ଭୁବନେଶ୍ୱର , ଉପକଣ୍ଠସ୍ଥ ୩ ଆସନରେ ପ୍ରାର୍ଥୀ ଚୟନ ବିଜେଡ଼ି ପାଇଁ ଆହ୍ୱାନପୂର୍ଣ୍ଣ

ଭୁବନେଶ୍ୱର: ରାଜନୀତିରେ ନ୍ୟାରେଟିଭ୍ ତଥା ବାର୍ତ୍ତା ଦୁଇ ପ୍ରକାର କରାଯାଇଥାଏ। ପ୍ରଥମତଃ- ରାଜଧାନୀରୁ ରାଜ୍ୟର ଅନ୍ୟ ଅଂଚଳକୁ ବାର୍ତ୍ତା ପ୍ରେରଣ କରାଯାଇଥାଏ। ଅନ୍ୟଟି ରାଜ୍ୟର ଅନ୍ୟ ସ୍ଥାନ ଗୁଡିକର କାର୍ଯ୍ୟକ୍ରମର ପ୍ରଭାବ ରାଜ୍ୟ ମୁଖ୍ୟାଳୟରେ ପଡିଥାଏ। ପ୍ରଥମଟି ଗଣମାଧ୍ୟମ ଦୃଷ୍ଟିରୁ ଅଧିକ ସୁଦୂରପ୍ରସାରୀ ହୋଇଥାଏ। ତେଣୁ ରାଜନୈତିକ ଦଳମାନେ ରାଜଧାନୀ ଏବଂ ଏହାର ଆଖପାଖ ଅଞ୍ଚଳରେ କାର୍ଯ୍ୟକ୍ରମକୁ ବିଶେଷ ଗୁରୁତ୍ୱ ପ୍ରଦାନ କରିଥାଆନ୍ତି। ରାଜଧାନୀର ଆସନ ଗୁଡିକର ବିଜୟ-ପରାଜୟ ଅନ୍ୟ ଅଞ୍ଚଳରେ ଏକ ଧାରଣା ସୃଷ୍ଟି କରିଥାଏ। ଯାହା ବର୍ତ୍ତମାନ ରାଜ୍ୟ ରାଜନୀତିରେ ଦେଖିବାକୁ ମିଳିଛି। ଭୁବନେଶ୍ୱରର ସାଂସଦ ଆସନଟି ବିଜେପି ପାଖରେ ରହିଛି। ମାତ୍ର ଏହା ଅଧିନରେ ଥିବା ସାତ ବିଧାନସଭାରେ ଗୋଟିଏ ଆସନକୁ ବାଦ୍ ଦେଲେ ବିଜେଡି ସବୁ ଜିତିଛି। ତେଣୁ ଆଗାମୀ ନିର୍ବାଚନରେ ଲୋକସଭା ସହ ବିଧାନସଭା କ୍ଲିନ୍ ସୁଇପ୍ ଲକ୍ଷ୍ୟରେ ବିଜେଡି ରହିଛି।

ବିଧାନସଭା ଆସନ ଗୁଡିକ ମଧ୍ୟରେ ରାଜଧାନୀର ତିନି, ଉପକଣ୍ଠସ୍ଥ ଗୋଟିଏ ଆସନ ପ୍ରାର୍ଥୀ ଚୟନ ଏବଂ ବିଦ୍ରୋହୀ ଦମନ ବିଜେଡି ପାଇଁ ଆହ୍ୱାନ ପୂର୍ଣ୍ଣ ହେବାକୁ ଯାଉଛି। ଭୁବନେଶ୍ୱର(ଉତ୍ତର) ଆସନରେ ବିଜେଡି ସ୍ଥିତି ଅନ୍ୟ ସମସ୍ତ ଆସନ ଅପେକ୍ଷା ଭଲ ରହିଥିବା ଡିସେମ୍ବର ପ୍ରଥମ ସପ୍ତାହରେ କରାଯାଇଥିବା ସର୍ଭେରୁ ଜଣାପଡିଛି। ମାତ୍ର ଆଶ୍ଚର୍ଯ୍ୟଜନକ ଭାବେ କ୍ୟାବିନେଟ୍ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ପ୍ରତିନିଧିତ୍ୱ କରୁଥିବା ଭୁବନେଶ୍ୱର(ଏକାମ୍ର) ଆସନରେ ଶାସକ ଦଳ ଲୋକପ୍ରିୟତା ହ୍ରାସ ପାଉଛି। ସେହିପରି ଭୁବନେଶ୍ୱର(ମଧ୍ୟମ)ରେ ସ୍ଥିତି ସମାନ ରହିଛି। ମାତ୍ର ଏହି ନିର୍ବାଚନମଣ୍ଡଳୀରେ ବିଜେଡି କର୍ମୀମାନଙ୍କ ମଧ୍ୟରେ ସର୍ବାଧିକ ଅସନ୍ତୋଷ ରହିଛି। ଭୁବନେଶ୍ୱର –ଜୟଦେବ ଅଞ୍ଚଳରେ ପ୍ରାର୍ଥୀଙ୍କ ପଛରେ ଥିବା ବେପାରୀଙ୍କୁ ନେଇ କୋକୁଆ ଭୟ ରହିଛି। ବର୍ତ୍ତମାନ ବିଧାୟକ ଏବଂ ପୂର୍ବତନ ବିଧାୟକଙ୍କୁ ପୁଣି ଥରେ ପ୍ରାର୍ଥୀ ନ କରିବା ପାଇଁ ବହୁ କର୍ମୀ ଏବଂ ସର୍ଭେରେ ଅଂଶ ଗ୍ରହଣ କରିଥିବା ଲୋକ ମତ ଦେଇଛନ୍ତି। ଏକାମ୍ର ନିର୍ବାଚନମଣ୍ଡଳୀର ଜଣେ ଏକାଧିକ ଥର କର୍ପୋରେଟର ହୋଇଥିବା ସେବାୟତ ଏବଂ ଗ୍ରାମାଞ୍ଚଳରୁ ପ୍ରତିନିଧିତ୍ୱ କରୁଥିବା ଜଣେ ନିଗମ ଅଧ୍ୟକ୍ଷ ଟିକେଟ୍ ଦୌଡ଼ରେ ରହିଛନ୍ତି। ଆସନ୍ତା ନିର୍ବାଚନରେ ଦଳ ଟିକେଟ୍ ନ ଦେଲେ ସ୍ୱାଧିନ ଭାବେ ନାମାଙ୍କନ କରିବାକୁ କୁଣ୍ଠାବୋଧ କରିବେ ନାହିଁ ବୋଲି ଉଭୟଙ୍କ ଗୋଷ୍ଠୀ ମତ ଦେଇଛନ୍ତି। ଅନୁରୂପ ଭାବେ ମଧ୍ୟ ନିର୍ବାଚନମଣ୍ଡଳୀ ପାଇଁ ଜଣେ ବରିଷ୍ଠ କର୍ପୋରେଟର ଏବଂ ବିଜେଡିର ସାମାଜିକ କାର୍ଯ୍ୟକ୍ରମ ଆୟୋଜନରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା କେତେକ ନେତା ଦୌଡ଼ରେ ରହିଛନ୍ତି। ତୃତୀୟ ମହଲାର ସବୁଠୁ ପ୍ରଭାବଶାଳୀ ଆଇପିଏସ୍ ନିକଟ ଅତୀତରେ ପୁରୀ ଜିଲ୍ଲାର ଜଣେ ବରିଷ୍ଠ ବିଜେଡି ନେତାଙ୍କୁ ମଧ୍ୟ-ଭୁବନେଶ୍ୱରରେ ପ୍ରାର୍ଥୀ ହେବା ପାଇଁ ବିଚାର କରିବାକୁ ମଧ୍ୟ ପରାମର୍ଶ ଦେଇଥିଲେ। ତେଣୁ ଜୟଦେବ-ଏକାମ୍ର-ମଧ୍ୟରେ ପ୍ରାର୍ଥୀ ଚୟନ ନବୀନ ପଟ୍ଟନାୟକ ଏବଂ ଦଳ ପରିଚାଳନାକାରୀଙ୍କ ମୁଣ୍ଡବିନ୍ଧାର କାରଣ ହେବାକୁ ଯାଉଛି।