ସୌମ୍ୟଙ୍କୁ ସହାୟ ହେଲେ ଧର୍ମେନ୍ଦ୍ର, ଅନୁରାଗ ଠାକୁରଙ୍କୁ ଅତିଥି କରି ରାଜ୍ୟ ସରକାରଙ୍କୁ ଦମ୍ ଦେଖାଇଲେ

ଭୁବନେଶ୍ୱର : ଜଣେ ହାତ ଛାଡିଲେ। ଜଣେ ହାତ ଧରିଲେ। ଭୁବନେଶ୍ୱର ଦୂରେଇଲା, ନୂଆଦିଲ୍ଲୀ କୋଳେଇଲା। ହଁ ପାଠକେ ବନ୍ଧୁ ଆମେ ସୌମ୍ୟ ରଞ୍ଜନ ପଟ୍ଟନାୟକ ଏବଂ ତାଙ୍କ ଗଣମାଧ୍ୟମ ସଂସ୍ଥା କଥା କହୁଛୁ। କିଛି ଦିନ ତଳେ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୌମ୍ୟଙ୍କ ସଂସ୍ଥାଙ୍କୁ ବିଜ୍ଞାପନ ମିଳୁ ନ ଥିବା ଅଭିଯୋଗ ହୋଇ ଆସୁଛି। ମାତ୍ର ଏହି ସମୟରେ କେନ୍ଦ୍ରରେ ବିଜେପି ନେତୃତ୍ୱାଧିନ ଏନଡିଏ ସରକାରଙ୍କ ବିଜ୍ଞାପନ ସୌମ୍ୟଙ୍କ ସଂସ୍ଥା ପ୍ରତି ଜାରି ରହିଛି। ଏହି ପରିସ୍ଥିତି ମଧ୍ୟରେ ସମ୍ବାଦର ବାର୍ଷିକ ଉତ୍ସବ ଅକ୍ଟୋବର ୪ ତାରିଖରେ ପଡୁଛି। ମାତ୍ର ଏହାକୁ ଦିନକ ପୂର୍ବରୁ ଅର୍ଥାତ ଅକ୍ଟୋବର ୩ ତାରିଖରେ ପାଳନ କରାଯିବ। କାରଣ ଏହି ଦିନ କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଯୋଗ ଦେବା ପାଇଁ ସମୟ ଦେଇଛନ୍ତି। ତେଣୁ ରାଜ୍ୟ ସରକାର ସୌମ୍ୟଙ୍କ ହାତ ଛାଡିଛିବା ବେଳେ କେନ୍ଦ୍ର ସରକାର ପୂର୍ବାପେକ୍ଷା ଅଧିକ ସମର୍ଥନ ପ୍ରଦାନ କରିଛନ୍ତି।
ଗତ ସାଧାରଣ ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାର ଏବଂ ବିଜେପି ବିଜ୍ଞାପନରୁ କିଛିମାତ୍ରାରେ ବଞ୍ଚିତ କରାଯାଇଥିଲା। ଏହା ପରେ ସୌମ୍ୟ ରଞ୍ଜନ ପଟ୍ଟନାୟକ ସମ୍ବାଦ ସମ୍ପାଦକୀୟ ଆମ ଘର ହାଲଚାଲରେ ମୋଦିଙ୍କ ଉଚ୍ଚତା କେତେ ଶୀର୍ଷକ ଏକ ଲେଖା ଲେଖିଥିଲେ। ମାତ୍ର ନିର୍ବାଚନ ଫଳାଫଳ ପରେ ପୁଣି ବିଜେପି ସହ ସମ୍ପର୍କ ସୁଧାର ଆସିଥିଲା। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ସୁଧାର ପ୍ରକ୍ରିୟାରେ ସୌମ୍ୟଙ୍କୁ ସହଯୋଗ କରିଥିଲେ।