ଏହି ବାପ ପୁଅ ଯୋଡ଼ି ଉପରେ ରହିବ ନଜର…….
ଭୁବନେଶ୍ୱର : କିଛି ମାସ ପରେ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏହି ନିର୍ବାଚନରେ ଅନେକ ରାଜନୈତିକ ପରିବାର ପକ୍ଷରୁ ଏକାଧିକ ସଦସ୍ୟ ମଇଦାନକୁ ଓହ୍ଲାଇବାର ସମ୍ଭାବନା ରହିଛି। ଗତଥର ବାପ-ପୁଅ, ବାପ-ଝିଅ, ଦାଦା-ପୁତୁରା ଏବଂ ଭାଇ-ଭାଇ ଯୋଡି ଗୋଟିଏ ଦଳରୁ ଦୁଇଟି ଭିନ୍ନଭିନ୍ନ ଆସନରେ ଲଢିଥିଲେ। ହେଲେ ସେମାନଙ୍କ ମଧ୍ୟରୁ ତିନୋଟି ପରିବାର ସଫଳ ହୋଇଥିଲେ। ଏହି ମାନେ ହେଉଛନ୍ତି- ନବରଙ୍ଗପୁର ଲୋକସଭାରୁ ରମେଶ ମାଝୀ, ଝରି ଗାଁରୁ ତାଙ୍କ ଭାଇ ପ୍ରକାଶ ମାଝୀ, ବରଗଡ଼ରୁ ଦେବେଶ ଆଚାର୍ଯ୍ୟ ଏବଂ ବଲାଙ୍ଗୀରରୁ ନରସିଂହ ମିଶ୍ର। ବରଗଡ଼ଲୋକସଭାରୁ ଦେବେଶଙ୍କ କକା ପ୍ରସନ୍ନ ଆଚାର୍ଯ୍ୟ ଏବଂ ବଲାଙ୍ଗୀର ଲୋକସଭାରୁ ନରସିଂହଙ୍କ ପୁତ୍ର ସମରେନ୍ଦ୍ର ମିଶ୍ର ହାରି ଯାଇଥିଲେ।
ମିଳିତ ଭାବେ ପରାଜୟର ସ୍ୱାଦ ଚାଖିଥିବା ନେତାଙ୍କ ମଧ୍ୟରେ ତତ୍କାଳୀନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ତାଙ୍କ ବ୍ୟବସାୟୀ ପୁତ୍ର ନବଜ୍ୟୋତି ପଟ୍ଟନାୟକ। କଂଗ୍ରେସ ନେତା ଭକ୍ତ ଦାସ ଏବଂ ତାଙ୍କ ପୁତ୍ର ସାଗର ଚରଣ ଦାସ। କଂଗ୍ରେସ ନେତା ଅନନ୍ତ ସେଠୀ ତାଙ୍କ ଝିଅ ମଧୁସ୍ମିତା ସେଠୀ ଏବଂ ବଲାଙ୍ଗୀର ଲୋକସଭାରୁ କଳିକେଶ ସିଂଦେଓ ଏବଂ ବିଧାନସଭାରୁ ଅର୍କେଶ ସିଂ ଦେଓ । ଆଗାମୀ ସାଧାରଣ ନିର୍ବାଚନରେ ନରସିଂହ ମିଶ୍ର ନିର୍ବାଚନ ଲଢିବେ ନାହିଁ ବୋଲି ଘୋଷଣା କରିଛନ୍ତି। ଗୋଟିଏ ପରିବାରରୁ ଦୁଇ ଭାଇଙ୍କୁ ଟିକେଟ୍ ମିଳିବା ଜଣା ପଡୁନାହିଁ। ମାତ୍ର ତିନି ବାପ-ପୁଅ ଯୋଡିଙ୍କୁ ୨୦୨୪ରେ ଦେଖିବାକୁ ମିଳିବ ବୋଲି ରାଜନୈତିକ ସମୀକ୍ଷକମାନେ ଦୃଢ ନିଶ୍ଚିତ ବୋଲି ଜଣାପଡିଛି।
ନିରଞ୍ଜନ ପଟ୍ଟନାୟକ ପୁନର୍ବାର ଭଣ୍ଡାରୀପୋଖରୀରୁ ଛିଡା ହେବାର ସମ୍ଭାବନା ରହିଛି। ସେହିପରି ଏଆଇସିସି ନେତା ଜିତେନ୍ଦ୍ର ସିଂ ଏବଂ ପ୍ରଭାରୀ ଚେଲ୍ଲା କୁମାରଙ୍କୁ ଆର୍ଥିକ ସହାୟତା ପ୍ରଦାନ କରି ନବଜ୍ୟୋତି ପଟ୍ଟନାୟକ ବାଲେଶ୍ୱର ଲୋକସଭା ଟିକେଟ୍ ହାତେଇବେ ବୋଲି ଜଣାପଡିଛି। ତେଣୁ ବାପ-ପୁଅ ଯୋଡି ଭାବେ ଏହା ଶେଷ ଲଢେଇ ହୋଇପାରେ ବୋଲି କୁହାଯାଇଛି। ଦ୍ୱିତୀୟରେ କେନ୍ଦ୍ରାପଡ଼ା ଜିଲ୍ଲାର ପାଟକୁରା ଏବଂ ମହାକାଳପଡ଼ାରୁ ଯଥାକ୍ରମେ ଅରବିନ୍ଦ ମହାପାତ୍ର ଏବଂ ବିଜୟ ମହାପାତ୍ର ଲଢିବେ। ହେଲେ କେଉଁ ଦଳରୁ ଲଢିବେ, ତାହା ଜଣାପଡିନାହିଁ। ବର୍ତ୍ତମାନ ବିଜୟ ବିଜେପି ଦଳରେ ରହିଛନ୍ତି। ମଣ୍ଡଳ କମିସନ ସମୟରେ ସେ ଏହାକୁ ଦୃଢ ବିରୋଧ କରିଥିଲେ। ବିଜୁ ପଟ୍ଟନାୟକ ସାମାଜିକ ନ୍ୟାୟ ଅଭିଯାନ ରାସ୍ତାରେ ଯେପରି ନ ଯିବେ, ତାହାର ସୁବନ୍ଦୋବସ୍ତ କରାଇଥିଲେ। ତେଣୁ ମଣ୍ଡଳ ଚାଳିସା ଗାଉଥିବା ଖଡଗେ ଏବଂ ରାହୁଲ ଗାନ୍ଧୀ ବିଜୟ ମହାପାତ୍ର ଏବଂ ତାଙ୍କ ପୁଅଙ୍କୁ ଟିକେଟ୍ ଆଗଭର ହୋଇ ଦେବେ କି ନାହିଁ, ତାହା ସମୟ କହିବ। କଳାହାଣ୍ଡି ଲୋକସଭାରୁ ପ୍ରାର୍ଥୀ ହୋଇଥିବା ଭକ୍ତ ଚରଣ ଦାସ ଚଳିତ ଥର ନର୍ଲା ବିଧାନସଭା କିମ୍ବା କନ୍ଧମାଳ ଲୋକସଭାରୁ ପ୍ରାର୍ଥୀ ହେବାକୁ ଚିନ୍ତା କରୁଛନ୍ତି। ତାଙ୍କ ପୁଅ ସାଗର ଦାସ ଭବାନୀ ପାଟଣା କିମ୍ବା କଳାହାଣ୍ଡି ଲୋକସଭାରେ ପ୍ରାର୍ଥୀ ହେବାର ମଧ୍ୟ ଯଥେଷ୍ଟ ସମ୍ଭାବନା ରହିଛି।