ତିନି ମୁଖ୍ୟ ପଦରେ ତିନି ମହିଳାଙ୍କୁ ଦେଖିବ କି ଓଡ଼ିଶା !

ଭୁବନେଶ୍ୱର : ଏକ ସଙ୍ଗରେ ରାଜ୍ୟ ପ୍ରଶାସନ ତିନୋଟି ଭିନ୍ନ ଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦରେ ମହିଳାଙ୍କୁ ଦେଖିବାର ସମ୍ଭାବନା ସୃଷ୍ଟି ହୋଇଛି। ଏନେଇ କିଛିବର୍ଷ ହେବ ଆଲୋଚନା ରାଜ୍ୟ ପ୍ରଶାସନିକ ମହଲରେ ଜାରି ରହିଥିଲା। ମାତ୍ର କିଛିଦିନ ପୂର୍ବରୁ ଓଡ଼ିଶା କ୍ୟାଡର ଭାରତୀୟ ପୁଲିସ୍ ସେବା ଅଧିକାରୀ ତଥା ୧୯୮୯ ବ୍ୟାଚ୍ ଅଫିସର ବି.ରାଧିକା କେନ୍ଦ୍ରୀୟ ଡେପୁଟେସନ ଅବଧିକୁ ସମାପ୍ତ କରି ତାଙ୍କୁ ଓଡ଼ିଶା ଫେରିଛନ୍ତି। ବର୍ତ୍ତମାନ ଡିଜିପି ଥିବା ସୁନୀଲ ବଂଶଲଙ୍କ କାର୍ଯ୍ୟକାଳ ଚଳିତବର୍ଷ ଶେଷରେ ହେଉଛି । ତେଣୁ ରାଜ୍ୟ ସରକାର ଯଦି ରାଧିକାଙ୍କୁ ପରବର୍ତ୍ତୀ ପ୍ରଶାସନିକ ମୁଖ୍ୟ କରନ୍ତି, ତେବେ ସେ ପ୍ରଥମ ମହିଳା ପୁଲିସ୍ ମହାନିର୍ଦ୍ଦେଶିକା ହେବେ। ଏହା ଏକ ଆକଳନ। ଏନେଇ କୌଣସି ଆନୁଷ୍ଠାନିକ ସୂଚନା ଓ ସଙ୍କେତ ଏଯାବତ୍ ମିଳିପାରିନାହିଁ। ରାଧିକାଙ୍କ କେନ୍ଦ୍ରୀୟ ଡେପୁଟେସନ ଅବଧିକୁ ସମାପ୍ତ କରି କେନ୍ଦ୍ର ସରକାର ନଭେମ୍ବର ୮ତାରିଖରେ ତାଙ୍କୁ ରାଜ୍ୟ କ୍ୟାଡ଼ରକୁ ଫେରାଇ ଦେଇଛନ୍ତି । ସୀମା ସୁରକ୍ଷା ବଳ ଅତିରିକ୍ତ ଡିଜି ଭାବେ ରାଧିକା କାର୍ଯ୍ୟ କରୁଥିଲେ । ସେ ସରକାରୀ ଚାକିରିରୁ ୨୦୨୪ ଜୁଲାଇରେ ଅବସର ନେବେ । ଓଡ଼ିଶା ପୁଲିସ ପ୍ରଶାସନିକ ଇତିହାସରେ ଏପର୍ଯ୍ୟନ୍ତ ୩୫ଜଣ ଡିଜିପି କାର୍ଯ୍ୟ କରିଥିଲେ ମଧ୍ୟ ଏଥିରେ କେହି ବି ମହିଳା ନାହାନ୍ତି । ମହିଳା ସଂରକ୍ଷଣ, ସଶକ୍ତୀକରଣ ଆଦିକୁ ନେଇ ରାଜ୍ୟ ସରକାର ପ୍ରାଧାନ୍ୟ ଦେଉଥିବା ବେଳେ ରାଧିକାଙ୍କ ନିଯୁକ୍ତି ଅସମ୍ଭବ ନୁହେଁ ବୋଲି ସମୀକ୍ଷକମାନେ ମତ ଦେଇଛନ୍ତି।
ଅନୁରୂପ ଭାବେ କିଛି ଦିନ ପରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ କାର୍ଯ୍ୟକାଳ ସମାପ୍ତ ହେବାକୁ ଯାଉଛି। ତାଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯିବା ନେଇ ଏଯାବତ୍ କୌଣସି ସୂଚନା ନାହିଁ। ଯଦି ତାଙ୍କ କାର୍ଯ୍ୟକାଳ ବୃଦ୍ଧି କରା ନ ଯାଏ। ତେବେ ବର୍ତ୍ତମାନ ଉନ୍ନୟନ କମିସନର ଥିବା ଅନୁ ଗର୍ଗଙ୍କୁ ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ କରାଯିବାର ଯଥେଷ୍ଟ ସମ୍ଭାବନା ରହିଛି। ଏହା ହେଲେ ପ୍ରଥମ ଥର ପାଇଁ ଜଣେ ମହିଳାଙ୍କୁ ରାଜ୍ୟ ପ୍ରଶାସନିକ ମୁଖ୍ୟ ଭାବେ ଦେଖିବ ।
ଏହା ବ୍ୟତୀତ ଗତ ଦୁଇ ଦଶନ୍ଧିରେ ବିଜେଡି ନେତୃତ୍ୱାଧିନ ରାଜ୍ୟ ସରକାର ମିଶନ୍ ଶକ୍ତି କାର୍ଯ୍ୟକ୍ରମ, ମହିଳା ସଶକ୍ତୀକରଣ କାର୍ଯ୍ୟକ୍ରମକୁ ଯଥେଷ୍ଟ ଗୁରୁତ୍ୱ ଦେଉଛି। ଏହି ମିଶନ୍ ର ପ୍ରଶାସନିକ ନେତୃତ୍ୱ ନେଉଛନ୍ତି ସୁଜାତା କାର୍ତ୍ତିୟେନ। ଆଗାମୀ ଦିନରେ ପ୍ରଶାସନିକସ୍ତରରେ ଅଦଳ ବଦଳ ହେବାର ସମ୍ଭାବନା ରହିଛି। ତେଣୁ ମିଶନ୍ ଶକ୍ତି କାର୍ଯ୍ୟକ୍ରମକୁ ନୂତନ ସୋପାନକୁ ନେଇଥିବା ସୁଜାତାଙ୍କୁ ବଡ଼ ଭୂମିକାରେ ଦେଖିବାକୁ ମିଳିପାରେ ବୋଲି ଜଣାପଡିଛି। କେତେକ ସମୀକ୍ଷକଙ୍କ ମତରେ ବିଜେଡିରେ ନେତୃତ୍ୱ ପରିବର୍ତ୍ତନର ଆଭାସ ମିଳିସାରିଛି। ଜାତୀୟ ରାଜନୀତିରେ ସାମାଜିକ ନ୍ୟାୟ ଓ ସମୀକରଣ ରାଜନୀତି ଜୋର୍ ଧରିଛି। ଓଡ଼ିଶାର ବୃହତ ବର୍ଗ ପଛୁଆ, ଏସସି ଏବଂ ଏସଟି ବର୍ଗର। ତେଣୁ ବହୁଜନ ବର୍ଗର ଜଣେ ଉଚ୍ଚଶିକ୍ଷିତ ମହିଳା ଓଡ଼ିଶା ରାଜନୀତିରେ ପ୍ରବେଶ କରିବାର ସମ୍ଭାବନାକୁ ଏଡାଇ ଦିଆଯାଇପାରିବ ନାହିଁ।