ସମ୍ବାଦ କାର୍ଯ୍ୟକ୍ରମରୁ ସୌମ୍ୟ ଉଭାନ,ହେଲେ କାହିଁକି ସେ ଏପରି କଲେ…

ଭୁବନେଶ୍ୱର- ସମ୍ବାଦର କାର୍ଯ୍ୟକ୍ରମ ହେବ। ହେଲେ ସୌମ୍ୟ ରଞ୍ଜନ ପଟ୍ଟନାୟକ ଉପସ୍ଥିତ ରହିବେ ନାହିଁ। ଏକଥା ସାଧାରଣ ସମ୍ବାଦ ପ୍ରେମୀ ଏବଂ ପଟ୍ଟନାୟକ ପରିବାର ଶୁଭେଚ୍ଛୁ କଳ୍ପନା କରି ନ ପାରନ୍ତି। ମାତ୍ର ସେପରି ଏକ ଘଟଣା ଘଟିଯାଇଛି। ସମ୍ବାଦର ଚାଳିଶ ତମ ସ୍ୱନକ୍ଷତ୍ର ଅବସରରେ ଏହାର ପ୍ରତିଷ୍ଠାତା ସମ୍ପାଦକ ସୌମ୍ୟ ରଞ୍ଜନ ପଟ୍ଟନାୟକ ଉପସ୍ଥିତ ରହି ନ ଥିଲେ। ଦୁଇ ଦିନ ପୂର୍ବରୁ ସମ୍ବାଦର ନୂଆ ସମ୍ପାଦିକା ଭାବେ ତାଙ୍କ କନ୍ୟା ତନୟା ପଟ୍ଟନାୟକ ଦାୟିତ୍ୱ ଗ୍ରହଣ ସାରିଛନ୍ତି। ମାତ୍ର ବିଦାୟୀ ସମ୍ପାଦକୀୟ ବକ୍ତବ୍ୟ ପ୍ରଦାନ କରିବାର ଏହି ଶ୍ରେଷ୍ଠ ମୂହୁର୍ତ୍ତକୁ ସେ କାହିଁକି ହାତଛଡା କଲେ, ସେ ନେଇ କଳ୍ପନା ଜଳ୍ପନା ଲାଗି ରହିଛି।
ଗତକାଲି ବିରୋଧି ଦଳ ନେତା ଜୟ ନାରାୟଣ ମିଶ୍ର କହିଥିଲେ ଯେ, ସୌମ୍ୟ ରଞ୍ଜନ ପଟ୍ଟନାୟକ ଅମିତ ଶାହାଙ୍କୁ ଭେଟିଥିବା କଥା ସେ ଶୁଣିଛନ୍ତି। ଉଭୟଙ୍କ ମଧ୍ୟରେ ରାଜ୍ୟର ସାମ୍ପ୍ରତିକ ରାଜନୈତିକ ପରିସ୍ଥିତି ନେଇ ଆଲୋଚନା ହୋଇଛି। ତେଣୁ ସମ୍ପାଦକ ଦାୟିତ୍ୱରୁ ଅବ୍ୟାହତି ନେଇ ଶ୍ରୀ ପଟ୍ଟନାୟକ ସିଧାସଳଖ ରାଜନୀତିକୁ ଓହ୍ଲାଇ ପାରନ୍ତି ବୋଲି ଆଲୋଚନା ହେଉଛି। ଦଶହରା ପରେ ଏନେଇ ସ୍ପଷ୍ଟତା ଆସିପାରେ । ସୌମ୍ୟ ଜାତୀୟ ବିଜେପି ନେତୃତ୍ୱର ବହୁତ ନିକଟତର ହୋଇଗଲେଣି। ତେଣୁ ଆଗାମୀ ଦିନରେ ସୌମ୍ୟଙ୍କ ରାଜନୈତିକ କାର୍ଯ୍ୟକଳାପ ଉପରେ ସମସ୍ତଙ୍କ ନଜର ରହିବ। ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଅନୁରାଗ ଠାକୁର ଯୋଗ ଦେଇଥିଲେ।