ରାହୁଲ ଗାନ୍ଧୀ ଏବଂ ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ଭେଟିବା ଆଲୋଚନା ବିଫଳ ବୋଲି କାହିଁକି କୁହାଯାଉଛି…..

ଭୁବନେଶ୍ୱର :  ରାଜ୍ୟ କଂଗ୍ରେସର ନେତୃ ମଣ୍ଡଳୀ ଏବଂ ବିଧାୟକ-ସାଂସଦ ନୂଆଦିଲ୍ଲୀ ଗସ୍ତରେ ଅଛନ୍ତି। ଏହି ଖବର ଲେଖାହେବାବେଳକୁ ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଏବଂ ପୂର୍ବ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ସେମାନଙ୍କୁ ଭେଟି ଆଲୋଚନା କରୁଛନ୍ତି। ସାଧାରଣ ନିର୍ବାଚନ ଆଗକୁ ଆସୁଥିବାର କଂଗ୍ରେସ ପକ୍ଷରୁ ଏପରି ଭେଟଘାଟ୍ ଆୟୋଜନ କରାଯାଇଛି। ମାତ୍ର ପ୍ରଶ୍ନ ଉଠେ କେଉଁ ସବୁ ପ୍ରସଙ୍ଗ ଓ ଦିଗକୁ ବିଚାର କରି ଏଆଇସିସି ଶରତ ପଟ୍ଟନାୟକଙ୍କ ହାତକୁ ନେତୃତ୍ୱ ଦେଇଥିଲା। ଏହାର ଆଧାର କଣ ଥିଲା। ନିର୍ବାଚନ ପୂର୍ବରୁ ତାଙ୍କୁ ଦାୟିତ୍ୱ ମିଳିବା ଦ୍ୱାରା ସେ କେଉଁ ସବୁ ପଦକ୍ଷେପ ନେଇଥିଲେ। ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଶରତ କେତେ ବୁଥ୍ କମିଟି କରିଛନ୍ତି, ସେ ନେଇ ରିପୋର୍ଟ ମଗାଯାଇଛି। ଯାହା ସେ ଏପର୍ଯ୍ୟନ୍ତ ପ୍ରସ୍ତୁତ କରିପାରିନାହାନ୍ତି। ଭାରତଯୋଡ଼ ଯାତ୍ରାର ସମାନ୍ତରାଳ ଭାବେ ଓଡ଼ିଶାର ଏକ କାର୍ଯ୍ୟକ୍ରମ ନିଆଯାଇ ଅଧାରୁ ବନ୍ଦ କରି ଦିଆଗଲା କାହିଁକି। ସାମାଜିକ ନ୍ୟାୟର କାର୍ଯ୍ୟସୂଚୀ ଏଆଇସିସି କରିବା ପରେ ରାଜ୍ୟ କଂଗ୍ରେସ ପ୍ରେସ୍ ମିଟ୍ କରିଥିଲା। ଓଡ଼ିଶାର ଜନସଂଖ୍ୟାର ଅର୍ଦ୍ଧେକ ପଛୁଆବର୍ଗ ଏବଂ ୪୦ ପ୍ରତିଶତ ଆଦିବାସୀ ଏବଂ ଅନୁସୂଚିତ ଜାତି। ମାତ୍ର ଏମାନଙ୍କ କଂଗ୍ରେସ ନିଷ୍ପତ୍ତି ପ୍ରଣୟନ ଫୋରମରେ ଭାଗ ଶୂନ୍। ଓଡ଼ିଶାର ସ୍ଥିତି ଦେଖି ନିଷ୍ପତ୍ତି ନେବାରେ ଏଆଇସିସି ମଧ୍ୟ ବିଳମ୍ବ କରିଛି। ତେଣୁ ଶରତଙ୍କୁ ନିର୍ବାଚନ ପୂର୍ବରୁ ବିଦା କରି କଂଗ୍ରେସ ଲୋକହସା କରିବା ପୂର୍ବରୁ ନିଯୁକ୍ତି ସମୟରେ ବିଚାରବିମର୍ଶ କରିବାର ଥିଲା ବୋଲି ଅନେକେ କଂଗ୍ରେସ ସମର୍ଥକ ମତ ରଖିଛନ୍ତି। ଅନୁରୂପ ଭାବେ ନେତୃତ୍ୱ ପରିବର୍ତ୍ତନ ହେଲେ ବରିଷ୍ଠ ନେତା ଭକ୍ତ ଚରଣ ଦାସ ପିସିସି ସଭାପତି ହେବାର ସମ୍ଭାବନା ରହିଛି। କେତେକ ଗୋଷ୍ଠୀ ଯୁବ ନେତୃତ୍ୱ ସପ୍ତଗିରୀ ଉଲ୍ଲାକାଙ୍କୁ ପିସିସି ସଭାପତି କରିବାକୁ ପ୍ରସ୍ତାବ ଦେଇଛନ୍ତି। ମାତ୍ର ସପ୍ତଗିରୀଙ୍କୁ କାର୍ଯ୍ୟକାରୀ ସଭାପତି କରିବା ଉଚିତ ହେବ ବୋଲି କୁହାଯାଉଛି। ଭକ୍ତ ଦାସଙ୍କୁ ଦାୟିତ୍ୱ ଦେବା ପରେ ନିରଞ୍ଜନ ପଟ୍ଟନାୟକ ଏବଂ ସାଥୀ ଗୋଷ୍ଠୀଙ୍କ ଆଭିମୁଖ୍ୟ କଣ ରହିବ। ଗତଥର ନଅଟି ବିଧାନସଭା ଜିତାଇଥିବା ନିରଞ୍ଜନ ଭକ୍ତ ଦାସଙ୍କୁ ଦଶ କିମ୍ବା ଅଧିକ ଆସନରେ ଜିତାଇ ଦେବେ କି। ନିରଞ୍ଜନ ପଟ୍ଟନାୟକ କଂଗ୍ରେସ ନେତା କମଳନାଥ ଏବଂ ଜିତେନ୍ଦ୍ର ସିଂଙ୍କୁ ହାତକରି ନବଜ୍ୟୋତିଙ୍କୁ କାର୍ଯ୍ୟକାରୀ ସଭାପତି କରି ଭକ୍ତଙ୍କୁ ଚେକମେଟ୍ ଦେବେନି କି ବୋଲି ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ତେଣୁ ଏଆଇସିସି ଓଡ଼ିଶା ନେଇ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିବା ପରେ ହିଁ ନେତୃତ୍ୱ ପରିବର୍ତ୍ତନର ପ୍ରାସଙ୍ଗିକତା ରହିବ ବୋଲି ସମୀକ୍ଷକ କିଷାନ୍ ଜ୍ୟୋତି ସୁବୁଦ୍ଧି କହିଛନ୍ତି।

Leave a Reply

Your email address will not be published. Required fields are marked *