ଧିରେ ଧିରେ ଆକ୍ରମଣାତ୍ମକ ହେଉଛି ରାଜ୍ୟ ବିଜେପି, ୧୫ ଦିନ ପରେ ମୋଦି ଆସି ଖେଳ ବିଗାଡ଼ିବେ…

ନୂଆଦିଲ୍ଲୀ : ବିଜେପି ଦୁଇ ଥର ଲଗାତର କ୍ଷମତାରେ ରହିଛି। ମାତ୍ର ଏହା ବିଜେପିର ସୁବର୍ଣ୍ଣ ଯୁଗ ନୁହେଁ। ଯେତେବେଳେ ବିଜେପି ଓଡ଼ିଶା, ପଶ୍ଚିମବଙ୍ଗ ଏବଂ କେରଳରେ ସରକାର ଗଠନ କରିବ, ତାହା ଦଳର ସୁବର୍ଣ୍ଣ ଯୁଗ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ଆରମ୍ଭ କରି ଅମିତ ଶାହା ଏହି ଉକ୍ତି ବହୁଥର ବ୍ୟବହାର କରିଛନ୍ତି। କେରଳ ଓ ପଶ୍ଚିମବଙ୍ଗ ଅପେକ୍ଷା ଓଡ଼ିଶାରେ କ୍ଷମତାକୁ ଆସିବା ପରିସ୍ଥିତି ଅନୁକୂଳ ବୋଲି ଶୀର୍ଷ ନେତୃତ୍ୱ ଅନୁଭବ କରିଛି।ଏହାକୁ ଦୃଷ୍ଟିରେ ରଖି ଗତମାସରୁ ବିଭିନ୍ନ କାମ ଆରମ୍ଭ କରାଯାଇଛି।

ନିୟମିତ ଦିଲ୍ଲୀ ଏବଂ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ଯୋଗାଯୋଗରେ ଥିବା ଏକ ଫୋରମ୍ ମୋଦିଙ୍କ ଓଡ଼ିଶା ଗସ୍ତ ନେଇ ସୂଚନା ଦେଇଛି। ଚଳିତ ମାସ ଚତୁର୍ଥ ସପ୍ତାହରେ ମୋଦି ଓଡ଼ିଶା ଆସିବେ। ଓଡ଼ିଶା ଆସିବା ସହ ମୁଖ୍ୟମନ୍ତ୍ରୀ ଜିତୁଥିବା ଗଞ୍ଜାମ ଜିଲ୍ଲାରେ କାର୍ଯ୍ୟକ୍ରମ କରିବେ। ନିର୍ବାଚନ ଘୋଷଣା ପୂର୍ବରୁ ଏହା ମୋଦିଙ୍କ ପ୍ରଚାର ଟ୍ରେଲର ହେବ ବୋଲି କୁହାଯାଉଛି। ଧ୍ରୁବୀକରଣ କରିବା ଭଳି ପ୍ରସଙ୍ଗକୁ ଆଗକୁ ଅଣାଯାଉଛି। ଲୋକଙ୍କ ଜନଶୁଣାଣି ସମୟରେ ରାଜ୍ୟ ସରକାରୀ ଅଧିକାରୀଙ୍କୁ ରାଜ୍ୟପାଳ ରଘୁବର ଦାସ ତାଗିଦ୍ କରିବା ଆରମ୍ଭ କରିସାରିଛନ୍ତି। ଆଦିବାସୀ, ଦଳିତ ଏବଂ ଅତି ପଛୁଆ ବହୁଳ ଜନବସତିକୁ ଶ୍ରୀ ଦାସ ଘନଘନ ଗସ୍ତ କରୁଛନ୍ତି। ଚଳିତ ମାସରୁ କେନ୍ଦ୍ରୀୟ ନେତା ଲଗାତର ଗସ୍ତ ଜାରି ରହିବ। ଧର୍ମ ସମ୍ବଦ୍ଧିତ ମାମଲାକୁ ନେଇ ଗ୍ରାମାଞ୍ଚଳରେ ବ୍ୟାପକ କାର୍ଯ୍ୟକ୍ରମ କରାଯିବ। ଯୁବ ମୋର୍ଚ୍ଚାକୁ ନେଇ ବଡ଼ ଧରଣର ଆନ୍ଦୋଳନ ପ୍ରସ୍ତୁତି କରାଯାଉଛି। ବିଜେଡିର ଆର୍ଥିକ ସୂତ୍ର ଏବଂ କିଛି ବରିଷ୍ଠ ନେତାଙ୍କୁ କେଉଁ କେନ୍ଦ୍ରୀୟ ଏଜେନ୍ସି ଦ୍ୱାରା ହଇରାଣ କରିହେବ, ତାହାର ଏକ ଚିଠା ତାଲିକା ପ୍ରସ୍ତୁତ କରାଯାଇଛି। ଦଳର ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କୁ ମନାଯିବ। ଦିଲ୍ଲୀପ ରାୟଙ୍କୁ ପୁଣି ଦଳକୁ ଅଣାଯିବ। ପ୍ରଦୀପ ପାଣିଗ୍ରାହୀ ଖୁବଶୀଘ୍ର ପଦ୍ମ ପାଖୁଡା ଧରିବେ ବୋଲି ଜଣାପଡିଛି। ବହୁ ବରିଷ୍ଠ ନେତା ବିଧାନସଭାରେ ପ୍ରାର୍ଥୀ ହେବେ ବୋଲି ଜଣାପଡିଛି।

ବିଜେଡିରୁ ପ୍ରାର୍ଥୀ ଆଣିବା ପରିବର୍ତ୍ତେ ବିଦ୍ରୋହୀଙ୍କୁ ସେମାନଙ୍କୁ ଆର୍ଥିକ ସହାୟତା କରି ସ୍ୱାଧିନ ଭାବରେ ଛିଡା କରାଯିବ। ଏହିପରି ଭାବେ ଅଣ ୩୯ ଆସନ ସ୍ଥିରୀକୃତ କରାଯାଇଛି। ଏହି ତାଲିକା ଆଗକୁ ବଢିବ ବୋଲି ଜଣାପଡିଛି। ଫେବୃୟାରୀ ପ୍ରଥମ ସପ୍ତାହରେ ବିଜେପି ଏକ ବଡ଼ ଧରଣର ସମାବେଶ ଆୟୋଜନ ସପକ୍ଷରେ ରହିଛି। ମାତ୍ର ଏନେଇ ଚୂଡ଼ାନ୍ତ ନିଷ୍ପତ୍ତି ମୋଦି-ଶାହା ନେବେ ବୋଲି ଜଣାପଡୁଛି।
