ଚେଲ୍ଲା କୁମାରଙ୍କ ପରେ ଏହି ବ୍ୟକ୍ତିଙ୍କୁ ଓଡ଼ିଶା ପ୍ରଭାରୀ କରିବାକୁ ଚାହୁଁଛି ଏଆଇସିସି

ଭୁବନେଶ୍ୱର : ଖୁବ୍ ଶୀଘ୍ର ଅଖିଳ ଭାରତୀୟ କଂଗ୍ରେସ କମିଟି ପକ୍ଷରୁ ୯ଟିରୁ ୧୦ଟି ରାଜ୍ୟର ପିସିସି ପ୍ରଭାରୀ ତାଲିକା ପ୍ରକାଶ ପାଇବାକୁ ଯାଉଛି। ଏହି କ୍ରମରେ ପିସିସି ପ୍ରଭାରୀ ଡକ୍ଟର ଚେଲ୍ଲା କୁମାର ବଦଳିବା ଏକ ପ୍ରକାର ନିଶ୍ଚିତ। କିଛିଦିନ ତଳେ ସେ ନିଜ ଆଡୁ ମଧ୍ୟ ଓହରି ଯିବା ପାଇଁ ଏଆଇସିସିକୁ ଅନୁରୋଧ କରିସାରିଛନ୍ତି। ଏହି କ୍ରମରେ ଚେଲ୍ଲା କୁମାରଙ୍କ ପରେ ପ୍ରଭାରୀ କିଏ ହେବ, ସେ ନେଇ ବିଚାର ବିମର୍ଶ ଆରମ୍ଭ ହୋଇଛି।

ଏହି କ୍ରମରେ ଦକ୍ଷିଣ ଭାରତ ତଥା ତେଲେଙ୍ଗାନା କଂଗ୍ରେସ ନେତା ନାଲମଦ ଉତ୍ତମ କୁମାର ରେଡ୍ଡିଙ୍କ ନାଁ ସର୍ବାଗ୍ରେ ରହିଛି। ୧୯୬୨ ମସିହା ଜନ୍ମିତ ଏହି ବ୍ୟକ୍ତି ବର୍ତ୍ତମାନ କଂଗ୍ରେସର ଏମପି ରହିଛନ୍ତି। ରାଜନୀତିକୁ ଆସିବା ପୂର୍ବରୁ ସେ ଭାରତୀୟ ବାୟୁ ସେନାରେ ପାଇଲଟ୍ ଭାବେ କାର୍ଯ୍ୟ କରିଛନ୍ତି। ତେଲେଙ୍ଗାନା କଂଗ୍ରେସ ମଧ୍ୟରେ ସେ କ୍ୟାପଟେନ୍ ଭାବେ ପରିଚିତ। ଅବିଭକ୍ତ ଆନ୍ଧ୍ର ସରକାରରେ ମନ୍ତ୍ରୀ ଥିବା ଶ୍ରୀ ରେଡ୍ଡିଙ୍କ ସାଙ୍ଗଠନିକ ଦକ୍ଷତା ରହିଛି। ଏହି କ୍ରମରେ ପଡୋଶୀ ଓଡ଼ିଶା ପ୍ରଭାରୀ ପାଇଁ ପ୍ରାଥମିକ ସ୍ତରରେ ତାଙ୍କ ନାଁ ଆଲୋଚନା କରାଯାଇଛି। ସେ ତେଲେଙ୍ଗାନା ପ୍ରଦେଶ କଂଗ୍ରେସର ସଭାପତି ଭାବେ ମଧ୍ୟ ଦାୟିତ୍ୱ ତୁଲାଇ ସାରିଛନ୍ତି।
