ଓଡ଼ିଶା କଂଗ୍ରେସକୁ ଗନ୍ଧାଉଛି ଖଡଗେ-ରାହୁଲଙ୍କ କାର୍ଯ୍ୟସୂଚୀ, ଓବିସି,ଏସସି ଏବଂ ମୁସଲିମ୍ ନେତାଙ୍କୁ କରାଯାଉଛି ହତାଦର
ଭୁବନେଶ୍ୱର : କଂଗ୍ରେସ ନେତା ରାହୁଲ ଗାନ୍ଧୀ ବର୍ତ୍ତମାନ ପାଞ୍ଚଟି ରାଜ୍ୟର ନିର୍ବାଚନ ପ୍ରଚାରରେ ବ୍ୟସ୍ତ ରହୁଛନ୍ତି। ତାଙ୍କ ନିର୍ବାଚନୀ ଭାଷଣକୁ ଯଦି ଅନୁଧ୍ୟାନ କରାଯାଏ, ତେବେ ଲକ୍ଷ୍ୟ କରିବା ଯେ ସେ ଜାତିଭିତ୍ତିକ ଜନଗଣନା ଉପରେ ଜୋର ଦେଉଛନ୍ତି। ଓବିସିମାନଙ୍କୁ କେନ୍ଦ୍ର ସରକାର ନ୍ୟାୟ ଦେଇନାହାନ୍ତି ବୋଲି ଉଲ୍ଲେଖ କରୁଛନ୍ତି। କେନ୍ଦ୍ର ହେଉ କି ରାଜ୍ୟ କଂଗ୍ରେସ କ୍ଷମତାକୁ ଆସିଲେ ଜାତି ଭିତ୍ତିକ ଜନଗଣନା କରିବ ବୋଲି ନିର୍ଭରଯୋଗ୍ୟ ପ୍ରତିଶ୍ରୁତି ଦେଉଛନ୍ତି। ନିଜ ଆଚରଣ ସହ ନିଜ ଉଚ୍ଚାରଣକୁ ମିଶାଇବା ପାଇଁ ଚେଷ୍ଟା କରୁଛନ୍ତି। ହେଲେ ଓଡ଼ିଶା ପିସିସି ରାହୁଲଙ୍କ ବିପରୀତ ଦିଗରେ ଗତି କରୁଛି।
ଦିନକ ପୂର୍ବରୁ ଖୋର୍ଦ୍ଧା ଠାରେ କଂଗ୍ରେସ ପକ୍ଷରୁ ଏକ ପରିବର୍ତ୍ତନ ସମାବେଶ କରାଯାଇଥିଲା। ମାତ୍ର ଏହି ସଭାରେ ଓବିସି ସେଲ୍, ସଂଖ୍ୟାଲଘୁ ସେଲ୍ ଏବଂ ଅନୁସୂଚିତ ଜାତି ସେଲ୍ ଅଧ୍ୟକ୍ଷମାନଙ୍କୁ ଯେପରି ସମ୍ମାନ ମିଳିବା କଥା, ତାହା ପ୍ରଦାନ କରାଯାଇ ନ ଥିବା ଜଣାପଡିଛି। ଅନେକ ଅନାମଧ୍ୟେୟ, ପିସିସି ସଭାପତି ଏବଂ ତଥାକଥିତ ବରିଷ୍ଠ ନେତାଙ୍କ ଆଗପଛରେ ବୁଲୁଥିବା ନେତା ଓ ଅବସର ପରେ ଚିତ୍ତ ବିନୋଦନ କରୁଥିବା ଅଧିକାରୀଙ୍କୁ ମୁଖ୍ୟ ମଞ୍ଚରେ ଦେଖିବାକୁ ମିଳି ଥିଲା। ସଂଖ୍ୟାଲଘୁ ସେଲ୍ ମୁଖ୍ୟ ଜିଆ ଉଲହକ୍, ପଛୁଆବର୍ଗ ସେଲ୍ ମୁଖ୍ୟ ବିଜୟାନନ୍ଦ ଚାଉଲିଆ ଏବଂ ଅନୁସୂଚିତ ଜାତି ସେଲ୍ ଅଧ୍ୟକ୍ଷ ବାଙ୍କନିଧି ବେହେରାଙ୍କୁ ପଦ ଅନୁଯାୟୀ ସମ୍ମାନ ପ୍ରଦାନ କରାଯାଇନ ଥିଲା। ପ୍ରାଥମିକ ଭାବେ ସେମାନଙ୍କୁ ମୁଖ୍ୟ ମଞ୍ଚରେ ବସିବାକୁ ସୁଯୋଗ ଦିଆଯାଇ ନ ଥିଲା।ପରେ ସେମାନଙ୍କୁ ମଞ୍ଚକୁ ଡକା ଯାଇଥିଲେ ବି ମଞ୍ଚରେ ଚୌକି ନ ଥିବାରୁ ସେମାନେ ଫେରି ଆସି ତଳେ ବସିଥିବା କଂଗ୍ରେସ ଭବନରେ ଟୁପୁରଟାପୁରୁ ହେଉଛନ୍ତି। ଓଡ଼ିଶାରେ ପଛୁଆବର୍ଗ, ଅନୁସୂଚିତ ଜାତି ଏବଂ ସଂଖ୍ୟାଲଘୁଙ୍କ ସଂଖ୍ୟା ପ୍ରାୟ 75 ପ୍ରତିଶତ ହୋଇଥିଲେ ବି ସେମାନଙ୍କ ପ୍ରତିନିଧିଙ୍କୁ ଉପଯୁକ୍ତ ସମ୍ମାନ ମିଳୁନାହିଁ। ତେଣୁ ମଲ୍କିକାର୍ଜୁନ ଖଡଗେ ଏବଂ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସ କେମିତି ଆଗକୁ ଯିବ ବୋଲି ରାଜନୈତିକ ସମୀକ୍ଷକମାନେ ମତ ରଖିଛନ୍ତି।