CWCରେ ସ୍ଥାନ ନ ପାଇବା ପରେ ଏହି ପ୍ରୟାସରେ ଲାଗିଛନ୍ତି ପଟ୍ଟନାୟକ ପରିବାର….କିଏ କହିଥିଲେ ଏମାନଙ୍କୁ ଓଡ଼ିଶା କଂଗ୍ରେସର କ୍ୟାନସର…

ଭୁବନେଶ୍ୱର : ନିକଟରେ କଂଗ୍ରେସ ପକ୍ଷରୁ ସିଡବ୍ଲୁସି ତାଲିକା ଘୋଷଣା କରାଯାଇଛି। ବିହାର ପ୍ରଭାରୀ ଥିବାରୁ ଭକ୍ତ ଚରଣ ଦାସଙ୍କୁ ଏଥିରେ ସ୍ଥାନ ମିଳିଛି। ମାତ୍ର ଏହା ମୂଳ ସିଡବ୍ଲୁସି କିମ୍ବା ସାଧାରଣ ସମ୍ପାଦକ ତାଲିକାରେ ଭକ୍ତଙ୍କୁ ସ୍ଥାନ ମିଳିନାହିଁ। ଏହି ତାଲିକାରେ ଓଡ଼ିଶାର ଅନ୍ୟ କୌଣସି ନେତାଙ୍କୁ ସ୍ଥାନ ମିଳି ନାହିଁ। ଏହି ତାଲିକାରେ ସ୍ଥାନ ପାଇବା ପାଇଁ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରୟାସ କରି ବିଫଳ ହୋଇଛନ୍ତି। ଯାହା ପଟ୍ଟନାୟକ କ୍ୟାମ୍ପକୁ ଦୁଃଖି କରିଦେଇଛି।

ଗାନ୍ଧୀ ପରିବାର ଏବଂ ହାଇକମାଣ୍ଡଙ୍କର ଆମେ ନିକଟତର। ଆମେ ଏଆଇସିସିକୁ ଟଙ୍କା ଦେଉ। ତେଣୁ ଆମର ସିଡବ୍ଲୁସି ଯେମିତି ହେଲେ ହେବ। ଗାନ୍ଧୀ ପରିବାର ଚାରିପଟେ ବୁଲୁଥିବା କିଛି ଷ୍ଟାପ୍ ଏବଂ କିଛି ନେତାଙ୍କୁ ଆର୍ଥିକ ଭାବେ ଲାଭାନ୍ବିତ କରିଥିଲେ ପଟ୍ଟନାୟକ ପରିବାର। ଆଉ କମଲନାଥ, କେସି ବେଣୁଗୋପାଳ ଏବଂ ଜିତେନ୍ଦ୍ର ସିଂଙ୍କ ଭଳି ନେତାଙ୍କୁ ହାତବାରିସି କରିଥିଲେ ନିରଞ୍ଜନ। ହେଲେ କୌଣସି ସୁଫଳ ମିଳି ନ ଥିଲା। ବର୍ତ୍ତମାନ ସିଡବ୍ଲୁସି ନ ହେବା ପରେ ନିରଞ୍ଜନଙ୍କ ପୁତ୍ର ନବଜ୍ୟୋତି ପଟ୍ଟନାୟକ ଦିଲ୍ଲୀରେ ସମ୍ପାଦକ କିମ୍ବା ରାଜ୍ୟରେ କାର୍ଯ୍ୟକାରୀ ପିସିସି ସଭାପତି ହେବାକୁ ପ୍ରୟାସ ଆରମ୍ଭ କରିଛନ୍ତି। ଏଥିପାଇଁ ଆର୍ଥିକ ଭାବେ ଯାହାକୁ ଯାହା ପ୍ରଦାନ କରିବା କଥା, ତାହା ମଧ୍ୟ କରିଲେଣି। ସମ୍ପାଦକମାନେ ନିଜ ପ୍ରଭାରୀ ରାଜ୍ୟରେ ପ୍ରାୟ ପନ୍ଦର ଦିନ ଦେବାକୁ ପଡିବ। ମାତ୍ର ସବୁଦିନିଆ ବେପାର କରୁଥିବା ନବଜ୍ୟୋତି ପଟ୍ଟନାୟକ ବ୍ୟବସାୟ ଛାଡି କେତେ ସମୟ ଦେଇପାରିବେ, ସେ ନେଇ ମଧ୍ୟ ପ୍ରଶ୍ନ ଉଠିଛି। କଂଗ୍ରେସ ନେତା ନରେଶ ମହାନ୍ତି କହିଛନ୍ତି ଯେ, ପଟ୍ଟନାୟକ ପରିବାର ନିଜର ବେଆଇନ ଖଣି ସାମ୍ରାଜ୍ୟ ବଞ୍ଚାଇବା ପାଇଁ ଉଦ୍ୟମ କରିଥାନ୍ତି। ଏଥିପାଇଁ ସେମାନେ ସବୁବେଳେ କ୍ଷମତାରେ ରହିବା ପାଇଁ ତତ୍ପରତା ପ୍ରକାଶ କରନ୍ତି। କ୍ଷମତାରୁ ଦୂରେଇ ଗଲେ ନୈତିକତାର ଭାଷଣ ଦିଅନ୍ତି। 2019ରେ ପିସିସି ଦାୟିତ୍ୱ ପାଇଲେ, କଂଗ୍ରେସ ଦୁଇ ନମ୍ବର ଦଳରୁ ତିନି ନମ୍ବର ଦଳ ହୋଇଗଲା। 2014ରେ ସେମାନଙ୍କୁ ଦୂରେଇ ରଖାଯାଇଥିଲା.। ସେ ସମୟରେ ପଟ୍ଟନାୟକ ପରିବାର ଆମ ଓଡ଼ିଶା ଏବଂ ବିଜେଡି ପାଇଁ କାମ କଲେ। ବାଲେଶ୍ୱରରୁ ଆରମ୍ଭ କରି ଭୁବନେଶ୍ୱର ପର୍ଯ୍ୟନ୍ତ ବିଦ୍ରୋହୀ ପ୍ରାର୍ଥୀ ଦେଇଥିବା ଶ୍ରୀ ମହାନ୍ତି କହିଛନ୍ତି। ସେହିପରି ରାହୁଲ ଗାନ୍ଧୀ ପଟ୍ଟନାୟକ ପରିବାରକୁ ଓଡ଼ିଶା କଂଗ୍ରେସର କ୍ୟାନସର ବୋଲି କହିଥାନ୍ତି। ଏମାନେ ଗାନ୍ଧୀ ପରିବାର ଚାକରମାନଙ୍କୁ ଲୋଭ ଦେଖାଇ ଫାଇଦା ନିଅନ୍ତି ବୋଲି ନରେଶ ଅଭିଯୋଗ କରିଛନ୍ତି।
