ମଲ୍ଲିକାର୍ଜୁନଙ୍କ ମନ କିମ୍ବା ମୁଣ୍ଡରେ ଓଡ଼ିଶା କଂଗ୍ରେସ ନାହିଁ, ତାଙ୍କୁ ଓଡ଼ିଶା ଆଣିବାରେ ବିଫଳ ନେତୃତ୍ୱ
ଭୁବନେଶ୍ୱର : ଓଡ଼ିଶାରେ କଂଗ୍ରେସର ନଅ ବିଧାୟକ ଅଛନ୍ତି। ଆଗାମୀ ଦିନରେ ଏହା ନବେରେ ପହଞ୍ଚିବ। ବିଜେଡି-ବିଜେପି ଭାଇଭାଇ, କଂଗ୍ରେସ ହିଁ ବିକଳ୍ପ। ଏମିତି କିଛି ସ୍ଲୋଗାନବାଜି ଦେଇ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ବର୍ଷକରୁ ଉର୍ଦ୍ଧ୍ୱ ସମୟ ଧରି କହି ଆସୁଛନ୍ତି। ଇତି ମଧ୍ୟରେ ପିସିସି କମିଟି ଘୋଷଣା ହେବା ସହ ଏକାଧିକ ଛୋଟମୋଟ କାର୍ଯ୍ୟକ୍ରମ ନିଆଗଲାଣି। ଅନୁରୂପ ଭାବେ କେନ୍ଦ୍ରରେ ସଭାପତି ଭାବେ ମଲ୍ଲିକାର୍ଜୁନ ଖଡଗେ ଦାୟିତ୍ୱ ନେବାର ବର୍ଷେ ମଧ୍ୟ ପୂରିଗଲାଣି। ହେଲେ ଓଡ଼ିଶା କଂଗ୍ରେସକୁ ନେଇ କଂଗ୍ରେସ ମୁଖ୍ୟାଳୟରେ ଗୋଟିଏ ବି ବୈଠକ ହୋଇପାରିଲାନାହିଁ। ଶ୍ରୀ ଖଡଗେ ମଧ୍ୟ ଗତ ବର୍ଷକ ମଧ୍ୟରେ ଥରେ ହେଲେ ଓଡ଼ିଶା ଗସ୍ତରେ ଆସିନାହାନ୍ତି। ପ୍ରଦେଶ କଂଗ୍ରେସ ପକ୍ଷରୁ ଅକ୍ଟୋବର-ନଭେମ୍ବର ମାସରେ ଖଡଗେ ଓଡ଼ିଶା ଆସିବେ ବୋଲି କୁହାଯାଇଥିଲା। ମାତ୍ର ଅକ୍ଟୋବର ସରିବାକୁ ବସିଲାଣି। ନଭେମ୍ବର ନିର୍ବାଚନୀ ମାସ ହୋଇଥିବାରୁ ଶ୍ରୀ ଖଡଗେ ଓଡ଼ିଶା ଆସିବେ, ତାହା ଜଣା ପଡୁନାହିଁ।
ପିସିସିର ଏକାଧିକ କମିଟି ମଧ୍ୟ ଏଆଇସିସିର ଅନୁମୋଦନ ଅପେକ୍ଷାରେ ରହିଛି। ଓଡ଼ିଶାର ଜନସଂଖ୍ୟା ଅନୁଯାୟୀ ବିଭିନ୍ନ କମିଟିରେ ଆବଶ୍ୟକ ସଂଖ୍ୟକ ପଛୁଆବର୍ଗ, ଏସସି,ଏସଟିଙ୍କୁ ସ୍ଥାନ ମିଳୁନାହିଁ। ଯାହାକୁ ନେଇ ଖଡଗେ ନିରାଶ ହୋଇଛନ୍ତି। କେତେକ ନେତାଙ୍କ ଆଭିମୁଖ୍ୟ ମଧ୍ୟ କଂଗ୍ରେସକୁ ଲୋକହସା କରିଛି। କେନ୍ଦ୍ରରେ ରାହୁଲ ଗାନ୍ଧୀ ଆଦାନୀ-ଅମ୍ବାନୀ ଏବଂ କ୍ରୋନି କ୍ୟାପିଟାଲିଜିମକୁ ସମାଲୋଚନା କରୁଛନ୍ତି। ମାତ୍ର ସେହି କଂଗ୍ରେସ ନେତା ରାଜ୍ୟରେ କଳା ଦାଗ ଥିବା ବେଦାନ୍ତ କମ୍ପାନୀ ସପକ୍ଷରେ ଓକିଲାତି କରୁଛନ୍ତି। ଏହି ଦୁଇଟି ଘଟଣାରୁ ରାଜ୍ୟରେ ଇଣ୍ଡିଆ ବ୍ଲକର ହେବାକୁ ଥିବା ଦୁଇଟି ବୈଠକକୁ ନେଇ ଏଆଇସିସି ଅସନ୍ତୋଷ ପ୍ରକାଶ କରିଥିଲା। ଯାହାକୁ ନେଇ ପରବର୍ତ୍ତୀ ସମୟରେ ବାଲେଶ୍ୱର ଓ ରାୟଗଡ଼ାରେ ବୈଠକ ବନ୍ଦ ରହିଲା। ରାହୁଲ ଗାନ୍ଧୀ କଂଗ୍ରେସ ମୁଖ୍ୟାଳୟରେ ଓବିସି, ଏସସି,ଏସଟିଙ୍କୁ ଖୋଜୁଥିବା ବେଳେ ପିସିସିର କୌଣସି ଗୁରୁତ୍ୱପୂର୍ଣ୍ଣ ପଦରେ ବହୁଜନ ବର୍ଗରୁ କେହିନାହାନ୍ତି। ଏ ସମ୍ପର୍କିତ ଏକ ଭିଡିଓ ସାରା ଓଡ଼ିଶାରେ ଭାଇରାଲ ହେବାରେ ଲାଗିଛି। ଯାହା ପିସିସି ନେତୃତ୍ୱକୁ ଆହୁରି ଅଡୁଆ ପରିସ୍ଥିତିରେ ପକାଇଛି।