ରାଜ୍ୟ ବିଜେପିକୁ ବଳ ଯୋଗାଉଛି ପ୍ରଦେଶ କଂଗ୍ରେସ, ଏଆଇସିସିକୁ ରିପୋର୍ଟ ଦେଲା ବେସରକାରୀ ସର୍ଭେକ୍ଷଣ ସଂସ୍ଥା

ଭୁବନେଶ୍ୱର :ରାଜ୍ୟରେ ବିଜେଡି ନେତୃତ୍ୱାଧିନ ସରକାର ବିରୋଧରେ ଶାସକ ବିରୋଧି ହାଓ୍ୱା ଜୋର ଧରୁଥିଲା। ମାତ୍ର ଏହି ସମୟରେ କେନ୍ଦ୍ର ରାଜନୀତି ଏବଂ ଖଣି ରାଜସ୍ୱ ସ୍ୱାର୍ଥ କାରଣରୁ ରାଷ୍ଟ୍ରୀୟ ବିଜେପି ପଛଘୁଞ୍ଚା ଦେଲା। ଖାଲି ସେତକ ନୁହେଁ, ଅମିତ ଶାହା ଆସି ନବୀନ ପଟ୍ଟନାୟକଙ୍କୁ ଭୂୟସୀ ପ୍ରଶଂସା କରିଲେ। ତାଙ୍କର ସବୁଠୁ ଗୁରୁତ୍ୱପୂର୍ଣ୍ଣ ସହଯୋଗୀ ତଥା ସିଏମଓର ପ୍ରଭାବଶାଳୀ ଅଧିକାରୀଙ୍କ ସହ ଆଲୋଚନା କଲେ। ଏହା ପରେ ବିଜେପି ରାଜନୈତିକ ମହଲରେ ଲୋକହସା ହେଲା। ମାତ୍ର ରାଜ୍ୟ କଂଗ୍ରେସ ଏହି ପରିସ୍ଥିତିରେ ବିଜେପିକୁ ସଞ୍ଜିବନୀ ପ୍ରଦାନ କରିବାରେ ଲାଗିଛି। ଯାହା ଏବେ ଏଆଇସିସି ଦୃଷ୍ଟିକୁ ଆସିଛି।

ପୂର୍ବରୁ ବିଜେପିରେ ଉପସଭାପତି ଥିବା ଜନୈକ ବିଜେଡି ବିଧାୟକଙ୍କ ଖବର କାଗଜ ଏବଂ ବିଜେପି ରାଷ୍ଟ୍ରୀୟ ଉପସଭାପତିଙ୍କ ମାଲିକାନାରେ ଥିବା ଏକ ଟିଭି ଚ୍ୟାନେଲ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ମୃତ୍ୟୁ ଘଟଣାର ରିପୋର୍ଟ ନ ପ୍ରକାଶ ସମ୍ପର୍କରେ ଏକ ଖବର ପ୍ରକାଶ ପାଇଥିଲା। ଏହି ଖବରକୁ ଯେତେତେନ ପ୍ରକାରରେ ସାମ୍ପ୍ରଦାୟିକ ରଙ୍ଗ ଦେବାକୁ ସବୁ ପ୍ରକାର ଚେଷ୍ଟା କରାଗଲା। କୌଶଳ କରି କନ୍ଧମାଳ କଂଗ୍ରେସ ନେତା ତଥା ମୁଖପାତ୍ରଙ୍କ ବକ୍ତବ୍ୟ ମଧ୍ୟ ପ୍ରସାରିତ କରାଗଲା। ଏହି ଖବରଟି ଯେପରି ବିଜେପିକୁ ସୁହାଇବ, ସେହି ଅନୁସାରେ କଂଗ୍ରେସ ବକ୍ତବ୍ୟ ରଖିଲା। ଏହି ମନ୍ତବ୍ୟ ରଖିବା ପୂର୍ବରୁ ସେ ପିସିସି ସଭାପତି କିମ୍ବା ଅନ୍ୟ କୌଣସି ବରିଷ୍ଠ ନେତାଙ୍କ ସମ୍ମତି ନେଇଥିଲେ କି ବୋଲି ପ୍ରଶ୍ନ ଉଠୁଛି। କଂଗ୍ରେସ ପାଇଁ ସର୍ଭେ କରୁଥିବା ହ୍ୟୁମାନ ଟଚ୍ ସଂସ୍ଥା ଏହି ରିପୋର୍ଟ ଖଡ଼ଗେଙ୍କୁ ପ୍ରଦାନ କରିଛି।

ଲଗାତର ଭାବେ କଂଗ୍ରେସ କିଛି ନେତାଙ୍କୁ ନିଲମ୍ବନ କରିବାରେ ଲାଗିଛି। କଟକ ଓ ଜଗତସିଂହପୁର ଜିଲ୍ଲାରେ ଯେଉଁ ନେତାମାନଙ୍କୁ ନିସମ୍ବନ କରାଯାଇଛି। ତାହା ଦ୍ୱାରା ସେଠାରେ କଂଗ୍ରେସ ଦୁର୍ବଳ ହୋଇ ବିଜେପି ଦୁଇ ନମ୍ବର ହେବାର ସୁଯୋଗ ସୃଷ୍ଟି ହୋଇଛି। ଏକଥା ଖୋଦ୍ କଂଗ୍ରେସ ନେତା ନାରାୟଣ ଜେନା କହିଥିଲେ। ମନ୍ମଥ ସଦସ୍ୟ ନ ଥାଇ ତାଙ୍କୁ ନିଲମ୍ବନ କରାଗଲା। ବିଭିନ୍ନ ସାମ୍ପ୍ରଦାୟିକ ସଂସ୍ଥା ସହ ଜଡିତ ଥିବା ଜଣେ ବ୍ୟକ୍ତି ବିଜେପି ଯିବାକୁ ଥିବା ଜଣେ ବିଜେଡି ବିଧାୟକଙ୍କ ପାଇଁ ଆନୁଷ୍ଠାନିକ ଭାବେ କଂଗ୍ରେସ ଭବନରେ ଖବରଦାତା ସମ୍ମିଳନୀ କଲେ। ଜାତୀୟ ରାଜନୀତିରେ ଇଣ୍ଡିଆ ମେଣ୍ଟ ନୂଆ ସହଯୋଗୀଙ୍କୁ ଖୋଜୁଥିବା ବେଳେ ଓଡ଼ିଶା କଂଗ୍ରେସର ଏହି ଆଭିମୁଖ୍ୟକୁ ନେଇ ନକରାତ୍ମକ ବୟାନ ପ୍ରକାଶ ପାଇଛି। ଏସବୁ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଗୋଚରରେ ହେଉଛି ନା ସେ କେଉଁ ଅଦୃଶ୍ୟ ଧନପଶୁଙ୍କ କ୍ରୀଡ଼ନକ ସାଜିଛନ୍ତି, ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି।
