ଉପ-ମୁଖ୍ୟମନ୍ତ୍ରୀ ହେବ ଭି.କେ ପାଣ୍ଡିଆନ୍ , ସିଏମଓ ଅଧିକାରୀସ୍ତରରେ ଅଦଳବଦଳ
ଭୁବନେଶ୍ୱର: କେବଳ ଦଳ ନୁହେଁ। ରାଜ୍ୟ ସରକାରରେ ରାଜନୈତିକ ପଦରେ ଭି.କେ ପାଣ୍ଡିଆନ୍ ଅବସ୍ଥାପିତ ହୋଇ ପାରନ୍ତି। ଏନେଇ ଦଳୀୟ ମହଲରେ ଆଲୋଚନା ଜୋର ଧରିଛି। ଆସନ୍ତା ଜନରାଜ୍ୟ ଦିବସ ପୂର୍ବରୁ ଭି.କେ ପାଣ୍ଡିଆନ୍ ରାଜ୍ୟ ସରକାରଙ୍କ ଉପ-ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେଇ ପାରନ୍ତି। ଆଗାମୀ ପ୍ରତିଷ୍ଠା ଦିବସ ପୂର୍ବରୁ ଦଳୀୟ ଦାୟିତ୍ୱ ପରେ ଏହି ଦାୟିତ୍ୱ ପ୍ରଦାନ ଉତ୍ସବ ନିରାଡମ୍ବର ଢଙ୍ଗରେ ପାଳନ କରାଯିବ। ଭି.କେଙ୍କ ରାଜନୈତିକ ଦାୟିତ୍ୱ ପରେ ସିଏମଓ ପ୍ରଶାସନରେ ଏକ ଅଦଳବଦଳ ହେବାର ସମ୍ଭାବନା ରହିଛି। ଉଲ୍ଲେଖଯୋଗ୍ୟ, ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଭି. କାର୍ତ୍ତିକେୟନ ପାଣ୍ଡିଆନ୍ ବିଜେଡିରେ ବିଧିବଦ୍ଧ ସାମିଲ ହୋଇଛନ୍ତି। ଦଳର ସମସ୍ତ ବରିଷ୍ଠ ରାଜନେତାଙ୍କ ଉପସ୍ଥିତିରେ ତାଙ୍କ ଶଙ୍ଖ ଭବନରେ ପ୍ରବେଶ ସୁନିଶ୍ଚିତ ହୋଇଛି। ବରିଷ୍ଠ ନେତା ପିନାକୀ ମିଶ୍ର, ସଞ୍ଜୟ ଦାସବର୍ମା, ଅରୁଣ ସାହୁ ଏବଂ ମାନସ ମଙ୍ଗରାଜ ସର୍ବପ୍ରଥମେ ଏହି ସୂଚନା ଗଣମାଧ୍ୟମକୁ ପ୍ରଦାନ କରିଥିଲେ। ପାଣ୍ଡିଆନ ବିଜେଡିରେ ଯୋଗ ଦେବା ପରେ ତାଙ୍କ ଦାୟିତ୍ୱ ନେଇ କଳ୍ପନା ଜଳ୍ପନା ପ୍ରକାଶ ପାଇଛି। ସେ ବିଜେଡିର କାର୍ଯ୍ୟକାରୀ ସଭାପତି କିମ୍ବା ଉପ ସଭାପତି ହେବାର ଯଥେଷ୍ଟ ସମ୍ଭାବନା ରହିଛି। ବିଜେଡି ପାଇଁ ସର୍ଭେ କରୁଥିବା ଦୁଇଟି ସଂସ୍ଥା କାର୍ଯ୍ୟକାରୀ ସଭାପତି ପାଇଁ ପ୍ରସ୍ତାବ ଦେଇଛି। ଦଳର ବହୁ ନେତା ଆଗାମୀ ଦୁଇ ସପ୍ତାହ ମଧ୍ୟରେ ଜିଲ୍ଲା ମୁଖ୍ୟାଳୟରେ ପାଣ୍ଡିଆନଙ୍କ ଯୋଗଦାନ ପରବର୍ତ୍ତୀ ସମ୍ବର୍ଦ୍ଧନା ଦେଇ ପ୍ରସ୍ତାବ ଦେଇଛନ୍ତି।