ମୋକ୍କିମ, ଚିରଞ୍ଜୀବଙ୍କ ପାଇଁ ବାହାରିଲେ ସମର୍ଥନ, ଜୋର ଧରିଲା ନିଲମ୍ବନ ପ୍ରତ୍ୟାହାର ଦାବି

ଭୁବନେଶ୍ୱର :   ସେ ଦିନ ଭୁବନେଶ୍ୱରର  ଜୟଦେବ ଭବନରେ  କଂଗ୍ରେସ ଦଳ ବିରୋଧରେ କୌଣସି ଆଲୋଚନା ହୋଇ ନ ଥିଲା। ତାହାକୁ କଦର୍ଥ କରି ହାଇକମାଣ୍ଡ ଆଗରେ ପରିବେଷଣ କରାଯାଇଛି। | ମହମ୍ମଦ ମୋକ୍କିମ ବିନା କଟକରେ କଂଗ୍ରେସକୁ ମହଙ୍ଗା ପଡିବ | ମୋକିମଙ୍କ ପାଇଁ ୪୦ ବର୍ଷ ପରେ କଟକକୁ କଂଗ୍ରେସ ବିଧାୟକ ପଦ ଆସିଥିଲା | ସମସ୍ତ ମହାନଗରରେ କଂଗ୍ରେସ ଶୂନ ଥିବା ବେଳେ ଚଳିତ ନିର୍ବାଚନରେ କଟକରେ ମୋକିମଙ୍କ ଯୋଗୁଁ କଂଗ୍ରେସର ୧୦ ଜଣ କର୍ପୋରେଟର ଜିତି ପାରିଥିଲେ।  ତେଣୁ ନିଲମ୍ବନ ନିଷ୍ପତ୍ତି ତୁରନ୍ତ ପ୍ରତ୍ୟାହାର ହେଉ ବୋଲି କଂଗ୍ରେସ ନେତ୍ରୀ ଗିରିବାଳା ବେହେରା ଦାବି କରିଛନ୍ତି।

  ଏହି ପ୍ରସଙ୍ଗରେ ଗୁରୁବାର ଖବରଦାତା ସମ୍ମିଳନୀ କରି ନିଲମ୍ବନ ଉଠାଇବାକୁ ଦାବି କରିଛନ୍ତି ମୋକିମ ଓ ଚିରଞ୍ଜୀବ ବିଶ୍ୱାଳଙ୍କ ସମର୍ଥକ | କଂଗ୍ରେସର ପୂର୍ବତନ ମୁଖପାତ୍ର ଗୋବିନ୍ଦ ଭୂୟାଁ କୁହନ୍ତିଯେ,  ଅନ୍ୟ ରାଜ୍ୟରେ କଂଗ୍ରେସ ବଢୁଥିବା ବେଳେ ଓଡିଶାରେ କଂଗ୍ରେସ ଖସି ଚାଲିଛି | କଂଗ୍ରେସକୁ ମଜଭୂତ କରିବାରେ ମୋକିମଙ୍କ ଭୂମିକା ରହିଛି | ଚିରଞ୍ଜୀବ ମଧ୍ୟ ନିର୍ବାଚନ ଜିତି ବିଧାନସଭାରେ ପ୍ରତିନିଧିତ୍ୱ କରିଛନ୍ତି | ବିନା କାରଣରେ ପିସିସି ସଭାପତି ଶରତ ପଟ୍ଟନାୟକ ଦୁଇ ନେତାଙ୍କୁ ନିଲମ୍ବନ ପାଇଁ ଏଆଇସିସି କୁ ସୁପାରିଶ କରିଛନ୍ତି ଯାହା ଅନେକଙ୍କୁ ମର୍ମାହତ କରିଛି | କଂଗ୍ରେସ ପାଇଁ ବିଜେଡିକୁ ପରାହତ କରିବା ପାଇଁ ସୁଯୋଗ ଥିଲେ ମଧ୍ୟ ଆଜି କଂଗ୍ରେସ ଅସମର୍ଥ ବୋଲି ଭୂୟାଁ କହିବା ସହ ଭାବବିହ୍ୱଳ ହୋଇ ପଡିଥିଲେ।

 ସେହିପରି ପୂର୍ବତନ ଉପସଭାପତି ସାବିତ୍ରୀ ଚୌଧୁରୀ କହିଛନ୍ତି ଯେ ଶୃଙ୍ଖଳା କମିଟିରେ ଆଲୋଚନା ହୋଇନି | କେବଳ ରାଉରକେଲାରେ ହୋଇଥିବା ଗଣ୍ଡଗୋଳ ଓ ଝାରସୁଗୁଡାରେ ହୋଇଥିବା ସାମ୍ବାଦିକ ସମ୍ମିଳନୀ ବିଷୟରେ ଆଲୋଚନା ହୋଇଥିଲା | ମୋକିମ ଓ ଚିରଞ୍ଜୀବଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଶୃଙ୍ଖଳା କମିଟି ସୁପାରିଶ କରି ନ ଥିଲା  ବୋଲି କହି ସାବିତ୍ରୀ ଚୌଧୁରୀ ସାମଗ୍ରିକ ଘଟଣାକୁ ନୂଆ ରୂପ ଦେଇଛନ୍ତି|

Leave a Reply

Your email address will not be published. Required fields are marked *