ପିସିସିକୁ ଚକମା ଦେଇ ପୁଅଙ୍କ ବିଜେଡ଼ି ଟିକେଟ୍ ଫାଇନାଲ କରିଦେଲେ ସୁର…ଅସୁବିଧା ହେଲେ ବିଜେପି ଦ୍ୱାର ବି ଖୋଲା..

ଭୁବନେଶ୍ୱର:କଂଗ୍ରେସ ନେତା ସୁର ରାଉତରାୟ ନିଜ ଯୋଜନାରେ ସଫଳ ହେଲେ। ବର୍ତ୍ତମାନ ରାଉତରାୟ ପରିବାରରେ ଖୁସି ଖେଳି ଯାଇଛି। କଂଗ୍ରେସରେ ରହି ପୁଅର ବିଜେଡି ଟିକେଟ୍ ନିଶ୍ଚିତ କରାଇଦେଲେ। ଶୁକ୍ରବାର ରାଜ୍ୟ କଂଗ୍ରେସ ପକ୍ଷରୁ ମନ୍ମଥଙ୍କୁ ନିଲମ୍ବନ ପରେ ଏହା ସ୍ପଷ୍ଟ ହୋଇଯାଇଛି। ସୁରଙ୍କ ନିକଟ ସମ୍ପର୍କୀୟଙ୍କ କହିବାନୁଯାୟୀ, ରାଜନୀତି ଅପେକ୍ଷା ସୁର ରାଉତରାୟ ବ୍ୟବସାୟକୁ ଗୁରୁତ୍ୱ ଦେଇଥାନ୍ତି। କାରଣ ବାଣିଜ୍ୟେ ବସତେ ଲକ୍ଷ୍ମୀ। କଂଗ୍ରେସ ସରକାର ସମୟରେ କରିଥିବା ସଂସ୍ଥାକୁ ନିୟମିତ ଚଳାଇବା ପାଇଁ ସରକାରଙ୍କ ସହଯୋଗ ଜରୁରୀ। ତେଣୁ କଂଗ୍ରେସ ଏବେ ତୃତୀୟ ସ୍ଥାନରେ ରହିଛି। ତେଣୁ ବିଜେଡିରେ ରହିଲେ ବେପାର ସହ ରାଜନୀତି ହୋଇପାରିବ। ମାତ୍ର ପୁଅ ସିଧାସଳଖ ବିଜେଡି ଯାଇଥିଲେ ସୁରଙ୍କ ଭାବମୂର୍ତ୍ତି ଖରାପ ହୋଇଥିଲ ବୋଲି ସେ କହିଛନ୍ତି।

ମାତ୍ର କଂଗ୍ରେସର ନିଲମ୍ବନ ଏବଂ ତତକ୍ଷଣାତ କଂଗ୍ରେସରୁ ଲଢିବାର ପ୍ରଶ୍ନ ଉଠୁନାହିଁ ବୋଲି କହି ମନ୍ମଥ ନିଜ ଆଭିମୁଖ୍ୟ ଜଣାଇଦେଲେ। ବିଜେଡି ଏବଂ ବିଜେପି ସହ ମନ୍ମଥ ଯୋଗାଯୋଗରେ ରହିଛନ୍ତି। ବିଜେଡି ମନ୍ମଥଙ୍କ ପ୍ରଥମ ପସନ୍ଦ ହୋଇଥିବା ବେଳେ ବିଜେପି ଦ୍ୱିତୀୟ ପସନ୍ଦ ହୋଇଛି। ସୁର ଚିରାଚରିତ ଭାବେ କଂଗ୍ରେସରେ ରହି ଆଗଭଳି ବାଇଟ୍ ଦେବେ। ମାତ୍ର ନବୀନ ପଟ୍ଟନାୟକ , ଭି.କେ ପାଣ୍ଡିଆନ୍ , ଅପରାଜିତା ଷଡଙ୍ଗୀ, ଅଶ୍ୱିନୀ ବୈଷ୍ଣବ ଏବଂ ଧର୍ମେନ୍ଦ୍ର ପ୍ରଧାନଙ୍କୁ କିଛି କହିବେ ନାହିଁ ବୋଲି ପାରିବାରିକ ନିଷ୍ପତ୍ତି ହୋଇଛି। :
