ଦିନକୁ ୨୭ ଟଙ୍କା ଦେଇ ମା-ଭଉଣୀଙ୍କୁ ବିଜେପି ସରକାର ଭଣ୍ଡାଇଦେଲା-ରାମଚନ୍ଦ୍ର କାଡାମ

ଭୁବନେଶ୍ୱର : ସୁଭଦ୍ରା ଯୋଜନାକୁ ନେଇ ରାଜ୍ୟର ବିଜେପି ସରକାର ଡିଣ୍ଡିମ ପିଟୁଛନ୍ତି। ହେଲେ ଏହି ଯୋଜନାକୁ ଏକ ନିଆରା ଢଙ୍ଗରେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ସମାଲୋଚନା କରିଛନ୍ତି। ବ୍ୟୟମଞ୍ଜୁରୀ ବିଲ୍ ଗୃହୀତ ହେବା ପୂର୍ବରୁ ଦ୍ୱିତୀୟ ବକ୍ତା ଭାବେ ଶ୍ରୀ କାଡାମ ନିଜ ଅଭିଭାଷଣ ଆରମ୍ଭ କରିଥିଲେ। ବିଭିନ୍ନ ମୌଳିକ ପ୍ରସଙ୍ଗକୁ 12ଟି ଭାଗରେ ବିଭକ୍ତ କରି ପ୍ରଶ୍ନ କରିଥିଲେ। ଏହା ମଧ୍ୟରେ ସାମାଜିକ ନ୍ୟାୟ, ଖଣି ପରିଚାଳନା ଓ ଅନ୍ୟ ପ୍ରସଙ୍ଗ ରହିଥିଲା। ହେଲେ ସୁଭଦ୍ରାକୁ ନେଇ ତାଙ୍କର ଲିଖିତ ଭାଷଣ ଓ ଦ୍ୱିତୀୟାର୍ଦ୍ଧରେ ବଣ୍ଟା ଯାଇଥିବା ଲିଫଲେଟ୍ ବିଧାନସଭା ଚର୍ଚ୍ଚାର କାରଣ ହୋଇଥିଲା। ଶ୍ରୀ କାଡାମ କହିଥିଲେ ଯେ, ମାତ୍ର  ୨୭ ଟଙ୍କିଆ ଯୋଜନା କରି ରାଜ୍ୟର ମା ଭଉଣୀଙ୍କୁ କାହିଁକି ଅସମ୍ମାନିତ କରୁଛନ୍ତି? ନିର୍ବାଚନ ପୂର୍ବରୁ ଦୁଇ ବର୍ଷରେ ୫୦ ହଜାର ଦେବେ ବୋଲି କହିଥିଲେ। ନିର୍ବାଚନ ପରେ ତାହା ୫ ବର୍ଷରେ ୫୦ ହଜାର ହୋଇଗଲା। ସେହି କ୍ରମରେ ବର୍ଷକୁ ମାତ୍ର ୧୦ ହଜାର। ମାସକୁ ୮୩୩ ଟଙ୍କା. ଆଉ ଦିନକୁ ମାତ୍ର ୨୭ ଟଙ୍କା ଆଜ୍ଞା। ତିନି ବେଳା ଭଲ ଚାହା ପିଇବାକୁ ହେଲେ ୩୦ ଟଙ୍କା ଖର୍ଚ୍ଚ କରିବାକୁ ପଡେ। ୨୭ଟଙ୍କାରେ କେଉଁ ପ୍ରକାର ସଶକ୍ତିକରଣ କଥା କରିବେ ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ ମହୋଦୟା? ବରଂ ଯଦି ମା-ଭଉଣୀଙ୍କର ଦକ୍ଷତା ବିକାଶ ସହ ତାଙ୍କୁ କ୍ଷୁଦ୍ର ବ୍ୟବସାୟ ପାଇଁ ଋଣ ପ୍ରଦାନ କରନ୍ତେ, ସେମାନେ ୨୭ ବଦଳରେ ଅନୁନ୍ୟ ଦୈନିକ ୫୦୦ ଟଙ୍କା ରୋଜଗାର କରିପାରନ୍ତେ। ହେଲେ ଆପଣ ୨୭ ଟଙ୍କା ଦେଇ ଯେଉଁ ଭଳି ଭାବେ ପ୍ରଚାର ଗାଡି ବୁଲାଉଛନ୍ତି ,ତାହା ଅତି ଲଜ୍ଜାକର କଥା ବୋଲି କଡାମ କହିଥିଲେ।

ସେହିପରି  ରାଜ୍ୟରେ ଏସଟି, ଏସସି ଏବଂ ପଛୁଆବର୍ଗଙ୍କ ସଂଖ୍ୟା 94 ପ୍ରତିଶତ। ଉଚ୍ଚଶିକ୍ଷା(ମେଡିକାଲ ଓ ଇଂଜିନିୟରିଂ)ରେ ଏସଟି ଓ ଏସସିଙ୍କୁ ସମ୍ବିଧାନ ପ୍ରଦତ୍ତ ସଂଖ୍ୟାନୁପାତିକ ସଂରକ୍ଷଣ କାହିଁକି ପ୍ରଦାନ କରାଗଲା ନାହିଁ ?  ଓଡ଼ିଶା ଜନସଂଖ୍ୟାର ଅଧା ପଛୁଆବର୍ଗଙ୍କୁ ଶିକ୍ଷାରେ ଆଦୌ ସଂରକ୍ଷଣ ମିଳୁନାହିଁ କାହିଁକି? ନିଯୁକ୍ତିରେ ପଛୁଆବର୍ଗଙ୍କୁ  ୨୭ ପରିବର୍ତ୍ତେ ମାତ୍ର ୧୧ ପ୍ରତିଶତ ସଂରକ୍ଷଣ ପ୍ରଦାନ କରାଯାଉଛି କାହିଁକି? ବିରୋଧୀ ଦଳରେ ଥିବା ବେଳେ ମୁଖ୍ୟମନ୍ତ୍ରୀ ଏହି ପ୍ରସଙ୍ଗ ଆପଣ ବହୁତ ଥର ଉଠାଇଥିଲେ। ଶାସନକୁ ଆସିବା ପରେ ସାମ୍ବିଧାନିକ ଦାୟିତ୍ୱ କେମିତି ଭୁଲି ଗଲେବୋଲି ପଟାଙ୍ଗୀ ବିଧାୟକ ପ୍ରଶ୍ନ କରିଥିଲେ।  ଆରମ୍ଭରୁ ସେ କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ମହୋଦୟ, ଆମେ ଉଭୟ ଅନୁସୂଚିତ ଜନଜାତି ବର୍ଗରୁ ଆସୁଛେ। ଆମର ସଂଖ୍ୟା ଜନସଂଖ୍ୟାର ୨୩ ପ୍ରତିଶତ। ସେହିପରି ଅନୁସୂଚିତ ଜାତି ବର୍ଗର ସଂଖ୍ୟା ୧୬, ପଛୁଆବର୍ଗର ସଂଖ୍ୟା ୫୪ ପ୍ରତିଶତ। ଚଳିତ ଶିକ୍ଷାବର୍ଷ ଏମବିବିଏସ୍ ନାମଲେଖାରେ ଏସଟି, ଏସସିଙ୍କୁ ସେମାନଙ୍କ ସଂଖ୍ୟାନୁପାତରେ କାହିଁକି ୪୦ ପ୍ରତିଶତ ସଂରକ୍ଷଣ ପ୍ରଦାନ କରାଗଲା ନାହିଁ? ପଛୁଆବର୍ଗକୁ କାହିଁକି ଦଶନ୍ଧିରୁ ଅଧିକ ସମୟ ଧରି ସମସ୍ତ ପ୍ରକାର ଶିକ୍ଷାର ସଂରକ୍ଷଣରୁ ବଞ୍ଚିତ ହୋଇଛନ୍ତି।  ଏସସି,ଏସଟିଙ୍କୁ ମାତ୍ର ୨୦ ପ୍ରତିଶତ ଏବଂ ପଛୁଆବର୍ଗଙ୍କୁ ଆଦୌ ସଂରକ୍ଷଣ ନ ମିଳିବା ଦ୍ୱାରା ଏହି ବର୍ଗର ପ୍ରାୟ ୧୨ ହଜାର ଛାତ୍ରଛାତ୍ରୀ ଡାକ୍ତର ହେବାରୁ ବଞ୍ଚିତ ହୋଇ ସାରିଲେଣି।  ରାଜ୍ୟରେ ଯେଉଁମାନଙ୍କ ସଂଖ୍ୟା ୬ ପ୍ରତିଶତ। ସେମାନଙ୍କୁ ଶିକ୍ଷାରେ ୧୦ ପ୍ରତିଶତ ସଂରକ୍ଷଣ ନିଶ୍ଚିତ କରାଯାଇଛି। ହେଲେ ଏସଟି,ଏସସି ଏବଂ ପଛୁଆବର୍ଗଙ୍କୁ ସଂରକ୍ଷଣ ଦିଆ ନ ଯାଇ ବାରମ୍ବାର ଐତିହାସିକ ଭୁଲ୍ ଦୋହରାଯାଉନାହିଁ କି?  କେବଳ ଏମବିବିଏସ୍ ନୁହେଁ। ବିଡିଏସ୍ , ନର୍ସିଂ ଏବଂ  ଅନ୍ୟ ବୈଷୟିକ ଶିକ୍ଷାରେ ମଧ୍ୟ ସଂରକ୍ଷଣ ନାହିଁ। ରାଜ୍ୟର ଏସଟି-ଏସସି ଫାଇନାନ୍ସ କମିସନ କାହିଁକି କାର୍ଯ୍ୟକ୍ଷମ ହେଉନାହିଁ। ପଛୁଆବର୍ଗଙ୍କ ସାମାଜିକ ଓ ଅର୍ଥନୈତିକ ସ୍ଥିତିକୁ ନେଇ ଗତବର୍ଷ କମିଶନ ଦାଖଲ କରିଥିବା ରିପୋର୍ଟ କାହିଁକି ସାର୍ବଜନୀନ କରାଯାଉନାହିଁ? ମୁଖ୍ୟମନ୍ତ୍ରୀ ଆପଣ ସ୍ପଷ୍ଟ କରିବେ କି ଆଜି ପରଠାରୁ ଆସିଥିବା ପ୍ରତିଟି ଶିକ୍ଷା କିମ୍ବା ନିଯୁକ୍ତି ସମ୍ପର୍କିତ ବିଜ୍ଞପ୍ତି ସାମ୍ବିଧାନିକ ସଂରକ୍ଷଣକୁ ସମ୍ପୂର୍ଣ୍ଣ ଭାବେ ପାଳନ କରିବେ କି,  ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହେଉ ଅବା ଓଡ଼ିଶାର ଅନ୍ୟ ପ୍ରାନ୍ତର ଛାତ୍ରଛାତ୍ରୀ। ସାମାନ୍ୟ ଭାତ, ଡାଲି ଖାଇ ଏଇ ବିଧାନସଭା ସମ୍ମୁଖସ୍ଥ ଇନ୍ଦିରା ପାର୍କ, ଜୟଦେବ ଭବନରେ ପାଠ ପଢୁଛନ୍ତି। କଲେଜରେ ପିଲା ନାମଲେଖାଇଲେ ହଷ୍ଟେଲରେ ସିଟ୍ ମିଳୁନାହିଁ। ଆସନ୍ତା ବର୍ଷ ସୁଦ୍ଧା ରାଜଧାନୀରେ ୫୦୦୦ ଶଯ୍ୟା ବିଶିଷ୍ଟ ଏକ ବହୁମୁଖୀ ହଷ୍ଟେଲ ନିର୍ମାଣ ପାଇଁ ଘୋଷଣା କରିବେ କି ମୁଖ୍ୟମନ୍ତ୍ରୀ ବୋଲି କହି କାଡାମ ଗୃହର ଦୃଷ୍ଟି ଆକର୍ଷଣ କରିଥିଲେ।

ଅପରପକ୍ଷରେ କାଡାମନ ଆହୁରି କହିଥିଲେ ଯେ, ରାଜ୍ୟରୁ ଦାଦନ ପ୍ରଥା ଉଠାଇଦେବା ପାଇଁ ଆପଣଙ୍କ ପାର୍ଟି ପ୍ରତିଶ୍ରୁତି ଦେଇଥିଲା। ମାତ୍ର ବଜେଟରେ ଦାଦନର ଦୂରୀକରଣ ପାଇଁ କୌଣସି ନିର୍ଦ୍ଦିଷ୍ଟ ପଦକ୍ଷେପ ନିଆଯାଇ ନାହିଁ କାହିଁକି। ବଡ଼ ବଡ଼ କମ୍ପାନୀକୁ ଜଳ କର, ବିଜୁଳି କର ଛାଡ଼ ହେଉଥିବା ବେଳେ ଓଡ଼ିଶା ଯୁବକଙ୍କୁ କ୍ଷୁଦ୍ର ବ୍ୟବସାୟ କରିବା ପାଇଁ ଋଣ ପ୍ରଦାନ କରାଯାଉନାହିଁ କାହିଁକି। ରାଜ୍ୟ ସରକାରଙ୍କ ବାରମ୍ବାର ହସ୍ତକ୍ଷେପ ସତ୍ତ୍ୱେ ୧୬ଟି ବ୍ୟାଙ୍କ୍, ଋଣ କାହିଁକି ଦେଉ ନାହାନ୍ତି। ଏହା ଉପରେ ଆପଣ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ, ତାହା ଗୃହ ସମ୍ମୁଖରେ ସ୍ପଷ୍ଟ କରନ୍ତୁ। ଆପଣଙ୍କ ନିଜ ଜିଲ୍ଲାରେ ପ୍ରାୟ ୮୦ ପ୍ରତିଶତ ଲୋକ ରାସନ କାର୍ଡ ଉପରେ ନିର୍ଭର କରନ୍ତିନି କି?  ଡିଏମଏଫ୍  ଓ ଓମ୍ବାଡସି ପାଣ୍ଠି ଯାଉଛି କୁଆଡେ। ରାଜ୍ୟରେ ଲକ୍ଷ ଲକ୍ଷ ପିଲା ବେକାରୀ। ଏହି ସମୟରେ ପ୍ରାୟ ଏକ ଲକ୍ଷ ସରକାରୀ ପଦବୀ ଖାଲି ପଡିବା ଆପଣଙ୍କ ପ୍ରଶାସନର ଅପରାଗତା ନୁହେଁ କି? ଶିକ୍ଷାରେ ଯୁବକଙ୍କୁ ରୋଜଗାର ନ ମିଳିବା ପର୍ଯ୍ୟନ୍ତ ସେମାନଙ୍କୁ ମାସିକ ଅନୁନ୍ୟ ୫୦୦୦ ଟଙ୍କା ସହାୟକ ଭତ୍ତା କାହିଁକି ଘୋଷଣା କରାଯାଉ ନାହିଁ।  ସ୍ୱାସ୍ଥ୍ୟ ସେବା ପ୍ରସଙ୍ଗ ଉଠାଇ ଶ୍ରୀ କାଡାମ କହିଥିଲେ ଯେ,ଦେଶରେ ପ୍ରତି ହଜାର ଲୋକରେ ଜଣେ ଡାକ୍ତର। ଓଡ଼ିଶାରେ ପ୍ରତି ୨ ହଜାର ଜଣ ଲୋକରେ ଗୋଟିଏ ଡାକ୍ତର କାହିଁକି । ରାଜ୍ୟରେ ପ୍ରାୟ ୨୦ ହଜାର ଡାକ୍ତରୀ ପଦବୀ ଖାଲି ପଡି ନାହିଁ କି? ତାମିଲନାଡୁ, କର୍ଣ୍ଣାଟକ,କେରଳ ଆଦି ରାଜ୍ୟରେ ପ୍ରତିବର୍ଷ ୧୦ ହଜାର ଡାକ୍ତର ବାହାରୁଥିବା ବେଳେ ଆମେ ମାତ୍ର ଦୁଇ ହଜାରରେ ଅଟକି ଯାଉନାହିଁ କି। ନର୍ସିଂରେ କେରଳର ଭଉଣୀମାନେ ସାରା ବିଶ୍ୱରେ ନାଁ କମାଇଛନ୍ତି। ଓଡ଼ିଶାରେ ନର୍ସିଂ କଲେଜ ସଂଖ୍ୟା କାହିଁକି ବୃଦ୍ଧି କରାଯାଉନାହିଁ? ଘରୋଇ ହସ୍ପିଟାଲ ସାଧାରଣ ଓଡ଼ିଆଙ୍କୁ ଚିକିତ୍ସା ଆଳରେ ଲୁଟୁ ନାହାନ୍ତି କି ? ଏ ସବୁର ତଦନ୍ତ ନେଇ ଆପଣ କେବେ ଚିନ୍ତା କରିଛନ୍ତି କି?ସ୍ୱାସ୍ଥ୍ୟ ବିଭାଗରେ ସର୍ବାଧିକ ପଦ ଖାଲି ପଡିବା ସରକାରଙ୍କ ଅପାରଗତାକୁ ଦର୍ଶାଉ ନାହିଁ କି? ସମ୍ବଲପୁରରେ ଏମ୍ସ ହେଉ ମନା ନାହିଁ। ହେଲେ ବାଲେଶ୍ୱର ସ୍ଥିତ ଏମ୍ସ ସାଟେଲାଇଟ୍ ସେଣ୍ଟରକୁ କାହିଁକି ଓପିଡିରେ ପରିଣତ କରି ଦିଆଯାଇଛି। ଏହା ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ହେଲେ ଭୁବନେଶ୍ୱର ଏମ୍ସ ଉପରୁ ଚାପ ହ୍ରାସ ପାଇବ ନାହିଁ କି?  କାହା ସ୍ୱାର୍ଥରେ  ୩୫୦ ଶଯ୍ୟା ବିଶିଷ୍ଟ ସୁପର ସ୍ପେସିଆଲଟିଲି ହସ୍ପିଟାଲ ଓ ରିସର୍ଚ୍ଚ ସେଣ୍ଟର ସ୍ଥାନ୍ତାନ୍ତରିତ କରାଗଲା? ଏନେଇ ଆପଣଙ୍କ ଦଳର ସାଂସଦମାନେ କେବେ ସଂସଦରେ ପାଟି ଫିଟାଇଛନ୍ତି କି?  ଭୁବନେଶ୍ୱରରେ ଜମି ଚିହ୍ନଟ ହୋଇ ଶିଳାନ୍ୟାସ ହୋଇଥିବା ଇଏସଆଇ ହସ୍ପିଟାଲକୁ କାହିଁକି ବାତିଲ କରି ଦିଆଗଲା। ବାଲେଶ୍ୱର ଜିଲ୍ଲାରେ ହେବାକୁ ଥିବା ସ୍କୁଲ ଅଫ୍ ଇଣ୍ଟର ନ୍ୟାସନାଲ ପବ୍ଲିକ ହେଲ୍ଥ ରାଜ୍ୟରୁ ଅନ୍ୟ ରାଜ୍ୟକୁ କାହା ସ୍ୱାର୍ଥରେ ସ୍ଥାନ୍ତାନ୍ତରିତ ହେଲା, ସେ ନେଇ ଆପଣ ଜବାବ ଦେବେ କି ବୋଲି କଂଗ୍ରେସର ବରିଷ୍ଠ ନେତା ପ୍ରଶ୍ନ କରିଥିଲେ।

ଶକ୍ତି ବିଭାଗ ପ୍ରସଙ୍ଗରେ ମତ ରଖି  କାଡାମ କହିଥିଲେ ଯେ, -ଦିଲ୍ଲୀରେ ୩୦୦ ୟୁନିଟ୍ ବିଜୁଳି ଛାଡ ହୋଇଥିବା ବେଳେ ଓଡ଼ିଶାରେ ୧୦୦  ୟୁନିଟ୍ କାହିଁକି ଛାଡ ହୋଇନାହିଁ। ଆପଣଙ୍କ ଦଳର ଶୀର୍ଷ ନେତାମାନେ ନିର୍ବାଚନ ପୂର୍ବରୁ ବିଜୁଳି ବିଲ୍ ଛାଡ ନେଇ ପ୍ରତିଶ୍ରୁତି ଦେଇ ନ ଥିଲେ କି? ଦିଲ୍ଲୀ ବିଦ୍ୟୁତ କିଣି କମ୍ ଦରରେ ଉପଭୋକ୍ତାକୁ ଯୋଗାଇ ଅନ୍ୟ ରାଜ୍ୟକୁ ବିକ୍ରି କରିପାରୁଛି। ହେଲେ ଓଡ଼ିଶାରେ ବିଭିନ୍ନ ମାଧ୍ୟମରୁ ବିଦ୍ୟୁତ ଉତ୍ପାଦନ ହୋଇ ଗ୍ରାହକଙ୍କୁ କାହିଁକି ବିନା ମୂଲ୍ୟରେ ଯୋଗାଇ ଦିଆଯାଉନାହିଁ। ହରିୟାଣା ଓ ପଞ୍ଜାବରେ ଚାଷୀଙ୍କ ଠାରୁ କୌଣସି ବିଦ୍ୟୁତ ବିଲ୍ ନିଆଯାଉ ନାହିଁ। ଆମ ରାଜ୍ୟରେ ବିଜୁଳି ବିଲ୍ ଭୟରେ କୃଷି ଓ ଉଦ୍ୟୋଗରୁ ମୁହଁ ଫେରାଉ ନାହିଁ କି? ପଡୋଶୀ ଆନ୍ଧ୍ରରୁ ମାଛ ଓ ବେଙ୍ଗଲରୁ ଆଳୁ କାହିଁକି ଆସୁଛି। ଉଦ୍ୟୋଗପତିଙ୍କୁ ଶୀତଳଭଣ୍ଡାର ପାଇଁ କାହିଁକି ସବସିଡିରୁ ବଞ୍ଚିତ କରାଯାଉଛି। ଜଳସେଚନ ଆମେ କାହିଁକି ୨୨ ପ୍ରତିଶତରେ ଅଟକିଛେ।  ଆସନ୍ତା ମାସରୁ ଚାଷୀ ଏବଂ ଶୀତଳ ଭଣ୍ଡାର ଉଦ୍ୟୋଗପତିଙ୍କୁ ବିଜୁଳି ରିହାତି ଯୋଗାଇ ଦେବା ନେଇ ଘୋଷଣା କରିବେ କି ବୋଲି ସେ ପ୍ରଶ୍ନ କରିଥିଲେ।

ରେଳବାଇ ପ୍ରସଙ୍ଗରେ କଂଗ୍ରେସ ନେତା ଅଶ୍ୱିନୀ ବୈଷ୍ଣବଙ୍କୁ ଟାର୍ଗେଟ କରିଥିଲେ। ସେ କହିଥିଲେ ଯେ, ପୂର୍ବତଟ ରେଳପଥ ଦେଶର ସର୍ବାଧିକ ଲାଭ ପ୍ରଦାନ କରୁଥିବା ଜୋନ୍ ନୁହେଁ କି ? କେନ୍ଦ୍ରରେ  ଆପଣଙ୍କ ସରକାର ହେବା କ୍ଷଣି ଏହାକୁ ଭାଙ୍ଗି ଆନ୍ଧ୍ର ପ୍ରଦେଶକୁ ଓ୍ୱାଲଟିୟର ଡିଭିଜନ୍ ପ୍ରଦାନ କରିବା ନେଇ ନିଷ୍ପତ୍ତି ନିଆଯାଇଛି କି ନାହିଁ। ବର୍ତ୍ତମାନର ରେଳ ମନ୍ତ୍ରୀ ଓଡ଼ିଶାରୁ ରାଜ୍ୟସଭା ଯାଇଛନ୍ତି। ଓ୍ୱାଲଟିୟର ଡିଭିଜନ୍ ପୂର୍ବତଟ ରେଳପଥକୁ ଫେରାଇ ଆଣିବେ କି? କେନ୍ଦ୍ରରେ ହେଉ କି ଆନ୍ଧ୍ରରେ ସବୁଠି ଆପଣଙ୍କ ଡବଲ ଇଂଜିନ ସରକାର। ଓଡ଼ିଶାରେ ଡବଲ ଇଂଜିନ ସରକାର। ଯଦି ରାଜ୍ୟ କୈନ୍ଦ୍ରିକ ରେଳପାଠ ଜୋନ୍ ହେଉଛି ଦକ୍ଷିଣ-ପୂର୍ବ ରେଳବାଇରେ ଥିବା ଡିଭିଜନ ଗୁଡିକ ପୂର୍ବତଟ ରେଳବାଇରେ କାହିଁକି ସାମିଲ କରାଯାଉନାହିଁ? ଏନେଇ ଆପଣ ରେଳ ମନ୍ତ୍ରୀଙ୍କ ସହ ସିଧାସଳଖ କଥା ହୋଇ ରାଜ୍ୟବାସୀଙ୍କୁ ସ୍ପଷ୍ଟୀକରଣ ଦେଇ ପାରିବେ କି? କେବଳ ପୂର୍ବତଟ ରେଳପଥରୁ ୨୫ ହଜାର କୋଟି ଟଙ୍କା ଦେଉଛୁ। ତେଣୁ ରେଳ ବଜେଟ୍  ଜରିଆରେ ଅଳ୍ପ  କିଛି ଅନୁଦାନ ଦେଇ ବାହାସ୍ପୋଟ କାହିଁକି ମରାଯାଉଛି। ୟୁପିଏ ସରକାରଙ୍କ ନୀତି ଯୋଗୁ ବାଲେଶ୍ୱର, ବଲାଙ୍ଗୀର, ପୁରୀ, କଳାହାଣ୍ଡି, କୋରାପୁଟ, ସୁନ୍ଦରଗଡ଼, ତାଳଚେର, ବାରିପଦାରେ ମେଡିକାଲ କଲେଜ ସ୍ଥାପନ ହୋଇନାହିଁ କି? ଏହା ପରେ ଆପଣଙ୍କ ସରକାର ଦଶ ବର୍ଷରେ କଣ ନୂଆ ଘୋଷଣା କରିଛନ୍ତି କି? ଆଇଆଇଟି, ଏମ୍ସ,ନାଇଜର, ପାରାଦୀପ ରିଫାଇନାରୀ, ଆଇଆଇଟିଟିଏଏମ ୟୁପିଏର ଅବଦାନ ନୁହେଁ କି? ଲଗାତାର ତୃତୀୟ ଥର କ୍ଷମତାସୀନ ହୋଇଥିଲେ ବି ଆପଣଙ୍କ ସରକାର କଣ କରିଛନ୍ତି ଟିକେ ଗୃହରେ ସ୍ପଷ୍ଟ କରିବେ କି ବୋଲି କାଡାମ ପ୍ରଶ୍ନ କରିଥିଲେ।

ଅନୁରୂପ ଭାବେ ଖଣି ପ୍ରସଙ୍ଗରେ କାଡାମ କହିଥିଲେ ଯେ,ଦେଶରେ ଶତାବ୍ଦୀର ସବୁଠୁ ବଡ ଖଣି ଦୁର୍ନୀତି ଓଡ଼ିଶା ମାଟିରେ ହୋଇଥିଲା। ଖାଲି ଓଡ଼ିଶା ନୁହେଁ ଆଜ୍ଞା ଆପଣଙ୍କ ଜନ୍ମମାଟି କେନ୍ଦୁଝରରେ ହିଁ ହୋଇଥିଲା। ଜଷ୍ଟିସ୍ ଶାହା କମିଶନ ଆସି ଏହାର ତଦନ୍ତ କରି ସୁଦୀର୍ଘ ରିପୋର୍ଟ ଦେଇଥିଲେ। ଜରିମାନା ଲଗାଇଥିଲେ। କେଉଁମାନେ ଜରିମାନା ଖିଲାପକାରୀ ସେମାନଙ୍କ ତାଲିକା ଆପଣଙ୍କ ପାଖରେ ରହିଛି।  ସେମାନଙ୍କ ଜରିମାନା କାହିଁକି ଆଦାୟ କରାଯାଉନାହିଁ? ସେମାନଙ୍କ ମଧ୍ୟରୁ କିଏ ଲୁଟେରା, ତାହାର ଆପଣ ତାଲିକା କରିଥିବା ଘୋଷଣା କରିଥିଲେ। ସେମାନଙ୍କୁ ଖୁବ୍ ଶୀଘ୍ର ଜେଲ୍ ପଠାଇବେ। ହେଲେ ଝାରପଡା କିମ୍ବା କେନ୍ଦୁଝର ଜିଲ୍ଲାରେ ଆମେ କାହାରିକୁ ଦେଖି ପାରୁନୁ। କୋଇଲା ରୟାଲଟି ଆପଣ ସରକାର କାହିଁକି ଦଶ ବର୍ଷ ହେଲା ସଂଶୋଧନ କରୁନାହିଁ? ଶେଷଥର ପାଇଁ ୟୁପିଏ ରୟାଲଟି ସଂଶୋଧନ କରିଥିଲା। ସୁପ୍ରିମକୋର୍ଟ କହିବା ପରେ ସେସ୍ ଲାଗୁ ନେଇ ରାଜ୍ୟ ସରକାର କାହିଁକି ନିଷ୍ପତ୍ତି ନେଇ ପାରୁ ନାହାନ୍ତି। କେଉଁ କର୍ପୋରେଟ ସଂସ୍ଥା ଆମ ସରକାରଙ୍କ ହାତ ବାନ୍ଧି ରଖିଛନ୍ତି?  ପୂର୍ବ ସରକାର ଭଳି ବେଦାନ୍ତକୁ ବକ୍ସାଇଟ୍ ଟନ୍ ପିଛା ମାତ୍ର ୪୬୫ ଟଙ୍କାରେ କାହିଁକି ପ୍ରଦାନ କରାଯାଉଛି। ଏହି ବକସାଇଟରେ ବଜାର ମୂଲ୍ୟ ୬ରୁ ୭ ହଜାର ଟଙ୍କା।  ଏହି ପରି ଭାବେ ବର୍ଷକୁ ବେଦାନ୍ତ ୧୦୦୦ କୋଟି ଟଙ୍କା ଓଡ଼ିଶାର ରତ୍ନଭଣ୍ଡାର ଲୁଟ୍ କରୁନାହିଁ କି? ବକସାଇଟ୍ ଲୋପ ପାଇଲେ ଜଳ ଧାରଣ କ୍ଷମତା ଆମ ମାଟିର ହ୍ରାସ ପାଇବ ନାହିଁ କି? ଆମ ରତ୍ନଭଣ୍ଡାରକୁ ବେଦାନ୍ତ ଲୁଟ୍ କରୁଛି। ଆପଣ ତାହାକୁ ରୋକି ପାରିବେ କି? ବର୍ଷ ବର୍ଷ ଧରି ଖଣିଜ ଅଞ୍ଚଳରେ ଲୋକଟିଏ ପଟ୍ଟାଟିଏ ପାଇ ପାରୁ ନାହିଁ। ଦଳିତ ଲୋକଟିଏ ଜମି ପାଇବା ସାତ ସପନ ହୋଇଛି। ଅପରପକ୍ଷରେ ଗୋପାଳପୁର ଠାରୁ ଆରମ୍ଭ କରି ରାଜଧାନୀର ଶିଳ୍ପାଞ୍ଚଳରେ ଜମି ନେଇ ପୁଞ୍ଜିପତି ପକାଇ ରଖିଛନ୍ତି ନା ନାହିଁ? ଗୋପାଳପୁର ବନ୍ଦରକୁ ଜଣେ ନିର୍ଦ୍ଦିଷ୍ଟ ବ୍ୟବସାୟୀଙ୍କ ନାଁରେ କରିଦେବା ପାଇଁ ଏକ ଫାଇଲ ଆପଣଙ୍କ ଅଫିସକୁ ଆସିଛି ନା ନାହିଁ? ଓଏମସି ଖଣି ବାବଦରେ ୧୯ ପ୍ରତିଶତ ସେସ୍ ଦେଉଥିବା ଅନ୍ୟ ବହୁ ରାଷ୍ଟ୍ରୀୟ କମ୍ପାନୀ ମାତ୍ର ୯ ପ୍ରତିଶତ ସେସ୍ ଦେଉଛନ୍ତି କାହିଁକି ବୋଲି କାଡାମ ପ୍ରଶ୍ନ କରିଥିଲେ।

ଅନୁରୂପ ଭାବେ ମହାତ୍ମାଗାନ୍ଧୀ ଶହେ ବର୍ଷ ତଳେ ଓଡ଼ିଶାର ଗରିବୀକୁ ନେଇ ପ୍ରଶ୍ନ କରିଥିଲେ। ଗରିବୀ ଦେଖିବାକୁ ଓଡ଼ିଶାର ଉଦାହରଣ ଦେଇଥିଲେ। ଆଜି ସେହି ମହାତ୍ମାଙ୍କ ମନ୍ତବ୍ୟର ଶହେ ବର୍ଷ ପରେ ବି ଓଡ଼ିଶାର ଅବସ୍ଥା ସମାନ ପରିସ୍ଥିତି ଦେଇ ଗତି କରୁନାହିଁ କି? ଆପଣଙ୍କ ଜିଲ୍ଲାରେ ୮୦ ପ୍ରତିଶତ ଲୋକ ରାସନ କାର୍ଡ ଉପରେ ନିର୍ଭର କରନ୍ତିନି କି ? ଉପମୁଖ୍ୟମନ୍ତ୍ରୀ ଏବଂ ଖଣି ମନ୍ତ୍ରୀଙ୍କ ଜିଲ୍ଲାରୁ ସର୍ବାଧିକ ମାନବ ସମ୍ବଳ ଦାଦନ ବାହାରକୁ ଯାଉନାହାନ୍ତି କି?ଓଡ଼ିଶା କଣ ସ୍ୱତନ୍ତ୍ର ଅନୁଦାନ ପାଇବାକୁ ଯୋଗ୍ୟ ନୁହେଁ। ୨୦୧୪ ନିର୍ବାଚନ ଇସ୍ତାହାରରେ ଆପଣ କ୍ଷମତାକୁ ଆସିଲେ ରାଜ୍ୟକୁ ସ୍ୱତନ୍ତ୍ର ପାହ୍ୟା ଦେବା ପାଇଁ ଘୋଷଣା କରି ନ ଥିଲେ କି? ଆଜି ତ ଡବଲ ଇଂଜିନ୍ ସରକାର। ସ୍ୱତନ୍ତ୍ର ପାହ୍ୟା ନ ହେଲା ନାହିଁ, ସ୍ୱତନ୍ତ୍ର ଅନୁଦାନ ତ ପ୍ରଦାନ କରିପାରିବେ। ଏନେଇ କେଉଁ ଶକ୍ତି ଆପଣଙ୍କୁ ରୋକୁଛି?  ଅପରପକ୍ଷରେ ପେସା ଆଇନ୍ ଲାଗୁ କରିବା ନେଇ ଘୋଷଣା କରିଛନ୍ତି ସତ। ହେଲେ ଏହାକୁ ଚଳିତ ଅଧିବେଶନରେ କାହିଁକି ଅଣା ଗଲା ନାହିଁ। ଖାଲି ପେସା ଲାଗୁ କରି ଦେଲେ ହେବ ନାହିଁ।  ଦେଶର ଗଣତନ୍ତ୍ର ବ୍ୟବସ୍ଥାକୁ ତୃଣମୂଳରେ ପ୍ରତିଫଳିତ କରିବାକୁ ପଡିବ। ଏଦେଶର ପ୍ରଧାନମନ୍ତ୍ରୀ, ଏ ରାଜ୍ୟର ମୁଖ୍ୟମନ୍ତ୍ରୀ ଅନ୍ୟ ନିର୍ବାଚିତ ପ୍ରତିନିଧି ମାନଙ୍କ ଦ୍ୱାରା ପରୋକ୍ଷରେ ନିର୍ବାଚିତ ହେଉଛନ୍ତି। ତେଣୁ କେଉଁ ସ୍ୱାର୍ଥରେ ଜିଲ୍ଲା ପରିଷଦ, ପଞ୍ଚାୟତ ସମିତି ସଭ୍ୟ ଏବଂ ସରପଞ୍ଚ ନିର୍ବାଚନ ସିଧାସଳଖ କରାଯାଉଛି। ଏହି ପ୍ରକ୍ରିୟା ଗ୍ରାମାଞ୍ଚଳରେ କଳିର ମଞ୍ଜି ନୁହେଁ କି ?ଏଥିରେ ଆବଶ୍ୟକ ସଂଶୋଧନ ପ୍ରସ୍ତାବ ଆଣିପାରିବେ କି? ଅନୁରୂପ ଭାବେ ଛାତ୍ର ସଂସଦ ନିର୍ବାଚନ ଘୋଷଣା କରାଯାଉ । ଆବଶ୍ୟକ ସଂସ୍କାର ନେଇ ଏକ ବୈଠକ ଆହ୍ୱାନ କରାଯାଉ ବୋଲି ସେ ଦାବି କରିଥିଲେ।  ରାଜ୍ୟରେ ମଦ ବନ୍ଦ ନେଇ ଆପଣଙ୍କର ଦଳର ନେତାମାନେ କହି ବୁଲୁଥିଲେ। ହେଲେ ଭୋଟ ପରେ ମଦ ନୀତି ପ୍ରକାଶ ପାଇଲା ପଛେ ମଦ ବନ୍ଦ ହେଲା ନାହିଁ। ବରଂ ପୁରୀ ଭଳି ପବିତ୍ର ମହୋଦଧିରେ ମଦ ବିକ୍ରୟ ନେଇ ଆଇନ ହେଲା। ଏହା ଠାରୁ ବଳି ଲଜ୍ଜା ଆଉ କଣ ବା ହୋଇପାରେ। ତେଣୁ ଆସନ୍ତା ଅକ୍ଟୋବର ଦୁଇ ପବିତ୍ର ଗାନ୍ଧୀ ଜୟନ୍ତୀ ପୂର୍ବରୁ ରାଜ୍ୟରେ ସମ୍ପୂର୍ଣ୍ଣ ମଦ ନିଷେଧ କରାଯାଉ ବୋଲି ସେ ଦାବି କରିଥିଲେ ।ଶେଷରେ କୋଟିଆରେ ନିକଟରେ ଆନ୍ଧ୍ର ପ୍ରଶାସନ ସଭା କରିଥିଲା। ସେମାନଙ୍କୁ ନାନା ଫନ୍ଦି ଫିକର କରି ନିଜ ଆଡକୁ ଟାଣୁଛି। ସେଠି ଯାଇ ଆନ୍ଧ୍ର ଗୋ-ବ୍ୟାକ୍ କହିଦେଲେ ସମସ୍ୟାର ସମାଧାନ ହୁଏ ନାହିଁ। କେନ୍ଦ୍ରରେ ଆପଣ, ଆନ୍ଧ୍ରରେ ଆପଣ ଓଡ଼ିଶାରେ ଆପଣଙ୍କ ସରକାର। ତେଣୁ ଟ୍ରିପଲ ଇଂଜିନ ସରକାର ଦ୍ୱାରା ସମାଧାନ କରାଯାଉ। ଚନ୍ଦ୍ରବାବୁଙ୍କ ଉପରେ ଆପଣଙ୍କ କେନ୍ଦ୍ର ସରକାର ନିର୍ଭରଶୀଳ, ତେଣୁ ଆପଣଙ୍କ ସ୍ୱର ନରମି ନ ଯାଉ। ଅନୁରୂପ ଭାବେ ବେଦାନ୍ତ ନିଜ ନାଁରେ କରିଥିବା ଜମିର ମାଲିକାନା ତୁରନ୍ତ ପୁରୀବାସୀଙ୍କୁ ହସ୍ତାନ୍ତର କରୁ। ମହାନଦୀ ବିବାଦ ବି ସମାଧାନ ହେଉ। କାରଣ ସେଠି , ଏଠି ଆଉ କେନ୍ଦ୍ରରେ ଆପଣଙ୍କ ସରକାର। ଟ୍ରିପଲ ଇଂଜିନ ଦ୍ୱାରା ମହାନଦୀ ସମସ୍ୟାର ସମାଧାନ ହେଉ।

Leave a Reply

Your email address will not be published. Required fields are marked *