍ଘାଟନୀ ମ୍ୟାଚ୍ ପାଇଁ ୪୦ ହଜାର ମାଗଣା ଟିକେଟ୍ ବଣ୍ଟାଯିବାକୁ ଘୋଷଣା କରାଯାଇଥିଲା। ମାତ୍ର ଏହା କାହାକୁ ଆକୃଷ୍ଟ କରିପାରିନାହିଁ। ପୂର୍ବରୁ ମାର୍ଚ୍ଚ ମାସରେ ଯେତେବେଳେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଏଠାରେ ଟେଷ୍ଟ ମ୍ୟାଚ୍ ଖେଳାଯାଇଥିଲା, ସେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନିସ୍ ଷ୍ଟାଡିୟମ୍ରେ ରହି ମ୍ୟାଚ୍ ଉପଭୋଗ କରିଥିଲେ। ସେ ସମୟରେ ଗ୍ୟାଲେରି ଭର୍ତ୍ତି କରିବାକୁ ସ୍କୁଲ୍ ଛାତ୍ରଛାତ୍ରୀଙ୍କୁ ଆଣି ବସାଯାଇଥିବା ଦେଖାଯାଇଥିଲା। ଅପରପକ୍ଷରେ ଯେ କୌଣସି ମ୍ୟାଚରେ ବାରବାଟୀ ଷ୍ଟାଡିୟମରେ ଭରପୂର ଲୋକ ହୋଇଥାଆନ୍ତି। ଆଶ୍ଚର୍ଯ୍ୟର ବିଷୟ ବାରବାଟୀଙ୍କୁ ବିଶ୍ୱକପର ଗୋଟିଏ ହେଲେ ମ୍ୟାଚ ଆୟୋଜନ କରିବାର ସୁଯୋଗ ମିଳିପାରିନାହିଁ।
ଓସିଏର ସଭାପତି ଭାବେ ଦାୟିତ୍ୱ ନେବା ପରେ ପ୍ରଣବ ପ୍ରକାଶ ଦାସ ଗୋଟିଏ ବି ମ୍ୟାଚ୍ ଆୟୋଜନ କରିପାରିନାହାନ୍ତି। ପୂର୍ବରୁ ସବୁ ବିଶ୍ୱକପରେ ବାରବାଟୀ ମ୍ୟାଚ ପାଉଥିଲା। ବାରବାଟୀଙ୍କୁ କେବଳ ଘରୋଇ ମ୍ୟାଚର ପଡିଆ ଭାବେ ବ୍ୟବହାର କରାଯାଉଛି। ଏହାକୁ ଆନ୍ତର୍ଜାତୀୟ ମାନ୍ୟତା ଦେବାକୁ ମଧ୍ୟ ଓସିଏ ପଦକ୍ଷେପ ଗ୍ରହଣ କରୁନାହିଁ। ଏହାକୁ ନେଇ କ୍ରିକେଟ୍ ପ୍ରେମୀଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଇଛି। ଭାରତ ଏକକ ଆୟୋଜକ ରହି ମ୍ୟାଚ୍ ନ ପାଇବା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି। ପୂର୍ବରୁ ଭାରତ-ଶ୍ରୀଲଙ୍କା-ବାଲାଂଦେଶ, ଭାରତ-ଶ୍ରୀଲାଙ୍କା ଆୟୋଜନ କରିଥିବା ବେଳେ ବାରବାଟୀକୁ ମ୍ୟାଚ ମିଳିଥିଲା।