ବବି କହୁଛନ୍ତି ମୁଁ ଏକ ନମ୍ବର ବିଜେଡି କର୍ମୀ ହେଲେ ଅରିନ୍ଦମ କହିଲେଣି କିଏ କ’ଣ ଭାବିବ, ମୋତେ ଫରକ ପଡ଼େନି

ଭୁବନେଶ୍ୱର : ବିଜେଡି ନେତା ପ୍ରଣବ ପ୍ରକାଶ ଦାସ ଓ ଓରଫ ବବି ଏବଂ ଚଳଚ୍ଚିତ୍ର ଅଭିନେତା ଅରିନ୍ଦମ ରାୟ। ଉଭୟ ବିଜେଡିର ନେତା ଏବଂ ପାରିବାରିକ ବନ୍ଧୁ। ଦୁଇ ଜଣେ ଭିନ୍ନ ଭିନ୍ନ କାରଣରୁ ଚର୍ଚ୍ଚାରେ ରହିଛନ୍ତି। ବବି ସମ୍ବଲପୁର ରାଜନୀତିକୁ ନେଇ ଚର୍ଚ୍ଚାରେ ରହିଥିବା ବେଳେ ଅରିନ୍ଦମ ରାୟ କଟକ ଜିଲ୍ଲା ରାଜନୀତିକୁ ନେଇ ଗଣମାଧ୍ୟମର ଶିରୋନାମା ପାଲଟିଛନ୍ତି। ଉପରକୁ ଏତେଟା ଜଣା ପଡୁ ନ ଥିଲେ ବି ଅରିନ୍ଦମ ବିଜେଡି ପ୍ରତି ଖପ୍ପା ହୋଇଛନ୍ତି। ସେହିପରି ବବି ଦଳୀୟ ନେତୃତ୍ୱର ଚାଲି ନ ବୁଝି ବାଟ ଚାଲୁଥିବା ମନେ ହେଉଛି।

ପ୍ରଥମେ ଆଲୋଚନା କରିବା ପ୍ରଣବ ପ୍ରକାଶ ଦାସଙ୍କ କଥା। ରାଜ୍ୟର ଜଣେ ପ୍ରଶାସିକା ନିଜ ଚାକିରୀରୁ ଇସ୍ତଫା ଦେବେ। ସେ ଯାଜପୁର ବିଧାନସଭା ଆସନରୁ ଲଢିବେ। ସେହିପରି ପ୍ରଣବ ପ୍ରକାଶ ଦାସ କୋରେଇ ଯିବେ। ନଚେତ୍ ତାଙ୍କୁ ରାଜ୍ୟସଭା ପଠାଯିବ। କିଛି ମାସ ପୂର୍ବରୁ ଏହି ଚର୍ଚ୍ଚା ଜୋର ଧରିଥିଲା। ମାତ୍ର ଭି.କେ ପାଣ୍ଡିଆନ୍ ବିଜେଡିରେ ଯୋଗଦେବା ପରେ ଏହି ଚର୍ଚ୍ଚା ଥମିଗଲା। ଥରେ ବରୀରେ ସଭାରେ ବବି କହିଲେ, କିଏ କେଉଁଠୁ ଲଢିବ ,ତାହା ମୁଖ୍ୟମନ୍ତ୍ରୀ ସ୍ଥିର କରିବେ। ମୁଖ୍ୟମନ୍ତ୍ରୀ ନ ଚାହିଁଲେ , ସେ ଲଢିବେ ନାହିଁ। ମାତ୍ର ବର୍ତ୍ତମାନ ବବି ସମ୍ବଲପୁରରେ ଲଢିବା ନେଇ ପରୋକ୍ଷରେ ସୂଚନା ଦେଇଛନ୍ତି। ବବି କହିଛନ୍ତି ଯେ, ସେ ଦଳର ଏକ ନମ୍ବର କର୍ମୀ। ତାଙ୍କୁ ଯେଉଁଠି କୁହାଯିବ, ସେ ସେଠାରୁ ଲଢିବେ। ସମ୍ବଲପୁରରେ ତାଙ୍କର ଘର ଅଛି। ରାଜନୈତିକ ସମୀକ୍ଷକଙ୍କ କହିବାନୁଯାୟୀ, ପୂର୍ବାପେକ୍ଷା ବବିଙ୍କୁ ବିଜେଡିର ଶୀର୍ଷ ନେତୃତ୍ୱ ଲୋକହସା କରିବା ପାଇଁ ପରିବେଶ ସୃଷ୍ଟି କରୁଛନ୍ତି। ବିଭିନ୍ନ ସ୍ଥାନରେ ତାଙ୍କ ମନ୍ତବ୍ୟ ଭିନ୍ନ ଚର୍ଚ୍ଚାକୁ ଜନ୍ମ ଦେଉଛି। ତେଣୁ ସେ ସମ୍ବଲପୁରରେ ସତରେ ଯେ ଲଢିବେ ନାହିଁ, ତାହା ଠିକଣା ବେଳରେ ହିଁ ଜଣାପଡ଼ିବ।

ଦ୍ୱିତୀୟତଃ ଅରିନ୍ଦମ ରାୟ କିଛି ବର୍ଷ ହେବ ଦଲୀୟ ପ୍ରଚାରରେ ରହୁଥିଲେ। ଉତ୍ତର ଓଡ଼ିଶା ତଥା ବାଲେଶ୍ୱର କୈନ୍ଦ୍ରିକ କାର୍ଯ୍ୟକ୍ରମରେ ତାଙ୍କୁ ଦେଖିବାକୁ ମିଳିଥିଲା। ହେଲେ ପରବର୍ତ୍ତୀ ସମୟରେ ସେ କଟକ ଜିଲ୍ଲାରେ ସକ୍ରିୟ ହେଲେ। ରାଜଧାନୀରେ ମଧ୍ୟ ସକ୍ରିୟ ହେଲେ। ଭର୍ତ୍ତୃହରି ମହତାବ ଧିରେ ଧିରେ ବିଜେପି ଆଡ଼କୁ ଢଲୁଥିବାରୁ ଅରିନ୍ଦମ ରାୟ କଟକରେ ନିଜ ପାଇଁ ଏକ ସୁଯୋଗ ଦେଖୁଥିଲେ। ଦଳ ମଧ୍ୟ ଏନେଇ ବିଚାରବିମର୍ଶ କରିଥିଲା। ହେଲେ ଗତଥର କେନ୍ଦ୍ରାପଡ଼ା ପରୀକ୍ଷଣ ଏଥିରେ ରୋକ୍ ଲଗାଇଲା। ଆଗକୁ ଟିକେଟ୍ ସମ୍ଭାବନା କମ୍ ଥିବା ଦେଖି ଅରିନ୍ଦମ ରାୟ କରଛଡ଼ା ଦେବା ଆରମ୍ଭ କରିଲେଣି। ନିକଟରେ ସେ ବିଜେପି ନେତା ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟି ତାଙ୍କ ସହ ଉଠାଇଥିବା ଫଟୋକୁ ଛାଡିଥିଲେ। କିଛିଦିନ ପୂର୍ବେ ସେ କଟକରେ ଏକ ସଂକଳ୍ପ ସମାବେଶ ଆୟୋଜନ କରିସାରିଛନ୍ତି। ସମାନ ଦିନରେ ଧର୍ମେନ୍ଦ୍ର କରିଥିବା ମାହାଙ୍ଗା ସମାବେଶ ଭଳି ଅରିନ୍ଦମଙ୍କ ସମାବେଶ ହୋଇଥିଲା। କଟକ ଜିଲ୍ଲା ସଭାପତିଙ୍କ ଅନୁଗତ ଓ ଦଳର ଛାମୁଆ କର୍ମୀ ଏଥିରୁ ଦୂରେଇ ରହିଲେ। କିଏ କଣ ଭାବିବ, ତାହା ତାଙ୍କୁ ଫରକ ପକାଏନି ବୋଲି ଅରିନ୍ଦମ କହିଛନ୍ତି। ଏଠାରେ ପ୍ରଶ୍ନ ଉଠେ ଶାଳକ ବବି ଦାସ ଦଳର ଏକ ନମ୍ବର କର୍ମୀ କହି ବୁଲୁଥିବା ବେଳେ ଭିଣୋଇ ଅରିନ୍ଦମ ଫରକ ପଡେନି କହିବା ସେହି ମୁହଁରେ ଅରୁଆ, ସେହି ମୁହଁରେ ଉଷୁନା କଥା ଭଳି। ତେଣୁ ବିଜେଡି ଏଠି ପାଲା ବନ୍ଦ କରୁ ବୋଲି କଟକ ବିଜେଡି କର୍ମୀ ସାଧାରଣରେ ଆଲୋଚନା କଲେଣି।