ମଣିପୁର ପ୍ରସଙ୍ଗରେ ଆଜି ବି ମୁହଁ ଖୋଲିଲେନି ମୋଦି, ବିରୋଧି ମେଣ୍ଟର ନାଁକୁ ନେଇ କଲେ ଟାର୍ଗେଟ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବବତ ନୀରବ ମୁଦ୍ରାରେ ରହିଛନ୍ତି। ମଣିପୁର ପ୍ରସଙ୍ଗରେ ସଂସଦର କୌଣସି ସଦନରେ ପ୍ରତିକ୍ରିୟାଟିଏ ଦେଇ ନାହାନ୍ତି। ଗତସପ୍ତାହରେ ଦୁଇ ଆଦିବାସୀ ମହିଳାଙ୍କ ଭିଡିଓ ଭାଇରାଲ ହେବା ପରେ କିଛି ସେକେଣ୍ଡର ବକ୍ତବ୍ୟ ମୋଦି ରଖିଥିଲେ। ଗତକାଲି ଠାରୁ ସଂସଦରେ ଅଚଳାବସ୍ଥା ଜାରି ରହିଛି। ମଙ୍ଗଳବାର ସୁରୁଖୁରରେ ଗୃହ କାର୍ଯ୍ୟ ସମ୍ଭବ ହୋଇପାରିନାହିଁ। ବରଂ ପ୍ରଧାନମନ୍ତ୍ରୀ ମୋଦି ମୂଳ ପ୍ରସଙ୍ଗରୁ ହଟି ବିରୋଧି ଦଳ ମାନଙ୍କ ଇଣ୍ଡିଆ ନାମକରଣକୁ ସମାଲୋଚନା କରିଛନ୍ତି। ମୋଦି ଦେଶର ବିରୋଧି ଦଳକୁ ଦିଶାହୀନ ବୋଲି ଅଭିହିତ କରିଛନ୍ତି। ଏକଥା ସେ ଗଣମାଧ୍ୟମରେ କହିନାହାନ୍ତି। ସଂସଦରେ ଦଳର ସାଂସଦମାନଙ୍କ ବୈଠକରେ ଯୋଗ ଦେଇ ସେ ଏପରି କହିଛନ୍ତି। ମଣିପୁରର ଏହି ଘୃଣ୍ୟ ଓ ଅମାନବୀୟ ପ୍ରସଙ୍ଗରେ ମୋଦିଙ୍କ ବକ୍ତବ୍ୟ ସାରା ଜୀବନ ପାଇଁ ସଂସଦରେ ରେକର୍ଡଭୁକ୍ତ ନ ହେଉ ବୋଲି ସେ ଚାହୁଁଛନ୍ତି। ସେଥିପାଇଁ ଆଲୋଚନା କରୁ ନ ଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି।