ମମତା ମହାନ୍ତଙ୍କ ଇସ୍ତଫା ଓ କୁଡୁମୀ ଆଦିବାସୀ ମାନ୍ୟତା ରାଜନୀତି

ଭୁବନେଶ୍ୱର : ବିଜେଡିରୁ ରାଜ୍ୟସଭା ଯାଇଥିବା ମମତା ମହାନ୍ତ ଗତକାଲି ନିଜ ପଦ ଓ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି। ଏହାକୁ ରାଜନୈତିକ ଭାବେ ଅନେକ ବିଶ୍ଳେଷଣ କରିଛନ୍ତି। ମାତ୍ର ମମତା ଆସୁଥିବା କୁଡୁମୀ ବର୍ଗର ଆକାଂକ୍ଷା ଓ ଆଗାମୀ ଦିନର ରାଜନୀତିକୁ ନେଇ ବୁଦ୍ଧିଜୀବୀ ବିଜୟ ସାହୁଙ୍କ ଏକ ଆଲେଖ୍ୟ ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରାଯାଇଛି। ଶ୍ରୀ ସାହୁ ଉଲ୍ଲେଖ କରିଛନ୍ତି ଯେ,  ମଣିପୁରରେ ଯେମିତି ଜାତିଗତ ବିଦ୍ୱେଷ ସଙ୍କଟ ସେମିତି ଏକ ସଂକଟର ବୀଜ ବ୍ରିଟିଶ ସମୟରୁ ଆଦିବାସୀ ଓ କୁଡୁମୀ ମହନ୍ତ ସମ୍ପ୍ରଦାୟ ମଧ୍ୟରେ ବପନ କରି ଦିଆ ଯାଇଥିଲା ।  ମହନ୍ତମାନେ ୧୯୫୦ ଦଶକରୁ ଆଦିବାସୀ ତାଲିକାରେ ଅନ୍ତର୍ଭୁକ୍ତ ହେବା ପାଇଁ ଦାବୀ କରି ଆସିଛନ୍ତି।ସେମାନଙ୍କ ଯୁକ୍ତି ହେଲା ସେମାନେ ୧୯୫୦ ପର୍ଯ୍ୟନ୍ତ ଆଦିବାସୀ ତାଲିକାରେ ଥିଲେ । କଥା ଟି ଅସତ୍ୟ ନୁହେଁ ସତ୍ୟ ବି ନୁହେଁ। ଏମାନଙ୍କର ବୃହତ ସଂଖ୍ୟା ଓଡ଼ିଶା, ପଶ୍ଚିମବଙ୍ଗ ଓ ଝାଡଖଣ୍ଡରେ ବାସ କରନ୍ତି । ୨୦୧୧ ଜନଗଣନା ଅନୁଯାୟୀ ଝାଡଖଣ୍ଡ ରେ ୭୨ ଲକ୍ଷ, ପଶ୍ଚିମ ବଙ୍ଗରେ ୩୦ ଲକ୍ଷ ଓ ଓଡ଼ିଶା ରେ ୨୫ ଲକ୍ଷ ମହନ୍ତ ଅଛନ୍ତି । ବର୍ତ୍ତମାନ ସେମାନେ ଅନ୍ୟାନ୍ୟ ପଛୁଆ ବର୍ଗ ( OBC ) ବର୍ଗରେ ରହିଛନ୍ତି । କିନ୍ତୁ ସେମାନେ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଦାବି କରିଥିଲେ ସମ୍ବିଧାନର  ଅନୁଛେଦ ୩୪୨ (ART – ୩୪୨ ) ଅନୁଯାୟୀ ଅନୁସୂଚିତ ଜନଜାତିର ମାନ୍ୟତା। ପ୍ରଧାନମନ୍ତ୍ରୀ ମଧ୍ୟ ସେମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ ।

ଆସନ୍ତୁ ଜାଣିବା କୁଡୁମୀ – ମହନ୍ତ ଦାବୀ ର ଇତିହାସ । ବମ୍ବେ ଆଇ ଆଇ ଟି ର ଜଣେ ଗବେଷକ କୁନାଲ ଶହଦେଓ ଲେଖିଛନ୍ତି , ୧୯୨୧ ଜନଗଣନା ପର୍ଯ୍ୟନ୍ତ କୁଡୁମୀମାନେ Animist & Tribals ଭାବରେ ରେକର୍ଡ ଭୁକ୍ତ ହେଇଥିଲେ । କିନ୍ତୁ ୧୯୩୧ଜନଗଣନାରେ ସେମାନଙ୍କୁ ଏହି ତାଲିକା ରୁ ବାଦ ଦିଆ ଯାଇଥିଲା । ଦ୍ୱିତୀୟ ବିଶ୍ୱଯୁଦ୍ଧ ଯୋଗୁଁ ୧୯୪୧ ଜନଗଣନା ହେଇ ନଥିଲା। ୧୯୫୦ ସମ୍ବିଧାନ କାର୍ଯ୍ୟକାରୀ ହେଲା ବେଳେ ସେମାନଙ୍କୁ ଆଦିବାସୀ ତାଲିକାରେ ରଖା ଯାଇ ନଥିଲା । ପରବର୍ତ୍ତୀ ସମୟରେ ସେମାନଙ୍କୁ ଅନ୍ୟାନ୍ୟ ପଛୁଆ ବର୍ଗରେ ରଖା ଗଲା । ଶହଦେଓ ଲେଖିଛନ୍ତି ” ନୃତତ୍ତ୍ୱ ଶାସ୍ତ୍ରୀ ( Anthropolist ) ସୁରେଶ ସିଂ ମତ ଦେଇଛନ୍ତି, କୁଡୁମୀମାନେ ମୂଳତଃ କୃଷି ଜୀବୀ ଓ ସାମାଜିକ -ଅର୍ଥନୈତିକ ଦିଗରୁ ଏକ ଶକ୍ତିଶାଳୀ ସମ୍ପ୍ରଦାୟ । ବହୁ କାଳ ପର୍ଯ୍ୟନ୍ତ ସେମାନେ ନିଜକୁ କ୍ଷତ୍ରିୟ ଭାବରେ ପରିଚୟ ଦେଉଥିଲେ । ସେମାନେ ୧୮୯୪ରେ ଅଖିଳ ଭାରତ କୁଡୁମୀ କ୍ଷତ୍ରିୟ ମହାସଭା ଗଠନ କରି ୧୯୩୦ ପର୍ଯ୍ୟନ୍ତ ସକ୍ରିୟ ଥିଲେ ।  ସେମାନେ ନିଜକୁ ମରାଠା ମହାରାଜା ଶିବାଜୀଙ୍କ ସହ ସଂଯୋଗ କରୁଥିଲେ । ଏହି କାରଣରୁ କୁଡୁମୀ ମହନ୍ତ ମାନଙ୍କର ଦ୍ରୁତ ହିନ୍ଦୁକରଣ ଘଟିଲା ଓ ନିଜର ଜନଜାତି ଷ୍ଟାଟସ ଦାବୀ ବସ୍ତୁତଃ ହରେଇ ବସିଲେ । ସୁତରାଂ ୧୯୩୧ ବେଳକୁ ଏମାନେ ଆଉ ଏକ ହିନ୍ଦୁ ଜାତି ଭାବରେ ରେକର୍ଡ ଭୁକ୍ତ ହେଇଗଲେ ।”

ସୁରେଶ ସିଂ ଙ୍କ ଅନୁସନ୍ଧାନ ତଥ୍ୟକୁ ଉଲ୍ଲେଖ କରି ସହଦେଓ ଲେଖିଛନ୍ତି “ଛୋଟ ନାଗପୁରରେ ମହତୋ -କୁର୍ମୀ ମହାସଭା ଆନ୍ଦୋଳନ ହେଲା ଓ ୧୯୬୯ରେ  ବିନୋଦ ବିହାରୀ ମାହତୋଙ୍କ ନେତୃତ୍ବରେ ଶିବାଜୀ ସମାଜ ଗଠନ ହେଲା ।  ୧୯୭୩ ରେ ଏହି ଗୋଷ୍ଠୀ ଅନ୍ୟାନ୍ୟ ଗୋଷ୍ଠୀ ସହ ମିଶି ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ପାର୍ଟି ଗଠନ କଲେ । ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ସ୍ୱତନ୍ତ୍ର ରାଜ୍ୟ ଦାବୀ କଲା ଓ ସମାନ୍ତରାଳ ଭାବରେ  ସତୁରୀ ଦଶକ ମଧ୍ୟ ଭାଗରେ କୁଡୁମୀମାନେ ଆଦିବାସୀ  ଷ୍ଟାଟସ ଦାବୀ କଲେ । ” କୁଡୁମୀ – ମହନ୍ତ ଆନ୍ଦୋଳନ ୨୦୨୨ରେ ଜୋର ଧରିଲା । ସେତେବେଳେ କେନ୍ଦ୍ର ସରକାର ଘୋଷଣା କଲେ ୫ ଟି ରାଜ୍ୟର କେତେକ ଅନୁସୂଚିତ ଜାତି ଙ୍କୁ ଅନୁସୂଚିତ ଜନଜାତି ( ଏସଟି )ବର୍ଗରେ ସାମିଲ କରିବେ । ୧୯୮୯ରେ ପୂର୍ଵ ସିଂହ ଭୂମି ଲୋକସଭା ନିର୍ବାଚନ ମଣ୍ଡଳୀ ରୁ ସାଂସଦ ଥିବା ଶୈଳେନ୍ଦ୍ର ମହାତୋ ୨୦୨୨ଆନ୍ଦୋଳନର ନେତୃତ୍ୱ ନେଇଥିଲେ । ତାଙ୍କର କ୍ଷୋଭ ହେଲା ଅର୍ଜ୍ଜନ ମୁଣ୍ଡା କେନ୍ଦ୍ରରେ ବାଜପେୟୀଙ୍କ ସରକାର ରେ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଥିବା ବେଳେ କୁଡୁମୀ ସମ୍ପ୍ରଦାୟକୁ ଅନୁସୂଚିତ ଜନଜାତି ତାଲିକାରେ ଅନ୍ତର୍ଭୁକ୍ତ କରିବା ପାଇଁ ଅସ୍ବୀକାର କଲେ, ଅଥଚ ସେ ଝାଡଖଣ୍ଡ ର ପ୍ରଥମ ଆଦିବାସୀ ମନ୍ତ୍ରୀ ବେଳେ ସୁପାରିଶ କରିଥିଲେ । ୨୦୨୨ ଆନ୍ଦୋଳନ ଆଲୋଚନା ପରେ ସ୍ଥଗିତ ଥିଲା । କିନ୍ତୁ ସେମାନେ ୨୦୨୩ ସୁଦ୍ଧା ଦାବି ପୂରଣ ନ ହେଲେ ପୁନର୍ବାର ଆନ୍ଦୋଳନକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ କରିବାକୁ ଚରମ ପତ୍ର ଦେଲେ । ଅନ୍ୟ ପକ୍ଷରେ ଅନ୍ୟ ଜଣେ ପୂର୍ବତନ ଆଦିବାସୀ ଏମ ପି  ଓ ଆଦିବାସୀ ସେଙ୍ଗେଲ ଅଭିଯାନ ନେତା ସାଲଖାନ ମୁର୍ମୁ କୁଡୁମୀ ଙ୍କ ଦାବୀ କୁ ବିରୋଧ କରି  ବେଙ୍ଗଲ ବନ୍ଦ ଡାକରା ଦେଇଥିଲେ । ଏହି ସଂଗଠନ ର ଯୁକ୍ତି ହେଲା କୁର୍ମୀ ମାନେ ଶକ୍ତିଶାଳୀ ବର୍ଗ ହେଇଥିବାରୁ ST ହେଲେ ପ୍ରକୃତ ST ଙ୍କ ସବୁ ସୁବିଧା ସେମାନେ କରାୟତ କରିବେ ।  ସେମାନେ ଶିକ୍ଷା, ଚାକିରୀ,ଆର୍ଥିକ ଓ ସାମାଜିକ, ରାଜନୈତିକ ପ୍ରତିନିଧିତ୍ୱ କ୍ଷେତ୍ରରେ ପ୍ରଭାବ ବିସ୍ତାର କରିବେ । ଝାଡଖଣ୍ଡକୁ ଆଉ ଏକ ମଣିପୁର କରିବା ପାଇଁ ଏହା ଏକ ସୁଚିନ୍ତିତ ଯୋଜନା ବୋଲି ସେମାନେ ଆଶଙ୍କା କରୁଛନ୍ତି । ଇତିମଧ୍ୟରେ ବୃହତ୍ତର ଝାଡଖଣ୍ଡ ଗଠନ ପାଇଁ ମଧ୍ୟ ସଙ୍ଘ ସମର୍ଥିତ କେତେକ ରାଜନୈତିକ ଶକ୍ତି ଦାବି ଉଠେଇଲେଣି । ଏଭଳି ପରିସ୍ଥିତିରେ ମମତା ମହନ୍ତ ଙ୍କ ବିଜେଡିରୁ ଇସ୍ତଫା  ଓ ବିଜେପିରେ ସାମିଲ ହେବା ଚର୍ଚ୍ଚା ସଙ୍ଘ ପରିବାର ର ଏକ ଦୀର୍ଘ ସୁତ୍ରୀ କାର୍ଯ୍ୟକ୍ରମ । ଆଶୁ ରାଜନୈତିକ ଉଦେଶ୍ୟ ହେଉଛି ରାଜ୍ୟ ସଭାରେ ବିଜେପିର ଓଡ଼ିଶାରୁ ଗୋଟିଏ ଆସନ ବୃଦ୍ଧି କରିବା , ଆଗାମୀ ଝାଡଖଣ୍ଡ ବିଧାନସଭା ନିର୍ବାଚନରେ ତାଙ୍କୁ ବ୍ୟବହାର କରିବା । କିନ୍ତୁ ଦୀର୍ଘ ସୁତ୍ରୀ ଯୋଜନା ହେଉଛି ମଣିପୁର ଭଳି ପରିସ୍ଥିତି ସୃଷ୍ଟି କରି ପ୍ରକୃତ ଜନଜାତିଙ୍କ ସଂରକ୍ଷଣକୁ ଖତମ କରିବା ଓ ପ୍ରକୃତ ସମାବେଶୀ ଆନ୍ଦୋଳନକୁ ଧ୍ୱଂସ କରିବା । ଜନତା ଜାଗ୍ରତ ନ ରହିଲେ ସେମାନେ ଖେଳ ଖେଳି ଦେବା ସୁନିଶ୍ଚିତ। ମମତା ଏବେ ସେମାନଙ୍କ ପଦ୍ମବ୍ୟୁହ ରେ ପଶି ଗଲେ ଓ କୁଡୁମୀ ସମାଜକୁ ଭଣ୍ଡେଇ ଦେଲେ ।।

Leave a Reply

Your email address will not be published. Required fields are marked *