ପଛୁଆବର୍ଗଙ୍କ ଅବସ୍ଥା ଖରାପ, ଘରକୁ ଘରକୁ ବୁଲି ସର୍ଭେ କରିନାହାନ୍ତି ସରକାରୀ କର୍ମଚାରୀ

ଭୁବନେଶ୍ୱର- ପାଇକ ବୀରଙ୍କ ମାଟି ଓଡ଼ିଶା। ଇଂରେଜ ହୁଅନ୍ତୁ ଅନ୍ୟ କୌଣସି ବାହ୍ୟ ଶତ୍ରୁ। ସେମାନଙ୍କୁ ମୁକାବିଲା କରିବା ପାଇଁ ଆଗେଇ ଆସିଥାନ୍ତି ପାଇକ। ପାଇକ କହିଲେ ଚଷା, ଖଣ୍ଡାୟତ, ବିଭିନ୍ନ କୌଳିକ ବୃତ୍ତିଧାରୀ ମେହନତୀ ମଣିଷ, ଦଳିତ ଓ ଆଦିବାସୀ। ଏ ଜଙ୍ଗଲ ପାଇକର, ଜମି ସେମାନଙ୍କର। ମାଟି ତଳେ ଥିବା ରତ୍ନ ଭଣ୍ଡାର ସେମାନଙ୍କର। ହେଲେ ସେମାନଙ୍କ ଅବସ୍ଥା ଶୋଚନୀୟ। ଏକଥା ଆମେ କହୁନାହୁଁ, ବିଭିନ୍ନ ଗଣମାଧ୍ୟମ ପ୍ରକାଶ ପାଇଥିବା ରିପୋର୍ଟରେ ଏହା ଉଲ୍ଲେଖ ରହିଛି। ବିଶେଷ କରି ପଛୁଆବର୍ଗର ୩୭.୬ ପ୍ରତିଶତ ମାନବ ସମ୍ବଳ ମାତ୍ର ପ୍ରାଥମିକ ଶିକ୍ଷା ଲାଭ କରିଛନ୍ତି। ସେହିପରି ସରକାରୀ ଚାକିରୀରେ ସେମାନଙ୍କ ସଂଖ୍ୟା ୨.୮ପ୍ରତିଶତ ରହିଛି। 

ଅନ୍ୟାନ୍ୟ ପଛୁଆବର୍ଗ ଏବଂ ସାମାଜିକ, ଶିକ୍ଷାଗତ ପଛୁଆବର୍ଗ ଏକ ବୃହତ ଅଂଶକୁ ନେଇ ଏହି ସର୍ଭେକ୍ଷଣ କରାଯାଇଥିଲା ବୋଲି କୁହାଯାଇଛି। ହେଲେ ଓଡ଼ିଶା ପତ୍ରିକା ପକ୍ଷରୁ ଏକାଧିକ ସର୍ଭେକ୍ଷଣକାରୀଙ୍କୁ ଯୋଗାଯୋଗ କରାଯାଇଥିଲା। ସେମାନେ କୁହନ୍ତି ଯେ, ଏହା ଏକ ସାମାଜିକ ଓ ଆର୍ଥିକ ଅବସ୍ଥା ଜାଣିବା ପାଇଁ କରାଯାଇଥିଲା। ମାତ୍ର ଘରକୁ ଘର ବୁଲି ପୂର୍ଣ୍ଣାଙ୍ଗ ତଥ୍ୟ ସଂଗ୍ରହ କରାଯାଇନାହିଁ। ପଛୁଆବର୍ଗଙ୍କ ପ୍ରକୃତ ସଂଖ୍ୟା ଜାତିଭିତ୍ତିକ ଜନଗଣନା ହେଲେ ହିଁ ଜଣାପଡିବ। ଅଣ ଆନୁଷ୍ଠାନିକ ତଥ୍ୟ ଅନୁଯାୟୀ, ପ୍ରାୟ ୧୧ଟି ଜିଲ୍ଲାରେ ଏସଇବିସିଙ୍କ ସଂଖ୍ୟା ମୋଟ ଜନସଂଖ୍ୟାର ୧୫ରୁ ୩୦ ପ୍ରତିଶତ ରହିଛି। ଏହି ଜିଲ୍ଲା ଗୁଡିକ ହେଉଛି-ଗଜପତି, ଝାରସୁଗୁଡ଼ା, କନ୍ଧମାଳ, କେନ୍ଦୁଝର, କୋରାପୁଟ, ମାଲକାନଗିରି, ମୟୂରଭଞ୍ଜ, ନବରଙ୍ଗପୁର, ରାୟଗଡ଼ା, ସମ୍ବଲପୁର ଏବଂ ସୁନ୍ଦରଗଡ଼। ସେହିପରି 8ଟି ଜିଲ୍ଲାରେ ଏସଇବିସି ଜନସଂଖ୍ୟା ୩୦ରୁ ୪୫ପ୍ରତିଶତ ରହିଛି।  ଛଅଟି ଜିଲ୍ଲାରେ ପଛୁଆବର୍ଗଙ୍କ ସଂଖ୍ୟା ୫୦ ପ୍ରତିଶତରୁ ଅଧିକ। ଏହି ଜିଲ୍ଲା ଗୁଡିକ ହେଉଛି-ପୁରୀ, ନୟାଗଡ଼, କେନ୍ଦ୍ରାପଡ଼ା, ଜଗତସିଂହପୁର, ବୌଦ୍ଧ ଏବଂ ଗଞ୍ଜାମ।

Leave a Reply

Your email address will not be published. Required fields are marked *