ରଣନୀତି ବଦଳାଇବ କି ରାଜ୍ୟ ବିଜେପି, ମଧ୍ୟପ୍ରଦେଶ ଓ ଛତିଶଗଡରୁ ନେଲା ଶିକ୍ଷା
ଭୁବନେଶ୍ୱର : ନିର୍ବାଚନ ପୂର୍ବରୁ କୌଣସି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିମ୍ବା ପ୍ରଚାର କମିଟି ଅଧ୍ୟକ୍ଷ ଘୋଷଣା ନ କରି ନିର୍ବାଚନ ଜିତି ହୁଏ। ସେହିପରି କୌଣସି ରାଜ୍ୟର ମୁଖ୍ୟମନ୍ତ୍ରୀ ଲୋକପ୍ରିୟ ଥିଲେ ବି ବିଧାୟକ ଏବଂ ଅନ୍ୟ ନେତାଙ୍କ ବିରୋଧରେ ଜନମତ ଥାଏ। ଉପଯୁକ୍ତ ରଣନୀତି ଦ୍ୱାରା ଏହି ପରିସ୍ଥିତିରେ ନିର୍ବାଚନ ଜିତିହୁଏ। ଯାହା ବିଜେପିର ଛତିଶଗଡ, ରାଜସ୍ଥାନ ଏବଂ ମଧ୍ୟପ୍ରଦେଶ ବିଜୟରୁ ଜଣାପଡିଛି। ଅନୁରୂପ ଭାବେ ଲୋକପ୍ରିୟ ଥିବା ମାଣିକ ସରକାର ତ୍ରିପୁରାରେ ମଧ୍ୟ ଦୁଇଥର ନିର୍ବାଚନ ହାରି ସାରିଛି। ତେଣୁ ବିଜେଡି ଏବଂ ନବୀନ ପଟ୍ଟନାୟକଙ୍କ ବିରୋଧରେ ସଫଳ ରଣନୀତି କରି ସଫଳତା ଆଣିହେବ ବୋଲି କେନ୍ଦ୍ରୀୟ ବିଜେପି ନେତୃତ୍ୱ ଅନୁଭବ କଲାଣି। ବିଜେପି ଛତିଶଗଡ଼ରେ ଆଦିବାସୀ ଏବଂ ମଧ୍ୟପ୍ରଦେଶରେ ପଛୁଆ ବର୍ଗ ମୁଖ୍ୟମନ୍ତ୍ରୀ ମନୋନୀତ କରିଛି। ସେମାନଙ୍କୁ ସହଯୋଗ କରିବା ପାଇଁ ଉପ-ମୁଖ୍ୟମନ୍ତ୍ରୀ ମଧ୍ୟ ନିଯୁକ୍ତ କରାଯାଇଛି। ବିଜେପି ପ୍ରତିଟି ଚୟନରେ ସାମାଜିକ ସମୀକରଣକୁ ସର୍ବାଧିକ ପ୍ରାଥମିକତା ଦେଇଛି। ତେଣୁ ଆଗାମୀ ଦିନରେ ଓଡ଼ିଶାରେ ସରକାର ଆସିଲେ ସବୁ ବର୍ଗର ପ୍ରତିନିଧିତ୍ୱ ନେଇ ବିଜେପି ଘୋଷଣା କରିପାରେ। ବିଜେପି ହାତଗଣତି କେତୋଟି ଆସନ ଛାଡିଦେଲେ ଆଦିବାସୀ ବହୁଳ ବିଧାନସଭା ଆସନରେ ଭଲ ସଫଳତା ପାଇଛି। ଦୁଇବର୍ଷ ପୂର୍ବରୁ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହୋଇସାରିଛନ୍ତି। ଆଦିବାସୀ ଅଞ୍ଚଳରେ ଆରଏସଏସର ସ୍ୱତନ୍ତ୍ର ସଂଗଠନ ରହିଛି। ଆଦିବାସୀ ଛାତ୍ରଛାତ୍ରୀଙ୍କ ଶିକ୍ଷା ଓ ଚାକିରୀ ସଂରକ୍ଷଣ, ସେମାନଙ୍କ ଜମି ବିକ୍ରି ନେଇ ଆଇନ ଆଦି ପ୍ରସଙ୍ଗରେ ଶାସକ ଦଳ ଟିକେ ଅଖାଡୁଆ ସ୍ଥିତିରେ ରହିଛି। ତେଣୁ ଏସବୁ ପ୍ରସଙ୍ଗକୁ ନେଇ ଯଦି କେନ୍ଦ୍ର ବିଜେପି ରଣନୀତି ପ୍ରସ୍ତୁତ କରେ, ତେବେ ବିଜେପି ପୂର୍ବାପେକ୍ଷା ଫାଇଦାରେ ରହିବ ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଇଛନ୍ତି।