UGC Regulation Row : Supreme Court ଟିପ୍ପଣୀ ପରେ କ’ଣ ହେବ?
ନୂଆଦିଲ୍ଲୀ : (ବିଜୟ ସାହୁ)-Promotion of Equity in Higher Education Regulation ,2026 କାର୍ଯ୍ୟକାରୀ ଘୋଷଣା ହେବା ପରେ ଉଚ୍ଚବର୍ଣ ସବର୍ଣ୍ଣ ଛାତ୍ର ଓ ଅଭିଭାବକଙ୍କ ମଧ୍ୟରେ ବିତର୍କ ଆରମ୍ଭ ହେଉଛି ।ଏହି ମାର୍ଗଦର୍ଶିକା ସମ୍ପର୍କରେ ବିସ୍ତୃତ ଚର୍ଚ୍ଚା ହେଇ ନଥିବାରୁ ଉତ୍ତର ଭାରତ ରେ ବିଶେଷ ଭାବରେ ପ୍ରତିକ୍ରିୟା ସୃଷ୍ଟି ହେଉଛି । ହୁଏତ ଭିପି ସରକାର ଅମଳରେ ମଣ୍ଡଳ କମିଶନ ସୁପାରିଶ ଆଂଶିକ ଭାବରେ ଲାଗୁବେଳେ ଯେମିତି ହିଂସାତ୍ମକ ପରିସ୍ଥିତି ସୃଷ୍ଟି ହେଇଥିଲା ବର୍ତ୍ତମାନ ସେଭଳି ଅବସ୍ଥା ନ ହେବ କେହି କହି ପାରିବା ନାହିଁ । ତେଣୁ ଏହା ଉପରେ ସଠିକ ଚର୍ଚ୍ଚା ହେବା ଦରକାର ।
ରେଗୁଲେଶନ 1(b) ଅନୁଯାୟୀ ଏହା ଦେଶର ସମସ୍ତ ଉଚ୍ଚତ୍ତର ଶିକ୍ଷା ସଂସ୍ଥାନ ପାଇଁ ଲାଗୁ ହେବ ।
ଧର୍ମ,ଜାତି,ଜାତୀୟତା,ଲିଙ୍ଗ, ଜନ୍ମଗ୍ରହଣ କରିଥିବା ସ୍ଥାନ କିମ୍ବା ଭିନ୍ନକ୍ଷମଙ୍କ ପ୍ରତି ଭେଦଭାବ ନିରୋଧ କରି ସମସ୍ତ ହିତାଧିକାରୀଙ୍କ ପାଇଁ ଏକ ନିରାପଦ,ଅବାଧ ଓ ସହାୟକମୂଳକ ଶୈକ୍ଷିକ ପରିବେଶ ସୁନିଶ୍ଚିତ ହେବ । ଏହି ରେଗୁଲେଶନ ରେ ସମ୍ପୂର୍ଣ୍ଣ ନିଷ୍ପକ୍ଷତା ଓ ସମାବେଶୀ ଲକ୍ଷ୍ୟରେ ଏସସି,ଏସଟି,ଓବିସି ,
ଇଡବ୍ଲୁଏସ ଓ ଶାରୀରିକ ବିକଳାଙ୍ଗଙ୍କୁ ପ୍ରାଥମିକତା ପ୍ରଦାନ କରାଯିବ ।
ସମସ୍ତ ଛାତ୍ର ଓ ଷ୍ଟାଫଙ୍କ ପାଇଁ ଉପରୋକ୍ତ ଲକ୍ଷ୍ୟକୁ ସୁନିଶ୍ଚିତ କ୍ଷେତ୍ରରେ ଉଚ୍ଚଶିକ୍ଷା ସଂସ୍ଥାନ ଦାୟୀ ରହିବେ । ପ୍ରତ୍ୟେକ ବ୍ୟକ୍ତି ବିରୁଦ୍ଧରେ ଜାତି,ଧର୍ମ,ଲିଙ୍ଗ, ଭାଷା, ଜାତୀୟତା କିମ୍ବା ଶାରୀରିକ ବିକଳାଙ୍ଗଭିତ୍ତିକ ବିଦ୍ଵେଷକୁ ସମ୍ପୂର୍ଣ୍ଣ ବିଲୋପ କରିବା ପାଇଁ ଉଚ୍ଚ ଶିକ୍ଷା ସଂସ୍ଥାନ ସୁରକ୍ଷା ଓ ପ୍ରତିଷେଧକମୂଳକ ପଦକ୍ଷେପ ନେବାରେ ନିରନ୍ତର ସକ୍ରିୟ ରହିବେ । ଏହି ସବୁ ରେଗୁଲେଶନ କାର୍ଯ୍ୟକାରୀ
ସଂସ୍ଥାନର ମୁଖ୍ୟଙ୍କ ପ୍ରାଥମିକ ଦାୟିତ୍ୱ ରହିବ ଓ ଏହାକୁ ସଠିକ ଭାବରେ କାର୍ଯ୍ୟକାରୀ କରିବା କ୍ଷେତ୍ରରେ ସଂସ୍ଥାନ ମୁଖ୍ୟଙ୍କ ସମ୍ପୂର୍ଣ୍ଣ କ୍ଷମତା ରହିବ ।
ଏହି ରେଗୁଲେଶନରେ 24×7 Equity Helpline ବ୍ୟବସ୍ଥା ରହିଛି । ଅଭିଯୋଗଗୁଡିକର ଗୋପନୀୟତା ଗ୍ୟାରେଣ୍ଟି ରହିବ ।
EOC କ୍ୟାମ୍ପସ ସଂଗଠନ ହେବ ।
ପ୍ରତ୍ୟେକ ଉଚ୍ଚଶିକ୍ଷା ସଂସ୍ଥାନ EOC ଗଠନ କରିବେ । ସେମାନଙ୍କ ଦାୟିତ୍ୱ ଗୁଡିକ ମଧ୍ୟ ଉଲ୍ଲେଖ କରା ଯାଇଛି ।
EOC କୁ ସହଯୋଗ କରିବା ପାଇଁ ଗୋଟିଏ ତଦନ୍ତ କମିଟି ଗଠନ ହେବ ।ଏଥିରେ ସିନିୟର ଅଧ୍ୟାପକ,ଗୈର ଶିକ୍ଷଣ କର୍ମଚାରୀ, ନାଗରିକ ସମାଜ ବିଶେଷଜ୍ଞ,ଛାତ୍ର ପ୍ରତିନିଧି,ପ୍ରତିକୁଳ ଅବସ୍ଥାରେ ଥିବା ଗୋଷ୍ଠୀ ସମେତ ମହିଳା ଓ ଶାରୀରିକ ବିକଳାଙ୍ଗ ସଭ୍ୟ ରହିବେ ।
ପ୍ରତ୍ୟେକ ବିଭାଗ,ସ୍କୁଲ,ହଷ୍ଟେଲ ଓ ଫାସିଲିଟି ରେ ଜଣେ Equity Ambassador ରହିବେ । ସଂସ୍ଥାନ କ୍ୟାମ୍ପସର ଅସୁରକ୍ଷିତ ସ୍ଥଳ କୁ ନିରନ୍ତର ମନିଟରିଂ ପାଇଁ Equity Squards, ଭ୍ରାମ୍ୟମାଣ ଗୋଷ୍ଠୀ ରହିବେ ।
ସଂସ୍ଥାନ ନାମଲେଖା,ହଷ୍ଟେଲ ବଣ୍ଟନ ପ୍ରଦାନ,ଶ୍ରେଣୀ ଗୃହ ଚୟନ,ପ୍ରଶାସନିକ ଓ ଏକାଡେମିକ ଚୟନରେ ସାଧୁତା ଅବଲମ୍ବନ କରିବେ ।
ରେଗୁଲେଶନର 7(a) ଅନୁଯାୟୀ ପ୍ରତ୍ୟେକ ଛାତ୍ର, ଅଧ୍ୟାପକ ଗୋଷ୍ଠି ଓ କର୍ମଚାରୀ, ଆଡ଼ମିଶନ, ନବୀକରଣ କିମ୍ବା ଯୋଗଦେବା ବେଳେ ଘୋଷଣା ନାମା ଦାଖଲ କରିବେ । ସେମାନେ କୌଣସି ପ୍ରକାର ଭେଦଭାବରେ ସମ୍ପୃକ୍ତ ନ ହେବା ପାଇଁ ଏହି ଲିଖିତ ପ୍ରତିଶ୍ରୁତି ସମସ୍ତଙ୍କ ପାଇଁ ବାଧ୍ୟତାମୂଳକ ।
ଅଭିଯୋଗ ଦାଖଲ ଅନ ଲାଇନ, ଲିଖିତ , ଇମେଲ ଅଥବା ହେଲ୍ପ ଲାଇନରେ ହେଇ ପାରିବ ।
ଏହି ଅଭିଯୋଗ ବିଚାର ପାଇଁ କମିଟି ଅଭିଯୋଗ ମିଳିବା 24 ଘଣ୍ଟା ମଧ୍ୟରେ ବୈଠକ କରିବେ ଓ ଏହାର ତଥ୍ୟକୁ 15 ଦିନ ମଧ୍ୟରେ ରିପୋର୍ଟ କରିବେ । ସଂସ୍ଥାନର ମୁଖ୍ୟ 7 ଦିନ ମଧ୍ୟରେ ପଦକ୍ଷେପ ଗ୍ରହଣ କରିବେ । ଅଭିଯୋଗ ଶିର୍ଷ ଅଧିକାରୀ( Ombudusperson) ନିକଟରେ 30 ଦିନ ଭିତରେ ଅପିଲ କରା ଯାଇ ପାରିବ ।
ଯେଉଁ ଅଭିଯୋଗଗୁଡିକ ଅପରାଧିକ ବର୍ଗର ହେଇଥିବ ସେଗୁଡିକ ତୁରନ୍ତ ପୋଲିସ କର୍ତ୍ତୃପକ୍ଷଙ୍କ ନିକଟକୁ କାର୍ଯ୍ୟାନୁଷ୍ଠାନ ପାଇଁ ପଠେଇ ଦିଆ ଯିବ ।
ରେଗୁଲେଶନର ଅନୁଛେଦ10 ଅନୁଯାୟୀ ୟୁଜିସି ଜାତୀୟ ସ୍ତରରେ ଗୋଟିଏ ପର୍ଯ୍ୟବେକ୍ଷଣ କମିଟି ଗଠନ କରିବେ ।
ଏହି କମିଟି ରେଗୁଲେଶନ କାର୍ଯ୍ୟକାରିତା ଉପରେ ସମୀକ୍ଷା, କ୍ୟାମ୍ପସ ଭ୍ରମଣ,ସୁଧାରାତ୍ମକ ପଦକ୍ଷେପ ସୁପାରିଶ କରିବେ ଓ ବାରମ୍ବାର ଘଟୁଥିବା ଭେଦଭାବ ଘଟଣା ଉପରେ ନିଷ୍ପତ୍ତି ଗ୍ରହଣ କରିବେ ।
ଉଚ୍ଚଶିକ୍ଷା ସଂସ୍ଥାନ ରେଗୁଲେଶନ ଗୁଡିକୁ ପାଳନ କରିବାରେ ବିଫଳ ହେଲେ ରେଗୁଲେଶନର ଅନୁଛେଦ 11 ଅନୁଯାୟୀ ୟୁଜିସି ପଦକ୍ଷେପ ଗ୍ରହଣ କରିବେ ।
ଏହା ହେଉଛି ୟୁଜିସି ସ୍କିମରୁ ବଞ୍ଚିତ କରିବା, ଡିଗ୍ରୀ ପ୍ରଦାନ କ୍ଷମତା ଉପରେ ପ୍ରାବନ୍ଧ, ମୁକ୍ତ ଓ ଦୂର ଶିକ୍ଷା/ଅନଲାଇନ କାର୍ଯ୍ୟକ୍ରମ ଉପରେ ପ୍ରତିବନ୍ଧ, ୟୁଜିସିର ଧାରା 2(f) ଓ 12(B) ତାଲିକାରୁ ପ୍ରତ୍ୟାହାର ଓ ଅତିରିକ୍ତ ଶାସ୍ତି ବିଧାନ କରି ପାରିବେ ।
ମୂଳତଃ ସାଧାରଣ ବର୍ଗରୁ ଯେଉଁ ଅଭିଯୋଗ ଆସିଛି Equity Committee ର ପ୍ରତିନିଧିତ୍ୱକୁ ନେଇ । ଏଥିରେ ସାଧାରଣ ଓ
ଅସଂରକ୍ଷିତ ବର୍ଗ କଥା ଉଲ୍ଲେଖ ନାହିଁ । ଦ୍ଵିତୀୟ ଅଭିଯୋଗ ହେଉଛି ମିଥ୍ୟା ଅଭିଯୋଗ ପାଇଁ ଦଣ୍ଡ ବ୍ୟବସ୍ଥା ସମ୍ପର୍କରେ ସ୍ପଷ୍ଟ କରା ଯାଇନାହିଁ ଯାହାଦ୍ୱାରା ରେଗୁଲେଶନ ର ଅପବ୍ୟବହାର ହେବ ବୋଲି ସନ୍ଦେହ ରହୁଛି ।
କିନ୍ତୁ ପୂରା ରେଗୁଲେଶନକୁ ବିଚାର କଲେ ଆଶଙ୍କାର କାରଣ କିଛି ନାହିଁ ।କିନ୍ତୁ ଏହି ରେଗୁଲେଶନ ଲାଗୁ କରିବା ପୂର୍ବରୁ ବିସ୍ତ୍ରୁତ ଭାବରେ ପ୍ରତ୍ୟେକ ବର୍ଗ ସହ ଆଲୋଚନା କରିବା ଉଚିତ ଥିଲା । କେବଳ ବିଶେଷ ବର୍ବ ପ୍ରତି Priority ଶବ୍ଦ ଅର୍ଥ ନୁହେଁ ଅନ୍ୟ ବର୍ଗ ପ୍ରତି ଭେଦଭାବ । ସମ୍ବିଧାନରେ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି ।
କିନ୍ତୁ ଏହାକୁ ନେଇ ଏତେ ହୋ ହାଲ୍ଲା ପ୍ରଥମେ ମିଡିଆ ଦ୍ଵାରା ଆରମ୍ଭ ହେଇଛି ଓ କିଛି କିଛି ଉଚ୍ଚବର୍ଗ ପଦପଦବୀଧାରୀଙ୍କ ଦ୍ୱାରା ଚର୍ଚ୍ଚା କରା ଯାଉଛି ।
ଦସ୍ତୋଭସ୍କି ଓ ମାର୍କ ଟୁଇନଙ୍କ ଭଳି ଲେଖକଙ୍କ ଗୋଟିଏ ମଜାଳିଆ ଉକ୍ତି ଏଠାରେ ମନେ ପଡୁଛି । The Elephant in the room .
ସେମାନେ ଏହି ଉକ୍ତି ଉଲ୍ଲେଖ କରିବା ଉଦ୍ଦେଶ୍ୟ ଥିଲା କୌଣସି ଜଟିଳ ପରିସ୍ଥିତି କିମ୍ବା ସ୍ୱାଭାବିକ ସମସ୍ୟା ସମ୍ପର୍କରେ ଆଲୋଚନା କରିବା ପାଇଁ ଲୋକେ ଡରନ୍ତି ।
ବର୍ତ୍ତମାନ ୟୁଜିସି ସଦ୍ୟତମ ମାର୍ଗଦର୍ଶିକା ଆସିବା ପରେ ଭେଦଭାବ ସମ୍ପର୍କରେ ରହି ଆସିଥିବା ତଥାକଥିତ ଅଜ୍ଞାତ ହାତୀ ବାହାରକୁ ବାହାରି ଆସିଛି । ଯେଉଁମାନେ କେବେ ବି ଭେଦଭାବ ରହିଛି ବୋଲି ସ୍ୱୀକାର କରନ୍ତି ନାହିଁ, ଅଥବା ବିଷୟଟିକୁ ଗୋଳିଆ କରନ୍ତି ସେମାନେ ଭାବୁଛନ୍ତି କାଳେ ସେମାନଙ୍କ ଲାଡ଼ଲାମାନେ ଅଡ଼ୁଆରେ ପଡିବେ ଯଦି ରେଗୁଲେଶନକୁ ଠିକ ଠିକ କାର୍ଯ୍ୟକାରୀ କରାଯାଏ ।
2012 ମସିହାରେ ୟୁଜିସି ଉଚ୍ଚ ଶିକ୍ଷାନୁଷ୍ଠାନରେ ଜାତିଭିତ୍ତିକ ଭେଦଭାବ ରୋକିବା ପାଇଁ ଆନୁଷ୍ଠାନିକ ରେଗୁଲେଶନ କାର୍ଯ୍ୟକାରୀ କରିଥିଲେ । କିନ୍ତୁ ଏହା ସତ୍ତ୍ୱେ ବିଶେଷ ସୁଫଳ ମିଳି ନଥିଲା । କେବଳ 2019-20 ଓ 2023-34 ରେ ରିପୋର୍ଟ ହେଇଥିବା ଭେଦଭାବ ଘଟଣା 118.4%ବୃଦ୍ଧି ପାଇଥିବାରୁ ବିଭିନ୍ନ ବର୍ଗରେ ଚର୍ଚ୍ଚା ହେଇଥିଲା । ବିଚାରାଳୟ ପର୍ଯ୍ୟନ୍ତ ମଧ୍ୟ ଯାଇଛି ।2026 ର ରେଗୁଲେଶନ ଏହି ପ୍ରେକ୍ଷାପଟରେ ୟୁଜିସି ଜାରୀ କରିଛନ୍ତି ।
ପ୍ରଥମ କଥା ହେଉଛି ଭାରତ ସରକାର ଅନ୍ତତଃ ସ୍ୱୀକାର କରିଛନ୍ତି ଯେ ଏବେ ବି ଜାତିଭିତ୍ତିକ ଭେଦଭାବ ସମେତ ଅନ୍ୟାନ୍ୟ ଭେଦଭାବ ରହିଛି । ଅନ୍ୟଥା ବର୍ତ୍ତମାନ ଯେଭଳି ୟୁଜିସିର ଗଠନ ସ୍ଥିତି ରହିଛି ଓ ସରକାରଙ୍କ ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ସବୁକିଛି ହେଉଛି ସେତେବେଳେ 2026 ଜାନୁଆରୀ ରେଗୁଲେଶନ ଲାଗୁ କରି ନଥାନ୍ତେ । ଏହା ଭିତରେ ମୋଦୀ ସରକାରଙ୍କ ରାଜନୀତି ରହିଛି ତାହା କେହି ଅସ୍ବୀକାର କରନ୍ତି ନାହିଁ ।
ଜାତି ଆଧାରରେ ଭେଦଭାବ ସର୍ବଦା ହେଉଛି ଏକଥା ଆମକୁ ସ୍ୱୀକାର କରିବାକୁ ହେବ । ଏହା ହଜାର ବର୍ଷ ତଳୁ ଚାଲି ଆସିଛି । ତେଣୁ ଏହି ଜାତି ଭେଦଭାବ କିପରି ରୋକା ଯାଇ ପାରିବ ଏହା ଉପରେ ଚର୍ଚ୍ଚା ଜରୁରୀ । ଏହି ଚର୍ଚ୍ଚା କେବେ ସବର୍ଣ୍ଣ ଲୋକେ କରି ନାହାଁନ୍ତି, କିମ୍ବା କେବେ ଆନ୍ଦୋଳନ କରି ନାହାନ୍ତି । ଯାହା କିଛି ପ୍ରତିବାଦ ଆନ୍ଦୋଳନ ହେଇଛି ତାହା ଏସ ଟି, ଏସ ସି ଓ ଓବିସି ଲୋକ କରିଛନ୍ତି । ସାଧାରଣ ବର୍ଗଙ୍କ ବିରୁଦ୍ଧରେ ଯଦି କେତେବେଳେ କଥା ଉଠୁଛି ତାହା ଏଇଥି ପାଇଁ ଉଠୁଛି ଯେହେତୁ ସେମାନେ ଜାତି ଆଧାରରେ ଭେଦଭାବ କରିଥାନ୍ତି । ଏହା ବିରୁଦ୍ଧରେ 1950 ମସିହାରୁ ଯେଉଁ ସାମ୍ବିଧାନିକ ବ୍ୟବସ୍ଥା ରହିଛି ତାହା ବି ମାନନ୍ତି ନାହିଁ । ତେଣୁ ଯେଉଁମାନେ ଜାତି ଭେଦଭାବ କରିବେ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେବା ଦରକାର । ଏବଂ ନିୟମ ଅନୁଯାୟୀ ହେବା ଜରୁରୀ । ପ୍ରଥମରୁ ଏସ ସି /ଏସ ଟି ଆଇନ ପ୍ରଣୟନ ହେଇଥିଲା । ବର୍ତ୍ତମାନ ଓବିସି ସମେତ ଅନ୍ୟ କେତେକ ବର୍ଗଙ୍କୁ ଶିକ୍ଷା ସଂସ୍ଥାନ କ୍ଷେତ୍ରରେ ଭେଦଭାବ ଯୋଗୁଁ ଯୋଡା ଯାଇଛି । ଇଡ଼ବ୍ଲ୍ୟୁଏସ କଣ ସାଧାରଣ ବର୍ଗର ନୁହଁନ୍ତି କି ? ଶାରୀରିକ ବିକଳାଙ୍ଗ କଣ ସାଧାରଣ ବର୍ଗରେ ନାହାନ୍ତି କି ?ମହିଳା କଣ ସାଧାରଣ ବର୍ଗରେ ନାହାନ୍ତି କି ? ଜନ୍ମସ୍ଥାନ ପ୍ରଶ୍ନ ସମସ୍ତ ଙ୍କ ପାଇଁ ପ୍ରଯୁଜ୍ୟ ନୁହେଁ କି ?
ଉତ୍ତର ପୂର୍ଵ ଛାତ୍ରଛାତ୍ରୀ ଭେଦଭାବ ର ଶିକାର ହେଉ ନାହାନ୍ତି କି ? ଭାଷା ଚିହ୍ନି ଭେଦଭାବ ହେଉ ନାହିଁ କି ?
ଧର୍ମ ଭେଦଭାବ ନ କହିଲେ ଭଲ କଥା ।
ସୁତରାଂ, ରେଗୁଲେଶନ ଉପରେ ସଠିକ ଚର୍ଚ୍ଚା ହେଉ । ଯଦି କିଛି ସଂଶୋଧନ ଦରକାର ତାହା କରାଯାଉ । କିନ୍ତୁ ଏହାକୁ ପୁରା ବାତିଲ ନହେଉ । ଏହା କଲେ କୌଣସି ଆଇନ କରି ହେବ ନାହିଁ । ତେଣୁ ଏହାକୁ କିପରି ସଠିକ ଓ ନିଷ୍ପକ୍ଷ ଭାବରେ କାର୍ଯ୍ୟକାରୀ କରା ଯାଇ ପାରିବ ତା ଉପରେ ଚର୍ଚ୍ଚା ହେଉ ।
