ମିଲେଟ୍ କୈନ୍ଦ୍ରିକ କାର୍ଯ୍ୟକ୍ରମରେ ରାଜ୍ୟ ଆଗାମୀ ଦିନରେ ପ୍ରମୁଖ ଭୂମିକା ଗ୍ରହଣ କରିବ

ଭୁବନେଶ୍ୱର : ମିଲେଟ୍‌ ତଥା କ୍ଷୁଦ୍ରଶସ୍ୟ ଭାରତର ପାରମ୍ପରିକ ଖାଦ୍ୟ। ଏହି ଲଘୁଶସ୍ୟକୁ ବିଶ୍ୱରେ ପ୍ରୋତ୍ସାହିତ କରିବା ଦିଗରେ ଭାରତ ଅଗ୍ରଣୀ ଭୂମିକା ଗ୍ରହଣ କରିଛି। ଶୁଷ୍କ ଓ କମ ରାସାୟନିକ ସାରରେ ଏହି ଚାଷ ହୁଏ। ତେଣୁ ମିଲେଟ୍‌କୁ ‘ଜଳବାୟୁ ସ୍ମାର୍ଟ ଫସଲ’ କୁହାଯାଏ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉଦଘାଟିତ ହୋଇଥିବା ଏହି କାର୍ଯ୍ୟକ୍ରମ ରାଜ୍ୟପାଳ ରଘୁବର ଦାସଙ୍କ ଦ୍ୱାରା ଉଦଯାପିତ ହୋଇଥିଲା। ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ, ନିତି ଆୟୋଗ ଓ ଭାରତ ସରକାର ଓଡ଼ିଶା ମିଲେଟ୍‌ ମିସନକୁ ବିଭିନ୍ନ ରାଜ୍ୟରେ ପ୍ରୟୋଗ କରିବା ପାଇଁ ଏକ ମଡେଲ ଭାବରେ ଚିହ୍ନଟ କରିଛନ୍ତି। ଏହାକୁ ସାରା ଭାରତ, ଆଫ୍ରିକା ଓ ଦକ୍ଷିଣ ବିଶ୍ୱରେ ପ୍ରୟୋଗ କରାଯାଇପାରିବ। ଏହି ଅନ୍ତର୍ଜାତୀୟ ସମ୍ମିଳନୀରୁ ବାହାରିଥିବା ନିଷ୍କର୍ଷରୁ ପ୍ରସ୍ତୁତ ନିତି ରୋଡ୍‌ମ୍ୟାପ୍‌ ରାଷ୍ଟ୍ରୀୟ ଓ ଅନ୍ତରାଷ୍ଟ୍ରୀୟ ସ୍ତରରେ ମିଲେଟ୍‌ର ଭବିଷ୍ୟତ ରୂପରେଖ ନିର୍ଦ୍ଧାରଣ କରିବ।

କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି, ପୁଷ୍ଟିଶସ୍ୟ ମାଣ୍ଡିଆ ରାଜ୍ୟ କୃଷିର ଏକ ଅଭିନ୍ନ ଏବଂ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ପାଲଟିଯାଇଛି। ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ମନ୍ତ୍ରୀ ଜଗନ୍ନାଥ ସାରକା କହିଥିଲେ, ମାଣ୍ଡିଆର ପୌଷ୍ଟିକତା ସଂପର୍କରେ ଲୋକମାନେ ଅଧିକ ସଚେତନ ହେବା ଓଡ଼ିଶା ମିଲେଟ୍‌ ମିସନର ସଫଳତାରେ ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ। ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀ ନୂଆପଡ଼ାରେ ମିଲେଟ୍ ପ୍ରୋସେସିଂ ୟୁନିଟ ସମ୍ପର୍କରେ କହିଥିଲେ। ମିସନ ଶକ୍ତି ମନ୍ତ୍ରୀ ବାସନ୍ତି ହେମ୍ବ୍ରମ୍‌ ଖାଦ୍ୟଥାଳିରେ ମାଣ୍ଡିଆ ପହଞ୍ଚାଇବା ଦିଗରେ ମିସନ ଶକ୍ତିର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କର ଭୂମିକା ସଂପର୍କରେ ଆଲୋଚନା କରିଥିଲେ। ‘ଫିକି’ ସଭାପତି ଶୁଭ୍ରକାନ୍ତ ପଣ୍ଡା ମାଣ୍ଡିଆର ପ୍ରଚାରପ୍ରସାର ଦିଗରେ ଓଡ଼ିଶା ମିଲେଟ୍‌ ମିସନର ବିଭିନ୍ନ କାର୍ଯ୍ୟକ୍ରମ ଗୋଟିଏ ଗୋଟିଏ ଉଦାହରଣ ବୋଲି କହିଥିଲେ। ପ୍ରାରମ୍ଭରେ କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ସ୍ୱାଗତ ଭାଷଣ ଦେଇଥିବା‌ବେଳେ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧରୀ ଧନ୍ୟବାଦ ଦେଇଥିଲେ। ଉଦ୍ୟାନ କୃଷି ନିର୍ଦ୍ଦେଶକ ରୋହିତ କୁମାର ଲେଙ୍କା ମଞ୍ଚାସୀନ ଥିଲେ। ଏହି ଅବସରରେ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଅନ୍ତର୍ଜାତୀୟ ମିଲେଟ୍ ସମ୍ମିଳନୀ ଉପଲକ୍ଷେ ପ୍ରକାଶିତ ‘ଉତ୍କଳ ପ୍ରସଙ୍ଗ’ ଓ ‘ଓଡ଼ିଶା ରିଭ୍ୟୁ’ର ମିଲେଟ୍‌ ବିଶେଷାଙ୍କକୁ ରାଜ୍ୟପାଳ ଉନ୍ମୋଚନ କରିଥିଲେ। ‘ଉତ୍କଳ ପ୍ରସଙ୍ଗ’ ଓ ‘ଓଡ଼ିଶା ରିଭ୍ୟୁ’ର ସଂପାଦିକା କସ୍ତୁରୀ ମହାପାତ୍ର ଏବଂ ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ ସରୋଜ କୁମାର ସାମଲ ଉପସ୍ଥିତ ଥିଲେ । ‘ରିପୋର୍ଟସ ଅନ୍‌ ମିଲେଟ୍‌ ଆଣ୍ଡ ଏସ୍‌ଡିଜି’କୁ ମଧ୍ୟ ରାଜ୍ୟପାଳ ଉନ୍ମୋଚନ କରିଥିଲେ। ବିଭିନ୍ନ ପ୍ରତିଯୋଗିତାର ସଫଳ ପ୍ରତିଯୋଗୀଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା ।

Leave a Reply

Your email address will not be published. Required fields are marked *