ଓଡ଼ିଆ ଅସ୍ମିତାକୁ ଝାଡ଼ଖଣ୍ଡୀ ମାଡ଼….କି କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ମୋହନ…ତାହା ଉପରେ ରହିବ ନଜର …..

ଭୁବନେଶ୍ୱର/ପୁରୀ : ରାଜ୍ୟପାଳ ପଦରୁ ବିଦା ହୋଇ ପାରନ୍ତି ରଘୁବର ଦାସ। ନିଜ ପୁଅଙ୍କ କଳାକରାନାମା ରଘୁବରଙ୍କ ଆଗାମୀ ଦିନର ରାଜନୈତିକ ଆକାଂକ୍ଷା ଉପରେ ରୋକ୍ ଲଗାଇପାରେ। ରଘୁବରଙ୍କ ପୁଅଙ୍କ ନାମରେ ଆସିଥିବା ଅଭିଯୋଗ ଯଦି ସତ ହୋଇଥାଏ, ତେବେ ଏହା ଅତ୍ୟନ୍ତ ସମ୍ବେଦନଶୀଳ ପ୍ରସଙ୍ଗ। ରଘୁବର ଦାସଙ୍କ ପୁଅ ଲଳିତ କୁମାରଙ୍କ ବିରୁଦ୍ଧରେ ଆସିଛି ଏକ ସଙ୍ଗୀନ ଅଭିଯୋଗ । ନିଜର ୫ଜଣ ସହଯୋଗୀଙ୍କ ସହ ମିଶି ବିଳମ୍ବିତ ରାତ୍ରିରେ ଓଡ଼ିଶା ସଚିବାଳୟ ସେବାର ଜଣେ କର୍ତ୍ତବ୍ୟରତ ଅଫିସର ବୈକୁଣ୍ଠନାଥ ପ୍ରଧାନଙ୍କୁ ମରଣାନ୍ତକ ଆକ୍ରମଣ କରି ଲଲିତ ଲହୁଲୁହାଣ କରିଛନ୍ତି । ଏନେଇ ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଶାଶ୍ୱତ ମିଶ୍ରଙ୍କୁ ଗତ ଜୁଲାଇ ୮ତାରିଖ ଅପରାହ୍ନ ସାଢ଼େ ୪ଟାରେ ମୌଖିକ ଅବଗତ କରି ନ୍ୟାୟ ପାଇଁ ଗୁହାରି କରିଥିଲେ ମଧ୍ୟ କିଛି ସୁଫଳ ନମିଳିବାରୁ ଗତକାଲି(ଜୁଲାଇ ୧୦)ରେ ପୁଣିଥରେ ଶ୍ରୀ ପ୍ରଧାନ ଲିଖିତ ଅଭିଯୋଗ କରିଥିବା ଜଣାପଡ଼ିଛି । ସେ ଲେଖିଥିବା ଚିଠି ଏବେ ସାର୍ବଜନୀନ ହେବା ସହ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି।

ଚିଠିକୁ ଅନୁଧ୍ୟାନ କରିବା ପରେ ଜଣା ପଡିଛି ଯେ, ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ଲଳିତ କୁମାରଙ୍କ ମରଣାନ୍ତକ ଆକ୍ରମଣର ଶିକାର ହୋଇଥିବା ନେଇ ଓଡ଼ିଶା ସଚିବାଳୟ ସେବାର ଅଧିକାରୀ ବୈକୁଣ୍ଠନାଥ ପ୍ରଧାନ ନିଜେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ଶ୍ରୀ ପ୍ରଧାନ ଏନେଇ ରାଜ୍ୟପାଳଙ୍କ ପ୍ରମୁଖ ସଚିବଙ୍କୁ ଲିଖିତ ଭାବେ ଅଭିଯୋଗ କରିବା ପରେ ଘଟଣା ପଦାକୁ ଆସିଛି । ଶ୍ରୀ ପ୍ରଧାନ ମଧ୍ୟ ଓଡ଼ିଶାର ପ୍ରମୁଖ ଗଣମାଧ୍ୟମ ସଂସ୍ଥାର ଡିଜିଟାଲ ବିଭାଗକୁ ପ୍ରତିକ୍ରିୟା ଦେଇ ଅଭିଯୋଗ ଉପରେ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିବା ଉଲ୍ଲେଖ କରିଛନ୍ତି। ବର୍ତ୍ତମାନ ସେ ନ୍ୟାୟ ପାଇବା ପାଇଁ ପରବର୍ତ୍ତୀ ପଦକ୍ଷେପ ସମ୍ପର୍କରେ ସେ ଆଇନଗତ ପରାମର୍ଶ ଲୋଡ଼ୁଥିବା ମଧ୍ୟ ଜଣାପଡିଛି। ଶ୍ରୀ ପ୍ରଧାନ ଏବେ ସଂସଦୀୟ ବ୍ୟାପାର ବିଭାଗରେ ନିଯୁକ୍ତ ପାଇଛନ୍ତି ଓ ଡେପୁଟେସନରେ ରାଜଭବନର ହାଉସହୋଲଡ ସେକ୍ସନରେ ଏଏସଓ(ଆସିଷ୍ଟାଣ୍ଟ ସେକ୍ସନ ଅଫିସର) ଭାବେ କାର୍ଯ୍ୟରତ ଅଛନ୍ତି । ରାଜ୍ୟପାଳଙ୍କ ପ୍ରମୁଖ ସଚିବଙ୍କୁ ଦେଇଥିବା ଲିଖିତ ଅଭିଯୋଗରେ ଶ୍ରୀ ପ୍ରଧାନ ଦର୍ଶାଇଛନ୍ତି ଯେ, ପୁରୀ ରାଜଭବନରେ ଜୁଲାଇ ୭ତାରିଖ ରାତିରେ ରାଜ୍ୟପାଳଙ୍କ ପୁଅ ଲଳିତ କୁମାର ଓ ତାଙ୍କର ଅନ୍ୟ ୫ଜଣ ସହଯୋଗୀ ମିଳିତ ଭାବେ ତାଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜୁଲାଇ ୭ ଓ ୮ ତାରିଖ ପୁରୀ ଗସ୍ତକୁ ଦୃଷ୍ଟିରେ ରଖି ତାଙ୍କର ରାଜଭବନ ରହଣୀର ପ୍ରସ୍ତୁତି ତଦାରଖ ପାଇଁ ସେ(ପୁରୀ ରାଜଭବନର ଇନଚାର୍ଜ ଭାବେ) ଗତ ୫ତାରିଖରୁ ପୁରୀରେ ରହିଥିଲେ । ୭ ତାରିଖରେ ରାଷ୍ଟ୍ରପତିଙ୍କ ଗସ୍ତ ବେଶ୍ ଭଲରେ ସମ୍ପାଦନ ହୋଇଥିଲା । କିନ୍ତୁ ସେହି ରାତି ପ୍ରାୟ ୧୧ଟା ୪୫ମିନିଟରେ ସେ ରାଜଭବନସ୍ଥିତ ଅଫିସ ରୁମରେ ବସିଥିବାବେଳେ ରାଜ୍ୟପାଳଙ୍କ ବ୍ୟକ୍ତିଗତ ରୋଷେୟା ଆକାଶ ସିଂ ତାଙ୍କ ପାଖକୁ ଆସି ଲଳିତ କୁମାର ଡାକୁଥିବା କହିଥିଲେ । ରାଜଭବନର ସୁଇଟ ନମ୍ବର-୪ରେ ରହୁଥିବା ଲଳିତଙ୍କୁ ଭେଟିବାକୁ ସେ ଯାଇଥିଲେ କିନ୍ତୁ ତାଙ୍କୁ ଦେଖୁଦେଖୁ ଲଳିତ ଉତକ୍ଷିପ୍ତ ହୋଇ ଅତ୍ୟନ୍ତ ଅଶାଳୀନ ଭାଷାରେ ବଡ଼ ପାଟିରେ ଗାଳିଗୁଲଜ କରିଥିଲେ । ତାଙ୍କର ଏଭଳି ଆଚରଣକୁ ପ୍ରତିବାଦ କରିବାରୁ ଲଳିତ ତାଙ୍କୁ ଚାପୁଡ଼ା ମାରିବା ଆରମ୍ଭ କରିଥିଲେ ବୋଲି ଶ୍ରୀ ପ୍ରଧାନ ଅଭିଯୋଗ କରିଛନ୍ତି । ନିଜକୁ ଅସହାୟ ମଣି ସେ ଉକ୍ତ ରୁମରୁ ଦୌଡ଼ି ପଳାଇ ଆସି ଆନେକ୍ସ ବିଲିଡିଂରେ ଲୁଚି ରହିବାକୁ ଚେଷ୍ଟା କରିଥିଲେ । ମାତ୍ର ଲଳିତଙ୍କର ଦୁଇଜଣ ପିଏସଓ ତାଙ୍କୁ ଖୋଜି ପୁଣିଥରେ ଲଳିତଙ୍କ ପାଖକୁ ଟେକି ନେଇଯାଇଥିଲେ ଆଉ ସେଠାରେ ତାଙ୍କ ମୁହଁକୁ ଚାପୁଡ଼ା,ମୁଥ ସହ ଶରୀରର ବିଭିନ୍ନ ଭାଗକୁ ଗୋଇଠା ମାରିଥିଲେ ଏବଂ ଲଳିତ ତାଙ୍କୁ ହତ୍ୟା ପାଇଁ ଧମକ ଦେବା ସହ କେହିବି ତାଙ୍କୁ ବଂଚାଇ ପାରିବେ ନାହିଁ ବୋଲି ଚେତାବନୀ ଦେଇଥିବା ନେଇ ଶ୍ରୀ ପ୍ରଧାନ ଅଭିଯୋଗ କରିଛନ୍ତି । ଏହି ସମସ୍ତ ଘଟଣା ସମ୍ପର୍କରେ ଶ୍ରୀ ପ୍ରଧାନ ଜୁଲାଇ ୮ତାରିଖ ଅପରାହ୍ନ ସାଢ଼େ ୪ଟାରେ ମୌଖିକ ଭାବେ ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଶାଶ୍ୱତ ମିଶ୍ରଙ୍କୁ ଅବଗତ କରିଥିବା ତାଙ୍କ ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି । ତେଣୁ ଏସମସ୍ତ ଘଟଣା ପ୍ରତି ଦୃଷ୍ଟି ଦେଇ ତାଙ୍କୁ ନ୍ୟାୟ ଦେବା ସହ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଶ୍ରୀ ପ୍ରଧାନ ଦାବି କରିଛନ୍ତି ।
