ତୁର୍କୀରେ ହେବ ସର୍ବାଧିକ ମୁଦ୍ରାସ୍ଫୀତି, କେତେ ନମ୍ବରରେ ରହିବ ଭାରତ…
ନୂଆଦିଲ୍ଲୀ : ମଧ୍ୟପ୍ରାଚ୍ୟରେ ଦେଖାଦେଇଥିବା ଭୌଗୋଳିକ ରାଜନୈତିକ ଅନିଶ୍ଚିତତା ବିଶ୍ୱ ଅର୍ଥନୀତିକୁ ୨୦୨୪ ମସିହାରେ ଅଧିକ ପ୍ରଭାବିତ କରିବାର ଆଶଙ୍କା କରାଯାଉଛି। ସମଗ୍ର ବିଶ୍ୱର ଅର୍ଥନୈତିକ ଅଭିବୃଦ୍ଧି ମନ୍ଥର ହେବା ସହ ମୁଦ୍ରାସ୍ଫୀତି ବୃଦ୍ଧି ପାଇବ ବୋଲି ଅର୍ଥନୀତି ବିଶାରଦ ମତ ବ୍ୟକ୍ତି କରିଛନ୍ତି। ଅଶୋଧିତ ତେଲ ଦର ଅଧିକ ଭାରତର ମୁଦ୍ରାସ୍ଫୀତି ଆଶାଠାରୁ ଅଧିକ ରହିବ ବୋଲି ରେଟିଂ ଏଜେନ୍ସି ଫିଚ୍ ଏବେ ଠାରୁ ସତର୍କ କରାଇ ସାରିଲେଣି। ମାତ୍ର ଅଶୋଧିତ ତେଲ ଦର ୨୦୨୫ରେ କମିବାର ସମ୍ଭାବନା ମଧ୍ୟ ରହିଛି । ଅଶୋଧିତ ତୈଳ ଦର ବୃଦ୍ଧି ଯୋଗୁ ତୁର୍କୀରେ ମୁଦ୍ରାସ୍ଫୀତି ସବୁଠୁ ଅଧିକ ବଢ଼ିବ ବୋଲି ଆକଳନ କରାଯାଇଛି। ତୁର୍କୀ ପଛକୁ ଭାରତ ଏବଂ ପୋଲାଣ୍ଡ ରହିବେ ବୋଲି ଫିଚ୍ ଭବିଷ୍ୟବାଣୀ କରିଛନ୍ତି। ଅନୁରୂପ ଭାବେ ମଧ୍ୟପ୍ରାଚ୍ୟରେ ଭୌଗୋଳିକ ଓ ରାଜନୈତିକ ଅସ୍ଥିରତା ଫଳରେ ୨୦୨୪ରେ ବିଶ୍ୱର ଜିଡିପି ଅଭିବୃଦ୍ଧି ୦.୪ ପ୍ରତିଶତ ହ୍ରାସ ପାଇବ। ହେଲେ ୨୦୨୫ରେ ଅଭିବୃଦ୍ଧି ୦.୧ ପ୍ରତିଶତ କମିବ। ଭାରତ ସଂପର୍କରେ ଉକ୍ତ ସଂସ୍ଥା ଆକଳନ କରିଛି ଯେ ୨୦୨୩-୨୪ରେ ଜିଡିପି ଅଭିବୃଦ୍ଧି ୬.୩ ପ୍ରତିଶତ ରହିବ ଏବଂ ୨୦୨୪-୨୫ରେ ଏହା ୬.୫ ପ୍ରତିଶତକୁ ବଢ଼ିବ ।