ଚୌକିରେ ବସି ଭାଇରାଲ ହୋଇଗଲେ ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ , ଛିଡା ହୋଇ ଲୋକହସା ହେଲେ ବିଜେଡି ବିଧାୟକ ଓ ନେତା
ଭୁବନେଶ୍ୱର : ବିଜେଡି ବିଧାୟକ ରୋହିତ ପୂଜାରୀଙ୍କ ସମେତ କିଛି ଦଳୀୟ ନେତାଙ୍କ ଫଟୋ କିଛି ଦିନ ହେବ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି। ଏହି ଫଟୋଟିରେ କୌଣସି ଆପତ୍ତିଜନକ ନୁହେଁ। ବରଂ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ଥଟ୍ଟା କରୁଥିବା ଏକ ନିଦର୍ଶନ। କୌଣସି ଏକ ପ୍ରସଙ୍ଗରେ ଦାବି ପତ୍ର ଦେବା ସମୟରେ ବିଜେଡି ବିଧାୟକ ଏବଂ ନେତାମାନେ ଆଜ୍ଞାଧୀନ ଛାତ୍ର ଭାବେ ଛିଡ଼ା ହୋଇ ଥିବାର ଲକ୍ଷ୍ୟ କରାଯାଇଛି। ସେହିପରି ଅନନ୍ୟା ଦାସ, ଯିଏକି ସମ୍ବଲପୁର କଲେକ୍ଟର ରହିଛନ୍ତି, ସେ ନିଜ ଆସନରେ ବସି ରହି ଫଟୋ ପାଇଁ ପୋଜ୍ ଦେଇଛନ୍ତି। ଏହାକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି। କେତେଜଣ ଶାସକ ଦଳର ବିଧାୟକ ଏବଂ ଛାମୁଆ ନେତାମାନଙ୍କ ଅମଲାଙ୍କ ପ୍ରତି ଭୃତ୍ୟ ମାନସିକତା ବୋଲି ଉଲ୍ଲେଖ କରିଛନ୍ତି। ଅନ୍ୟ କେତେଜଣ ବିଜେଡି ନେତାମାନଙ୍କୁ ସମାଲୋଚନା କରିବା ସହ ଜିଲ୍ଲାପାଳଙ୍କ ଆଭିମୁଖ୍ୟ ଏବଂ କ୍ଷମତାର ଅହଂକାର ନେଇ ପ୍ରଶ୍ନ ଉଠାଇଛନ୍ତି।
ଏହି ସବୁ ମଧ୍ୟରେ ଯୁବ ସାମ୍ବାଦିକା ତଥା ସାମାଜିକ କର୍ମୀ ଗାର୍ଗୀ ଶତପଥୀଙ୍କ ପୋଷ୍ଟ ଭାଇରାଲ ହେବାରେ ଲାଗିଛି। ଗାର୍ଗୀ ନିଜ ଅଭିବ୍ୟକ୍ତିକୁ ପ୍ରକାଶ କରିବାକୁ ଯାଇ କୁହନ୍ତି ଯେ, ସମ୍ବଲପୁର ବିଜେଡ଼ିର ବଡ଼ ଶତ୍ରୁ ବିଜେପି କିମ୍ବା କଂଗ୍ରେସ ନୁହଁନ୍ତି ବରଂ ଜିଲ୍ଲାରେ ଅବସ୍ଥାପିତ ହେଉଥିବା ଆଇଏଏସ ମାନେ। ଗତ ୨୦୧୩ ରୁ ୨୦୧୯ ମଧ୍ୟରେ ଏଠାରେ ଅନେକ ନିର୍ମାଣ କାର୍ଯ୍ୟ ହେଲା । ମାତ୍ର ଜାଣିଶୁଣି ଜନପ୍ରତିନିଧି ମାନଙ୍କୁ ଗୌଣ କରାଯାଇ କ୍ରେଡିଟ୍ ଜିଲାପାଳ ମାନଙ୍କୁ ଦିଆଗଲା। ଜିଲାପାଳ ଏବଂ ବରିଷ୍ଠ ଓଏଏସ ଅଧିକାରୀଙ୍କ କ୍ଷମତା ଏବଂ ଗୁରୁତ୍ଵ ବିଜେଡ଼ି ଜନ ପ୍ରତିନିଧି ଙ୍କ ଠାରୁ ଅଧିକ ରହିଲା। ଏହାର ପରିମାଣ ସ୍ଵରୂପ ଜିତିବା ଆସନ ସମ୍ବଲପୁର ଏବଂ ରେଙ୍ଗାଲି ବିଧାନସଭାରେ ବିଜେଡ଼ି ହାରିଲା। ରେଢ଼ାଖୋଲ ଜିତିବା ପାଇଁ ମଧ୍ୟ ଅପର୍ଯ୍ୟାପ୍ତ ଟଙ୍କା ଖର୍ଚ୍ଚ କରିବାକୁ ପଡିଲା। ୨୦୧୯ରୁ ଯେଉଁ ଦୁଇ ଜଣ ଜିଲାପାଳ ଏଠି ରହିଲେଣି ସେମାନଙ୍କ ବ୍ୟବହାର ଏମିତି ହେଉଛି ଯେ ବିଜେଡ଼ି ଜନପ୍ରତିନିଧି ଏବଂ ନେତା କେବଳ ଲୋକହସା ହେଉଛନ୍ତି । ଏମାନଙ୍କ ଅହଙ୍କାର ଏତିକି ଯେ, ପୂର୍ବତନ ମନ୍ତ୍ରୀ ଏବଂ ବର୍ତ୍ତମାନ ର ବିଧାୟକ ଙ୍କୁ ବସିବା ପାଇଁ ଚୌକି ଟିଏ ତ ଦେଉ ନାହାନ୍ତି ବିଧାୟକ ଏବଂ ସବୁ ବରିଷ୍ଠ ନେତା ମିଶି ଦାବିପତ୍ର ଦେବା ବେଳକୁ ଛିଡା ହୋଇ ଦାବିପତ୍ର ଗ୍ରହଣ ର ସାମାନ୍ୟ ସୌଜନ୍ୟ ବି ରହୁ ନାହିଁ ବୋଲି ସାମ୍ବାଦିକା ଜଣଙ୍କ ଉଲ୍ଲେଖ କରିଛନ୍ତି। ଗାର୍ଗୀ ଆହୁରି କହିଛନ୍ତି ଯେ, ଜିଲ୍ଲାପାଳ ବଡ଼ କିନ୍ତୁ ନିର୍ବାଚନ ଆସିଲାଣି, ଆପଣ ଙ୍କ ଅଧିକାରୀ ନୂହେଁ ଆପଣ ହିନସ୍ତା କରୁଥିବା ନେତା ମାନେ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହେବେ। ସେମାନେ ଜିତିଲେ ତ ଆପଣଙ୍କର କ୍ଷମତା ରହିବ ନ ଚେତ କେବଳ ଚାକିରୀ ଥିବ କିନ୍ତୁ କ୍ଷମତା ରେ ନ ଥିବେ।