କାହିଁକି ସଂଖ୍ୟାଧିକ ବିଜେଡି ସମର୍ଥିତ ସରପଞ୍ଚ, ସମିତି ସଭ୍ୟ ଦଶପଲ୍ଲା ବିଧାୟକଙ୍କ ବିରୋଧରେ….କାହା ଦ୍ୱାରା ପରିଚାଳିତ ହେଉଛନ୍ତି ଶ୍ରୀ ବେହେରା

ଦଶପଲ୍ଲା: ନୟାଗଡ଼ ଜିଲ୍ଲାର ଅନ୍ୟତମ ଚର୍ଚ୍ଚିତ ବିଧାନସଭା ନିର୍ବାଚନମଣ୍ଡଳୀ ଦଶପଲ୍ଲା। ଏହି ଆସନ ବର୍ତ୍ତମାନ ଅନୁସୂଚିତ ଜାତି ବର୍ଗ ପାଇଁ ସଂରକ୍ଷିତ ହୋଇଯାଇଛି। ମାତ୍ର ଏକଦା ଏହି ଆସନରୁ କଂଗ୍ରେସର ହେଭି୍ୱେଟ୍ ହରିହର କରଣ ଏବଂ ଜନତା ଦଳର ବରିଷ୍ଠ ନେତା ରୁଦ୍ରମାଧବ ରାୟ ପ୍ରମୁଖ ବିଜୟୀ ହୋଇଥିଲେ। ଗତ ତିନୋଟି ନିର୍ବାଚନରେ କୌଣସି ପ୍ରାର୍ଥୀଙ୍କୁ ବିଜେଡି ଦ୍ୱିତୀୟ ଥର ସୁଯୋଗ ଦେଇନାହିଁ। ବର୍ତ୍ତମାନ ମଧ୍ୟ ସେହିପରି ଆଲୋଚନା ନିର୍ବାଚନ ମଣ୍ଡଳୀରେ ଜୋର ଧରିଛି। ନିୟମିତ ପ୍ରାର୍ଥୀ ବଦଳା ଯାଉଥିବାରୁ ତିନି ବିଧାୟକ ନିଜ ନିଜ ସମୟରେ ପଞ୍ଚାୟତସ୍ତରୀୟ ସଙ୍ଗଠନ କରାଯାଉନାହିଁ। ଯାହାକୁ ନେଇ ଶାସକ ଦଳ ଭିତରେ ଅସନ୍ତୋଷ ଦେଖିବାକୁ ମିଳିଛି।

ସାମଗ୍ରିକ ଭାବେ ନିର୍ବାଚନମଣ୍ଡଳୀରେ ପ୍ରାୟ ୫୦ଟି ପଞ୍ଚାୟତ ମଧ୍ୟରୁ ପ୍ରାୟ ୪୦ଟିରେ ସରପଞ୍ଚ, ସମିତି ସଭ୍ୟ ଏବଂ ପଞ୍ଚାୟତ ବିଜେଡି ସଙ୍ଗଠନ ବିଧାୟକ ରମେଶ ଚନ୍ଦ୍ର ବେହେରା ବିରୋଧି ହୋଇ ଗଲେଣି। କିଛିଦିନ ତଳେ ଦଶପଲ୍ଲାରେ ତିନି ହଜାରରୁ ଅଧିକ ଲୋକ ଏକ ରାଲି କରିଥିଲେ। ଯେଉଁଥିରେ ରମେଶ ହଟାଅ, ଦଶପଲ୍ଲା ବିଜେଡି ବଞ୍ଚାଅ ସ୍ଲୋଗାନ ଦିଆଯାଉଥିଲା। ପ୍ରଶାସନିକ ସେବାକୁ ରାଜନୀତିକୁ ଆସିଥିବା ରମେଶ ଲୋକଙ୍କ ସହ ଏତେଟା ଯୋଡି ହେଉ ନାହାନ୍ତି। ଦଶପଲ୍ଲା ସ୍ୱାଭିମାନ ମଞ୍ଚ ବ୍ୟାନର ତଳେ ପ୍ରଦୋଷ ଜେନା ଦଳୀୟ ସଙ୍ଗଠନ କରୁଛନ୍ତି। ତାଙ୍କ କ୍ୟାମ୍ପରୁ ମିଳିଥିବା ସୂଚନା ଅନୁଯାୟୀ ଶ୍ରୀହରି ନାଏକ ବିଧାୟକ ପ୍ରାର୍ଥୀ ଦୌଡ଼ରେ ରହିଛନ୍ତି। ଗତ ନୂଆ ଗାଁ ବ୍ଲକ ଉପାଧ୍ୟକ୍ଷ ନିର୍ବାଚନରେ ରମେଶଙ୍କ ପ୍ରାର୍ଥୀ ହାରିଥିଲେ। ସେଠାରେ ବିଜେଡି ବିଦ୍ରୋହୀ ପ୍ରାର୍ଥୀ ବିଜୟୀ ହୋଇଥିଲେ। ଦଶପଲ୍ଲା ବିଜ୍ଞପିତ ଅଞ୍ଚଳର ସଂଖ୍ୟାଧିକ ପ୍ରତିନିଧି ବିଧାୟକଙ୍କ ସହ ନାହାନ୍ତି। ଛଅ ଜଣ ଜିଲ୍ଲା ପରିଷଦରୁ ମାତ୍ର ଜଣେ ରମେଶଙ୍କ ସମର୍ଥନରେ ରହିଛନ୍ତି। ରମେଶ ନିଜେ ବର୍ତ୍ତମାନ ଜିଲ୍ଲା ସଭାପତି ରହିଛନ୍ତି। ପୂର୍ବରୁ ଜିଲ୍ଲା ସଭାପତି ପଦରେ ରହି ବିଧାୟକ ଟିକେଟ୍ ନ ପାଇବାର ଉଦାହରଣ ରହିଛି। ଏହି ପରମ୍ପରାରେ ଶ୍ରୀ ବେହେରା ବଳି ପଡିବେ ନା ବର୍ତ୍ତି ଯିବେ, ତାହା ସମୟ କହିବ। ଦଶପଲ୍ଲାରେ ଆଉ ଏକ କଥା ଦାଣ୍ଡରେ ପଡି ହାଟରେ ଗଡୁଛି। କଥାରେ ଅଛି ଦଇବ ଦଉଡି ମଣିଷ ଗାଇ…ଯେଣିକି ଓଟାରେ ତେଣିକି ଯାଇ..। ଏହି ନ୍ୟାୟରେ ସ୍ଥାନୀୟ ବ୍ଲକ ଅଧ୍ୟକ୍ଷା ସୁନ୍ଦା ସାହୁଙ୍କ ସ୍ୱାମୀ ଉପେନ୍ଦ୍ର ସାହୁଙ୍କ ଇସାରାରେ ରମେଶ ପରିଚାଳିତ ହେଉଥିବା ପ୍ରତୀୟମାନେ ହେଉଥିବା କୁହାଯାଉଛି।